ଦେବଗଡ଼, ୪।୬(ଶଶାଙ୍କ ଶେଖର ଝାଙ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓମେନ୍ସ ସ୍ୱେଚ୍ଛାସେବୀ ସଂଗଠନ ଓ କଳିଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ମହାସଂଘ ପକ୍ଷରୁ ୨୦ତମ ବାର୍ଷିକ ଉତ୍ସବ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ଦେବଗଡ଼ ଜିଲା କୁରଡ଼ ଗ୍ରାମର ଶିକ୍ଷାବିତ୍ ତଥା ସମାଜସେବୀ ପ୍ରଶାନ୍ତ ସାହୁ (ପ୍ରଶାନ୍ତ ସାର୍)ଙ୍କୁ ସମାଜ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ MP ପ୍ରସନ୍ନ ପାଟ୍ଟଶାଣୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ଶିକ୍ଷାବିତ୍ ପ୍ରଶାନ୍ତ ସାହୁଙ୍କୁ ମାନପତ୍ର ଏବଂ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଏହି ଗୌରବମୟ ମୁହୂର୍ତ୍ତରେ ତାଙ୍କ ସହ ଧର୍ମପତ୍ନୀ ଅଞ୍ଜନା ସାହୁ ମଧ୍ୟ ମଞ୍ଚାସୀନ ଥିଲେ।
ସୂଚନାଯୋଗ୍ୟ, ପ୍ରଶାନ୍ତଙ୍କ ଉତ୍କୃଷ୍ଟ ଶିକ୍ଷାଦାନ ଶୈଳୀ ଯୋଗୁ ଆଜି ଓଡ଼ିଶାର ବିଭିନ୍ନ ଜିଲାର ଅଗଣିତ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି।
ଜୟଦେବ ଭବନରେ ଦେବଗଡ଼ର ଜଣେ ଗୁରୁଙ୍କୁ ସମ୍ମାନିତ କରାଯିବା ପରେ କୁରଡ଼ ଗ୍ରାମ ସମେତ ସମଗ୍ର ଜିଲାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ପ୍ରଶାନ୍ତ ସାର୍ଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

