ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାର ପ୍ରସ୍ତାବ ମୋଦି କ୍ୟାବିନେଟରେ ଅନୁମୋଦିତ ହୋଇଛି। ଏହି ଯୋଜନାର ନାମ ‘ଗୋବର୍ଦ୍ଧନ’ ରଖାଯାଇଛି, ଯାହା ଅଧୀନରେ ସିଏନଜି.-ପିଏନଜିରେ ୫ ପ୍ରତିଶତ ବାୟୋଗ୍ୟାସ ମିଶ୍ରଣ କରିବାର ଯୋଜନା ରହିଛି। ଯଦି ଏହି ଗ୍ୟାସ ପ୍ରସ୍ତୁତ ହୁଏ, ତେବେ ଲୋକମାନେ ଏଲପିଜି, ସିଏନଜି. ଏବଂ ପିଏନଜି ଗ୍ୟାସର ବିକଳ୍ପ ପାଇପାରିବେ। ଏହାପରେ ଲୋକଙ୍କୁ ଗ୍ୟାସ ସିଲିଣ୍ଡର କିଣିବାକୁ ପଡ଼ିବ ନାହିଁ, ବରଂ ସେମାନେ ଘରେ ନିଜେ ଗ୍ୟାସ ପ୍ରସ୍ତୁତ କରିପାରିବେ। ଏହାର ସବୁଠାରୁ ବଡ଼ ଲାଭ ଏହା ହେବ ଯେ ଲୋକଙ୍କ ଖର୍ଚ୍ଚ କମିଯିବ।
କେନ୍ଦ୍ର ସରକାର ସାମ୍ପ୍ରତିକ ଏଲପିଜି (LPG) ସଙ୍କଟକୁ ଦୃଷ୍ଟିରେ ରଖି ବାୟୋଗ୍ୟାସ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ‘ଗୋବର୍ଦ୍ଧନ’ (GOBARdhan) ଯୋଜନା ପ୍ରଣୟନ କରାଯାଇଛି, ଯାହାକି ପ୍ରାୟ ୨୩,୭୩୧ କୋଟି ଟଙ୍କାର ଏକ ଯୋଜନା ଏବଂ ଏହାକୁ ଆଗାମୀ ୧୦ ବର୍ଷ ଭିତରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ‘ଗୋବର୍ଦ୍ଧନ’ ଯୋଜନା ଅଧୀନରେ ୨୦୨୭ ରୁ ୨୦୩୬ ଆର୍ଥିକ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଦେଶୀୟ କମ୍ପ୍ରେସଡ ବାୟୋଗ୍ୟାସ ଉତ୍ପାଦନକୁ ପ୍ରାୟ ୧୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ବର୍ଜ୍ୟବସ୍ତୁ, ଗୋବର, ଚିନିକଳରୁ ର୍ନିଗତ ପ୍ରେସ୍ମଡ, ପୌରାଞ୍ଚଳ ଜୈବିକ ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ବାୟୋମାସ୍କୁ ବ୍ୟବହାର କରି ସିବିଜି ଉତ୍ପାଦନ କରାଯିବ। ଏହି ବାୟୋଗ୍ୟାସ୍କୁ ସାଇକେଲ ଓ ଗାଡ଼ିଗୁଡ଼ିକରେ ବ୍ୟବହୃତ ସିଏନ୍ଜି ସହ ମିଶ୍ରଣ କରାଯାଇପାରିବ। ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁଶନ (ସିଜିଡି) କମ୍ପାନୀଗୁଡ଼ିକ ପାଇଁ ସିଏନ୍ଜି ଏବଂ ଘରୋଇ ପାଇପ ଗ୍ୟାସ (ପିଏନ୍ଜି)ରେ ସିବିଜି ମିଶ୍ରଣ କରିବା ବାଧ୍ୟତାମୂଳକ କରାଯାଇଛି। ୨୦୨୭ ଆର୍ଥିକ ବର୍ଷରେ ୩%, ୨୦୨୮ରେ ୪% ଏବଂ ୨୦୨୯ରୁ ୫% ମିଶ୍ରଣ ଲକ୍ଷ୍ୟ ରଖାଯାଇଛି। ଉତ୍ପାଦକମାନଙ୍କୁ ସ୍ଥାୟୀ ରୋଜଗାରର ସୁରକ୍ଷା ଦେବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟ ରଖିବା ପାଇଁ ସରକାର ପ୍ରତି ଏମଏମ୍ବିଟିୟୁ (ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟସ) ସିବିଜିର ମୂଲ୍ୟ ୨,୧୧୦ ଟଙ୍କା ର୍ନିଦ୍ଧାରଣ କରିଛନ୍ତି। ନୂତନ ଗ୍ରୀନ୍ଫିଲ୍ଡ ପ୍ରକଳ୍ପଗୁଡ଼ିକୁ ଦୈନିକ ୧ ଟନ ଉତ୍ପାଦନ କ୍ଷମତା ପାଇଁ ସର୍ବାଧିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ସହାୟତା ଯୋଗାଇ ଦିଆଯିବ। ପୁରୁଣା ପ୍ଲାଣ୍ଟଗୁଡ଼ିକର ସମ୍ପ୍ରସାରଣ ପାଇଁ ମଧ୍ୟ ସହାୟତା ମିଳିବ। ସିବିଜି ପ୍ଲାଣ୍ଟଗୁଡ଼ିକୁ ମୁଖ୍ୟ ପାଇପ୍ଲାଇନ ଏବଂ ସିଟି ଗ୍ୟାସ ନେଟୱର୍କ ସହ ଯୋଡ଼ିବା ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ଏହାସହ ଏମଏସଏମଇ ସଂସ୍ଥାଗୁଡ଼ିକ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ବ୍ୟବସ୍ଥା ଏବଂ ଜିଲା ସ୍ତରୀୟ ପ୍ରକଳ୍ପ ପାଇଁ ଏକ ସ୍ବତନ୍ତ୍ର ଚ୍ୟାଲେଞ୍ଜ ଫଣ୍ଡ ସୃଷ୍ଟି କରାଯାଇଛି।

