ଇଂଲିଶ ଗୌଣ

ଭାରତୀୟ ସମ୍ବିଧାନରେ ଶିକ୍ଷାକୁ ଯୁଗ୍ମ ତାଲିକା ବା କନ୍‌କରେଣ୍ଟ୍‌ ଲିଷ୍ଟ୍‌ରେ ରଖାଯାଇଛି। କୌଣସି ବିଷୟ ଉପରେ କ୍ଳିଷ୍ଟତା ଉପୁଜିଲେ କେନ୍ଦ୍ରର ଭୂମିକା ଗୁରୁତ୍ୱ ବହନ କରିଥାଏ। ନିକଟରେ କେନ୍ଦ୍ର ସରକାର ନୂଆ ଶିକ୍ଷା ନୀତି-୨୦୨୦ ଘୋଷଣା କରିବା ପରେ ଏଥିରେ ଥିବା ବିଭିନ୍ନ ଦିଗ ଉପରେ ତର୍ଜମା କରାଯାଉଛି। କେତେକେ ୧୦+୨ ପରିବର୍ତ୍ତେ ୫+୩+୩+୪ ବ୍ୟବସ୍ଥାକୁ ସ୍ବାଗତ କରିଥିବା ବେଳେ ଅନ୍ୟମାନେ ଏହାକୁ ନାପସନ୍ଦ କରୁଛନ୍ତି। ବାସ୍ତବରେ ଯେଉଁମାନେ ପ୍ରଶଂସା ବା ନାପସନ୍ଦ କରୁଛନ୍ତି ସେମାନେ ଆଜି ପର୍ଯ୍ୟନ୍ତ ଘୋଷଣା ହୋଇଥିବା ତଥ୍ୟ ସମ୍ପର୍କରେ କେତେ ଗଭୀରକୁ ଯାଇଛନ୍ତି ତାହା ବୁଝିବା କଷ୍ଟକର।
ଏହି ଶିକ୍ଷା ନୀତି ଅନୁଯାୟୀ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା ମାଧ୍ୟମରେ ପାଠ ପଢ଼ିବାକୁ ଜୋର୍‌ ଦିଆଯାଇଛି। ସମ୍ଭବତଃ ଏହା ପଛରେ ମାତୃଭାଷା ସପକ୍ଷବାଦୀ ଯୋଦ୍ଧାଙ୍କୁ ନୀରବ କରିଦେବାର ଉଦ୍ଦେଶ୍ୟ ରହିଛି। ଛାତ୍ରୀଛାତ୍ରଙ୍କ ଜୀବନ ଆରମ୍ଭରେ କେବଳ ମାତୃଭାଷା ମାଧ୍ୟମରେ ଶିକ୍ଷା ଦିଆଗଲେ ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ଭାଷା ଶିଖିବା କଷ୍ଟକର ହୋଇପଡ଼ିବ। ହୁଏତ ସେଥିପାଇଁ ଅଧିକାଂଶ ବିକଶିତ ଦେଶରେ ପିଲାଙ୍କୁ ଆରମ୍ଭରୁ ସର୍ବନିମ୍ନ ଦୁଇଟି ଭାଷାରେ ଶିକ୍ଷା ଦିଆଯାଇଥାଏ। ଭାରତ ସରକାରଙ୍କ ଘୋଷଣା ଅନୁଯାୟୀ ଶିକ୍ଷାନୀତି କେବଳମାତ୍ର ଏକ ସୁପାରିସ। ଏଥିରେ ଆହୁରି ଅସ୍ପଷ୍ଟ ବିନ୍ଦୁ ରହିଛି। ନୀତିରେ ବର୍ଣ୍ଣନା କରାଯାଇଛି ଯେ, ଛାତ୍ରୀଛାତ୍ର ରସାୟନ ବିଜ୍ଞାନ ସହ ସଙ୍ଗୀତ ଏବଂ ଭୂଗୋଳ ପଢ଼ିପାରିବେ। ଅର୍ଥାତ୍‌ ଆଜିପର୍ଯ୍ୟନ୍ତ ଯେଉଁ କଳା, ବିଜ୍ଞାନ ଓ ବାଣିଜ୍ୟ ବିଷୟ ସବୁ କଡ଼ାକଡ଼ି ଭାବେ ଲାଗୁ ହୋଇଥିଲା ତା’ର ସୀମା ଭାଙ୍ଗିଯିବ। ଅର୍ଥାତ୍‌ ଉଚ୍ଚଶିକ୍ଷାରେ ପିଲାଙ୍କ ରୁଚି ଅନୁଯାୟୀ ବିଭିନ୍ନ ଧାରାରୁ ଭିନ୍ନ ଭିନ୍ନ ବିଷୟ ପଢ଼ିବାର ସୁଯୋଗ ମିଳିବ। ନିଶ୍ଚିତଭାବେ ଏହା ସ୍ବାଗତଯୋଗ୍ୟ। ଶିକ୍ଷାନୀତି ଭାବେ ଏହା ଏକ ସମ୍ପୂର୍ଣ୍ଣ ମଣିଷ ତିଆରି କରିବାରେ ସହାୟକ ହେବ ବୋଲି କୁହାଯାଇପାରେ। କିନ୍ତୁ ଏବେକାର ଶିକ୍ଷା ବ୍ୟବସ୍ଥା ଏଭଳି ପରିବର୍ତ୍ତିତ ନୀତି ସହିତ ହାତ ମିଳାଇ ଚାଲିପାରିବ କି ନାହିଁ ତାହା ଜଣାନାହିଁ। ନୀତି ଯେତେ ସୁନ୍ଦର ହେଲେ ମଧ୍ୟ ଭାରତର ସାମାଜିକ ପରିସ୍ଥିତିକୁ ଅଧ୍ୟୟନ କରାଯିବା ଅତ୍ୟନ୍ତ ଆବଶ୍ୟକ। ଉଦାହରଣ ସ୍ବରୂପ ଭାରତରେ ଅଧିକାଂଶ ଅଭିଭାବକ ନିଜ ପିଲାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିଥାନ୍ତି। ପିଲା ନିଜ ଜୀବନକୁ କେମିତି ଗଢ଼ିତୋଳିବ ସେ ସମ୍ପର୍କରେ ସେଇ ପିଲାର ଯେତିକି ଦାୟିତ୍ୱ ନ ଥାଏ ତା’ଠାରୁ କାହିଁ ଅଧିକ ଦାୟିତ୍ୱ ଗୁରୁଜନମାନେ ନିଜେ ମୁଣ୍ଡାଇଥାନ୍ତି। ସେଥିପାଇଁ ଏହି ନୀତିରେ ଏଭଳି ସାମାଜିକ ସମସ୍ୟା ପାଇଁ କେଉଁଭଳି ବ୍ୟବସ୍ଥା କରାଯାଇଛି ତାହା ଜଣାପଡୁ ନାହିଁ। ସମସ୍ୟା ହେଲା ପିଲାଙ୍କୁ ଦିଆଯାଇଥିବା ସ୍ବାଧୀନତା ସହିତ ଅଭିଭାବକଙ୍କ ସହମତି ରହିବାର ଆବଶ୍ୟକତା ଦେଖାଦେଇପାରେ।
ଏହି ଶିକ୍ଷାନୀତିରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅର୍ଥାତ୍‌ ୨୬ ସେପ୍ଟେମ୍ବର ୧୯୮୫ ପର୍ଯ୍ୟନ୍ତ ଏହି ମନ୍ତ୍ରଣାଳୟର ନାମ ଥିଲା ଶିକ୍ଷା ମନ୍ତ୍ରଣାଳୟ। ଅବଶ୍ୟ ପୁରୁଣା ସଂସ୍ଥା ବା ଅନୁଷ୍ଠାନର ନାମ ପରିବର୍ତ୍ତନ କରି ଏକ ନୂଆ ଧାରା ସୃଷ୍ଟି କରିବାରେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ରେକର୍ଡ ରହିଆସିଛି। ବିଗତ ସାଧାରଣ ନିର୍ବାଚନ ବେଳେ ନୂଆ ଶିକ୍ଷା ନୀତି ଅଣାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସମ୍ଭବତଃ ତାହାକୁ ପୂରଣ କରିବା ଦିଗରେ କୋଭିଡ୍‌-୧୯ ମହାମାରୀ ଯୋଗୁ ସଂକ୍ରମଣ ବୃଦ୍ଧି ପାଇବା ଓ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଭାରତବାସୀ ଗତି କରୁଥିବା ବେଳେ ଏକ ବିରାଟକାୟ ବାସ୍ତବ ସମସ୍ୟାଠାରୁ ଦୃଷ୍ଟି ହଟାଇବା ପାଇଁ ଉଦ୍ୟମ ହୋଇଥାଇପାରେ। କାରଣ ସରକାରଙ୍କ ଏହି ସମୟରେ ଯେଉଁଆଡ଼େ ସମ୍ପୂର୍ଣ୍ଣ ଶକ୍ତି ଓ ଦୃଷ୍ଟି ଲଗାଇବା କଥା ସେହି ଝରକାରେ ଶିକ୍ଷାନୀତି ପରିବର୍ତ୍ତନ କଦାପି ଆସୁନାହିଁ। ଶିକ୍ଷା ନୀତି ଇତିହାସ ଦେଖିଲେ ଏହା ପୂର୍ବରୁ ୧୯୬୪-୬୫ ଏବଂ ୧୯୮୫-୮୬ରେ ଦୁଇଟି ଶିକ୍ଷା ନୀତି ଆସିସାରିଛି। ଏବର ଶିକ୍ଷା ନୀତି ପୂର୍ବ ଭଳି ଏକ ଦଲିଲ ହୋଇ ରହିବ ବୋଲି ବିଶ୍ୱାସ ହେଉନାହିଁ। ଭଲରେ ହେଉ ବା ଭେଲରେ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହାକୁ ଜୋର୍‌ ଜବରଦସ୍ତ କାର୍ଯ୍ୟକାରୀ କରାଇବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ୪ ଘଣ୍ଟା ସମୟ ଦେଇ ବିମୁଦ୍ରୀକରଣ ଘୋଷଣା କଲେ ଏବଂ ତତ୍‌ସହିତ ଦିନେ ଛଡ଼ା ଦିନେ ନିୟମ ବଦଳାଇ ଚାଲିଲେ। ସେହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଫଳ ଆଜି ଭାରତୀୟ ଅର୍ଥନୀତିକୁ ଭାଙ୍ଗିଦେଇଛି। ଅର୍ଦ୍ଧରାତିରେ ମିଳିତ ପାର୍ଲାମେଣ୍ଟ ଅଧିବେଶନ ଡାକି ଜିଏସ୍‌ଟି ଲାଗୁ କଲେ। କରୋନା ଲକ୍‌ଡାଉନ୍‌ ପୂର୍ବ ସମୟ ଯାଏ ଜିଏସ୍‌ଟିର ବିଭିନ୍ନ ନିୟମ ଓ ସମୟସୀମା ବଦଳାଇ ଚାଲିଛନ୍ତି। କରୋନାଜନିତ ଲକ୍‌ଡାଉନ୍‌ ଘୋଷଣା କରିଦେଲା ପରେ ବୁଝାପଡ଼ିଲା ଯେ ସରକାରଙ୍କ ମାଇଗ୍ରାଣ୍ଟ୍‌ ଲେବର ବା ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ତିଳେମାତ୍ର ଧାରଣା ନ ଥିଲା। ଏବେ ସନ୍ଦେହ କରାଯାଇପାରେ ଯେ ନୂତନ ଶିକ୍ଷାନୀତି ସେହିଭଳି ଏକ ହଟଚମଟ ସୃଷ୍ଟି କରିବା ଲକ୍ଷ୍ୟରେ ଘୋଷଣା କରାଯାଇଛି। ଏହି ଦେଶର ଅନେକ କୋଟି ଛାତ୍ରୀଛାତ୍ର ବିଭିନ୍ନ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଅନେକ ପ୍ରକାର ଶିକ୍ଷା ବ୍ୟବସ୍ଥାରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି। କେବଳ ଓଡ଼ିଶାର ସ୍କୁଲ ବ୍ୟବସ୍ଥାକୁ ଦେଖିଲେ ଏଠାରେ ମାଟ୍ରିକ୍‌ (ଏଚ୍‌ଏସ୍‌ସି), +୨ (ସିଏଚ୍‌ଏସ୍‌ଇ), ସିବିଏସ୍‌ଇ, ଆଇସିଏସ୍‌ଇ ଭଳି ଆମ ଜାଣିବାରେ ଅନ୍ତତଃ ଚାରି ପ୍ରକାର ସମାନ ସ୍ତର ପାଇଁ ପାଠ୍ୟକ୍ରମ ରହିଛି। ସହଜରେ ଅନୁମାନ କରାଯାଇପାରେ ଯେ ଅନ୍ୟ ରାଜ୍ୟରେ ୪ ବା ତଦୂର୍ଦ୍ଧ୍ୱ ବ୍ୟବସ୍ଥା ନିଶ୍ଚିତ ଭାବେ ଥିବ। ସ୍କୁଲ ଭଳି କଲେଜ ବା ଉଚ୍ଚଶିକ୍ଷାରେ ମଧ୍ୟ ଅନେକ ପ୍ରକାରର ପାଠ୍ୟକ୍ରମ ରହିଛି। ଏହିସବୁ ଚଳନ୍ତି ବ୍ୟବସ୍ଥାରେ ଅନେକ କୋଟି ପିଲା ଦେଶବ୍ୟାପୀ ଏବେ ପାଠ ପଢ଼ୁଛନ୍ତି। ସେମାନଙ୍କ ଜୀବନରେ ଏଭଳି ଏକ ରାତିଅଧିଆ ନୀତି ପରିବର୍ତ୍ତନ କେଉଁ ପ୍ରକାର ଲାଭ ବା କ୍ଷତି ଆଣିଦେବ, ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇଛି କି ନାହିଁ ସେ ନେଇ କୌଣସି ପ୍ରମାଣ ନାହିଁ। ଯଦି କେହି କହେ ଯେ କମିଟି ବସି ଏଇସବୁ ସୁପାରିସ କରିଛି, ତେବେ ସେହି କମିଟି ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଯୋଗ୍ୟ କରିବା ପାଇଁ କୌଣସି ସୁପାରିସ କରିଛନ୍ତି କି ନାହିଁ ତାହାର ଉଲ୍ଲେଖ ରହିନାହିଁ। ଏହା ବ୍ୟତୀତ ଏଭଳି ନୀତି ନିମନ୍ତେ ପାଠ୍ୟପୁସ୍ତକରେ କେଉଁ ପ୍ରକାର ପରିବର୍ତ୍ତନ ଚିନ୍ତା କରାଯାଇଛି ତାହା ମଧ୍ୟ ଜଣାନାହିଁ।
ଭାରତରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ଥିଲା। ଆଜି ପର୍ଯ୍ୟନ୍ତ ଚାଲିଆସୁଥିବା ବ୍ୟବସ୍ଥାରେ କେବଳ ଚାକିରି ଖୋଜିବା ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯାଉଥିଲା। ଏହା ଫଳରେ ଭାରତୀୟ ଯୁବପିଢ଼ି ପୃଥିବୀବ୍ୟାପୀ ବଡ଼ କମ୍ପାନୀରେ ଚାକିରି ପାଉଥିବା କଥା ସତ୍ୟ। କିନ୍ତୁ ଭାରତୀୟଙ୍କ ଦ୍ୱାରା କୌଣସି ଇନୋଭେଶନ ବା ଅଭିନବତ୍ୱ କରାଯାଇଥିବାର ଶୁଣିବାକୁ ମିଳେନାହିଁ। ଗୋଟିଏ ପଟେ ମାତାପିତାଙ୍କ ଚାପ, ଅନ୍ୟପଟେ ଲଦିହୋଇ ଯାଇଥିବା ପାଠ୍ୟକ୍ରମ ପିଲାଙ୍କୁ ମାନସିକ ବାମନ ଅବସ୍ଥାକୁ ଘୋଷାଡ଼ି ନେଇଛି। ଯଦି ସେହି ପରିସ୍ଥିତି ଏହି ନୂତନ ନୀତି ମାଧ୍ୟମରେ ଆସନ୍ତାକାଲିର ଯୁବପିଢ଼ିଙ୍କୁ ମୁକ୍ତ କରାଯାଇପାରିବ ତେବେ ଏହାକୁ ସମର୍ଥନ କରାଯିବା ଦରକାର। କିନ୍ତୁ ଏହି ସରକାରର ପୂର୍ବାଭ୍ୟାସକୁ ଦେଖିକରି କୁହାଯାଇ ପାରିବ ଯେ ଏହି ନୂତନ ଶିକ୍ଷାନୀତି ପଛରେ କୌଣସି ଗଭୀର ଅନୁଧ୍ୟାନ ନ ଥାଇ ଏହାକୁ ଏକ ସଙ୍ଗେ ସମଗ୍ର ଦେଶ ଉପରେ ଅଜାଡ଼ି ଦିଆଯାଇଛି। ଏଡ଼େ ବିଶାଳ ଏବଂ ଜନସଂଖ୍ୟାବହୁଳ ଦେଶରେ ପରିବର୍ତ୍ତନ ଆଣିବା ପାଇଁ ସମୟ ଦିଆଯିବା ଉଚିତ। ଉଦାହରଣ ସ୍ବରୂପ, ପ୍ରଥମେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ଉଚିତ ଥିଲା। ସେଥିପାଇଁ ପ୍ରତ୍ୟେକ ରାଜ୍ୟରେ ଅନୁଭବୀ ଏବଂ ଯୋଗତାପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବ୍ୟବସ୍ଥା କରାଯାଇ ଥାଆନ୍ତା। ସେଥିରୁ ମିଳୁଥିବା ଅଭିଜ୍ଞତାକୁୁ ପରବର୍ତ୍ତୀ ସ୍ତରରେ ପରୀକ୍ଷଣ କରାଯିବା ଉଚିତ ହୋଇଥାନ୍ତା। ଏହି ନୂତନ ଶିକ୍ଷାନୀତିକୁ ଦେଖିଲେ ଲାଗୁଛି ଲକ୍‌ଡାଉନ୍‌ ଘୋଷଣା କରି ପ୍ରବାସୀ ସମସ୍ୟା ସୃଷ୍ଟି କଲା ଭଳି ଏହି ଶିକ୍ଷାନୀତି ଆହୁରି ଏକ ବିରାଟ ପାହାଡ଼ ଛିଡ଼ା କରିପାରେ। ଏହା ବ୍ୟତୀତ ଯଦି ଇଂଲିଶ ଶିକ୍ଷାକୁ ଗୌଣ କରିଦିଆଯାଏ, ତେବେ ଭାରତର ଭବିଷ୍ୟତ ପିଢ଼ିକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ହେବାରୁ ବଞ୍ଚିତ କରିଦିଆଯିବ। ଏଥିରେ ସଂସ୍କୃତର ଗୁରୁତ୍ୱ କେତେଦୂର ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବାରେ ସହାୟକ ହେବ ତାହା ମଧ୍ୟ ସନ୍ଦିହାନ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri