ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍ ଆଣ୍ଡ୍ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେଶନ ଲିଃ (ଓଏନ୍ଜିସି) ଗ୍ୟାସ୍ର ସନ୍ଧାନ ପାଇଛି। ମହାନଦୀ ଅଫ୍ସୋର ବେସିନ୍ର ଏମ୍ଏନ୍-ଡିଡବ୍ଲ୍ୟୁ ୧୮-୧-ଏଚ୍-ଡି ଗଭୀରକୂପରେ ଏହି ଗ୍ୟାସ୍ ରହିଛି। ଭାରତର ଶକ୍ତି ସୁରକ୍ଷା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଜାତୀୟ ଉପକୂଳ ଅନ୍ବେଷଣ ମିଶନ ‘ସମୁଦ୍ର ମନ୍ଥନ’ ଅଧୀନରେ ମହାନଦୀ ଅବବାହିକାରେ ପ୍ରଥମ କୂପ ଖନନ କରାଯାଇଥିଲା ବୋଲି ଓଏନ୍ଜିସି କହିଛି। ଉପକୂଳଠାରୁ କମ୍ ଦୂରରେ ହୋଇଥିବାରୁ ଏହା ଲାଭଜନକ ବ୍ୟବସାୟ ପାଇଁ ସମ୍ଭାବନା ସୃଷ୍ଟି କରିଛି, ଯାହାକି ଅଧିକ ମୂଲ୍ୟାୟନ ଓ ବ୍ୟବସାୟିକ ସମୀକ୍ଷା ସାପେକ୍ଷ ଅଟେ।
୧,୬୨୩ ମିଟର ଗଭୀରତାକୁ ଲକ୍ଷ୍ୟରେ ରଖି କୂପ ଖନନ କରାଯାଇଥିଲା ଏବଂ ୧,୪୪୧ରୁ ୧,୪୫୨ ମିଟର ମଧ୍ୟରେ ଗ୍ୟାସ୍ ମିଳିଥିବା ଗତ ୧୮ ତାରିଖରେ ରେକର୍ଡ କରାଯାଇଛି। ଭାରତର ଉପକୂଳ ଅଞ୍ଚଳଗୁଡ଼ିକରେ ହାଇଡ୍ରୋକାର୍ବନ ସମ୍ଭାବନାକୁ ଆକଳନ କରିବା ପାଇଁ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ୍ ପୁରୀ ଗତ ଜୁଲାଇ ୨୫ରେ ଏହାର ଶୁଭାରମ୍ଭ କରିଥିଲେ। ୩ ଦିନ ହେଲା ଉକ୍ତ କୂପରୁ ଉତ୍ସାହଜନକ ପ୍ରବାହ ଓ ଜଳ ଚାପ ସହ ଗ୍ୟାସ୍ ବାହାରୁଛି। ଏହା ଓଏନ୍ଜିସିର ଗଭୀର ଜଳ ଅନୁସନ୍ଧାନ କାର୍ଯ୍ୟକ୍ରମକୁ ବଳ ଦେବା ସହ ସ୍ବଦେଶୀ ହାଇଡ୍ରୋକାର୍ବନ ସମ୍ପଦକୁ ବିସ୍ତାର କରିବାରେ ଭାରତର ପ୍ରୟାସକୁ ସୁଦୃଢ଼ କରିଛି ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

