ନୂତନ ଶିକ୍ଷାନୀତି-୨୦୨୦: ଏକ ବିହଙ୍ଗାବଲୋକନ

୧୯୮୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାର ଜାତୀୟ ଶିକ୍ଷାନୀତି ୧୯୮୬ ପ୍ରଚଳନ କରିଥିଲେ। ତା’ର ୩୪ ବର୍ଷ ପରେ ମୋଦି ସରକାର ବିଶିଷ୍ଟ ମହାକାଶ ବିଜ୍ଞାନୀ ପ୍ରଫେସର କେ. କସ୍ତୁରୀ ରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ ସମିତିର ପ୍ରସ୍ତାବକୁ ଗ୍ରହଣ କରି ଜାତୀୟ ଶିକ୍ଷାନୀତି-୨୦୨୦ ଲୋକାର୍ପିତ କରିଛନ୍ତି। ନୂଆ ବ୍ୟବସ୍ଥା ମୁତାବକ କେନ୍ଦ୍ରୀୟ ମାନବସମ୍ବଳ ବିଭାଗକୁ ଶିକ୍ଷା ବିଭାଗ କୁହାଯିବ। ଦେଶ ସ୍ବାଧୀନତା ଲାଭବେଳେ ମଧ୍ୟ ଏହାକୁ ଶିକ୍ଷା ବିଭାଗ କୁହାଯାଉଥିଲା।
ବର୍ତ୍ତମାନ ୧୦ +୨ ବ୍ୟବସ୍ଥା ପ୍ରଚଳିତ ଥିବାବେଳେ ନୂତନ ଶିକ୍ଷାନୀତି ଅନୁଯାୟୀ ବିଦ୍ୟାଳୟ ଶିକ୍ଷାବ୍ୟବସ୍ଥାରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳିତ ହେବ। ଏବେ ୫ ବର୍ଷ ହେଲେ ସରକାରୀ ବିଦ୍ୟାଳୟରେ ନାମଲେଖା ଯାଉଥିବାବେଳେ ଘରୋଇ ବିଦ୍ୟାଳୟଗୁଡ଼ିକରେ ୨ରୁ ୩ ବର୍ଷର ଶିଶୁକୁ କ୍ରୀଡ଼ାଶ୍ରେଣୀରେ ନାମ ଲେଖାଯାଉଛି। ନୂଆ ଶିକ୍ଷାନୀତିରେ ୩ ବର୍ଷରୁ ପିଲାର ପାଠପଢ଼ା ଆରମ୍ଭ ହେବ। ୩ ରୁ ୬ବର୍ଷ ପର୍ଯ୍ୟନ୍ତ ପିଲାଟି ଅଙ୍ଗନାଓ୍ବାଡି/ବାଲ୍‌ବାଟିକାରେ ଖେଳକୁଦ ମାଧ୍ୟମରେ ଶିକ୍ଷାଅର୍ଜନ କରିବ। ତା’ପର ଦୁଇବର୍ଷ ୬ ରୁ ୮ ବର୍ଷ ପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପିଲାଟି ପାଠ ପଢ଼ିବ। ୩ ରୁ ୮ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଥମ ୫ବର୍ଷର ଶିକ୍ଷାକୁ ମୂଳଦୁଆ ଶିକ୍ଷା ବୋଲି କୁହାଯାଉଛି। ୩ ରୁ ୬ବର୍ଷ ପର୍ଯ୍ୟନ୍ତ ପିଲାର ଶିକ୍ଷାଗ୍ରହଣ ପ୍ରବଣତା ଅଧିକ ଥାଏ ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଏହି ସମୟରେ ଶିକ୍ଷାଦାନ କଲେ ପିଲାମାନେ ତା’ର ସୁଫଳ ପାଇବେ ବୋଲି ସରକାର ଆଶା ରଖିଛନ୍ତି। ଏହି ସମୟରେ ଗପ, ଗୀତ, ଖେଳ ଜରିଆରେ ଶିକ୍ଷାଦାନ କରାଯିବ। ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡ଼ାକୁ ପ୍ରାରମ୍ଭିକ ପାଠ୍ୟଖସଡ଼ା କୁହାଯିବ। ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ମଧ୍ୟ ପାଠ୍ୟଖସଡ଼ା ଓ ନବମରୁ ଦ୍ୱାଦଶପର୍ଯ୍ୟନ୍ତ ପାଠ୍ୟଖସଡ଼ାକୁ ମାଧ୍ୟମିକ ପାଠ୍ୟଖସଡ଼ା କୁହାଯିବ। ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଓ ପ୍ରାଥମିକ ଶ୍ରେଣୀର ଭାଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ପାଇଁ ପ୍ରୋତ୍ସାହନ ଦିଆଯିବ ଅର୍ଥାତ୍‌ ଆଞ୍ଚଳିକ ଭାଷା ବାଧ୍ୟତାମୂଳକ ହେବନାହିଁ। ଗବେଷଣାରୁ ଜଣାପଡ଼ିଛି ପିଲାଟିକୁ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କଲେ ତା’ର ଗ୍ରହଣଶୀଳତା ଅଧିକ ହୋଇଥାଏ। ମାତ୍ର ବର୍ତ୍ତମାନ ଧାରାକୁ ଦେଖିଲେ ଅଭିଭାବକମାନେ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବା ପାଇଁ ପସନ୍ଦ କରୁଛନ୍ତି। କିଛି ଶିକ୍ଷାବିତ୍‌ଙ୍କର ଯୁକ୍ତିହେଲା ଇଂଲିଶ ଏକ ବିଶ୍ୱସ୍ତରୀୟ ଭାଷା ହୋଇଥିବାରୁ ଏହି ଭାଷାରେ ଦଖଲ ଆସିଲେ ବିଶ୍ୱ ବଜାରରେ ଚାକିରିର ସୁବିଧା ବଢ଼ିଥାଏ। ତେଣୁ ଏକ ମଧ୍ୟମ ମାର୍ଗକୁ ଗ୍ରହଣ କରି ଜାତୀୟ ଶିକ୍ଷାନୀତି-୨୦୨୦ରେ ଆଞ୍ଚଳିକ ଭାଷାକୁ ବାଧ୍ୟତାମୂଳକ ନ କରି ବରଂ ପ୍ରୋତ୍ସାହିତ କରାଯିବ ବୋଲି କୁହାଯାଇଛି।
ନୂତନ ଶିକ୍ଷାନୀତିରେ ଯେଉଁ କେତୋଟି ପ୍ରଶଂସନୀୟ ବିନ୍ଦୁ ରହିଛି ତାକୁ ଆଲୋଚନା କରିବା। ବର୍ତ୍ତମାନ ଦେଖାଯାଉଛି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନେ ପାଠପଢ଼ାରେ ଧ୍ୟାନ ଦେଇପାରୁନାହାନ୍ତି। କେମିତି ଭଲରେ ରୋଷେଇ ହୋଇ ପିଲା ଖାଇବେ ତାହା ସେମାନଙ୍କର ମୁଖ୍ୟଚିନ୍ତା। ନୂତନ ଶିକ୍ଷାନୀତିରେ ମଧ୍ୟାହ୍ନଭୋଜନ ସହ ଜଳଖିଆର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ନିର୍ଦ୍ଦେଶ ଦିଆଯାଇଛି ଯେ, ରୋଷେଇବାସ କାମରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ନ ଦେଇ ଭିନ୍ନ ବ୍ୟବସ୍ଥା କରିବା ପାଇଁ। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ପ୍ରଚଳିତ ଶିକ୍ଷା ପଦ୍ଧତିରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ଓ ଆବଶ୍ୟକ ଶିକ୍ଷକମାନଙ୍କ ଅଭାବ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ମାନକୁ ରସାତଳକୁ ନେଇ ଗଲାଣି। ଏହାକୁ ସୁଧାରିବା ପାଇଁ ନୂତନ ଶିକ୍ଷାନୀତିରେ ୨୦୨୨ ପରେ ଆଉ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ଏହାଛଡ଼ା ଏଥିରେ ଶିକ୍ଷକ ଛାତ୍ର ଅନୁପାତ ୧:୩୦ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ବନବାସୀ ଅଞ୍ଚଳରେ ଏହି ଅନୁପାତ ୧:୨୫ ରହିବ। ୨୦୩୦ ସୁଦ୍ଧା ସବୁପିଲାଙ୍କୁ ବିଦ୍ୟାଳୟକୁ ନେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏସବୁ ଶିକ୍ଷାଦାନର ମାନବୃଦ୍ଧିରେ ସହାୟକ ହେବ। ଯେଉଁ ଶିକ୍ଷକମାନେ ଗ୍ରାମାଞ୍ଚଳରେ ନିଯୁକ୍ତି ପାଇବେ ସେମାନଙ୍କୁ ସ୍ବତନ୍ତ୍ର ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯିବ।
ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜାତୀୟ ଶିକ୍ଷାନୀତି-୨୦୨୦ରେ କୁହାଯାଇଛି। ବିଇଡି କୋର୍ସ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ହେବ। ଏହା ଏକବର୍ଷିଆ ଓ ଦୁଇବର୍ଷିଆ ମଧ୍ୟ ହୋଇପାରିବ। ଏଥିରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଶିକ୍ଷାନୀତିର ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି, ଗରିବ ଓ ମେଧାବୀ ଛାତ୍ରମାନଙ୍କୁ ବିଦ୍ୟାଳୟ ସ୍ତରରୁ ମେଧାବୃତ୍ତି ପ୍ରଦାନପୂର୍ବକ ପ୍ରୋତ୍ସାହିତ କରାଯିବ। ଧନ୍ଦାମୂଳକ ଓ ବୃତ୍ତିଭିତ୍ତିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଦ୍ୟାଳୟ ସ୍ତରରୁ ଏହାକୁ ପ୍ରୋତ୍ସାହିତ କରାଯିବାର ବ୍ୟବସ୍ଥା ରହିଛି।
ଉଚ୍ଚଶିକ୍ଷାରେ ମଧ୍ୟ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନର ୮୦୦ ବିଶ୍ୱବିଦ୍ୟାଳୟ ଓ ୪୦୦୦୦ ମହାବିଦ୍ୟାଳୟକୁ ଏକାଠି କରି ୧୫୦୦୦ ସର୍ବୋତ୍କୃଷ୍ଟ ସଂସ୍ଥା ଗଠନ କରାଯିବାର ଲକ୍ଷ୍ୟ ରଖାଯାଇଛି। ସ୍ନାତକ ଶିକ୍ଷା ଏବେ ୩ ବର୍ଷିଆ ବଦଳରେ ୪ ବର୍ଷିଆ ହେବ। ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ (ସମନ୍ବିତ) ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଯେଉଁମାନେ ସ୍ନାତକରେ ଗବେଷଣା କରିଥିବେ ସେମାନେ ଏକ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ସାରିବାକୁ ହେବ। ଯେଉଁଠି ତିନିବର୍ଷିଆ ସ୍ନାତକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିବ ସେଠି ଦୁଇ ବର୍ଷିଆ ସ୍ନାତକୋତ୍ତରର ବ୍ୟବସ୍ଥା ହେବ। ଏତେଗୁଡ଼ାଏ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ନ ହେଲେ ଦ୍ୱନ୍ଦ୍ୱର ଅବକାଶ ରହିବ। ତେଣୁ ଏତେଗୁଡ଼ାଏ ବ୍ୟବସ୍ଥା ନ ରଖି ସରକାର ଗୋଟିଏ ବ୍ୟବସ୍ଥା କଲେ ଭଲ ହେବ। ଏମ୍‌ଫିଲ୍‌ ପାଠ୍ୟକ୍ରମ ଉଠିଯିବ। ଏବେ ମଧ୍ୟ ସ୍ନାତକୋତ୍ତର ପରେ ପିଏଚ୍‌ଡିରେ ଯୋଗଦାନର ବ୍ୟବସ୍ଥା ରହିଛି। ତେଣୁ ଏମ୍‌ଫିଲ୍‌କୁ ରଖିବାର କୌଣସି ଆବଶ୍ୟକତା ନାହିଁ।
ସ୍ବାସ୍ଥ୍ୟସେବା ଶିକ୍ଷାରେ ମଧ୍ୟ କିଛି ମୂଳଭିତ୍ତି ପରିବର୍ତ୍ତନ କଳ୍ପନା କରାଯାଇଛି। ଏଲୋପାଥିକ ମେଡିକାଲ ଶିକ୍ଷାର ଛାତ୍ରୀଛାତ୍ରମାନଙ୍କର ଆୟୁର୍ବେଦ, ଯୋଗ, ୟୁନାନୀ, ନେଚୁରୋପାଥି, ସିଦ୍ଧ, ହୋମିଓପାଥିରେ ସମ୍ୟକ୍‌ ଜ୍ଞାନ ରହିବ ଓ ଆୟୁର୍ବେଦ ଏବଂ ହୋମିଓପାଥିକ ପଢ଼ୁଥିବା ଛାତ୍ରୀଛାତ୍ର ଏଲୋପାଥିକ ଚିକିତ୍ସା ସମ୍ପର୍କରେ ସମ୍ୟକ୍‌ ଜ୍ଞାନ ରଖିବେ।
ମୋଟ୍‌ ଉପରେ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଭାରତରେ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ଉଦ୍ଦେଶ୍ୟ ରଖି ଲୋକାର୍ପିତ କରାଯାଇଛି। କିନ୍ତୁ ବାସ୍ତବରେ ଏହା କିପରି ପରିବର୍ତ୍ତନ ଆଣିପାରିବ ତାହା ସମୟ କହିବ।

 

ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ମହାନ୍ତି – ପ୍ରାକ୍ତନ ଅଧ୍ୟକ୍ଷ ଖଲ୍ଲିକୋଟ ମହାବିଦ୍ୟାଳୟ

ଡ. ଗୌରୀଶଙ୍କର ସାହୁ – ଅଧ୍ୟାପକ, ହିମାଚଳପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri