‘ଡ୍ୟୁଟି’ କରୁଛନ୍ତି

ଭାରତ ୧ ଡିସେମ୍ବର ୨୦୨୨ରୁ ବିଧିବଦ୍ଧ ଭାବେ ଏକ ବର୍ଷ ପାଇଁ ଜି୨୦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛି। ସଂଯୋଗବଶତଃ ୨୦୨୨ ଡିସେମ୍ବର ସକାଶେ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷତା ଭାରତ ଭାଗରେ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ୟୁଏନ୍‌ଏସ୍‌ସିର ଦୁଇ ବର୍ଷିଆ ନିର୍ବାଚିତ ସଦସ୍ୟ ଭାବେ ଏହା ପୂର୍ବରୁ ଭାରତ ଅଗଷ୍ଟ ୨୦୨୧ରେ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରିଥିଲା। ଏବେ ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ର ଭାବେ ଭାରତ ସମ୍ଭ୍ରମ ରକ୍ଷା କରି କେତେକ ସକାରାତ୍ମକ ପଦକ୍ଷେପ ନେଇପାରିବ ବୋଲି ଆଶା କରାଯାଉଥିଲା। ହେଲେ ନ୍ୟୁୟର୍କଠାରେ ମଲ୍ଟିଲାଟେରାଲିଜମ୍‌ ବା ବହୁପକ୍ଷବାଦ ଉପରେ ବିତର୍କ ହେବା ପୂର୍ବରୁ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି ଅନୌପଚାରିକ ଭାବେ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ। କିନ୍ତୁ ତାହାକୁ ଅଯଥାରେ ଗୁରୁତ୍ୱ ଦେଇ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ୍‌ ଜୟଶଙ୍କର ପାକିସ୍ତାନକୁ ଉପଲକ୍ଷ୍ୟ କରି କହିଥିଲେ, ନିରାପତ୍ତା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବା ଅନୁଚିତ। ଯେଉଁ ଦେଶ ୯/୧୧ ମାଷ୍ଟରମାଇଣ୍ଡ୍‌ ଲାଡେନ୍‌ଙ୍କୁ ସୁରକ୍ଷା ପ୍ରଦାନ କରିଥିଲା, ସେହି ରାଷ୍ଟ୍ର ଜାତିସଂଘରେ ପ୍ରବଚନ ଦେବାର ବିଶ୍ୱସନୀୟତା ହରାଇଛି। ସମଗ୍ର ବିଶ୍ୱ ପାକିସ୍ତାନକୁ ‘ଆତଙ୍କବାଦର କେନ୍ଦ୍ରସ୍ଥଳୀ’ ବୋଲି ଜାଣିଥିବା ବିଷୟ ଜୟଶଙ୍କର କହିଥିଲେ। ତେବେ ପାକିସ୍ତାନର ବିଧିବଦ୍ଧ ପାଳି ପଡ଼ିବା ପରେ ଜୟଶଙ୍କରଙ୍କୁ ଜବାବ ଦେବାକୁ ଯାଇ ବିଲାଓ୍ବଲ କହିଥିଲେ ‘ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ମୃତ। କିନ୍ତୁ ଗୁଜରାଟର କଂସେଇ ଜୀବିତ ଅଛନ୍ତି ଓ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ’। ଦେଖିବାକୁ ଗଲେ ଏହିଭଳି ଅସୁନ୍ଦର ମନ୍ତବ୍ୟକୁ ଜୟଶଙ୍କରଙ୍କ ତ୍ରୁଟିପୂର୍ଣ୍ଣ କୂଟନୀତି ନିମନ୍ତ୍ରଣ କରି ଡାକି ଆଣିଥିଲା। କାରଣ ବିଲାଓ୍ବଲ ଭୁଟ୍ଟୋ ତାଙ୍କର ମତକୁ ଚତୁରତାର ସହିତ ମୁଖ୍ୟ ଆଲୋଚନାକୁ ଆଣିବାର ସୁଯୋଗ ପାଇଲେ। ପୁନର୍ବାର କୁହାଯାଇପାରେ ଯେ, ତାଙ୍କ ମୂଳ ମନ୍ତବ୍ୟ ସଭାଗୃହ ଭିତରେ ଦିଆଯାଇ ନ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ସିଧାସଳଖ ସମାଲୋଚନା କରିବା ପରେ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ମନ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଅନେକ ଭାରତୀୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ କାର୍ଯ୍ୟକୁ ପ୍ରଥମେ ତର୍ଜମା କରାଯିବା ଦରକାର। ଲାଡେନ୍‌ଙ୍କୁ ସୁରକ୍ଷା ଦେବା ଓ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ଭଳି ଶବ୍ଦ ବ୍ୟବହାର କରି ନ ଥିଲେ ହୁଏତ ବିଲାଓ୍ବଲ ତାଙ୍କର କଦର୍ଯ୍ୟ ମତ ଦେବାରେ ସଫଳ ହୋଇ ନ ଥାନ୍ତେ। ସେ ବିଧିବଦ୍ଧ ଭାବେ ୟୁଏନ୍‌ଏସ୍‌ସିରେ କଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇ ନ ଥିଲେ। ଅନୌପଚାରିକ ଭାବେ ବିଲାଓ୍ବାଲ କେଉଁଠାରେ କ’ଣ କହିଲେ ଭାରତ ତାହାକୁ ଗୁରୁତ୍ୱ ଦେବାର ନ ଥିଲା। ଏଠାରେ ଯେଉଁ ବିଷୟଟି ଭାରତ ପାଇଁ ଏବେ ଅତି ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି, ତାହା ହେଲା ଦେଶର ବିଫଳ ବୈଦେଶିକ ନୀତି। ଭାଜପା କେନ୍ଦ୍ରରେ କ୍ଷମତାସୀନ ହେବାଠାରୁ ପଡ଼ୋଶୀଙ୍କ ସହ ଭାରତର ସମ୍ପର୍କ ଭଲ ନାହିଁ। ଏହାର ସୁଯୋଗ ନେଇ ଚାଇନା ବିଭିନ୍ନ ଦିଗରୁ ଭାରତକୁ ଘେରି ଯାଇଛି। ତାଓ୍ବଙ୍ଗରେ ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ)ର ଉପସ୍ଥିତି ଓ ଭାରତ ଭୂଖଣ୍ଡକୁ ପ୍ରବେଶ କରିବା ଘଟଣା ଏହାର ସଦ୍ୟ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ବିଫଳ କୂଟନୀତି ବୁଝିବାକୁ ହେଲେ ଉପରଲିଖିତ ଘଟଣାକୁ ତର୍ଜମା କରାଯାଇପାରେ। ଭାରତର ସୈନ୍ୟ ଗଲଓ୍ବାନ୍‌ଠାରୁ ତାଓ୍ବଙ୍ଗ ପର୍ଯ୍ୟନ୍ତ ଆକ୍ରମଣର ଶିକାର ହେବା ସତ୍ତ୍ୱେ କୌଣସି ଦେଶ ତରଫରୁ ଏପର୍ଯ୍ୟନ୍ତ ଚାଇନାକୁ ନିନ୍ଦା କରାଯାଇ ନାହିଁ। ଭାରତ ସପକ୍ଷରେ ଆସୁଥିବା ମତ କେବଳ ଆଶ୍ୱାସନା ସ୍ତରରେ ରହିଯାଉଛି। ଚାଇନା ନେତୃତ୍ୱ ବୁଝିସାରିଲାଣି ଯେ, ଭାରତରେ ଶାସନ କରୁଥିବା ରାଜନୈତିକ ପାର୍ଟିର ମୁଖ୍ୟ ଲକ୍ଷ୍ୟ ଦେଶରେ କ୍ଷମତାକୁ ଜାବୁଡ଼ି ଧରିବା। ବୈଦେଶିକ ନୀତିରେ ନୂଆଦିଲ୍ଲୀ ସ୍ପଷ୍ଟ ଆଭିମୁଖ୍ୟ ରଖୁ ନ ଥିବାରୁ ବେଜିଂ ଯେତେବେଳେ ସୁଯୋଗ ପାଉଛି ଭାରତ ବିରୋଧୀ କାର୍ଯ୍ୟରେ ସେନାକୁ ଲଗାଇ ଦେଉଛି ଏବଂ ଅନ୍ତର୍ଜାତୀୟ ସ୍ତରରେ, ସୁଯୋଗ ପାଇଲା ମାତ୍ରକେ, କେଞ୍ଚେ ଦେଉଛି। ତାଓ୍ବଙ୍ଗ ଭିତରକୁ ପିଏଲ୍‌ଏ ପଶି ଆସିଥିବା ସତ୍ତ୍ୱେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚିରାଚରିତ ଢଙ୍ଗରେ କହିପକାଇଲେ-ଭାରତର ଇଞ୍ଚେ ଜମିକୁ କେହି ମାଡ଼ିବସିବେ ନାହିଁ। ଦୁଇ ଦେଶ ମଧ୍ୟରେ ଅସ୍ବାଭାବିକ ସ୍ଥିତି ଉପୁଜିଥିବା ବେଳେ ଉଚିତ ପଦକ୍ଷେପ ନିଆଯିବା ଲାଗି ପ୍ରସ୍ତୁତି ଆରମ୍ଭ କରା ନ ଯାଇ ବାହୁସ୍ଫୋଟ ମାରିବା ହାସ୍ୟାସ୍ପଦ ମନେ ହେଉଛି। ସେହିଭଳି ପାକିସ୍ତାନ ଏବେ ଆର୍ଥିକ ଦୃଷ୍ଟିରୁ ଏକ ଦୁର୍ବଳ ଦେଶରେ ପରିଣତ ହୋଇଛି। ହେଲେ ଜୟଶଙ୍କର ତାହାକୁ ପୂର୍ବଭଳି ଭାରତର ଶତ୍ରୁ ରାଷ୍ଟ୍ର ଭାବେ ଅଭିହିତ କରି ମନ୍ତବ୍ୟ ଦେବା ଅନାବଶ୍ୟକ ଥିଲା। ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗ ଥିବା ବେଳେ ଘଷରା ବିଷୟ ଉତ୍‌ଥାପନ କରିବା ଦ୍ୱାରା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ନିଜ ପରିପକ୍ୱତା ପ୍ରଦର୍ଶନ କରିନାହାନ୍ତି ବୋଲି କୁହାଯାଉଛି। ହୁଏତ ଜୟଶଙ୍କରଙ୍କୁ ବୁଝାଇ ଦିଆଯାଇଛି ଯେ ରାଜନୈତିକ ସୁବିଧା ସକାଶେ ସବୁବେଳେ ପାକିସ୍ତାନକୁ ଟେକି ଧରିବା ଆବଶ୍ୟକ। ଜଣେ ଅବସରପ୍ରାପ୍ତ ଅଫିସର ଭାବେ ଜୟଶଙ୍କର ତାଙ୍କ ‘ଡ୍ୟୁଟି’ କରୁଛନ୍ତି। ନିଜର ବୁଦ୍ଧି ଲଗାଇ ଭାରତ ଓ ତାହାର ନାଗରିକଙ୍କ ବୃହତ୍‌ ସ୍ବାର୍ଥ ରକ୍ଷା ଚାକିରିରେ ଥିବା କିମ୍ବା ଅବସର ନେଇଥିବା କୌଣସି ଅଫିସରଙ୍କଠାରୁ ଆଶା କରିବା ବୃଥା।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri