ବିପର୍ଯ୍ୟୟର ବିଭୀଷିକା: ବଜ୍ରପାତ

ଉମାଶଙ୍କର ଦାସ

ଜଳବାୟୁ ପରିବତ୍ତର୍ର୍ନ ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟର ମୁଖ୍ୟ ଉତ୍ସ ବୋଲି ୨୦୦୬ରେ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଥିଲା। ବରିଷ୍ଠ ବୈଜ୍ଞାନିକ ତଥା ପାଣିପାଗବିତ୍‌ କମଳଜିତ ରାୟଙ୍କ ଦ୍ୱାରା ୨୦୨୧ରେ ପ୍ରକାଶିତ ଗବେଷଣା ଭିତ୍ତିକ ତଥ୍ୟ ଅନୁଯାୟୀ ଭାରତରେ ବିଗତ ୫୦ ବର୍ଷ, ୧୯୭୦-୨୦୧୯ ମଧ୍ୟରେ ସମୁଦାୟ ୭,୦୬୩ଟି ଉଚ୍ଚପ୍ରଭାବୀ ପାଣିପାଗ ଘଟଣା ଘଟିଛି । ଏଥିରେ ୧,୪୧,୩୦୮ ଜୀବନହାନି ହୋଇଛି। ଅର୍ଥାତ୍‌ ପ୍ରତିଟି ଘଟଣାରେ ହାରାହାରି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଗୃହ ମନ୍ତ୍ରଣାଳୟର ପରିସଂଖ୍ୟାନ କ୍ରମାଗତ ଭାବେ ବଜ୍ରପାତକୁ ସବୁଠାରୁ ବଡ ପ୍ରାକୃତିକ ବିନାଶକାରୀ ଶକ୍ତି ସହ ଜଡ଼ିତ ହତ୍ୟାକାରୀ ଭାବେ ଦର୍ଶାଇ ଆସିଛି। ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ସଦ୍ୟତମ ପରିସଂଖ୍ୟାନ କୁହୁଛି ୨୦୧୯ ପରଠାରୁ ଦେଶରେ ୮,୧୪୫ ଜଣଙ୍କର ମୃତ୍ୟୁ ପ୍ରାକୃତିକ ବିପର୍ଯ୍ୟୟଜନିତ ହୋଇଥିବା ବେଳେ, ସେଥିମଧ୍ୟରୁ ୩୫.୩% ମୃତ୍ୟୁ କେବଳ ବଜ୍ରପାତ ଯୋଗୁ ଘଟିଛି। ଏହାସହ ୧୫.୬% ଅଂଶୁଘାତ ଏବଂ ୧୧.୬% ମୃତ୍ୟୁ ‘ବନ୍ୟା’ ଯୋଗୁ ହୋଇଛି। ମହାରାଷ୍ଟ୍ର ପୁଣେସ୍ଥିିତ ଭାରତୀୟ କ୍ରାନ୍ତୀୟ ପାଣିପାଗବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡ.ଏସ୍‌.ଡି. ପାୱାରଙ୍କ ଗବେଷଣାରୁ ଜଣାପଡ଼ିଛି ଯେ,୧୯୬୦ ଦଶକରୁ ୨୦୧୯ ମଧ୍ୟରେ ବାର୍ଷିକ ବଜ୍ରପାତରେ ମୃତ୍ୟୁ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି ଏବଂ ଏହା ସିଧାସଳଖ ଜଳବାୟୁ ସଙ୍କଟ ସହିତ ଜଡିତ।
ମେଘ ଏବଂ ଭୂମି କିମ୍ବା ମେଘ ମଧ୍ୟରେ ସୃଷ୍ଟିହେଉଥିବା ଅସନ୍ତୁଳିତ ଶକ୍ତିର ବୈଦ୍ୟୁତିକ ନିଷ୍କାସନ ପ୍ରକ୍ରିୟା ହେଉଛି ବଜ୍ରପାତ। ବଜ୍ରପାତ ହେଉଛି ଏକ ବିଦ୍ୟୁତ୍‌ ସ୍ରୋତ। ଭୂପୃଷ୍ଠର ଉଷ୍ମତା ସଂସ୍ପର୍ଶରେ ଆସି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଗରମ ହୋଇ ବାୟୁମଣ୍ଡଳରେ ଊର୍ଦ୍ଧ୍ୱଗାମୀ ହେବା ସହ ଶୀତଳ ହୋଇ ମେଘ କଣିକା ସୃଷ୍ଟି କରିଥାଏ। ଏହି ପ୍ରକ୍ରିୟାରେ ଊର୍ଦ୍ଧ୍ୱଗାମୀ ବାୟୁ ସମୟ-ସମୟରେ ଭୂପୃଷ୍ଠର ଅଧିକ ଉଷ୍ମତା କିମ୍ବା ବାୟୁମଣ୍ଡଳର ପାରିପାର୍ଶ୍ୱିକ ପରିସ୍ଥିତି ପ୍ରଭାବରେ ୧୦ରୁ ୧୨ କି.ମି. ଉଚ୍ଚତାକୁ ଉଠି ସେଠାରେ ହିମାଙ୍କ ତଳର ତାପମାତ୍ରା-ଯୁକ୍ତ ବାୟୁ- ସଂସ୍ପର୍ଶରେ ଆଶି ତାହା ବରଫ ସ୍ଫଟିକ ସୃଷ୍ଟି କରିଥାଏ ଏବଂ ମେଘ ଖଣ୍ଡ ମଧ୍ୟରେ ସୃଷ୍ଟି ଏହି ବରଫ ସ୍ଫଟିକଗୁଡ଼ିକ ପରସ୍ପର ସହ ଘର୍ଷଣ ଦ୍ୱାରା ସ୍ଥିର ବିଦ୍ୟୁତ୍‌ ଚାର୍ଜ ସୃଷ୍ଟି ହୋଇଥାଏ। ଏହି ବୈଦ୍ୟୁତିକ ଚାର୍ଜର ପ୍ରବାହ ହିଁ ବଜ୍ରପାତ। ବୈଜ୍ଞାନିକମାନଙ୍କ ମତରେ ମେଘ ମଧ୍ୟରେ ସୃଷ୍ଟି ଏହି ଚାର୍ଜର ନିଷ୍କାସନର ସ୍ଥାନ ଅନୁଯାୟୀ ବଜ୍ରପାତକୁ ୩ ଭାଗରେ ବିଭକ୍ତ କରାଯାଏ। ୧-ଗୋଟିଏ ନିର୍ଦ୍ଦିଷ୍ଟ ବାଦଲ ମଧ୍ୟରେ, ୨- ବାଦଲ ବାଦଲ ମଧ୍ୟରେ ଏବଂ ୩-ବାଦଲରୁ ଭୂପୃଷ୍ଠ ମଧ୍ୟରେ ବଜ୍ରପାତ। ବାୟୁମଣ୍ଡଳରେ ଉପସ୍ଥିତ ବାୟୁ ବିଦ୍ୟୁତ୍‌ର କୁପରିବାହୀ ତଥା ବାଦଲ ତୁଳନାରେ ବୈଦ୍ୟୁତିକ ପ୍ରତିରୋଧକ କ୍ଷମତା ଅଧିକ, ତେଣୁ ବାଦଲ-ଭୂପୃଷ୍ଠ ମଧ୍ୟରେ ହେଉଥିବା ବଜ୍ରପାତର ଅନୁପାତ ଅନ୍ୟ ଦୁଇ ପ୍ରକାର ବଜ୍ରପାତ ତୁଳନାରେ ବହୁତ କମ୍‌। ବାୟୁମଣ୍ଡଳରେ ଶୂନ ଡିଗ୍ରୀ ତାପମାତ୍ରା ବା ହିମାଙ୍କ ସ୍ତର ଭୂପୃଷ୍ଠର ଯେତେ ନିକଟତର ଥାଏ ସେହି ଅଞ୍ଚଳରେ ବଜ୍ରପାତର ଅନୁପାତ ସେତେ ଅଧିକ ହୋଇଥାଏ।
ବଜ୍ରପାତର ଏକ ବୋଲ୍ଟ, ଯାହା ପ୍ରାୟ ୩୦,୦୦୦ରୁ ୫୦,୦୦୦ କେଲଭିନ (୫୩,୫୪୦ ରୁ ୮୫,୪୦୦ ଡିଗ୍ରୀ ଫାରେନ୍‌ହାଇଟ୍‌)ର ତାପମାତ୍ରାରେ ପହଞ୍ଚିପାରେ। ଅନ୍ୟପକ୍ଷରେ, ସୂର୍ଯ୍ୟ ପୃଷ୍ଠର ତାପମାତ୍ରା ମାତ୍ର ୬,୦୦୦ କେଲଭିନ (୧୦,୩୪୦ ଡିଗ୍ରୀ ଫାରେନ୍‌ହାଇଟ୍‌)। ଅର୍ଥାତ୍‌ ଏକ ବଜ୍ରପାତରେ ସୃଷ୍ଟି ହେଉଥିବା ତାପମାତ୍ରା ସୂର୍ଯ୍ୟପୃଷ୍ଠର ତାପମାତ୍ରାଠାରୁ ପାଖାପାଖି ୫ରୁ ୮ ଗୁଣ ଯାଏ ଅଧିକ ଏବଂ ସାଧାରଣ ମନୁଷ୍ୟ ଶରୀରର ତାପମାତ୍ରା ୯୭ ଡିଗ୍ରୀ ଫାରେନ୍‌ହାଇଟ୍‌ଠାରୁ ପାଖାପାଖି ୩୧୦ରୁ ୪୭୦ ଗୁଣ ଯାଏ ଅଧିକ। ସାଧାରଣ ବଜ୍ରପାତରେ ପ୍ରାୟ ୩୦୦ ନିୟୁତ ଭୋଲ୍ଟ ବୈଦ୍ୟୁତିକ ଶକ୍ତି ଏବଂ ପ୍ରାୟ ୩୦,୦୦୦ ଆମ୍ପିଅର ସ୍ରୋତ ରହିଥାଏ। ତୁଳନାତ୍ମକ ଭାବରେ, ଘରୋଇ କରେଣ୍ଟ ହେଉଛି ୧୨୦ ଭୋଲ୍ଟ ଏବଂ ୧୫ ଆମ୍ପିଅର। ଏକ ସାଧାରଣ ବଜ୍ରପାତରେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ୧୦୦ ୱାଟ୍‌ର ଇନକାଣ୍ଡେସେଣ୍ଟ ଲାଇଟର ସମାନ କମ୍ପାକ୍ଟ ଫ୍ଲୋରୋସେଣ୍ଟ ବଲ୍‌ବକୁ ଆଲୋକିତ କରିବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଗଚ୍ଛିତ ହୋଇଥାଏ।
ବାର୍ଷିକ ହାରାହାରି ବଜ୍ରପାତର ରେକର୍ଡ ଅନୁଯାୟୀ ପୂର୍ବଭାରତର ଓଡ଼ିଶା-ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ପରି ରାଜ୍ୟଗୁଡ଼ିକ ହେଉଛି ବଜ୍ରପାତ ପ୍ରବଣ ଅଞ୍ଚଳ। ଉଭୟ ପ୍ରାକ୍‌-ମୌସୁମୀ ଏବଂ ମୌସୁମୀ ଋତୁ ଓଡ଼ିଶା ପରିପ୍ରେକ୍ଷୀରେ ବଜ୍ରପାତ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରାକ୍‌-ମୌସୁମୀରେ ଦିନ ତମାମ ଉଚ୍ଚ ତାପମାତ୍ରା ପରେ ପୂର୍ବଦିଗରେ ବଙ୍ଗୋପସାଗର ଅଞ୍ଚଳରୁ ଓଡ଼ିଶା ମୁହଁ ଜଳୀୟବାଷ୍ପରୁ ସୃଷ୍ଟି ମେଘ ଖଣ୍ଡ ସହ ଜଡ଼ିତ ବଜ୍ରପାତ ଏବଂ ଛୋଟନାଗପୁର ଅଞ୍ଚଳରେ ସୃଷ୍ଟି ମେଘଖଣ୍ଡଗୁଡ଼ିକର ପଶ୍ଚିମରୁ ପୂର୍ବଦିଗକୁ ଯାତ୍ରା ଏହି ସମୟରେ ବଜ୍ରପାତ ସଂଖାକୁ ବହୁଗୁଣିତ କରିଥାଏ। ଅନ୍ୟପକ୍ଷରେ ଦୁର୍ବଳ ମୌସୁମୀ ସମୟରେ ବାଦଲର ସୂର୍ଯ୍ୟ ଉତ୍ତାପ ପ୍ରଭାବରେ ଉତ୍ତପ୍ତ ବାୟୁମଣ୍ଡଳରେ ଉପସ୍ଥିିତି ଜଳୀୟବାଷ୍ପରୁ ସୃଷ୍ଟି କରିଥାଏ ଭୟଙ୍କର ଉଚ୍ଚ-ମେଘ ଖଣ୍ଡ ସହ ବିପଜ୍ଜନକ ବଜ୍ରପାତ।
ଭାରତ ପାଣିପାଗ ବିଭାଗ ଏବଂ ଜଳବାୟୁ ସ୍ଥାୟୀ ପର୍ଯ୍ୟବେକ୍ଷଣ ପ୍ରଣାଳୀ ପ୍ରୋତ୍ସାହନ ପରିଷଦର ମିଳିତ ଉଦ୍ୟମରେ ୨୦୨୦-୨୦୨୧ରେ ଘଟିଥିବା ବଜ୍ରପାତ ଉପରେ ରିପୋର୍ଟ ବଜ୍ରପାତର ଭୟଙ୍କରର ଚିତ୍ରକୁ ପ୍ରକାଶ କରୁଛି। ଏହି ପ୍ରକାଶିତ ରିପୋର୍ଟ ଅନୁଯାୟୀ ୦୧ ଏପ୍ରିଲ ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ହେଉଛି ପାଖାପାଖି ୧୬୧୯। ଏହି ରିପୋର୍ଟ କହୁଛି ବଜ୍ରପାତରେ ସାରା ଦେଶରେ ୩୪% ବୃଦ୍ଧି ଘଟିଛି। ୧ ଏପ୍ରିଲ ୨୦୧୯ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ବଜ୍ରପାତ ସଂଖ୍ୟା ୧୩୮୦୦୦୦୦ରୁ ବୃଦ୍ଧି ପାଇ ୧ ଏପ୍ରିଲ, ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହା ୧୮୫୪୪୩୬୭ରେ ପହଞ୍ଚିଛି। ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ସର୍ବାଧିକ ୨୦୪୦୧୩୮ଟି ବଜ୍ରପାତରେ ଓଡ଼ିଶାରେ ସରକାରୀ ରେକର୍ଡ ଅନୁଯାୟୀ ୨୦୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତରପ୍ରଦେଶ ଏବଂ ବିହାରରେ ଏହାର ଅଧା ବଜ୍ରପାତ ସହ ଦୁଇ ଗୁଣ କ୍ଷତି ଘଟିଛି। ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ସାହାଯ୍ୟ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୧୧ ବର୍ଷ ମଧ୍ୟରେ ୩,୬୮୨ ଜଣଙ୍କ ପ୍ରାଣହାନି ଘଟିଛି । ମୌସୁମୀ ପୂର୍ବରୁ ପ୍ରାରମ୍ଭିକ ମୌସୁମୀ ପର୍ଯ୍ୟନ୍ତ କୃଷି କ୍ଷେତ୍ରରେ କିମ୍ବା ବଗିଚାରେ କାମ କରୁଥିବା ସମୟରେ କୃଷକମାନଙ୍କର ଅଧିକ ମୃତ୍ୟୁ ହୋଇଛି। ଉକ୍ତ ରିପୋର୍ଟର ତଥ୍ୟ ଅନୁଯାୟୀ ୭୧% ବଜ୍ରପାତଜନିତ ମୃତ୍ୟୁ ଗଛ ତଳେ ଠିଆ ହୋଇଥିବା ବେଳେ, ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ବିହାରରେ କୃଷିକ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କର ଘଟିଛି, ଯାହା କି ସମୁଦାୟ ମୃତ୍ୟୁର ୫୦%ରୁ ମଧ୍ୟ ଅଧିକ। ଉଭୟ ମୌସୁମୀ ଏବଂ ପ୍ରାକ୍‌ ମୌସୁମୀ ସମୟରେ ଉଚ୍ଚଶକ୍ତିସମ୍ପନ୍ନ ବଜ୍ରପାତଗୁଡ଼ିକର ତୀବ୍ରତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଭିନ୍ନ ଗବେଷଣାରୁ ଦେଖାଯାଇଛି, ଅରଣ୍ୟ ଅଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁ କମ୍‌ ରହୁଥିବା ବେଳେ ପ୍ରଦୂଷଣଯୁକ୍ତ ଅଞ୍ଚଳରେ ଅଧିକ ରହୁଛି। ଏହାର ପ୍ରମୁଖ କାରଣ ହେଉଛି ଉଭୟ ପ୍ରଦୂଷଣମୟ ସହରାଞ୍ଚଳ ଏବଂ ଖଣି ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ତଥା ତାପମାତ୍ରା ବୃଦ୍ଧି ହେତୁ ବାୟୁମଣ୍ଡଳ ଅସ୍ଥିରତା ବଢୁଛି ଏବଂ ଏହା ତୀବ୍ର ବଜ୍ରପାତ ସୃଷ୍ଟିକରିବାରେ ସାହାଯ୍ୟ କରୁଛି। ଗ୍ଲୋବାଲ ୱାର୍ମିଂ, ଜଙ୍ଗଲ ନଷ୍ଟ, ଭୂପୃଷ୍ଠ ଜଳସ୍ତରର ଅବନତି, ପ୍ରଦୂଷଣ ପରିବେଶକୁ ଚରମ ସୀମାରେ ପହଞ୍ଚାଇଛି।
ଗତ ଦୁଇବର୍ଷ ଧରି ଓଡ଼ିଶା ବଜ୍ରପାତ ସଂଖ୍ୟା ଦୃଷ୍ଟିରୁ ଏକ ନମ୍ବରରେ ରହିଛି। ଏହାଯୋଗୁ ସମୁଦାୟ ମୃତ୍ୟୁ ସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ଶ୍ରମିକ ଏବଂ କୃଷକମାନଙ୍କର ହୋଇଛି। ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ। ଗାଁ ଗହଳିରେ ଖାସ୍‌ କରି ଚାଷ ସହ ଜଡ଼ିତ କୃଷକ, ଗୋରୁ ଚରାଇବା, ପଡ଼ିଆରେ ଖେଳୁଥିବା ଶିଶୁ ଏବଂ ଖୋଲା ଅଞ୍ଚଳରେ ଥିବା ଲୋକଙ୍କୁ ଶୀଘ୍ର ବଜ୍ରପାତ ଚେତାବନୀ ଦେଇ ମୃତ୍ୟୁ କମ୍‌ କରିବା ଦରକାର। ମୃତ୍ୟୁ ରୋକିବା ପାଇଁ ବଜ୍ର ସୁରକ୍ଷା ଉପକରଣ ସ୍ଥାପନ ଭଳି ଏକ ସ୍ଥାନୀୟ ବଜ୍ର ସୁରକ୍ଷା କାର୍ଯ୍ୟ ଯୋଜନା ମଧ୍ୟ ଆବଶ୍ୟକ। କିଛି ବର୍ଷ ଧରି ରାଜ୍ୟରୁ ପଡ଼ୋଶୀ ରାଜ୍ୟକୁ ତାଳଗଛର ଚୋରା ଚାଲାଣ ଯୋଗୁ ଗ୍ରାମାଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁ ଅଧିକ ରହୁଛି। ବିପଦକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡ଼ିକ ବଜ୍ରପାତ ପ୍ରବଣ ଅଞ୍ଚଳଗୁଡ଼ିକୁ ଛୋଟ ଅଞ୍ଚଳରେ ଭାଗକରି ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ। ପାଣିପାଗ ବିଭାଗ ବଜ୍ରପାତ ପୂର୍ବାନୁମାନ ବ୍ୟବସ୍ଥା ସ୍ଥାପନ କରିଛି ଏବଂ ଘଟଣାଗୁଡ଼ିକ ପାଇଁ ରଙ୍ଗ-କୋଡ୍‌ ଚେତାବନୀ ଦେଉଛି। ବୈଷୟିକ-ବିଜ୍ଞାନ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରି ଉପଗ୍ରହ ପର୍ଯ୍ୟବେକ୍ଷଣ, ଡପଲର ରାଡାରରୁ ତଥ୍ୟ ଏବଂ ଅନ୍ୟାନ୍ୟ ରାଡାର ପରି ଏକାଧିକ ଉତ୍ସ ବ୍ୟବହାର କରି ଏହି ପୂର୍ବାନୁମାନ ସୃଷ୍ଟି ହେଉଥିଲେ ବି ଠିକ୍‌ ସମୟରେ ଠିକ୍‌ ଲୋକଙ୍କ ପାଖରେ ପହଞ୍ଚିିପାରିଲେ ବଜ୍ରପାତଜନିତ ମୃତ୍ୟୁ ହାରକୁ ବହୁ ପରିମାଣରେ କମ କରାଯାଇ ପାରିବ। ଓଡ଼ିଶା ସରକାରଙ୍କ ଜୀବନହାନି ପିଛା ୪ ଲକ୍ଷ ସାହାଯ୍ୟ ବଜ୍ରପାତ ପରି ବିପର୍ଯ୍ୟୟର ସମାଧାନ ନୁହେଁ, ବର୍ଦ୍ଧିତ ବଜ୍ରପାତକୁ ନଜରରେ ରଖି ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସହ ଉପଯୁକ୍ତ ପଦକ୍ଷେପ ମୃତ୍ୟୁସଂଖ୍ୟା କମ୍‌ କରିବାର ଏକ ମାତ୍ର ବିକଳ୍ପ।
ବୈଜ୍ଞାନିକ, ପାଣିପାଗ କେନ୍ଦ୍ର, ଭୁବନେଶ୍ୱର
ମୋ: ୭୯୭୮୭୩୬୫୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?