ଓ଼୍ବାଶିଂଟନ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ପ୍ରେସ ସେକ୍ରେଟାରୀ କ୍ୟାରୋଲିନ ଲେଭିଟ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଆମେରିକୀୟମାନଙ୍କୁ ବିବାହ କରିବା ଏବଂ ଅଧିକ ପିଲା ଜନ୍ମ କରିବାକୁ କହିଛନ୍ତି। ଏହାସହ ପିଲାମାନଙ୍କର ଲାଳନପାଳନ ଚର୍ଚ୍ଚର ସଂସ୍କାର ସହିତ କରିବାକୁ ସେ ନିବେଦନ କରିଛନ୍ତି। ନିଜର ଏହି ଆହୱାନ ସହିତ ଲେଭିଟ ’ଏକ୍ସ’ (X) ପୋଷ୍ଟରେ ‘ଦ ୱାଶିଂଟନ ପୋଷ୍ଟ’ର ଏକ ରିପୋର୍ଟର ସ୍କ୍ରିନସଟ ମଧ୍ୟ ଶେୟାର କରିଛନ୍ତି। ଏହି ରିପୋର୍ଟରେ ଏକ ଅଧ୍ୟୟନ ପ୍ରକାଶିତ ହୋଇଛି, ଯାହାର ଶୀର୍ଷକ ରହିଛି- ‘୨୦୩୫ ସୁଦ୍ଧା ବିଶ୍ୱରେ ସବୁଠାରୁ ଅଧିକ ହେବ ମୁସଲିମ ଜନସଂଖ୍ୟା’। ଏହାବ୍ୟତୀତ ଏହି ଖବରରେ ଏହା ମଧ୍ୟ ଆକଳନ କରାଯାଇଛି ଯେ ଆମେରିକା ଆଉ ଖ୍ରୀଷ୍ଟିଆନ ବହୁଳ ଦେଶ ହୋଇ ରହିବ ନାହିଁ।
ଏହି ଖବରକୁ ନେଇ ଲେଭିଟ କରିଥିବା ପୋଷ୍ଟ ଉପରେ ଏବେ ତୀବ୍ର ବାଦବିବାଦ ଲାଗିଛି। ତାଙ୍କର କହିବା କଥା ଯେ ଆମେରିକୀୟ ଲୋକମାନେ ଶୀଘ୍ର ବିବାହ କରନ୍ତୁ, ଅଧିକ ପିଲା ଜନ୍ମ କରନ୍ତୁ ଏବଂ ପରିବାର ଗଢ଼ନ୍ତୁ। ଚର୍ଚ୍ଚର ସଂସ୍କାରରେ ସେମାନଙ୍କ ଲାଳନପାଳନ କରନ୍ତୁ ଏବଂ ଆମେରିକାକୁ ଭଲ ପାଇବାକୁ ଶିଖାନ୍ତୁ। ତାଙ୍କର ଏହି ପୋଷ୍ଟକୁ କେତେକ ଲୋକ ସମର୍ଥନ କରିଥିବା ବେଳେ ଆଉ କେତେକ ୟୁଜର୍ସ ଏହାକୁ ଭୁଲ ବୋଲି କହିଛନ୍ତି। ଏକ ବର୍ଗର କହିବା କଥା ଯେ ଲେଭିଟ କଥା ଠିକ। ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ପିଲାମାନଙ୍କର ଲାଳନପାଳନ ହେବା ଉଚିତ ଏବଂ ପାରିବାରିକ ମୂଲ୍ୟବୋଧ ମଧ୍ୟ ଜରୁରୀ। ଅନ୍ୟପଟେ କେତେକ ଲୋକ ତାଙ୍କ ପୋଷ୍ଟ ଉପରେ ଆପତ୍ତି ଉଠାଇଛନ୍ତି। ଏହି ଲୋକମାନଙ୍କର କହିବା କଥା ଯେ କେମିତି ଲୋକମାନଙ୍କୁ କେବଳ ଗୋଟିଏ ଧର୍ମ ବା ପନ୍ଥକୁ ମାନିବା ପାଇଁ କୁହାଯାଇପାରିବ।
ଏହାଛଡ଼ା ପିଲା ଲାଳନପାଳନକୁ ନେଇ କେତେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ଦରଦାମ ଏତେ ବଢ଼ିଚାଲିଛି ଏବଂ ଚଳିବା ଖର୍ଚ୍ଚ (Cost of Living) ବୃଦ୍ଧି ପାଇଛି। ତେଣୁ ପିଲା ଲାଳନପାଳନ, ସୱାସ୍ଥ୍ୟ ସେବା ଏବଂ ସେମାନଙ୍କ ପାଠପଢ଼ା ସହଜ ନୁହେଁ। ଏହାବ୍ୟତୀତ ପିଲାମାନଙ୍କୁ ଏହି ସୱାଧୀନତା ଦେବା ଉଚିତ ଯେ ସେମାନେ ଯେଉଁ ଧର୍ମ ଚାହିଁବେ, ତାହାର ମୂଲ୍ୟବୋଧକୁ ପାଳନ କରିବେ। ଜଣେ ୟୁଜର୍ ଲେଖିଛନ୍ତି ଯେ ମୁସଲିମ ଏବଂ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ପିଲା ଜନ୍ମ କରିବାର ପ୍ରତିଯୋଗିତା ହେବା ଉଚିତ ନୁହେଁ। ଏହାର ସଠିକ ସମାଧାନ ହେଉଛି ବାହାରୁ ଆସୁଥିବା ଲୋକଙ୍କ ଉପରେ ରୋକ ଲଗାଯାଉ। ଏହାଦ୍ୱାରା ହିଁ ପାଶ୍ଚାତ୍ୟ ଦେଶଗୁଡ଼ିକର ସଂସ୍କୃତି ସୁରକ୍ଷିତ ରହିପାରିବ।
ସେହିପରି ଜଣେ ୟୁଜର୍ ଲେଖିଛନ୍ତି ଯେ ଆପଣ ଅଧିକ ପିଲା ଜନ୍ମ କରିବା କଥା ଲେଖୁଛନ୍ତି, କିନ୍ତୁ ଆପଣ ଲୋକମାନେ ହିଁ ମାତୃତ୍ୱ ଛୁଟି (Maternity Leave), ଡେ-କେୟାର ଏବଂ ଅନ୍ୟାନ୍ୟ ସୁବିଧାର ବିରୋଧ କରନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ କାହିଁକି ଅଧିକ ପିଲା ଜନ୍ମ କରିବେ? ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ ଏତେ ମହଙ୍ଗା ମାଡ଼ରେ ଆମେ ଅଧିକ ପିଲାଙ୍କ ଖର୍ଚ୍ଚ ବହନ କରିପାରିବୁ ନାହିଁ।

