‘ଡ୍ୟୁଟି’ କରୁଛନ୍ତି

ଭାରତ ୧ ଡିସେମ୍ବର ୨୦୨୨ରୁ ବିଧିବଦ୍ଧ ଭାବେ ଏକ ବର୍ଷ ପାଇଁ ଜି୨୦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛି। ସଂଯୋଗବଶତଃ ୨୦୨୨ ଡିସେମ୍ବର ସକାଶେ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷତା ଭାରତ ଭାଗରେ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ୟୁଏନ୍‌ଏସ୍‌ସିର ଦୁଇ ବର୍ଷିଆ ନିର୍ବାଚିତ ସଦସ୍ୟ ଭାବେ ଏହା ପୂର୍ବରୁ ଭାରତ ଅଗଷ୍ଟ ୨୦୨୧ରେ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରିଥିଲା। ଏବେ ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ର ଭାବେ ଭାରତ ସମ୍ଭ୍ରମ ରକ୍ଷା କରି କେତେକ ସକାରାତ୍ମକ ପଦକ୍ଷେପ ନେଇପାରିବ ବୋଲି ଆଶା କରାଯାଉଥିଲା। ହେଲେ ନ୍ୟୁୟର୍କଠାରେ ମଲ୍ଟିଲାଟେରାଲିଜମ୍‌ ବା ବହୁପକ୍ଷବାଦ ଉପରେ ବିତର୍କ ହେବା ପୂର୍ବରୁ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ଅନୌପଚାରିକ ଭାବେ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ। କିନ୍ତୁ ତାହାକୁ ଅଯଥାରେ ଗୁରୁତ୍ୱ ଦେଇ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ୍‌ ଜୟଶଙ୍କର ପାକିସ୍ତାନକୁ ଉପଲକ୍ଷ୍ୟ କରି କହିଥିଲେ, ନିରାପତ୍ତା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବା ଅନୁଚିତ। ଯେଉଁ ଦେଶ ୯/୧୧ ମାଷ୍ଟରମାଇଣ୍ଡ୍‌ ଲାଡେନ୍‌ଙ୍କୁ ସୁରକ୍ଷା ପ୍ରଦାନ କରିଥିଲା, ସେହି ରାଷ୍ଟ୍ର ଜାତିସଂଘରେ ପ୍ରବଚନ ଦେବାର ବିଶ୍ୱସନୀୟତା ହରାଇଛି। ସମଗ୍ର ବିଶ୍ୱ ପାକିସ୍ତାନକୁ ‘ଆତଙ୍କବାଦର କେନ୍ଦ୍ରସ୍ଥଳୀ’ ବୋଲି ଜାଣିଥିବା ବିଷୟ ଜୟଶଙ୍କର କହିଥିଲେ। ତେବେ ପାକିସ୍ତାନର ବିଧିବଦ୍ଧ ପାଳି ପଡ଼ିବା ପରେ ଜୟଶଙ୍କରଙ୍କୁ ଜବାବ ଦେବାକୁ ଯାଇ ବିଲାଓ୍ବଲ କହିଥିଲେ ‘ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ମୃତ। କିନ୍ତୁ ଗୁଜରାଟର କଂସେଇ ଜୀବିତ ଅଛନ୍ତି ଓ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ’। ଦେଖିବାକୁ ଗଲେ ଏହିଭଳି ଅସୁନ୍ଦର ମନ୍ତବ୍ୟକୁ ଜୟଶଙ୍କରଙ୍କ ତ୍ରୁଟିପୂର୍ଣ୍ଣ କୂଟନୀତି ନିମନ୍ତ୍ରଣ କରି ଡାକି ଆଣିଥିଲା। କାରଣ ବିଲାଓ୍ବଲ ଭୁଟ୍ଟୋ ତାଙ୍କର ମତକୁ ଚତୁରତାର ସହିତ ମୁଖ୍ୟ ଆଲୋଚନାକୁ ଆଣିବାର ସୁଯୋଗ ପାଇଲେ। ପୁନର୍ବାର କୁହାଯାଇପାରେ ଯେ, ତାଙ୍କ ମୂଳ ମନ୍ତବ୍ୟ ସଭାଗୃହ ଭିତରେ ଦିଆଯାଇ ନ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ସିଧାସଳଖ ସମାଲୋଚନା କରିବା ପରେ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ମନ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଅନେକ ଭାରତୀୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ କାର୍ଯ୍ୟକୁ ପ୍ରଥମେ ତର୍ଜମା କରାଯିବା ଦରକାର। ଲାଡେନ୍‌ଙ୍କୁ ସୁରକ୍ଷା ଦେବା ଓ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ଭଳି ଶବ୍ଦ ବ୍ୟବହାର କରି ନ ଥିଲେ ହୁଏତ ବିଲାଓ୍ବଲ ତାଙ୍କର କଦର୍ଯ୍ୟ ମତ ଦେବାରେ ସଫଳ ହୋଇ ନ ଥାନ୍ତେ। ସେ ବିଧିବଦ୍ଧ ଭାବେ ୟୁଏନ୍‌ଏସ୍‌ସିରେ କଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇ ନ ଥିଲେ। ଅନୌପଚାରିକ ଭାବେ ବିଲାଓ୍ବାଲ କେଉଁଠାରେ କ’ଣ କହିଲେ ଭାରତ ତାହାକୁ ଗୁରୁତ୍ୱ ଦେବାର ନ ଥିଲା। ଏଠାରେ ଯେଉଁ ବିଷୟଟି ଭାରତ ପାଇଁ ଏବେ ଅତି ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି, ତାହା ହେଲା ଦେଶର ବିଫଳ ବୈଦେଶିକ ନୀତି। ଭାଜପା କେନ୍ଦ୍ରରେ କ୍ଷମତାସୀନ ହେବାଠାରୁ ପଡ଼ୋଶୀଙ୍କ ସହ ଭାରତର ସମ୍ପର୍କ ଭଲ ନାହିଁ। ଏହାର ସୁଯୋଗ ନେଇ ଚାଇନା ବିଭିନ୍ନ ଦିଗରୁ ଭାରତକୁ ଘେରି ଯାଇଛି। ତାଓ୍ବଙ୍ଗରେ ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ)ର ଉପସ୍ଥିତି ଓ ଭାରତ ଭୂଖଣ୍ଡକୁ ପ୍ରବେଶ କରିବା ଘଟଣା ଏହାର ସଦ୍ୟ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ବିଫଳ କୂଟନୀତି ବୁଝିବାକୁ ହେଲେ ଉପରଲିଖିତ ଘଟଣାକୁ ତର୍ଜମା କରାଯାଇପାରେ। ଭାରତର ସୈନ୍ୟ ଗଲଓ୍ବାନ୍‌ଠାରୁ ତାଓ୍ବଙ୍ଗ ପର୍ଯ୍ୟନ୍ତ ଆକ୍ରମଣର ଶିକାର ହେବା ସତ୍ତ୍ୱେ କୌଣସି ଦେଶ ତରଫରୁ ଏପର୍ଯ୍ୟନ୍ତ ଚାଇନାକୁ ନିନ୍ଦା କରାଯାଇ ନାହିଁ। ଭାରତ ସପକ୍ଷରେ ଆସୁଥିବା ମତ କେବଳ ଆଶ୍ୱାସନା ସ୍ତରରେ ରହିଯାଉଛି। ଚାଇନା ନେତୃତ୍ୱ ବୁଝିସାରିଲାଣି ଯେ, ଭାରତରେ ଶାସନ କରୁଥିବା ରାଜନୈତିକ ପାର୍ଟିର ମୁଖ୍ୟ ଲକ୍ଷ୍ୟ ଦେଶରେ କ୍ଷମତାକୁ ଜାବୁଡ଼ି ଧରିବା। ବୈଦେଶିକ ନୀତିରେ ନୂଆଦିଲ୍ଲୀ ସ୍ପଷ୍ଟ ଆଭିମୁଖ୍ୟ ରଖୁ ନ ଥିବାରୁ ବେଜିଂ ଯେତେବେଳେ ସୁଯୋଗ ପାଉଛି ଭାରତ ବିରୋଧୀ କାର୍ଯ୍ୟରେ ସେନାକୁ ଲଗାଇ ଦେଉଛି ଏବଂ ଅନ୍ତର୍ଜାତୀୟ ସ୍ତରରେ, ସୁଯୋଗ ପାଇଲା ମାତ୍ରକେ, କେଞ୍ଚେ ଦେଉଛି। ତାଓ୍ବଙ୍ଗ ଭିତରକୁ ପିଏଲ୍‌ଏ ପଶି ଆସିଥିବା ସତ୍ତ୍ୱେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚିରାଚରିତ ଢଙ୍ଗରେ କହିପକାଇଲେ-ଭାରତର ଇଞ୍ଚେ ଜମିକୁ କେହି ମାଡ଼ିବସିବେ ନାହିଁ। ଦୁଇ ଦେଶ ମଧ୍ୟରେ ଅସ୍ବାଭାବିକ ସ୍ଥିତି ଉପୁଜିଥିବା ବେଳେ ଉଚିତ ପଦକ୍ଷେପ ନିଆଯିବା ଲାଗି ପ୍ରସ୍ତୁତି ଆରମ୍ଭ କରା ନ ଯାଇ ବାହୁସ୍ଫୋଟ ମାରିବା ହାସ୍ୟାସ୍ପଦ ମନେ ହେଉଛି। ସେହିଭଳି ପାକିସ୍ତାନ ଏବେ ଆର୍ଥିକ ଦୃଷ୍ଟିରୁ ଏକ ଦୁର୍ବଳ ଦେଶରେ ପରିଣତ ହୋଇଛି। ହେଲେ ଜୟଶଙ୍କର ତାହାକୁ ପୂର୍ବଭଳି ଭାରତର ଶତ୍ରୁ ରାଷ୍ଟ୍ର ଭାବେ ଅଭିହିତ କରି ମନ୍ତବ୍ୟ ଦେବା ଅନାବଶ୍ୟକ ଥିଲା। ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗ ଥିବା ବେଳେ ଘଷରା ବିଷୟ ଉତ୍‌ଥାପନ କରିବା ଦ୍ୱାରା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ନିଜ ପରିପକ୍ୱତା ପ୍ରଦର୍ଶନ କରିନାହାନ୍ତି ବୋଲି କୁହାଯାଉଛି। ହୁଏତ ଜୟଶଙ୍କରଙ୍କୁ ବୁଝାଇ ଦିଆଯାଇଛି ଯେ ରାଜନୈତିକ ସୁବିଧା ସକାଶେ ସବୁବେଳେ ପାକିସ୍ତାନକୁ ଟେକି ଧରିବା ଆବଶ୍ୟକ। ଜଣେ ଅବସରପ୍ରାପ୍ତ ଅଫିସର ଭାବେ ଜୟଶଙ୍କର ତାଙ୍କ ‘ଡ୍ୟୁଟି’ କରୁଛନ୍ତି। ନିଜର ବୁଦ୍ଧି ଲଗାଇ ଭାରତ ଓ ତାହାର ନାଗରିକଙ୍କ ବୃହତ୍‌ ସ୍ବାର୍ଥ ରକ୍ଷା ଚାକିରିରେ ଥିବା କିମ୍ବା ଅବସର ନେଇଥିବା କୌଣସି ଅଫିସରଙ୍କଠାରୁ ଆଶା କରିବା ବୃଥା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?