ଇ-ଯାନ ବଢ଼ାଇବ ବିଦ୍ୟୁତ୍‌ ଚାହିଦା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ପରେ ଗ୍ରାହକ ଏବେ ଇଲେକ୍ଟ୍ରିକ ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହାକୁ ଅନେକେ ପରିବେଶ ସୁରକ୍ଷା ନିମନ୍ତେ ଏକ ପଦକ୍ଷେପ ବୋଲି ମନେ କରୁଛନ୍ତି। ତାହାକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଓ ରାଜ୍ୟ ସରକାର ଇ-ଯାନ ନୀତି ଉପରେ ଗୁରୁତ୍ୱ ଦେଉଛନ୍ତି। ତଦନୁଯାୟୀ ଦୁଇଚକିଆ, ୪ ଚକିଆ ଇ-ଯାନ କ୍ରୟ ମଧ୍ୟ ବୃଦ୍ଧି ପାଇଚାଲିଛି। ତେଣୁ ଇ-ଯାନ ଚାର୍ଜ କରିବାକୁ ଆଗାମୀ ଦିନରେ ବିଦ୍ୟୁତ୍‌ ଶକ୍ତି ଉପରେ ନିର୍ଭରଶୀଳତା ବହୁତ ବଢ଼ିବା ସମ୍ଭାବନା ରହିଛି। ସାଧାରଣତଃ କୋଇଲା, ବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ଭଳି ପାରମ୍ପରିକ ଉତ୍ସରୁ ଆମ ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ତେଣୁ ପାରମ୍ପରିକ ଶକ୍ତି ଉତ୍ସ ଉପରେ ମଧ୍ୟ ଚାପ ବଢ଼ିଯିବ ଏବଂ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧିପାଇବ। ଏହା ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ସୃଷ୍ଟି କରିବ। ଅନ୍ୟପକ୍ଷରେ ପାରମ୍ପରିକ ଉତ୍ସରୁ ବିଦ୍ୟୁତ୍‌ ଉତ୍ପାଦନ ବଢ଼ିଲେ ପରିବେଶ ପ୍ରତି ଅଧିକ ବିପଦ ଘନେଇବ। ତେଣୁ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି ଏକମାତ୍ର ବିକଳ୍ପ, ଯାହାକୁ ସରକାରୀ ସ୍ତରରେ ଅଣଦେଖା କରାଯାଉଛି।
ପାରମ୍ପରିକ ଶକ୍ତି ଉପରୁ ଚାପ ହ୍ରାସ କରିବା ପାଇଁ ଏହାର ବିକଳ୍ପ ଭାବେ ସୌର, ପବନ, ବାୟୋଗ୍ୟାସ ଓ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ଭଳି ଅକ୍ଷୟ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଏଭଳି ଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ହେଁ ବିଭାଗୀୟ ଉଦାସୀନତା ବାଧକ ସାଜିଛି। କେବଳ ସେତିକି ନୁହେଁ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଜମି ଯୋଗାଡ଼ କରିବାରେ ଅକ୍ଷମତା ଯୋଗୁ କେନ୍ଦ୍ରୀୟ ସହାୟତା ମଧ୍ୟ ହରାଇବାକୁ ପଡ଼ିଛି। ୨ବର୍ଷ ପୂର୍ବରୁ ରାଜ୍ୟରେ ୪୫୦୦ ମେଗାଓ୍ବାଟ ବିଦ୍ୟୁତ୍‌ ଚାହିଦା ଥିବାବେଳେ ଏବେ ଏହା ୫ ହଜାର ମେଗାଓ୍ବାଟରେ ପହଞ୍ଚିଲାଣି। ଆଗାମୀ ଦିନରେ ଏହି ଚାହିଦା ଆହୁରି ବଢ଼ିବା ସମ୍ଭାବନା ରହିଛି। ରାଜ୍ୟରେ ଅକ୍ଷୟ ଶକ୍ତି ବିକାଶ ପାଇଁ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି-୨୦୧୬ କାର୍ଯ୍ୟକାରୀ କରିଥିଲେ। କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ ସମଗ୍ର ଦେଶରେ ୮,୯୧,୬୦୧ ମେଗାଓ୍ବାଟ ଅକ୍ଷୟ ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି। ଓଡ଼ିଶାରେ ୨୭ ହଜାର ୭୨୭ ମେଗାଓ୍ବାଟ ଅକ୍ଷୟ ଶକ୍ତି ଉତ୍ପାଦନ ହୋଇପାରିବ। ସେଥିରୁ ରାଜ୍ୟରେ ସୌର ଶକ୍ତି ୨୫,୭୮୦ ମେଗାଓ୍ବାଟ୍‌, ପବନ ଶକ୍ତିରୁ ୧୩୮୪ ମେଗାଓ୍ବାଟ୍‌, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ (ଏସ୍‌ଏଚ୍‌ଇପି)ରୁ ୨୯୫ ମେଗାଓ୍ବାଟ୍‌, ବାୟୋମାସ୍‌ରୁ ୨୪୬ ମେଗାଓ୍ବାଟ୍‌ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି (ଡବ୍ଲ୍ୟୁଟିଇ)୨୨ ମେଗାଓ୍ବାଟ ଉତ୍ପାଦନ ଆକଳନ କରାଯାଇଛି। ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୨୦୨୧ ଶେଷ ସୁଦ୍ଧା ମାତ୍ର ୨୫୦ ମେଗାଓ୍ବାଟ ଉତ୍ପାଦନ ହୋଇଛି।
ଅନ୍ୟପକ୍ଷରେ ୨୦୧୪ରେ ଦେଶରେ ସୌରଶକ୍ତି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ସୋଲାର ପାର୍କ ଓ ଅଲଟ୍ରା ସୋଲାର ପାଓ୍ବାର ପ୍ରକଳ୍ପ ଆରମ୍ଭ କରିଥିଲେ। ଓଡ଼ିଶାରେ ଏହି ପ୍ରକଳ୍ପ ସ୍ଥାପନ କରି ରାଜ୍ୟ ସରକାର ଘରୋଇ ସଂସ୍ଥା ଜରିଆରେ ୫୦୦ ମେଗାଓ୍ବାଟ ସୌରଶକ୍ତି ଉତ୍ପାଦନ କରିଥାଆନ୍ତେ। କେନ୍ଦ୍ର ସରକାର ଏଥିପାଇଁ ପ୍ରତି ମେଗାଓ୍ବାଟକୁ ୨୦ ଲକ୍ଷ ଅର୍ଥାତ୍‌ ପ୍ରକଳ୍ପ ପାଇଁ ୩୦ ପ୍ରତିଶତ ଟଙ୍କା ପ୍ରଦାନ କରିଥାଆନ୍ତେ। ପ୍ରକଳ୍ପ ଅନୁମୋଦନ ହେବାର ୧୮ ମାସ ମଧ୍ୟରେ ଏହା ଆରମ୍ଭ କରିବା କଥା। କେନ୍ଦ୍ର ସରକାର ୨୦୧୫ରେ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ୨୦୧୮ରେ ସବୁଜ ଶକ୍ତି ଉନ୍ନୟନ ନିଗମ (ଜେଡ୍‌କଲ) ୨୭୫ ମେଗାଓ୍ବାଟ ସୌରଶକ୍ତି ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସେତେଟା ଅଗ୍ରଗତି କରିନାହିଁ।
ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌) ଏବଂ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ ଲିମିଟେଡ(ଓଏଚ୍‌ପିସି)ର ୭ଟି ଗ୍ରୀଡ୍‌ ସବ୍‌ଷ୍ଟେଶନ ଓ ଶକ୍ତି ଉତ୍ପାଦନ ସ୍ଥାନରେ ୧୬.୪ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ଜେଡ୍‌କଲ ଉପରେ ନ୍ୟସ୍ତ କରାଯାଇଥିଲା। ତେବେ ଜେଡ୍‌କଲ ସୌର ପ୍ରକଳ୍ପ ସ୍ଥାପନ ପାଇଁ କୌଣସି ପଦକ୍ଷେପ ନ ନେବାରୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। କେବଳ ସୌରଶକ୍ତି ନୁହେଁ, ପବନ, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ବାୟୋମାସ ପ୍ରକଳ୍ପ ମଧ୍ୟ ଅନ୍ଧକାର ଭିତରକୁ ଚାଲିଯାଇଛି। ୨୦୨୨ ସୁଦ୍ଧା ରାଜ୍ୟରେ ପବନ ଶକ୍ତିରୁ ୨୦୦ ମେଗାଓ୍ବାଟ, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ୧୫୦ ଏବଂ ବାୟୋମାସ୍‌ରୁ ୧୬୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଶକ୍ତି ବିଭାଗର ଉଦାସୀନତା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।
ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ସୌର ଶକ୍ତିକୁ ପ୍ରୋତ୍ସାହିତ କରିବା ସକାଶେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଅକ୍ଷୟ ଶକ୍ତି ନୀତିର ନବୀକରଣ କରାଯିବ। ଗ୍ରୀଡ୍‌କୋକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ(ଓଇଆର୍‌ସି) ଆୟୋଗ ଯାହା ଟାର୍ଗେଟ ଦେଉଛନ୍ତି ସେଥିରୁ ୯୮% କରାଯାଉଛି। ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଗ୍ରୀଡ୍‌କୋ ୭୭% ଅଧିକ ଅଣପାରମ୍ପରିକ ଶକ୍ତି କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?