Posted inଜାତୀୟ

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏନର୍ଜି ଆଣ୍ଡ୍‌ କ୍ଲିନ୍‌ ଏୟାର’ (ସିଆର୍‌ଇଏ)ର ଏକ ନୂତନ ବିଶ୍ଳେଷଣାତ୍ମକ ରିପୋର୍ଟରୁ ଏହି ଚେତାବନୀ ମିଳିଛି। ରିପୋର୍ଟ ଅନୁଯାୟୀ, ଏଲ୍‌ ନିନୋ ପ୍ରଭାବରେ ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଭାରତ ସବୁଠାରୁ ବଡ଼ ସଙ୍କଟର ସାମ୍ନା କରିବ। ଏଲ୍‌ ନିନୋ ଯୋଗୁ ଦେଶରେ ପବନର ବେଗ କମିବା ସହ ବର୍ଷାର ପରିମାଣ ହ୍ରାସ ପାଇବ। ଫଳରେ ପବନଚାଳିତ ଟର୍ବାଇନ ଏବଂ ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରୁ ବିଦ୍ୟୁତ୍‌ ଉତ୍ପାଦନ ଅନେକାଂଶରେ କମିଯିବ। ଅନ୍ୟପଟେ ପ୍ରବଳ ଗରମ ଯୋଗୁ ଏୟାର କଣ୍ଡିଶନର ବ୍ୟବହାର ବଢ଼ିବ ଏବଂ ବିଦ୍ୟୁତ୍‌ ଚାହିଦା ବହୁ ଅଧିକ ହେବ। କେବଳ ଘର ଓ କାର୍ଯ୍ୟାଳୟକୁ ଥଣ୍ଡା ରଖିବା ପାଇଁ ବାର୍ଷିକ ଅତିରିକ୍ତ ୧୦ ଟେରାୱାଟ ଆୱାର (ଟିଡବ୍ଲ୍ୟୁଏଚ୍‌) ବିଦ୍ୟୁତ୍‌ର ଆବଶ୍ୟକତା ପଡ଼ିବ, ଯାହା ସମ୍ପୂର୍ଣ୍ଣ ଦିଲ୍ଲୀ ସହରର ବାର୍ଷିକ ବିଦ୍ୟୁତ୍‌ ବ୍ୟବହାରର ପ୍ରାୟ ଏକ ଚତୁର୍ଥାଂଶ ସହ ସମାନ।
ସଂସ୍ଥାର ଆକଳନ ଅନୁଯାୟୀ, ଚଳିତ ଜୁଲାଇ ୨୦୨୬ରୁ ଜୁନ୍‌ ୨୦୨୭ ମଧ୍ୟରେ ଏହି ପାଣିପାଗ ପରିବର୍ତ୍ତନର ବଡ଼ ପ୍ରଭାବ ଦେଖିବାକୁ ମିଳିବ। ଅକ୍ଷୟ ଶକ୍ତିର ଉତ୍ପାଦନ ହ୍ରାସ ଏବଂ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇବା ଯୋଗୁ ଭାରତରେ ପ୍ରାୟ ୧୮ ଟେରାୱାଟ ଆୱାରର ଏକ ବଡ଼ ବିଦ୍ୟୁତ୍‌ ନିଅଣ୍ଟ ସ୍ଥିତି ସୃଷ୍ଟି ହୋଇପାରେ। ଏହି ସଙ୍କଟକୁ ମେଣ୍ଟାଇବା ପାଇଁ ଭାରତକୁ ପୁଣି ଥରେ କୋଇଲା ଭିତ୍ତିକ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ନିର୍ଭର କରିବାକୁ ପଡ଼ିବ, ଯଦ୍ଦ୍ବାରା ପରିବେଶକୁ ପ୍ରାୟ ୧୭ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହେବା ଆଶଙ୍କା ରହିଛି। ଯଦି ସ୍ଥିତି ଅଧିକ ଗମ୍ଭୀର ହୁଏ, ତେବେ କୋଇଲା ଜନିତ ଅତିରିକ୍ତ ବିଦ୍ୟୁତ୍‌ ଉତ୍ପାଦନ ୨୪ ଟେରାୱାଟ ଆୱାରରେ ପହଞ୍ଚିପାରେ।
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତ ନିକଟରେ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଏବଂ ସର୍ବକାଳୀନ ଗରମ ଗ୍ରୀଷ୍ମଋତୁର ସାମ୍ନା କରିଛି, ଯାହା ଦେଶର ମୋଟ ବିଦ୍ୟୁତ୍‌ ଚାହିଦାକୁ ଗତ ମେ ମାସରେ ୨୭୦ ଗିଗାୱାଟ (ଜିଡବ୍ଲ୍ୟୁ)ର ସର୍ବକାଳୀନ ରେକର୍ଡ ସ୍ତରକୁ ନେଇଯାଇଥିଲା। ଏହି ଚାହିଦାକୁ ପୂରଣ କରିବା ପାଇଁ ଦେଶର ବିଦ୍ୟୁତ୍‌ ଗ୍ରୀଡ୍‌ ଉପରେ ପ୍ରବଳ ଚାପ ପଡ଼ୁଛି। ଏହାସହିତ ଦେଶରେ ଜଳ ସଙ୍କଟ ଗଭୀର ହେବା ସହ
କୃଷିକ୍ଷେତ୍ର ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ପ୍ରତି ୨ରୁ ୭ ବର୍ଷ ମଧ୍ୟରେ ଆସୁଥିବା ଏହି ‘ସୁପର ଏଲ୍‌ ନିନୋ’ ଚ୍ୟାଲେଞ୍ଜକୁ ପ୍ରତିହତ କରିବାକୁ ହେଲେ ଭାରତକୁ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ହାସଲ କରିବା ସହ ବ୍ୟାଟେରି ଷ୍ଟୋରେଜ୍‌ ଏବଂ ଗ୍ରୀଡ୍‌ର ଆଧୁନିକୀକରଣ କାର୍ଯ୍ୟକୁ ଅଧିକ ତୀବ୍ରଗତିରେ କରିବାକୁ ହେବ।
ଏହି ଜଟିଳ ସ୍ଥିତିରୁ ରକ୍ଷା ପାଇବା ପାଇଁ ସୌରଶକ୍ତି ସବୁଠାରୁ ବଡ଼ ବିକଳ୍ପ ଭାବେ ଉଭା ହୋଇଛି। ବର୍ତ୍ତମାନ ଦେଶର ଦିନ ସମୟର ମୋଟ ବିଦ୍ୟୁତ୍‌ ଚାହିଦାର ପ୍ରାୟ ୨୪ ପ୍ରତିଶତ କେବଳ ସୌରଶକ୍ତି ମାଧ୍ୟମରେ ପୂରଣ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଲ୍‌ ନିନୋର ପ୍ରଭାବ ସୌରଶକ୍ତି ଉତ୍ପାଦନ ଉପରେ ଆଦୌ ପଡ଼ି ନ ଥାଏ। ତେଣୁ ଭାରତରେ ଯେତେ ଅଧିକ ସୋଲାର ପ୍ୟାନେଲ ଏବଂ ବ୍ୟାଟେରି ବ୍ୟବସ୍ଥା ସ୍ଥାପନ ହେବ, ଭବିଷ୍ୟତରେ ଏଭଳି ଚରମ ପାଣିପାଗ ସଙ୍କଟରୁ ଦେଶର ବିଦ୍ୟୁତ୍‌ ଗ୍ରୀଡ୍‌ ସେତେ ଅଧିକ ସୁରକ୍ଷିତ ରହିପାରିବ ବୋଲି ବିଶ୍ଳେଷଣରେ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?