ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ ପୁତ୍ର ସନ୍ତାନ ପ୍ରସବ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟାରେ ବାରିପଦାସ୍ଥିତ ପିଆରଏମ ୍ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏହି ସମ୍ବେଦନଶୀଳ ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ନିଲମ୍ବନ କରାଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି।
ବିଦ୍ୟାଳୟରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ କିପରି ୭ ମାସ ଧରି ଗର୍ଭବତୀ ରହିବା ସତ୍ତ୍ୱେ ଏ ସମ୍ପର୍କରେ କର୍ତ୍ତୃପକ୍ଷ ଅବଗତ ହୋଇପାରିଲେ ନାହିଁ, ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଏଭଳି ଘଟଣା ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା, ଯତ୍ନ ଓ ତଦାରଖ ବ୍ୟବସ୍ଥାକୁ ପଦାରେ ପକାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ପୀଡ଼ିତା ଛାତ୍ରୀଙ୍କୁ ଆବଶ୍ୟକ ଚିକିତ୍ସା ଓ ମାନସିକ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

