ଅଙ୍ଗଦାନ ଓ ଅନ୍ଧବିଶ୍ବାସ

ଡ. ପ୍ରଫୁଲ୍ଲ କୁମାର ସାହୁ

ଆଗେ କୁହାଯାଉଥିଲା ରକ୍ତଦାନ ମହତ୍‌-ଦାନ। ଏବେ ତା’ ସହିତ ଯୋଡ଼ି ହୋଇ ସାରିଛି ଅଙ୍ଗଦାନ ମହତ୍‌-ଦାନ। ପୂର୍ବରୁ ଜୀବିତ ଲୋକ ଦେହରୁ ଅଙ୍ଗ ଆଣି ପ୍ରତିରୋପଣ କରାଯାଉଥିଲା ଅଙ୍ଗ ଆବଶ୍ୟକ କରୁଥିବା ରୋଗୀ ଦେହରେ। ଏବେ ଚିକିତ୍ସା ବିଜ୍ଞାନ ଆଉ ପାଦେ ଆଗକୁ ଯିବା ଫଳରେ ମୃତ ବ୍ୟକ୍ତିର ଶରୀରରୁ ଅଙ୍ଗ କାଢ଼ି ଆଣି ରୋଗୀ ଦେହରେ ପ୍ରତିରୋପଣ କରାଯାଇ ପାରୁଛି, ଯାହା ଆଧୁନିକ ଚିକିତ୍ସାର ଏକ ବଡ଼ ଉପଲବ୍ଧି। ସିଏମ୍‌ସି ଭେଲୋରଠାରେ ଅଙ୍ଗ ପ୍ରତିରୋପଣର ପ୍ରଥମ ସଫଳତା ମିଳିଥିଲା ୧୯୭୦ରେ। ତା’ ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଚିକିତ୍ସାଳୟକୁ ସମ୍ପ୍ରସାରିତ ହେବାରେ ଲାଗିଛି ଏଭଳି ଉଚ୍ଚ ମାନର ଚିକିତ୍ସା। କେବଳ ଭାରତ ନୁହେଁ, ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ପୃଥିବୀର ବହୁ ଦେଶରେ ଜାରି ରହିଛି ଆଖି, ପିତ୍ତକୋଷ ଓ ବୃକକ୍‌ ଇତ୍ୟାଦି ଶରୀରର ବିଭିନ୍ନ ଅଙ୍ଗ ଉଦ୍ଧାର ଓ ପ୍ରତିରୋପଣ ପ୍ରକ୍ରିୟା। ମାତ୍ର ଭେଷଜ ବିଜ୍ଞାନର ଏହି ଅଭୂତପୂର୍ବ ସଫଳତା ସତ୍ତ୍ବେ ଆବଶ୍ୟକ ଅନୁସାରେ ଅଧିକାଂଶ ରୋଗୀଙ୍କ ଦେହରେ ପ୍ରତିରୋପଣ କରି ହେଉନି ଅଙ୍ଗ। ଅଙ୍ଗ ଉପଲବ୍ଧ ନ ହେବା ହିଁ ତା’ର ପ୍ରଧାନ ପ୍ରତିବନ୍ଧକ।
ଦୁର୍ଘଟଣା ବା ଅନ୍ୟ କିଛି କାରଣରୁ ବ୍ରେନ୍‌ ଡେଡ୍‌ ବା ମସ୍ତିଷ୍କ ମୃତ ହୋଇ ଯାଇଥିବା ବ୍ୟକ୍ତିଠାରୁ ମଧ୍ୟ ଅଙ୍ଗ ନିଆଯାଇପାରୁଛି ଅନ୍ୟ ଜଣେ ରୋଗୀ ଦେହରେ ପ୍ରତିରୋପଣ ପାଇଁ। ମାତ୍ର ଏଭଳି ସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ରୋଗୀ ଦେହରୁ ଅଙ୍ଗ କାଢ଼ିନେବା ପାଇଁ ଆବଶ୍ୟକ ପରିବାର ଲୋକଙ୍କ ଅନୁମତି। ଅଙ୍ଗଦାନ ପାଇଁ ଇଚ୍ଛାପତ୍ର ହେଉ କି ମସ୍ତିଷ୍କ ମୃତ ହୋଇଥିବା ଚିକିତ୍ସାଧୀନ ରୋଗୀର ଆତ୍ମୀୟଙ୍କ ଅନୁମତି ହେଉ- ଉଭୟ କ୍ଷେତ୍ରରେ ଅଙ୍ଗଦାନ ପାଇଁ ଲୋକଙ୍କ ଭିତରେ ଆଗ୍ରହ ପ୍ରକାଶ ନ ପାଇବା କାରଣରୁ ଆମ ଦେଶରେ ଆଦୌ ସମୃଦ୍ଧ ହୋଇପାରୁନି ଅଙ୍ଗଦାନ ପରମ୍ପରା। ଅଙ୍ଗଦାନ ଅଭିଯାନରେ ସାମିଲ ହେବା ପାଇଁ ଲୋକଙ୍କ ଭିତରେ ପ୍ରକାଶପାଉନି ଉତ୍ସାହ। ଏହାର ବଡ଼ କାରଣ ହେଉଛି ଅନ୍ଧବିଶ୍ୱାସ ବା ଯୁଗ ଯୁଗ ଧରି ଆମ ଭିତରେ ବସା ବାନ୍ଧି ରହିଥିବା ଭ୍ରମଧାରଣା। କୁହାଯାଏ, ମୃତ ବ୍ୟକ୍ତିର ଶରୀର ଶ୍ମଶାନ ଜୁଇରେ ଜଳି ପୋଡ଼ିି ପାଉଁଶ ହେଲା ପରେ ଯାଇ ଆତ୍ମା ମୋକ୍ଷ ଲଭେ। ତେଣୁ ମୃତ ଲୋକର ଶରୀରରୁ କୌଣସି ଅଙ୍ଗ କାଢ଼ିନେବା ଅର୍ଥ ତା’ର ଆତ୍ମା ପ୍ରତି ଚରମ ଅବମାନନା। ଏହି ଦୃଷ୍ଟିରୁ ଅଙ୍ଗଦାନ ଭଳି ଏକ ମହତ୍‌ କାର୍ଯ୍ୟକୁ ଆରମ୍ଭରୁ ବିରୋଧ କରିଆସିଛି ଆମ ରୂଢ଼ିବାଦୀ ବିଶ୍ବାସ। ଏଭଳି ପାରମ୍ପରିକ ଧର୍ମଧାରଣାକୁ ନେଇ ମନରେ ସ୍ବତଃ ପ୍ରଶ୍ନ ଉଠେ, ଜ୍ଞାନ ବିଜ୍ଞାନର କ୍ରାନ୍ତିକାରୀ ଅଭିଯାନ ସତ୍ତ୍ବେ ଅନ୍ଧବିଶ୍ୱାସର ଅର୍ଗଳି ଭିତରୁ ମଣିଷ ମୁକୁଳିପାରୁନି କାହିଁକି? ତେଣୁ ଜ୍ଞାନ ବିଜ୍ଞାନର ଅଭୂତପୂର୍ବ ବିକାଶ ସତ୍ତ୍ବେ ଯଦି ପୁରାତନ ବିଶ୍ବାସକୁ ସଂସ୍କାରିତ କରିବା ଦିଗରେ ପ୍ରୟାସ ନ କରିବା, ତେବେ ବହୁ ପଛରେ ପଡ଼ିଯିବ ଆମ ସମାଜ ଜୀବନ। ଅନ୍ଧବିଶ୍ୱାସର ପରିଣତି ସ୍ବରୂପ ଅବରୁଦ୍ଧ ହୋଇଯିବ ବିକାଶର ପଥ। ତେଣୁ ସଚେତନତା ବଳରେ ଆମକୁ ଭାଙ୍ଗିବାକୁ ହେବ ଧର୍ମାଚାରଜନିତ ଯୁଗ ଯୁଗର ଭ୍ରମ ଧାରଣା।
କେବଳ ଅନ୍ଧବିଶ୍ୱାସ ନୁହେଁ, ଆଧୁନିକ ଭାରତରେ ଅଙ୍ଗଦାନ ଆଗରେ ଠିଆ ହୋଇଛି ଆହୁରି ଅନେକ ପ୍ରତିବନ୍ଧକ। ୧୯୯୪ ପୂର୍ବରୁ ଦେଶରେ ବେଆଇନ ଭାବରେ ଚାଲିଥିବା ଅଙ୍ଗ ଚାଲାଣକୁ ବନ୍ଦ କରିବା ଲକ୍ଷ୍ୟରେ ସରକାର ପ୍ରଣୟନ କଲେ ମାନବ ଅଙ୍ଗ ପ୍ରତିରୋପଣ ଅଧିନିୟମ- ୧୯୯୪। ଏହି ଆଇନ କାର୍ଯ୍ୟକାରୀ ହେବା (୧୯୯୫) ପରଠାରୁ ମାନବ ଅଙ୍ଗ ବ୍ୟବସାୟ ପ୍ରାୟତଃ ବନ୍ଦ ହୋଇଯାଇଛି କହିଲେ ଚଳେ। ମାତ୍ର ସାଧାରଣ ଲୋକଙ୍କ ପାଇଁ ଜଟିଳ ହୋଇପଡ଼ିଛି ଅଙ୍ଗଦାନ ଓ ଗ୍ରହଣ ପ୍ରକ୍ରିୟା। ଆତ୍ମୀୟଙ୍କ ବ୍ୟତୀତ ଅନ୍ୟ କେହି ଜୀବିତ ବ୍ୟକ୍ତି ରୋଗୀକୁ ଅଙ୍ଗଦାନ କରିବାକୁ ଚାହିଁଲେ ବି ସହଜରେ ମିଳି ପାରୁନାହିଁ ପ୍ରଶାସନିକ ଅନୁମତି। ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଦାତା ଓ ଗ୍ରହୀତା ଉଭୟପକ୍ଷର ଲୋକେ। ପରବର୍ତ୍ତୀ କଥାଟି ହେଉଛି ମୃତବ୍ୟକ୍ତିର ଅଙ୍ଗ ଉଦ୍ଧାର କରିବା ଯେତିକି ଜଟିଳ, ତାକୁ ଅନ୍ୟ ଜଣେ ରୋଗୀ ଦେହରେ ପ୍ରତିରୋପଣ କରିବା ସେତିକି କଷ୍ଟସାଧ୍ୟ, ବ୍ୟୟସାପେକ୍ଷ। ସାମଗ୍ରିକ ଭାବେ ଏହି ପ୍ରକ୍ରିୟାର ସଫଳତା ନିମନ୍ତେ ଲୋଡ଼ା ଦକ୍ଷ ଓ ଅଭିଜ୍ଞ ଚିକିତ୍ସକ, ନିଷ୍ଠାପର ସମାଜସେବୀ ଓ ପ୍ରଶାସନର ଆନ୍ତରିକ ସଦ୍ଦିଚ୍ଛା ଓ ସହଯୋଗ। ମାତ୍ର ବିଡ଼ମ୍ବନାର ବିଷୟ ସମନ୍ବୟର ଅଭାବରୁ ବାରମ୍ବାର ବାଟବଣା ହେଉଛି ଲକ୍ଷ୍ୟ।
ଚିକିତ୍ସାତନ୍ତ୍ରର ଦୁର୍ବଳ ଭିତ୍ତିଭୂମି ମଧ୍ୟ ଅଙ୍ଗଦାନ ଅଭିଯାନର ଅନ୍ୟ ଏକ ଅନ୍ତରାୟ। କହିବାକୁ ଗଲେ ବିପୁଳ ଜନସଂଖ୍ୟା ଓ ସୀମିତ ସମ୍ବଳ ଭିତରେ ଗତି କରୁଛି ଆମ ଦେଶର ଚିକିତ୍ସା ବ୍ୟବସ୍ଥା। ବିଶେଷକରି ଅଙ୍ଗ ଉଦ୍ଧାର ଓ ପ୍ରତିରୋପଣ ନିମନ୍ତେ ଘରୋଇ ଚିକିତ୍ସାଳୟ ଉପରେ ଅଧିକ ନିର୍ଭର କରିବା କାରଣରୁ ବ୍ୟୟଭାର ଏତେ ଅଧିକ ଯେ, ଯାହା ଜଣେ ସାଧାରଣ ରୋଗୀ ପାଇଁ ଅକଳ୍ପନୀୟ। ଉପରୋକ୍ତ ଅନେକ ପ୍ରତିବନ୍ଧକ ଭିତରେ ସବୁଠାରୁ ବଡ଼ ଆହ୍ବାନ ହୋଇ ଉଭା ହୋଇଛି ଅନ୍ଧବିଶ୍ୱାସର ଦୂରୀକରଣ। ଏ ଦିଗରେ ଜନସଚେତନତା ବୃଦ୍ଧି ପାଇଲେ ନୂଆ ଜୀବନ ଫେରିପାଆନ୍ତେ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଥିବା ଅନେକ ମୁମୂର୍ଷୁ ରୋଗୀ। ଗଣମାଧ୍ୟମରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ଆମ ଦେଶରେ ଅଙ୍ଗ ପରିବର୍ତ୍ତନ ପାଇଁ ଅପେକ୍ଷା କରିଥିବା ରୋଗୀମାନଙ୍କ ମଧ୍ୟରୁ ବାର୍ଷିକ ହାରାହାରି ୫ ଲକ୍ଷ ରୋଗୀ ମୃତ୍ୟୁବରଣ କରୁଛନ୍ତି ଅଙ୍ଗ ନ ପାଇବା କାରଣରୁ। ଅନ୍ୟପକ୍ଷରେ ଏଠି ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ରାସ୍ତା ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ମସ୍ତିଷ୍କ ମୃତ୍ୟୁ ଅବସ୍ଥାରେ ଚିକିତ୍ସିତ ହୋଇ ପ୍ରାଣ ହରାନ୍ତି ଦୁର୍ଘଟଣାର ଅଳ୍ପ ଦିନ ପରେ। ମୃତ୍ୟୁ ପୂର୍ବରୁ ଏମାନଙ୍କ ମସ୍ତିଷ୍କ ମୃତ ହୋଇ ଯାଇଥିଲେ ବି ସଚଳ ଅବସ୍ଥାରେ ଥାଏ ଶରୀରର ଅନ୍ୟାନ୍ୟ ଅଙ୍ଗ। ବଞ୍ଚତ୍ବାର କୌଣସି ଆଶା ନ ଥିବାରୁ ସେମାନଙ୍କ ପରିବାର ଲୋକେ ଧୈର୍ଯ୍ୟ ଓ ଉଦାର ଚିତ୍ତରେ ଅଙ୍ଗଦାନ କରିବାକୁ ଯଦି ଆଗେଇ ଆସନ୍ତେ, ତେବେ ଆଉ କିଛି ପରିବାର ଭିତରେ ଖେଳି ଯାଆନ୍ତା ହସର ଲହରି। ମୃତ୍ୟୁ ପୂର୍ବରୁ ଆତ୍ମୀୟଙ୍କ ଦ୍ବାରା ଅଙ୍ଗଦାନ କରିଥିବା ରୋଗୀ ମରି ମଧ୍ୟ ଅମର ହୋଇ ରହନ୍ତେ ଆଉ କାହା ଭିତରେ।
ବିଶେଷଜ୍ଞମାନେ କହନ୍ତି, ଜଣେ ମୃତ ବ୍ୟକ୍ତିର ଅଙ୍ଗ ସହାୟତାରେ ପୁନର୍ଜୀବନ ପାଇପାରିବେ ୮ ଜଣ ରୋଗୀ। ବାସ୍ତବରେ ଜଣେ ମୃତ ବ୍ୟକ୍ତିର ଅଙ୍ଗ ଅନ୍ୟ କା’ ପାଇଁ ହୋଇପାରେ ସଂଜୀବନୀ। ଏହା ସତ୍ତ୍ବେ ବି ଅଙ୍ଗଦାନ ପାଇଁ ଆମ ଭିତରେ ପ୍ରକାଶପାଉନି ତତ୍ପରତା। ଏହି ପରିପ୍ରେକ୍ଷୀରେ ମନରେ ସ୍ବତଃ ପ୍ରଶ୍ନଉଠେ- ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ପ୍ରଗତି ପ୍ରେକ୍ଷାପଟରେ ଆମେ ଆମ ପାରମ୍ପରିକ ବିଶ୍ବାସକୁ ବଦଳାଇ ପାରିବାନି କାହିିଁକି? ଥରେ ଭାବିଲେ ଦେଖି ମଣିଷ ମରିଗଲା ପରେ କ’ଣ ହୁଏ ତା’ର ଶରୀରର ଅବସ୍ଥା! ପଚି ଶଢ଼ି ତାହା ମାଟିରେ ମିଶିଯାଏ, ନହେଲେ ଜୁଇ ନିଆଁରେ ଜଳିପୋଡ଼ି ପାଉଁଁଶ ହୋଇଯାଏ ଅଳ୍ପ କେଇ ମିନିଟ ଭିିତରେ। ଅନ୍ୟପକ୍ଷରେ ପାଉଁଶ ହେବା ପୂର୍ବରୁ ସେ ମୃତ ଶରୀରର ଅଙ୍ଗ ସାହାଯ୍ୟରେ ବଞ୍ଚତ୍ ଯାଇପାରିବ ମୃତ୍ୟୁ ଅପେକ୍ଷାରେ ଥିବା ଏକାଧିକ ରୋଗୀଙ୍କ ଜୀବନ। ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଅଙ୍ଗଦାନ କରିବା ତ ମୋକ୍ଷଠାରୁ ଆହୁରି ବଡ଼ ପରମାର୍ଥ ବା ଉଚ୍ଚତର ଆଧ୍ୟାତ୍ମିକ ପ୍ରତିବେଦନ। ଆଧ୍ୟାତ୍ମିକତା ଆଉ କ’ଣ କି? ନିଜ ମଣିଷପଣିଆକୁ ଅଗ୍ରାଧିକାର ଦେଇ ଅନ୍ୟକୁ ଜୀବନ ଦାନ କରିବା ତ ସବୁଠାରୁ ବଡ଼ ଈଶ୍ୱରୀୟ ଉପଲବ୍ଧି।
ଆଶ୍ବାସନାର ବିଷୟ ହେଉଛି, ସବୁ ପ୍ରତିକୂଳତା ସତ୍ତ୍ବେ ଓଡ଼ିଶାରେ ଆରମ୍ଭ ହୋଇସାରିଛି ଅଙ୍ଗଦାନ ଅଭିଯାନ। ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସରକାରଙ୍କ ପକ୍ଷରୁ ଜାରି ରହିଛି ଜନସଚେତନତା ସୃଷ୍ଟି କରିବାର ନିରନ୍ତର ପ୍ରୟାସ। ଏହି କ୍ରମରେ ଅଙ୍ଗଦାନ କରି ମାନବିକତାର ଛାପ ଛାଡ଼ି ଯାଉଥିବା ବ୍ୟକ୍ତିଙ୍କୁ ମରଣୋତ୍ତର ସମ୍ମାନ ଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିଷ୍ଠା ହୋଇଛି ‘ସୁରଜ ସମ୍ମାନ’। ୨୦୧୯, ଅକ୍ଟୋବର ୨୯ ତାରିଖ ଗୁଜରାଟର ସୁରଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ ବେଡ୍‌ରେ ମୃତ୍ୟୁ ସହ ଚାରି ଦିନ ଲଢ଼େଇ କଲା ପରେ ଆଖି ବୁଜିଦେଲା ଗଞ୍ଜାମର ସୁରଜ ବେହେରା। ମାତ୍ର ଆଖିବୁଜିବା ପୂର୍ବରୁ ସେ ନିଜ ଶରୀରର ହୃତ୍‌ପିଣ୍ଡ, ଲିଭର, କିଡ୍‌ନୀ ଓ ଚକ୍ଷୁ ଆଦି ଛ’ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରି ୬ ଜଣ ରୋଗୀଙ୍କୁ ଦେଇଗଲେ ନୂଆ ଜୀବନ। ମୃତ୍ୟୁ ପରେ ମୃତ୍ୟୁଞ୍ଜୟ ହୋଇଥିବା ସୁରଜଙ୍କ ମହତ୍‌ କାମ ପାଇଁ ଘାଷଣା କରାଯାଇଛି ସୁରଜ ପୁରସ୍କାର।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡା, ମୟୂରଭଞ୍ଜ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri