ଚାନ୍ଦା ଧର୍ମ

ଦିନ ଘରକୁ ଫେରିବା ବାଟରେ ଗୋଟେ ଛକ ପାଖାପାଖି କେତେଜଣ ପିଲା ହାତରେ ଦି’ଟା ରସିଦ ବହି,କିଛି ରଙ୍ଗବେରଙ୍ଗର ପତାକା ଧରି ସାମ୍ନାକୁ ଚାଲିଆସି ଦିଟା ଯାକ ହାତ ମେଲେଇ ଗାଡ଼ି ଆଗରେ ଛିଡ଼ାହୋଇଯାଇ ଅଟକିବାକୁ ଇଙ୍ଗିତକଲେ। ମୁଁ ଅଟକିବା ମାତ୍ରେ ଚାରି ପାଞ୍ଚ ଜଣ ପିଲା ଘେରିଗଲେ। ଦି’ଜଣ ପାଖକୁ ମାଡ଼ି ଆସିଲେ ଏବଂ ତାଙ୍କ ଭିତରୁ ଜଣେ କହିଲା, ”ସାର୍‌ ନମସ୍କାର। ଆମ ଗାଆଁରେ ବିଶ୍ବଶାନ୍ତି ଯଜ୍ଞ କରୁଛୁ। କିଛି ଚାନ୍ଦା ଦିଅନ୍ତୁ।“ ପାଖରେ ଥିବା ଆର ପିଲାଟି ଚଟ୍‌କିନା ସଂଶୋଧନକରି କହିଲା,”ହେଃ, ଚାନ୍ଦା କ’ଣ କହୁଛୁ? କହ, ସାର୍‌ କିଛି ସାହାଯ୍ୟ କରନ୍ତୁ।“ ରାସ୍ତା କଡ଼ରେ ଗାଡ଼ି ରଖି ଓହ୍ଲାଇ ଆସି ସେ ପିଲା ଦୁହିଁଙ୍କୁ ପାଖକୁ ଡାକି ପଚାରିଲି, ”ଆଚ୍ଛା, ତମ ‘ଚାନ୍ଦା’ ଓ ‘ସାହାଯ୍ୟ’ ଭିତରେ କ’ଣ ଫରକ ଅଛି ମତେ ବୁଝାଅ। ତା’ପରେ ମୁଁ ସ୍ଥିର କରିବି ଯେ ଏ ଦିଇଟା ଭିତରୁ ମୁଁ କୋଉଟା ଦେବି।“ ନମସ୍କାର କରିଥିବା ପିଲାଟି ମତେ ଚିହ୍ନିଥିବାରୁ କହିଲା,”ସାର୍‌, ଆପଣ ଆମ ଚିହ୍ନାଲୋକ। କିଛି ନ ଦେଇ ବି ଯାଇପାରନ୍ତି। କିନ୍ତୁ ଏମିତି ଅବାଗିଆ ପ୍ରଶ୍ନ ପଚାରନ୍ତୁନି।“
ରାଗି ଆସୁଥିବା ପିଲାଟିକୁ ଥାପୁଡ଼େଇ ଦେଇ କହିଲି,”ଆରେ, ମୁଁ ଖରାପ କରି କହୁନି। କିନ୍ତୁ ମୋର ସନ୍ଦେହ ଟିକିଏ ଦୂରକର।“ସେ କହିଲା, ”ସାର୍‌, ଆପଣଙ୍କୁ କାଳେ ଖରାପ ଲାଗିବ ବୋଲି ଚାନ୍ଦା ଶବ୍ଦ ବ୍ୟବହାର କରିବାକୁ ସେ ମନାକଲା। ନ ହେଲେ, ଆମେ ପ୍ରକୃତରେ ଚାନ୍ଦା ହିଁ ଆଦାୟ କରୁଛୁ।“”ଆଚ୍ଛା, ତମେ ଏମିତି ରାସ୍ତା ଉପରେ, ଗାଡ଼ି ଆଗକୁ ଚାଲିଆସି ଅଟକେଇଦଉଛ। ଏସବୁ ବେଆଇନ, କିଏ ଅଭିଯୋଗ କଲେ ତମ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଜାଣିଛ ତ? ଏମିତି ଅବସ୍ଥାରେ ଯଦି ପୋଲିସ ହାବୁଡ଼ରେ ପଡ଼ିଗଲ ତ ସବୁ ଗଲା।“
ତାଚ୍ଛଲ୍ୟଭରା ହସଟିଏ ହସିଦେଇ ସେ କହିଲା,”ସାର୍‌, ଆପଣ ସିନା ଆଜି ପ୍ରଥମ ଥର ଅଟକିଲେ, ହେଲେ ଆମେ ତ ଏ କାମ ଆଜି ନୂଆ କରୁନୁ। କେତେ ଲୋକ ଚାନ୍ଦା ଦେଇ ଯାଉଛନ୍ତି, କେହି ଜଣେ ବି କାହିଁକି ଅଭିଯୋଗ କରିନାହାନ୍ତି କହିଲେ? କାରଣ ହେଲା ଯେ ତାଙ୍କ ଭିତରୁ ଅଧିକାଂଶ ଲୋକ ସବୁଦିନ ଏଇ ରାସ୍ତାରେ ଯା’ଆସ କରନ୍ତି। ଭଲ ମନ୍ଦ ଚିନ୍ତା ଅଛି କି ନାହିଁ? ଆଉ, ପୋଲିସ ତ ଆମକୁ ସବୁଦିନ ଦେଖୁଛନ୍ତି। ତାଙ୍କୁ ଦେଖିଲେ ଆମେ ଆଡ଼େଇ ହୋଇଯାଉ, ସେମାନେ ବି ହସିଦେଇ ଚାଲିଯାଆନ୍ତି। ସେ ଆମକୁ କିଛି କହିବେ କାହିଁକି? ତା’ ଛଡ଼ା, ଆମେ ତ ଆପଣମାନଙ୍କ ପାଇଁ ଧର୍ମକାର୍ଯ୍ୟ କରୁଛୁ ଏବଂ ଆପଣମାନଙ୍କୁ ଧର୍ମକାର୍ଯ୍ୟରେ ଲଗଉଛୁ ନା।“
”ଆମମାନଙ୍କ ପାଇଁ ଧର୍ମକାର୍ଯ୍ୟ କେମିତି କରୁଛ?“ ”ଦେଖନ୍ତୁ, ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଠାକୁର ଭକ୍ତି ବୋଲି କିଛି ନାହିଁ। ଘରଟେ କରିଛେ ମାନେ କିଛି ଠାକୁରଙ୍କ ଫଟୋ ନ ରଖିଲେ କାଳେ ଅମଙ୍ଗଳ ହେବ ବୋଲି ଡରରେ ଆମେ ଫଟୋ ରଖିଥାଉ। ବାସିପାଇଟି ସାରିଲା ଭଳିଆ ବହୁ ହିସାବ କିତାବରେ ପୂଜାକରୁ। ଭୋଗ ଲଗାଇସାରିବା ପରେ ସକାଳ ଜଳଖିଆରେ ଆମେ କ’ଣ ଓ କେତେ ପରିମାଣର ଖାଇବୁ, ତାକୁ ଆଖି ଆଗରେ ରଖି ସେଓ, କଦଳୀ କି ଅଙ୍ଗୁର ଭୋଗ କରାଯାଏ। ପୁଣି ତୁଣ୍ଡରେ ଘର ଲୋକଙ୍କ ସହ କଳି ଝଗଡ଼ା ଚାଲୁଥିବ ଆଉ ହାତଟା ମେଶିନ ଭଳିଆ ଠାକୁରଙ୍କୁ ଭୋଗ, ଧୂପ, ଦୀପ ଲଗାଉଥିବ। କ’ଣ ମିଛ କହିଲି, ଆଜ୍ଞା? ଆପଣମାନେ କେତେ ଠାକୁର ଭକ୍ତିଆ ଲୋକ, ଆମେ ଜାଣିନୁ?“
ପିଲାଟାକୁ କି ଜବାବ ଦେବି ମୋ ପାଟି ଖନିମାରିଗଲା। ମୋ ମନ ପଢ଼ିପାରିଲା ଭଳି ସେ କହିଲା,”ବ୍ୟସ୍ତ ହୁଅନ୍ତୁନି, ଆଜ୍ଞା। ଏଇଟା କେବଳ ଆପଣଙ୍କ ଘର କଥା ନୁହେଁ, ଅନେକଙ୍କ ଘରର କାହାଣୀ ଇଏ। ଆମ ଘରେ ବି ମୁଁ ଦେଖିଛି ଏସବୁ।“ ମୁହଁ ଟାଣକରି କହିଲି, ”ତମକୁ ଚାନ୍ଦା ଦେବାରେ ଆମର ଧର୍ମ କେମିତି ହେଲା?“ ଏକେ ତ ଘରେ ଭକ୍ତିଭାବ ନାହିଁ। ବାହାରେ ବି କୋଉଠି ଠାକୁରଙ୍କ ଉଦ୍ଦେଶ୍ୟରେ ଟଙ୍କାଟିଏ ବି ଦେବା ପରିସ୍ଥିତି ଦେଖିଲେ ଆପଣମାନେ ବାଆଁରେଇ ହୋଇ ଚାଲିଯାଆନ୍ତି। ଆମେ ବହୁ ଫନ୍ଦିକରି ଆପଣଙ୍କ ପାଖରୁ ଯାହା କିଛି ଆଦାୟ କରୁଛୁ, ସେଥିରୁ କିଛି ତ ଠାକୁରଙ୍କ କାମରେ ଲାଗୁଛି ନା। ଆମକୁ ଚାନ୍ଦା ଦେଇ ପରୋକ୍ଷରେ ଆପଣ ଧର୍ମ ଅର୍ଜନ କଲେନି? ପୁଣ୍ୟ ହେଲାନି?’
”କିଛି ଠାକୁରଙ୍କ କାମରେ ଲାଗୁଛି। ବାକିତକ?“ ”ସେ ବି ବେକାର ଯାଉନି। ଆପଣଙ୍କର ପୁଣ୍ୟ ଅର୍ଜନ ପାଇଁ ଏତେ ପିଲା କେତେ ପରିଶ୍ରମ କରୁଛନ୍ତି, ସମୟ ଦେଉଛନ୍ତି। ଦିନଯାକର ପରିଶ୍ରମ ପରେ କ’ଣ ନିଜ ହାତରୁ ଖର୍ଚ୍ଚକରି ରାତିରେ ଖାଇପିଇ ବାଧା ମେଣ୍ଟେଇବେ? ଆପଣଙ୍କ ଟଙ୍କା ସେମାନଙ୍କ ପେଟ କଥା ବି ବୁଝୁଛି।“
”ବାଧା ମେଣ୍ଟେଇବାର ବ୍ୟବସ୍ଥା କ’ଣ?“ କୌତୂହଳରେ ପଚାରିଲି। ପିଲାଟି କହିଲା, ”ଟୋକାଟାକାଳିଆ କଥା। କେମିତି ଭୋଜିକରି କ’ଣ ଖିଆପିଆ କରନ୍ତି – ସେକଥା ଆପଣ ସତରେ ଜାଣିନାହାନ୍ତି?“
”ତା’ହେଲେ ଏମିତି କାର୍ଯ୍ୟକ୍ରମ ପାଇଁ ତମ ଭଳିଆ ଅନେକ ପିଲା ତ ଆଗେଇ ଆସିବା ଉଚିତ। ତା’ ଦ୍ବାରା ଅନେକ ଧର୍ମ କାର୍ଯ୍ୟ, ଅନେକ ଯଜ୍ଞ ଜରିଆରେ ବିଶ୍ବଶାନ୍ତି ପାଇଁ ନିରନ୍ତର ପ୍ରୟାସ ଜାରିରହିବ। “ ପିଲାଟି କହିଲା, ” ଇଏ ବି ଏତେ ସହଜ କାମ ନୁହେଁ, ଆଜ୍ଞା। ଗୁଡ଼ାଏ ଝାମେଲା। ଯେମିତି ଆମେ ଆରମ୍ଭ କରିଛୁ ,ଆମକୁ ଦେଖି ସେ ପାଖ ଗାଁର ପିଲାମାନେ ବି ଯଜ୍ଞ କରିବେ ବୋଲି ଏକାଠି ହେଲେ। ଯେମିତି ଆମେ ଖବର ପାଇଲୁ, ସେ ଗାଆଁକୁ ଯାଇ ଗଣ୍ଡଗୋଳ କରି, ଧମକଚମକ ଦେଇ ତାଙ୍କୁ ଅଟକେଇବାକୁ ପଡ଼ିଲା। “
”ପଚାରିଲି,ସେମାନେ କଲେ ତମର କ’ଣ ଅସୁବିଧା ?“ ”ସେମାନେ ଆଗ ଛକରେ ସବୁ ଗାଡ଼ି ଅଟକେଇବେ। ତାଙ୍କୁ ଦେଲା ପରେ ଆମକୁ କିଏ କେତେ ଚାନ୍ଦା ଦେବ? ଆମର କଲେକଶନ କମିଯିବନି?ଯଜ୍ଞ ପାଇଁ ଦେବୁ କେତେ, ଆମ ଖର୍ଚ୍ଚ ପାଇଁ ରଖିବୁ କେତେ?“ ତା’ ମାନେ ବିଶ୍ବଶାନ୍ତି ପାଇଁ କିଏ ନେତୃତ୍ୱ ନେବ ସେଥିପାଇଁ ବି କମ୍ପିଟିଶନ?
ଆଉ କିଛି ଅବାଞ୍ଛିତ ପ୍ରଶ୍ନ ଆଶଙ୍କାକରି ସେ କହିଲା, ”ମୋର ବହୁତ ସମୟ ଆପଣ ନଷ୍ଟ କଲେଣି। ଯଦି କିଛି ଦେବାକୁ ଚାହୁଁଛନ୍ତି ଦିଅନ୍ତୁ। ମୋର ଡେରି ହେଉଛି, ସାର୍‌।“ ମୁଁ ପକେଟ ଆଡ଼କୁ ହାତ ନେବା ଦେଖି ସେ ରସିଦ କାଟିବାକୁ ଯାଉଥିଲା। ତାକୁ ଅଟକେଇଦେଇ କହିଲି, ”ୟାକୁ ଚାନ୍ଦା କୁହ କି ସାହାଯ୍ୟ କୁହ, କିନ୍ତୁ ନାଆଁର ପ୍ରମାଣ ରଖନି। କେତେଜଣଙ୍କ ଠାରୁ ଚାନ୍ଦା ନେଇ ତାଙ୍କ ପାଇଁ ଧର୍ମ ଅର୍ଜନର ବ୍ୟବସ୍ଥା କରୁଛ, କେବଳ ତା’ର ହିସାବ ରଖ।“
ମୁହୂର୍ତ୍ତେ ଅପେକ୍ଷା ନ କରି ମୋଠାରୁ ଚାନ୍ଦା ନେଇ ନମସ୍କାରଟେ ଫିଙ୍ଗିଦେଇ ପିଲାଟି ଚାଲିଗଲା

ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?