ଖାଲି ପ୍ରଚାର

ଡ. ସନ୍ତୋଷ କୁମାର ମହାପାତ୍ର

ବର୍ତ୍ତମାନ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି ଯେ, ବହୁ କ୍ଷମତାଶାଳୀ ରାଜନୈତିକ ନେତା ବିଭିନ୍ନ ଉପାୟରେ ପ୍ରଚାରରେ ଲିପ୍ତ ରହୁଛନ୍ତି। ସେମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ଯାହା ସମୀଚୀନ ନୁହେଁ। ଅବହେଳିତ ଓ ଗରିବଙ୍କ କଥା କେବଳ ଭାଷଣରେ ରହିଯାଉଛି। ନିକଟରେ କେତୋଟି ପ୍ରସଙ୍ଗ ଆମକୁ ବ୍ୟଥିତ କରିଛି। ପ୍ରଥମଟି ହେଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜଣାଶୁଣା ଖବରଦାତା ଅଜୟ ସିଂଙ୍କ ନରେନ୍ଦ୍ର ମୋଦିଙ୍କ ସମ୍ପର୍କିତ ପୁସ୍ତକ ‘ ଦି ଆର୍କିଟେକ୍‌ ଅଫ୍‌ ବି ନିଉ ବିଜେପି’ ରିଲିଜ ଅବସରରେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ନେତା ଯିଏ ଲୋକଙ୍କ ଭାବନାକୁ ଜାଣିଛନ୍ତି। ସେ ଆହୁରି କହିଛନ୍ତି, ସାଙ୍ଗଠନିକ ଦକ୍ଷତା ଓ ଜନସାଧାରଣଙ୍କ ଅସୁବିଧା ବିଷୟରେ ବୁଝିବା ମୋଦିଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଛି। ଲୋକଙ୍କ ସହ ଜଡ଼ିତ ରହିଲେ ସଫଳତା ପାଦସ୍ପର୍ଶ କରିବ- ଏହା ହେଉଛି ମୋଦିଙ୍କ ପ୍ରକୃତ ଉଦ୍ଦେଶ୍ୟ। ନରେନ୍ଦ୍ର ମୋଦି ଲୋକମାନଙ୍କୁ ଜାଣିଛନ୍ତି, ଦେଶକୁ ବୁଝିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି ରାଜନାଥ କହିଛନ୍ତି। ‘ସବ୍‌କା ସାଥ୍‌-ସବ୍‌କା ବିକାଶ, ସବ୍‌କା ବିଶ୍ୱାସ-ସବ୍‌କା ପ୍ରୟାସ’ ମନ୍ତ୍ର ସହିତ ମୋଦି ଆଗକୁ ବଢୁଛନ୍ତି।
ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ମହାତ୍ମା ଗାନ୍ଧୀ ଖାଲି ଜାତୀୟ ପିତା ନୁହନ୍ତି,ସେ ମଧ୍ୟ ବିଶ୍ୱର ପିତା। କାରଣ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସାରା ବିଶ୍ବରେ ଦେଖିବାକୁ ମିଳେ। ତାଙ୍କ ଚିନ୍ତାଧାରାକୁ ନେଇ ଆଜି ସାରା ବିଶ୍ବ ଏକ ପରିବାର ହୋଇ ଚଳୁଛି। ତାଙ୍କ ସହିତ କେହି ତୁଳନୀୟ ନୁହନ୍ତି। ତାଙ୍କ ସହିତ ନରେନ୍ଦ୍ର ମୋଦିଙ୍କୁ ଯୋଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସତରେ କ’ଣ ନରେନ୍ଦ୍ର ମୋଦି ଲୋକଙ୍କ ସହ ଜଡ଼ିତ ରହିଛନ୍ତି? ଯଦି ଏହା ଠିକ୍‌, ତେବେ ସେ କେବେ ଲୋକଙ୍କ ସମସ୍ୟା କଥା ନ କହି କାହିଁକି ସର୍ବଦା ସ୍ଲୋଗାନ ଦେଉଛନ୍ତି? କାହିଁକି ଅଣ ଭାଜପା ଶାସିତ ରାଜ୍ୟ ସରକାରକୁ ପ୍ରଧାନମନ୍ତ୍ରୀ ଭାବେ ଉତ୍ସାହିତ କରିବା ପରିବର୍ତ୍ତେ ସେହି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରୁଛନ୍ତି? ବର୍ତ୍ତମାନ ପରି ଆଗରୁ ଦାରିଦ୍ର୍ୟ, କ୍ଷୁଧା , ବେକାରି ଓ ବୈଷମ୍ୟ ଆଦି ସମସ୍ୟା ଥିଲା। କିନ୍ତୁ ସରକାର ଏହି ସମସ୍ୟାକୁ ଆଖି ବୁଜିଦେଉ ନ ଥିଲେ। ଖାଲି ସ୍ଲୋଗାନ ଦେଉ ନ ଥିଲେ କି ଉଗ୍ର ପ୍ରଚାରରେ ଲିପ୍ତ ରହୁ ନ ଥିଲେ।
ଦ୍ୱିତୀୟ ଘଟଣାଟି ହେଲା ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦଳୀୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ତେଲଙ୍ଗାନା ଗସ୍ତକରି, କାମାରେଡି ଜିଲା ପରିଦର୍ଶନ କରି ବିରକୁର ଗାଁର ଏକ ରାଶନ ଦୋକାନରେ ଅଟକି ରହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ, ଯାହା ଅଧୀନରେ ପ୍ରତ୍ୟେକ ପରିବାର ୫ କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। ଯାଞ୍ଚ ସମୟରେ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିମ୍ବା ଫ୍ଲେକ୍ସ ବୋର୍ଡ ନ ଥିବାରୁ କାମାରେଡି ଜିଲାପାଳ ଜିତେଶ ପଟେଲଙ୍କ ଉପରେ କ୍ରୋଧିତ ହୋଇଥିଲେ ଏବଂ କେନ୍ଦ୍ରୀୟ ଯୋଜନା ଅଧୀନରେ ଚାଉଳ ଯୋଗାଇ ଦିଆଯାଉଥିବା ପ୍ରତ୍ୟେକ ରାଶନ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିମ୍ବା ଫ୍ଲେକ୍ସ ବୋର୍ଡ ଲଗାଇବା ବାଧ୍ୟତାମୂଳକ ବୋଲି କହିଥିଲେ। ଏହାଠାରୁ ଦୁଃଖର ବିଷୟ କ’ଣ ହୋଇପାରେ? ଅନେକ ସମୟରେ ମୋଦି ପଇସା ବା କେନ୍ଦ୍ର ଦେଉଛି ବୋଲି ଭାଜପା ନେତୃତ୍ୱ କହିଥାନ୍ତି।
ବାସ୍ତବରେ କେନ୍ଦ୍ର ହେଉ ବା ରାଜ୍ୟ ସେମାନେ ଯେଉଁ ବ୍ୟୟ କରୁଛନ୍ତି କିମ୍ବା ଯୋଜନା କରୁଛନ୍ତି ତାହା ଆମ ପରି ଟିକସଦାତାଙ୍କ ଅର୍ଥରେ କରାଯାଉଛି।
ଏଣୁ କେନ୍ଦ୍ର ବା ରାଜ୍ୟ ସରକାର ଶ୍ରେୟ ନେବା ପାଇଁ ଚେଷ୍ଟା କରିବା ଠିକ୍‌ ନୁହେଁ। ସଫଳତା ସହିତ କୌଣସି ପୁରସ୍କାରକୁ ଯୋଡ଼ିବା ମଧ୍ୟ ଠିକ୍‌ ନୁହେଁ।
ଅନେକ ସମୟରେ କେନ୍ଦ୍ରର ଶାସକ ଶ୍ରେଣୀ କହିଥାନ୍ତି, କେନ୍ଦ୍ର ଏତେ ରାଜ୍ୟକୁ ଦେଉଛି। କିନ୍ତୁ ସେମାନେ କହନ୍ତି ନାହିଁ ଯେ, କେନ୍ଦ୍ର ରାଜ୍ୟବାସୀଙ୍କଠାରୁ ଯେଉଁ ଟିକସ ଆଦାୟ କରୁଛି , ସେଥିରୁ ହିଁ ଦେଉଛି। ବାସ୍ତବରେ କେନ୍ଦ୍ର ଦୟାକରି ଦେଇ ନ ଥାଏ , ବରଂ ଏହା ରାଜ୍ୟଗୁଡ଼ିକର ଅଧିକାର। କାରଣ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ରାଜ୍ୟ ସରକାର କରିଥାନ୍ତି। କିନ୍ତୁ ଟିକସ ଆଦାୟ କରିବାର ଉତ୍ସ ରାଜ୍ୟ ସରକାରଙ୍କ ନିକଟରେ ସୀମିତ। ପଞ୍ଚଦଶ ଅର୍ଥ ଆୟୋଗ ଅନୁଯାୟୀ, ରାଜ୍ୟଗୁଡିକ ୬୨% ରୁ ଅଧିକ ଖର୍ଚ୍ଚ ଦାୟିତ୍ୱ ବହନ କଲାବେଳେ ରାଜସ୍ବ ଆଦାୟ କରିବାର କ୍ଷମତା ମାତ୍ର ୩୭%। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ହାତରେ ରାଜସ୍ବ ସଂଗ୍ରହ କ୍ଷମତାର ୬୩% ଥିଲାବେଳେ ମାତ୍ର ୩୮% ଖର୍ଚ୍ଚ ବହନ କରିଥାନ୍ତି। ଏଣୁ ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ରାଜ୍ୟଗୁଡ଼ିକୁ ପାଣ୍ଠି ହସ୍ତାନ୍ତର କରିଥାଏ। କୌଣସି ଦୟା ଦେଖାଇ ଦେଇ ନ ଥାଏ।
ତୃତୀୟ ଘଟଣାଟି ହେଲା ଓଡ଼ିଶାର ୬ ଜଣ କେନ୍ଦ୍ରରେ ବିଶିଷ୍ଟ ପଦପଦବୀରେ ଥିବାରୁ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଉଛି ଏବଂ ଓଡ଼ିଶାରେ ଅଚ୍ଛେଦିନ୍‌ ବା ଭଲ ଦିନ ଆସିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏହା ଭଲ କଥା। ଜଣେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେବା ବ୍ୟକ୍ତିଗତ ସଫଳତା, କିନ୍ତୁ ଦେଶ ବା ରାଜ୍ୟ ଅବା ଗରିବଙ୍କ ପାଇଁ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ। ଜଣେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେଲା ବେଳକୁ ଯେଉଁ ପ୍ରକ୍ରିୟା ଦେଇ ଯାଇଥାଏ, ଯେଉଁ ରାଜନୈତିକ ଦଳ ବା ଲୋକମାନଙ୍କ ଦ୍ୱାରା ଉପକୃତ ହୋଇଥାଏ , କ୍ଷମତା ବା ପଦବୀରେ ଅଧିଷ୍ଠିତ ହେଲେ ସେମାନଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ। ଏହା ସତ୍ତ୍ୱେ ତାଙ୍କ ଦ୍ୱାରା ଓଡ଼ିଶା ଏବଂ ଓଡ଼ିଶାବାସୀ ଯଦି ଉପକୃତ ହେବେ, ଓଡ଼ିଶାର ବିକାଶରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ, ତେବେ ଓଡ଼ିଶାବାସୀ ଗର୍ବ କରିବେ। ପୁନଶ୍ଚ ସେମାନେ ଗରିବ ସପକ୍ଷବାଦୀ ନୀତି ସପକ୍ଷରେ କାର୍ଯ୍ୟ କରୁଛନ୍ତି ବା ପରାମର୍ଶ ଦେଉଛନ୍ତି ନା କେନ୍ଦ୍ରର ଧନୀ, ଶିଳ୍ପପତି ସପକ୍ଷବାଦୀ ନୀତିରେ ହଁ ମାରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ।
କିପରି ଜଣେ ନିଜର ଦାୟିତ୍ୱ ସମ୍ପନ୍ନ କରିବ, ସେ ସମ୍ପର୍କରେ ଗାନ୍ଧିଜୀଙ୍କ ଟାଲିସମ୍ୟାନ କଥା ପ୍ରଣିଧାନଯୋଗ୍ୟ। ଗାନ୍ଧିଜୀ କହିଥିଲେ-”ମୁଁ ଆପଣଙ୍କୁ ଏକ ଟାଲିସମ୍ୟାନ /ମନ୍ତ୍ର / ମୁଦି ଦେବି। ଯେତେବେଳେ ଆପଣ ସନ୍ଦେହରେ ପଡ଼ିଛନ୍ତି ବା ନିଜ ସମସ୍ୟା ଆପଣଙ୍କୁ ବେଶି ଘାରୁଛି, ସେତେବେଳେ ନିମ୍ନଲିଖିତ କଥା ପ୍ରୟୋଗ କରନ୍ତୁ।“ ଆପଣ ଦେଖିଥିବା ସବୁଠାରୁ ଗରିବ ଏବଂ ଦୁର୍ବଳ ପୁରୁଷ [ସ୍ତ୍ରୀ]ଙ୍କ ଚେହେରାକୁ ମନେପକାନ୍ତୁ ଏବଂ ନିଜକୁ ପଚାରନ୍ତୁ । ଆପଣ ଯେଉଁ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି ତାହା ସେହି ଲୋକ ପାଇଁ ଉପଯୋଗୀ ହେବ କି ଏବଂ ସେ କିଛି ଲାଭବାନ୍‌ ହେବ କି? ଏହା ତାଙ୍କୁ ନିଜ ଜୀବନ ଏବଂ ଭାଗ୍ୟ ଉପରେ ନିୟନ୍ତ୍ରଣକୁ ଫେରାଇ ଆଣିବ କି? ଏଣୁ ଗାନ୍ଧିଜୀଙ୍କ ଉକ୍ତ କଥା ଯିଏ ପାଳନ କରିବ ସେ କେବେ ପ୍ରଚାର ଓ ସ୍ଳୋଗାନକୁ ପ୍ରାଧାନ୍ୟ ଦେବେ ନାହିଁ। ଏପରି ନୀତି ପ୍ରଣୟନ କରିବେ ନାହିଁ ଯେଉଁଥିରେ ଆଦାନୀ, ଅମ୍ବାନୀଙ୍କ ଭଳି କିଛି ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ସମ୍ପଦ ହୁ ହୁ ହୋଇ ବଢ଼ିବ ଓ ଗରିବଙ୍କ ସ୍ବର କ୍ଷୀଣ ହେବ।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri