ଆଦିବାସୀ ପିଲାଙ୍କ ଶିକ୍ଷା ସମସ୍ୟା

ଡ. ଅନ୍ତର୍ଜିତା ନାୟକ

ଶିକ୍ଷା ହିଁ କେବଳ ଏକମାତ୍ର ସାଧନ, ଯାହା ମାନବସମ୍ବଳର ସୁବିନିଯୋଗ କରି ଦେଶର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଯେହେତୁ ଭାରତର ମୋଟ ଜନସଂଖ୍ୟାର ଶତକଡା ୮.୬ ଭାଗ ହେଲେ ଆଦିବାସୀ, ସେମାନଙ୍କର ବିକାଶର ସାମଗ୍ରିକ ପ୍ରକ୍ରିୟାରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେମାନଙ୍କର ବ୍ୟକ୍ତିଗତ ଅବଦାନକୁ ନବୀକରଣ କରି ଓ ବିଭିନ୍ନ ପ୍ରତିବନ୍ଧକକୁ ଦୂରକରି ସେମାନଙ୍କର କଲ୍ୟାଣ ତଥା ଉନ୍ନତି ପାଇଁ ଗୁଣାତ୍ମକ ଶିକ୍ଷା ନିରନ୍ତର ସୁଯୋଗ ସୃଷ୍ଟି କରିପାରିବ। କିନ୍ତୁ ସାତ ଦଶନ୍ଧିରୁ ଅଧିକ ବର୍ଷର ସ୍ବାଧୀନତା ପରେ ମଧ୍ୟ ଆଦିବାସୀମାନଙ୍କର ଶିକ୍ଷା ଓ ସେମାନଙ୍କର ଅଭିବୃଦ୍ଧି ଦିଗରେ ବର୍ତ୍ତମାନ ସୁଦ୍ଧା ଭାରତ ସଂଘର୍ଷ କରୁଛି। ସର୍ବଶିକ୍ଷା ଅଭିଯାନ, ମଧ୍ୟାହ୍ନଭୋଜନ ଯୋଜନା ଏବଂ ଶିକ୍ଷା ଅଧିକାର ଆଇନ ଭଳି କାର୍ଯ୍ୟକ୍ରମ ସତ୍ତ୍ୱେ ଆଦିବାସୀଙ୍କ ଶିକ୍ଷା ଓ ଶିକ୍ଷାଦାନ ସ୍ଥିତିରେ ସନ୍ତୋଷଜନକ ବିକାଶ ପରିଲକ୍ଷିତ ହୋଇନାହିଁ। ଅନୁସୂଚିତ ଜାତି ଏବଂ ଜନଜାତି ପିଲାମାନଙ୍କର ସ୍କୁଲ ଡ୍ରପଆଉଟ ହାର ଯଥାକ୍ରମେ ୫୧.୨୫%ଏବଂ ୫୭.୫୮%, ଯାହା ଅଣ-ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କ ତୁଳନାରେ ୩୭.୨୨%ଅଧିକ। ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଦଶଟି ପିଲାଙ୍କ ମଧ୍ୟରୁ ପ୍ରାୟ ଚାରିଜଣ ସେମାନଙ୍କ ଅଷ୍ଟମ ଶ୍ରେଣୀ ଶେଷ କରିବା ପୂର୍ବରୁ ବିଦ୍ୟାଳୟ ଓ ପାଠପଢ଼ା ଛାଡ଼ି ଦେଉଛନ୍ତି। ହେଲେ କାହିଁକି? ଅଧାରୁ ପାଠପଢ଼ା ଛାଡ଼ିବାର କାରଣ ତ ଅନେକ ଅଛି; କିଛିଟା ଜଣା, କିଛିଟା ଅଜଣା, କିଛିଟା ଅବହେଳିତ ତ କିଛିଟା ଅଣଦେଖା। ସରକାରୀ ତଥ୍ୟରେ ଦର୍ଶାଯାଉଥିବା ଆଦିବାସୀ ପିଲାଙ୍କର ଡ୍ରପଆଉଟ ଜନିତ ସଂଖ୍ୟା ଏବଂ ପରିସଂଖ୍ୟାନ ଓ ବାସ୍ତବ ଛବି ଭିତରେ ପାର୍ଥକ୍ୟ ଦେଖିବାକୁ ମିଳିବ। ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ପିଲାମାନେ ସ୍କୁଲ ଯାଉନାହାନ୍ତି ବା ଅଧାରୁ ପାଠ ଛାଡ଼ିଦିଅନ୍ତି। ଦିନେ ଆସିଲେ ପିଲାମାନେ ଦଶ ଦିନ ସ୍କୁଲ ବନ୍ଦ କରନ୍ତି। ପୁଅଙ୍କ ତୁଳନାରେ ଝିଅମାନେ ଭଲ ପାଠପଢୁଥିଲେ ମଧ୍ୟ ସେମାନେ ବି ରୀତିମତ ସ୍କୁଲ ଆସନ୍ତି ନାହିଁ। ଏହା ପଛରେ ଥିବା ବାସ୍ତବ କାରଣଗୁଡ଼ିକୁ ଖେଳାଇବାକୁ ପଡ଼ିବ, ଯାହାଫଳରେ ସମାଧାନର ବାଟ ଦିଶିବ। ଆଦିବାସୀ ଗ୍ରାମାଞ୍ଚଳରେ ପିଲାମାନଙ୍କ ଘରଠାରୁ ସ୍କୁଲ ପ୍ରାୟତଃ ବହୁତ ବାଟ। କାନ୍ଧରେ ବହିବସ୍ତାନି ବୋଝେଇ, କେବେ କେବେ ନଈ-ନାଳ ମଧ୍ୟ ପାରିକରି ସ୍କୁଲ ଯିବାକୁ ପଡିଥାଏ। ଅଧିକାଂଶ ସମୟରେ ଏହିସବୁ କାରଣବଶତଃ ଶିକ୍ଷକମାନେ ମଧ୍ୟ ନିୟମିତ ସ୍କୁଲକୁ ଆସନ୍ତି ନାହିଁ। ପାଠପଢ଼ାର ମୂଲ୍ୟ କ’ଣ, ନା ତ ଏଇ ଆଦିବାସୀ ପିଲା ବୁଝନ୍ତି ନା ତାଙ୍କ ମା’ବାପାମାନେ ତାଙ୍କୁ ବୁଝାନ୍ତି। ମା’ବାପା ନିଜେ ବି ବୁଝି ନ ଥିବେ ଶିକ୍ଷାର ମୂଲ୍ୟ କ’ଣ! ତାହାଛଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ମଧ୍ୟ ଏହା ଧାରଣା ଥାଏ ଯେ ‘ଆଦିବାସୀ ପିଲା ପାଠପଢ଼ି କ’ଣ କରିବେ ବା କେତେ ବାଟ ଯାଏ ପାଠ ପଢ଼ିପାରିବେ! ଏମାନଙ୍କ ପିଛା ଏତେ ପରିଶ୍ରମ କରି କିଛି ଲାଭ ନାହିଁ।’ ଖାଲି ସରକାରୀ ଖାତାରେ ପିଲା ଆସୁଛନ୍ତି ଓ ଶିକ୍ଷକ ମଧ୍ୟ ଆସି ତାଙ୍କୁ ପଢ଼ାଉଛନ୍ତି ବୋଲି ରେକର୍ଡ ରହିବା ଦରକାର। କାରଣ ରେକର୍ଡରେ ଯଦି ପିଲା ସ୍କୁଲ ଆସିବେନି ବା ଛାଡ଼ିଦେବେ ତେବେ ଶିକ୍ଷକମାନଙ୍କୁ ତା’ ବାବଦରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ।
ଆଦିବାସୀ ଝିଅଙ୍କର ସ୍କୁଲ ଯିବା ଓ ପାଠପଢ଼ା ଅତ୍ୟନ୍ତ ସମ୍ବେଦନଶୀଳ। ଅଧେ ସମୟ ଗାଈ-ଗୁହାଳ, ସାନ ଭାଇ-ଭଉଣୀ ଓ ଘର କଥା ବୁଝିଲେ। ଆଉ ଇଚ୍ଛା ଥିଲେ ବା ଶରୀରରେ ବଳ କି ହାତରେ ସମୟ ରହିଲେ ତ ସ୍କୁଲ ଯିବେ! ତାହାଛଡ଼ା ପ୍ରତି ମାସ ଋତୁସ୍ରାବ ବେଳେ ଝିଅମାନଙ୍କର ସ୍କୁଲ ଛୁଟି। ସ୍କୁଲରେ କିଛି ଅସୁବିଧା ହେଲେ ତା’ର ସୁବିଧା କି ବ୍ୟବସ୍ଥା ମଧ୍ୟ ନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍କୁଲଗୁଡ଼ିକରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ନାହିଁ କହିଲେ ଚଳେ। ଋତୁସ୍ରାବଜନିତ କିଛି ଅସୁବିଧା ସ୍କୁଲରେ ହେଲେ, ମାଷ୍ଟରମାନଙ୍କୁ କହିବାକୁ ଝିଅମାନଙ୍କୁ ଲାଜ ଲାଗେ। ତାହାଛଡ଼ା ଆଦିବାସୀମାନଙ୍କ ମଧ୍ୟରେ ଏହା ଗୋଟେ କୁପ୍ରଥା ଯେ, ଝିଅର ଋତୁସ୍ରାବ ଥରେ ଆରମ୍ଭ ହୋଇଗଲେ ସେମାନେ ତାକୁ ଆଉ ସ୍କୁଲ ଛାଡ଼ିବାକୁ ପସନ୍ଦ କରନ୍ତି ନାହିଁ। ଏହିସବୁ କାରଣ ମିଶିଗଲେ, ଝିଅମାନଙ୍କର ପାଠପଢ଼ା ଓ ସ୍କୁଲ ଯିବାରେ ଡୋରି ବନ୍ଧା ହୋଇଯାଏ। କୁପୋଷଣ ଓ ସ୍କୁଲ ଡ୍ରପଆଉଟ ହାରକୁ କମାଇବା ପାଇଁ ସରକାର ଯେଉଁ ‘ମଧ୍ୟାହ୍ନଭୋଜନ ଅଭିଯାନ’ ଆରମ୍ଭ କରିଛନ୍ତି,ତାହା ମଧ୍ୟ କେତେକ ଜାଗାରେ କାମ ଦେଉନାହିଁ। ଅନେକ ପିଲା ଅଛନ୍ତି ଯେଉଁମାନେ ସ୍କୁଲ ବନ୍ଦ କରି ପାଠପଢା ଛାଡ଼ି ରୋଜଗାର କରିଲେ ତାଙ୍କ ପରିବାରକୁ ଗଣ୍ଡେ ଖାଇବାକୁ ମିଳେ। ବଢୁଥିବା ଦରଦାମ ସହିତ ନିଜକୁ ଜୀବିତ ରଖିବା ଚେଷ୍ଟାରେ, ସ୍କୁଲ ଆସି ମସ୍ତିଷ୍କ ଲାଗି ଖାଦ୍ୟ ଯୋଗାଇବାଠାରୁ ପେଟକୁ ଦୁଇ ମୁଠା ଖାଇବା ଯୋଗାଇବା ତାଙ୍କ ଲାଗି ଅତ୍ୟନ୍ତ ଜରୁରୀ ହୋଇପଡ଼େ। ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ଦିଆଯାଉଥିବା ଶିକ୍ଷାର ମାନ ବଢ଼ାଇବା ଅତ୍ୟନ୍ତ ଜରୁରୀ। ଖାଲି ଶିକ୍ଷା ବା ସ୍କୁଲ ଜରୁରୀ ନୁହେଁ, ବରଂ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା ଲାଗି ସମର୍ପିତ ଶିକ୍ଷକ ମଧ୍ୟ ଲୋଡ଼ା। ଆଜିକାଲିକାର ଇଣ୍ଟରନେଟ ଯୁଗରେ ଜଣେ ଘରେ ବସି ସର୍ବନିମ୍ନ ଶିକ୍ଷା ଆହରଣ କରିପାରିବ,କିନ୍ତୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଓ ସେଇ ଶିକ୍ଷାକୁ କିପରି ଜୀବନରେ ବ୍ୟବହାର କରାଯାଇପାରିବ, ତାହାର ଗୁରୁଦାୟିତ୍ୱ ଶିକ୍ଷକଙ୍କ ଉପରେ। ପାଠ ପଢିଲେ କ’ଣ ଲାଭ,ପିଲାମାନଙ୍କ ପୂର୍ବରୁ ତାଙ୍କ ମା’ବାପାଙ୍କୁ ଜଣାଇବା ଓ ବୁଝାଇବା ଜରୁରୀ। ପାଠପଢ଼ା ଯେ କେବଳ ଅଣ୍ଡା-ଛତୁଆ ଖାଇବା ନୁହଁ, ବରଂ ଏକ ଗଛ ଲଗାଇଲା ଭଳି। ଗଛ ଲଗାଉ ଲଗାଉ ଯେମିତି ଫଳ ଦିଏ ନାହିଁ,ସେମିତି ପାଠ ପଢ଼ୁ ପଢ଼ୁ ତୁରନ୍ତ ଫଳ ମିଳେ ନାହିଁ। କିନ୍ତୁ ପାଠ ପଢ଼ିଥିଲେ,ସେ ଭବିଷ୍ୟତରେ ଗଛ ଭଳି ଛାଇ, ପତ୍ର, ଫୁଲ, ଫଳ, କାଠ ସ୍ବରୂପ ଏକ ସୁନ୍ଦର ଜୀବନ ଓ ଉତ୍ତମ ଜୀବନଶୈଳୀ ପ୍ରଦାନ କରିପାରିବ,ତାହା ଆଦିବାସୀ ମା’ବାପାଙ୍କୁ ବୁଝାଇବା ଅନିବାର୍ଯ୍ୟ। ଯଦି କେଉଁଠି ସ୍କୁଲ ଯିବାର ପଥ ନିରାପଦ ନାହିଁ ବା ସ୍କୁଲ ଆଦିବାସୀ ଗାଁଠାରୁ ଦୂରରେ ଅଛି,ତାହାହେଲେ ସେଇଠି ସରକାରୀ ବସ୍‌ ବା କୌଣସି ବାହନର ସୁବିଧା ଯୋଗାଇଦେଲେ ଭଲ ହୁଅନ୍ତା। ହୁଏତ ଏଇ ପ୍ରସ୍ତାବଟି ଟିକିଏ ମହଙ୍ଗା ଲାଗିପାରେ,ହେଲେ ଅସମ୍ଭବ ନୁହେଁ। ରାଜ୍ୟରେ ଯେତେବେଳେ କୋଟି କୋଟି ସମ୍ପତ୍ତି ରକ୍ଷଣାବେକ୍ଷଣ ଅଭାବରୁ ଉଇର ଶିକାର ହେଉଛି ବା ମାଟିରେ ମିଶି ଯାଉଛି,ସେତେବେଳେ ଏଇ ଗରିବ ଆଦିବାସୀ ପିଲାଙ୍କ ପାଠପଢ଼ା ନିମନ୍ତେ ଦାୟିତ୍ୱବାନ ନିବେଶ କରିବାରେ ବୋଧହୁଏ କିଛି ଅସୁବିଧା ନ ହୋଇପାରେ। ତାହାଛଡ଼ା ଯେତେ ବିକାଶମୂଳକ ପ୍ରକଳ୍ପ ଜାରି କରାହେଉଛି ତାହା ସ୍ଥାୟୀ ହେବା ଦରକାର ଓ ଯାହା ଲାଗି ହେଉଛି ସେମାନଙ୍କୁ ଏହା ବିଷୟରେ ଅବଗତ କରାଇବା ଅତ୍ୟନ୍ତ ଜରୁରୀ। କାରଣ ଅଧିକାଂଶ ସମୟରେ ଠିକ ହିତାଧିକାରୀଙ୍କ ନିକଟରେ ସୁବିଧା ପହଞ୍ଚି ପାରୁନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହିଳା ଶିକ୍ଷକଙ୍କର ଅଧିକ ନିଯୁକ୍ତି ହେବା ଆବଶ୍ୟକ, ଯାହାଫଳରେ ଝିଅମାନେ ସ୍କୁଲରେ ସମ୍ମୁଖୀନ କରୁଥିବା ଅସୁବିଧା ନିଃସଂକୋଚରେ କହିପାରିବେ। ଏହା ବ୍ୟତୀତ ଋତୁସ୍ରାବ ଜନିତ ସାମାଜିକ ପ୍ରତିବନ୍ଧତା,ସ୍ବାସ୍ଥ୍ୟ ଓ ସ୍ବଛତା ପ୍ରତି ସଚେତନତା ଆଣିବା ମଧ୍ୟ ଅତ୍ୟନ୍ତ ଜରୁରୀ। ଉତ୍ତମ ସ୍ବାସ୍ଥ୍ୟ ଓ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା ହେଲେ,ବିକାଶ ଆପେ ଆପେ ହେବ। ଶିକ୍ଷାର ମୂଳ ଉଦ୍ଦେଶ୍ୟକୁ ପଛରେ ପକାଇ,ଆଦିବାସୀ ପିଲାଙ୍କ ବିକାଶର ଲକ୍ଷ୍ୟ ହାସଲ କରିବା କଷ୍ଟ।
ମୋ:୬୩୭୦୯୦୫୯୪୭


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri