ଶିକ୍ଷାର ଆତ୍ମିକ ବିକାଶ ଆବଶ୍ୟକ

ଅକ୍ଷର ଜ୍ଞାନ ଲାଭକଲେ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ ହୋଇପାରିବ। ନିଜର ଦାୟିତ୍ୱ, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇପାରିବା ସହିତ ନିଜର ବୃତ୍ତି ଓ ପ୍ରବୃତ୍ତିରେ ଦକ୍ଷ ହୋଇପାରିବ। ନିରକ୍ଷରତା ଏକ ଆଞ୍ଚଳିକ, ପ୍ରାଦେଶିକ କି ଜାତୀୟ ସମସ୍ୟା ନୁହେଁ, ଏହା ବିଶ୍ୱ ସମସ୍ୟା । ଅଷ୍ଟାଦଶ ଶତକର ଶେଷଭାଗରେ ଇଂଲଣ୍ଡର ଗ୍ଲାସଗୋଠାରେ ନିରକ୍ଷର ଶ୍ରମିକମାନଙ୍କୁ ଶିକ୍ଷାଦେବା ପାଇଁ ସାନ୍ଧ୍ୟ ଶ୍ରେଣୀ ଖୋଲାଯାଇଥିଲା। ପରେ ଏହି ଢାଞ୍ଚାରେ ସମଗ୍ର ଇଂଲଣ୍ଡରେ ସାନ୍ଧ୍ୟ ବିଦ୍ୟାଳୟ ଓ ସାନ୍ଧ୍ୟ ମହାବିଦ୍ୟାଳୟ ମାନ ଖୋଲାଗଲା। ୧୮୭୨ରେ ଜାପାନ ସମ୍ରାଟ ନିର୍ଦ୍ଦେଶନାମା ଜାରି କଲେ କି ଜାପାନରେ ଏପରି ଗ୍ରାମ ରହିବ ନାହିଁ, ଯହିଁରେ କୌଣସି ପରିବାର ମୂର୍ଖ ବା ଅଶିକ୍ଷିତ ରହିବ ଏବଂ ଏପରି ପରିବାର ରହିବ ନାହିଁ, ଯହିଁରେ ବ୍ୟକ୍ତିବିଶେଷ ଅଜ୍ଞ ରହିବ। ଡେନ୍‌ମାର୍କର ନିରକ୍ଷର କୃଷକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଫୋକ୍‌ ହାଇସ୍କୁଲ ବା ଜନତା ଉଚ୍ଚ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା। ୧୯୧୪ ଏବଂ ୧୯୪୦ରେ ସଂଘଟିତ ବିଶ୍ୱଯୁଦ୍ଧ ସମୟରେ ସୈନିକମାନଙ୍କୁ ଯୁଗୋପଯୋଗୀ କରିବା ନିମନ୍ତେ ପ୍ରୋଢ଼ଶିକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା।
ଜାତିସଂଘର ଏକ ବଳିଷ୍ଠ ଅଙ୍ଗ ୟୁନେସ୍କୋ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ବିଶ୍ୱରେ ସାକ୍ଷରତା ହାର ବୃଦ୍ଧି ନିମନ୍ତେ ଆବେଗ ଓ ତପତ୍ରତା ପ୍ରକାଶ ପାଇଲା। ୟୁନେସ୍କୋର ଦ୍ୱିତୀୟ ଅଧିବେଶନ ୧୯୪୭ରେ ମେକ୍ସିକୋ ଏବଂ ତୃତୀୟ ଅଧିବେଶନ ୧୯୪୮ରେ ବିରୁଟଠାରେ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଅଧିବେଶନରେ ସାକ୍ଷରତାର ବିକାଶ ଏବଂ ପୌଢ଼ଶିକ୍ଷା ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଫଳ ସ୍ବରୂପ ୧୯୪୯ରେ ଡେନମାର୍କର ଏଲ୍‌ସିନୋଠାରେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ୧୯୬୦ରେ ମଣ୍ଟ୍ରିଲ ଠାରେ ବିଶ୍ୱରେ ସାକ୍ଷରତା କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। ୧୯୬୫ ସେପ୍ଟେମ୍ବର ୮ରେ ଇରାନର ରାଜଧାନୀ ତେହେରାନ୍‌ରେ ବିଶ୍ୱର ବିଭିନ୍ନ ଦେଶର ଶିକ୍ଷାମନ୍ତ୍ରୀଙ୍କର ଏକ ଐତିହାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନିରକ୍ଷରତା ପରି ଏକ ଜଟିଳ ବ୍ୟାଧିକୁ ବିଶ୍ୱରୁ ସମ୍ପୂର୍ଣ୍ଣ ନିବାରଣ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଏହି ସମ୍ମିଳୀନରେ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ଗୃହୀତ ପ୍ରସ୍ତାବର ବିବରଣୀକୁ ଜାତିସଂଘର ଅନୁମୋଦନ ନିମନ୍ତେ ପଠାଇ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଜାତିସଂଘ ସାଦରେ ଗ୍ରହଣ କରିବା ସହିତ ୧୯୬୬ ଅକ୍ଟୋବର ୨୬ରେ ୟୁନେସ୍କୋ ଘୋଷଣା କଲା କି ପ୍ରତିବର୍ଷ ସେପ୍ଟେମ୍ବର ୮କୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରିବା ପାଇଁ। ଏହି ଘୋଷଣା ଅନୁଯାୟୀ ୧୯୬୭ରୁ ପ୍ରତିବର୍ଷ ସେପ୍ଟେମ୍ବର ୮ କୁ ବିଶ୍ୱ ସାକ୍ଷରତା ଦିବସ ଭାବେ ପାଳନ କରା ହୋଇ ଆସୁଅଛି। ପ୍ରାଚୀନ କାଳରେ ଆମ ଦେଶରେ ଗୁରୁକୁଳ ଆଶ୍ରମ ଗୁଡ଼ିକରେ ଛାତ୍ରମାନଙ୍କୁ ଶିକ୍ଷାଦାନ କରାଯାଉଥିଲା। ମୋଗଲ, ଇଂରେଜ ଆଦି ବିଦେଶୀମାନଙ୍କ ଶାସନ କାଳରେ ଭାରତରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଲର୍ଡ ଉଇଲିୟମ୍‌ ବେଣ୍ଟିକ୍‌ ଭାରତର ଗଭର୍ନର ଜେନେରାଲ ଭାବେ ଅବସ୍ଥାପିତ ଥିବା ସମୟରେ ତାଙ୍କର ଆଇନ ସଚିବ ଥିବା ଇଂରେଜ ସାହେବ ମ୍ୟାକେଲ ଭାରତରେ ୧୮୩୫ରେ ଇଂଲିଶ ଶିକ୍ଷା ପ୍ରଚଳନ କଲେ। ଏହି ଶିକ୍ଷା ପ୍ରଣାଳୀର ମୂଳ ଉଦ୍ଦେଶ୍ୟ ଥିଲା କିରାଣି ତିଆରି କରିବା।
ଅର୍ଥାତ୍‌ ମୁଷ୍ଟିମେୟ ଇଂରେଜ ବାବୁମାନେ ପ୍ରଶାସକ ହେବା ବେଳେ ସଂଖ୍ୟାଧିକ ଭାରତୀୟ କିରାଣି ହୋଇ ଦାସତ୍ୱକୁ ସ୍ବୀକାର କରିବେ। ଏଥି ସମ୍ବନ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଋଷି ପ୍ରତୀମ ଲିଓ ଟଲଷ୍ଟୟ ଏକଦା ଏକ ପତ୍ରରେ ଉଲ୍ଲେଖ କରିଥିଲେ କି; କୋଟି କୋଟି ସବଳ, ବୁଦ୍ଧିମାନ, ଗୁଣବାନ ଓ ସ୍ବାଧୀନତାପ୍ରେମୀ ଭାରତୀୟଙ୍କୁ ମାତ୍ର ତିରିଶ ହଜାର ଦୁର୍ବଳ ଓ ମନ୍ଦ ପ୍ରକୃତିର ମଣିଷ ଦାସ କରି ରଖିପାରିବା ବିଶ୍ୱ ଇତିହାସରେ ଏକ ବିସ୍ମୟକର ଘଟଣା।
୧୯୧୫-୧୬ରେ ଭାରତୀୟ ଜନସଂଖ୍ୟାର ମାତ୍ର ଶତକଡ଼ା ୨.୭ ଅଂଶ ପ୍ରାଥମିକ ଶିକ୍ଷା ପାଉଥିବା ଜଣାଯାଇଛି। ୧୯୫୧ ଜନଗଣନା ଅନୁଯାୟୀ ଦେଶର ସାକ୍ଷରତା ହାର ଥିଲା ୧୬.୭%। ୨୦୧୧ ଜନଗଣନା ଅନୁଯାୟୀ ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ୭୬ କୋଟି ୩୪ ଲକ୍ଷ ୯୮ ହଜାର ୫୧୭ ଜଣ ସାକ୍ଷର ହୋଇଥିଲେ। ଅର୍ଥାତ୍‌ ସାକ୍ଷରତା ହାର ଥିଲା ୭୨.୯୯%। ୨୦୨୧ ମସିହାରେ ସାକ୍ଷରତାର ହାର ୭୭.୭୦ରେ ପହଞ୍ଚିଛି। ଭାରତରେ ପୌଢ଼ଶିକ୍ଷା କାର୍ଯ୍ୟକ୍ରମ ୧୯୭୭ ଅକ୍ଟୋବର ୨ ରୁ ଆରମ୍ଭ ହୋଇଥିଲା। ୧୯୮୬ରେ ଆମ ଦେଶରେ ଜାତୀୟ ଶିକ୍ଷାନୀତି ଅନୁସୃତ ହୋଇଥିବା ବେଳେ ୧୯୮୮ରେ ଜାତୀୟ ସାକ୍ଷରତା ମିଶନ ଗଠିତ ହେଲା। ଆମ ଦେଶ ସ୍ବାଧୀନତା ଲାଭ କରିବା ପରେ ବ୍ୟାଧିଗ୍ରସ୍ତ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଏବଂ ଉନ୍ନତି ନିମନ୍ତେ ବିଭିନ୍ନ କମିଟି ତଥା କମିଶନ ମାନ ଗଠିତ ହୋଇଥିଲା। ତନ୍ମଧ୍ୟରୁ ୧୯୪୮-୪୯ରେ ଗଠିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ କମିଟି, ୧୯୫୨ରେ ଗଠିତ ଡ. ଲକ୍ଷ୍ମଣ ସ୍ବାମୀ ମୁଦାଲିୟର କମିଟି, ୧୯୬୪-୬୬ରେ ଗଠିତ କୋଠାରୀ କମିଶନ ଆଦ ିଥିଲା ଅନ୍ୟତମ। ପ୍ରାଥମିକ ଶିକ୍ଷା ଗ୍ରହଣକୁ ମୌଳିକ ଅଧିକାର ଭୁକ୍ତ କରାଯାଇ ସମ୍ବିଧାନର ଧାରା ୨୧ (କ) ଅନୁଯାୟୀ ଶିକ୍ଷା ଅଧିକାର ଆଇନ ୨୦୦୯ଅଗଷ୍ଟ ୪ରେ ସଂସଦରେ ଗୃହୀତ ହେଲା। ଏହି ଆଇନଟି ୨୦୧୦ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେଉଛି। ଏହି ନୂତନ ଆଇନର ବ୍ୟବସ୍ଥା ଅନୁଯାୟୀ ୬ବର୍ଷରୁ ୧୪ବର୍ଷର ପିଲାମାନେ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପାଇବେ।
୨୦୪୦ ମସିହା ସୁଦ୍ଧା ରୂପାନ୍ତରିତ ଭାରତବର୍ଷ ନିର୍ମାଣକୁ ଆଖି ଆଗରେ ରଖି ଅଭିନବ ଶିକ୍ଷା ବିପ୍ଲବ ସଂଗଠିତ କରିବାର ଅଭିମୁଖ୍ୟ ନେଇ କୃଷ୍ଣସ୍ବାମୀ କସ୍ତୁରି ରଙ୍ଗନଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ୨୦୨୦ ଶିକ୍ଷାନୀତି କାର୍ଯ୍ୟକାରୀ ହେବାକୁ ବସିଛି। ଉତ୍କଳମଣି ଗୋପବନ୍ଧୁ ଦାସ ୧୯୧୬ ସତ୍ୟବାଦୀ ପତ୍ରିକାରେ ଉଲ୍ଲେଖ କରିଥିଲେ କି; ବିଦ୍ୟାଶିକ୍ଷା ମାନବର ସର୍ବନିମ୍ନ ଅଧିକାର। ଶିକ୍ଷା ସହ ଶ୍ରମର ସଂଯୋଗ ଆବଶ୍ୟକ। ଗୋଟିଏ ରାଷ୍ଟ୍ରର ଜାତୀୟ ଉନ୍ନତିର ମୂଳ ଭିତ୍ତିଶିକ୍ଷା। ମାନବ ସମ୍ବଳର ବିକାଶ ଓ ଚରିତ୍ର ଗଠନ ଶିକ୍ଷାର ମୌଳିକ ଉଦ୍ଦେଶ୍ୟ। ଶିକ୍ଷା ସହିତ ମାନବଜୀବନର ଶ୍ରମ, ଧୈର୍ଯ୍ୟ, ସ୍ବାଭିମାନ, ଆଜ୍ଞାନୁବର୍ତ୍ତିତା, ସେବା, ବିନୟଭାବ ତଥା ଆତ୍ମନିର୍ଭରଶୀଳତା ଆଦିର ସମ୍ପର୍କ ନିବିଷ୍ଟ।
ସ୍ବାଧୀନତା ପ୍ରାପ୍ତି ପରେ ଭାରତବର୍ଷରେ ଶିକ୍ଷାର ପରିମାଣାତ୍ମକ ବିକାଶ ସଂଗଠିତ ହୋଇଛି ସତ, ମାତ୍ର ଏହାର ଆତ୍ମିକ ତଥା ଗୁଣାତ୍ମକ ବିକାଶ ହୋଇପାରିନାହିଁ। ଶିକ୍ଷାର ଅନ୍ୟନାମ ମୁକ୍ତି। ସାବିଦ୍ୟା ଯା ବିମୁକ୍ତୟେ।

  • ଗିରିଜାଶଙ୍କର ତରାସିଆ
    ଆଡଭୋକେଟ, ଖଣ୍ଡପଡ଼ା, ନୟାଗଡ଼, ମୋ:୯୯୩୭୩୩୪୮୦୦

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri