ହାଟଡିହୀ/ଛେନାପଦୀ,୨୮।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଯୁବ ଉଦ୍ୟୋଗୀ ଡ. ରତିକାନ୍ତ ରାଉତଙ୍କୁ କଳିଙ୍ଗ ଟିଭି ପକ୍ଷରୁ ଆୟୋଜିତ ‘ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ନିଜର ନିରନ୍ତର ଉଦ୍ୟମ, କାର୍ଯ୍ୟଦକ୍ଷତା, ସାମାଜିକ ପ୍ରତିବଦ୍ଧତା ଏବଂ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।
ବଞ୍ଚୋ ଗ୍ରାମର ବାସିନ୍ଦା ଡ. ରାଉତ ଜଣେ ଉଚ୍ଚାଭିଳାଷୀ, କର୍ମଠ ଓ ଉଦ୍ୟମୀ ବ୍ୟକ୍ତିତ୍ୱ ଭାବେ ସମଗ୍ର ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ରାଜନୈତିକ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ସହିତ ସେ ବିଭିନ୍ନ ଜନହିତକର ତଥା ସାମାଜିକ କାର୍ଯ୍ୟରେ ସର୍ବଦା ନିଜକୁ ସାମିଲ କରି ଆସୁଛନ୍ତି। ନିଜସ୍ୱ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଜଣେ ସଫଳ ଶିଳ୍ପୋଦ୍ୟୋଗୀ ଭାବେ ମଧ୍ୟ ପ୍ରତିଷ୍ଠା ଲାଭ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଜେଡି ନେତା ପ୍ରତାପ ଦେବ ଏବଂ ଡ. ଅଶୋକ ପାଣ୍ଡେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଉପସ୍ଥିତିରେ ଡ. ରାଉତଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଡ. ରତିକାନ୍ତ ରାଉତ ବର୍ତ୍ତମାନ ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି।

