ଯୁବପିଢ଼ି ବିବେକାନୁମୋଦିତ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ

ଜଗତସିଂହପୁର, ୮ା୮(ପ୍ରମୋଦ କୁମାର ନାୟକ): ଗଣମାଧ୍ୟମଠାରୁ ସାମ୍ବାଦିକତାର ମହତ୍ତ୍ୱ ଶିଖିବାର ଅଛି, ଯାହା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାରୁ ସ୍ପଷ୍ଟ ଅନୁମେୟ। ତାଙ୍କ ସମ୍ପାଦକୀୟ ଅନେକ ସମୟରେ ଓଡ଼ିଶାରେ ହଟଚମଟ ସୃଷ୍ଟି କରିଥାଏ। ସ୍ପଷ୍ଟ କଥା ଉଲ୍ଲେଖ କରିବାରେ ସେ ଆଦୌ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ। ତେଣୁ ତାଙ୍କୁ ଅନୁକରଣ କରିବା ଉଚିତ। ଯୁବଗୋଷ୍ଠୀ ହେଉଛନ୍ତି ଗଣତନ୍ତ୍ରର ପ୍ରମୁଖ ଅଂଶ। ଗଣତନ୍ତ୍ରକୁ କେବଳ ବଞ୍ଚାଇବା ନୁହେଁ, ସୁଦୃଢ଼ କରିବାକୁ ହେଲେ ଯୁବଗୋଷ୍ଠୀ ଇନ୍ଦ୍ରିୟ ଅନୁମୋଦିତ ନ ହୋଇ ବିବେକାନୁମୋଦିତ ହେବା ଜରୁରୀ। ଅର୍ଥାତ୍‌ ବିବେକ ଅନୁସାରେ କାର୍ଯ୍ୟ କଲେ ସମାଜରେ ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତିଷ୍ଠା ହୋଇପାରିବ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗସ୍ଥିତ ସ୍ବାମୀ ଅରୂପାନନ୍ଦ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‌ ଏଜୁକେଶନ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ସୋମବାର ଏହା କହିଛନ୍ତି। ଏହି ଶିକ୍ଷାନୁଷ୍ଠାନ ପରିସରରେ ଧରିତ୍ରୀର ୫୦ ବର୍ଷ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ,ଗଣତନ୍ତ୍ର ଓ ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ମହାନ୍ତି କହିଛନ୍ତି, ଆମେ ପ୍ରତ୍ୟେକ ଯାହା ଉଚିତ ତାହା କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ। କୌଣସି ଚାପ ଯଥା ଏକଚ୍ଛତ୍ର ଶାସକ, ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥା କିମ୍ବା ପ୍ରଭାବଶାଳୀ କଳଙ୍କିତ ବ୍ୟକ୍ତିଙ୍କ ପାଖରେ ମୁଣ୍ଡ ନୁଆଁଇଦେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ। ଏହାକୁ ସଶକ୍ତ କରିବାକୁ ହେଲେ ପ୍ରତ୍ୟେକ ବିଶେଷକରି ଯୁବପିଢ଼ି ଓ ଗଣମାଧ୍ୟମ ସକ୍ରିୟ ହେବାକୁ ପଡ଼ିବ। ଦୀର୍ଘ ବର୍ଷର ପରାଧୀନତା ପରେ ଯେଉଁ କଷ୍ଟଲବ୍ଧ ସ୍ବାଧୀନତା ପାଇଛେ ତାକୁ କୌଣସି ପରିସ୍ଥିତିରେ ଦୁର୍ବଳ କରିବାକୁ ଦେବାନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ବିଚାରକ ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ସର୍ବେଶ୍ୱର ବିଶ୍ୱାଳ ସମ୍ପ୍ରତି ଦେଖା ଦେଇଥିବା ଲାଞ୍ଚରୂପକ ବ୍ୟାଧିକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି, ଅନେକେ କିଛି ଟଙ୍କା ପାଇଁ ନିଜ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଦେଉଛନ୍ତି। ଏଭଳି ମାନସିକତା ଗଣତନ୍ତ୍ର ପାଇଁ ଅଶୁଭ। ଯୁବଗୋଷ୍ଠୀ ଦେଶର ଭବିଷ୍ୟତ। ସେମାନେ ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବାର ବେଳ ଆସିଛି। ଦୁର୍ନୀତିରୂପୀ ରାକ୍ଷସକୁ ଦମନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଅନ୍ୟତମ ବିଚାରକ ତଥା ବର୍ତ୍ତୀସ୍ଥିତ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମନୀଷା ମିଶ୍ର ଗଣମାଧ୍ୟମ, ଯୁବପିଢ଼ି ଓ ଗଣତନ୍ତ୍ରକୁ ଏକ ତ୍ରିଭୁଜ ସହ ତୁଳନା କରିଛନ୍ତି। କିନ୍ତୁ ଗଣମାଧ୍ୟମର ସ୍ବତନ୍ତ୍ରତା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପ୍ରସଙ୍ଗର ଗମ୍ଭୀରତା ବୁଝିବାକୁ ପରାମର୍ଶ ଦେବାକୁ ଯାଇ ସେ କହିଛନ୍ତି, ଏହାର ବିଭିନ୍ନ ଦିଗକୁ ସ୍ପର୍ଶ କରିବାକୁ ହେବ। ବିଶେଷକରି ବୈଜ୍ଞାନିକ, ସାମାଜିକ, ଦାର୍ଶନିକ ଓ ଧାର୍ମିକ ଦୃଷ୍ଟିକୋଣକୁ ବୁଝି ବକ୍ତବ୍ୟ ରଖିଲେ ତାହା ସାରଗର୍ଭକ ଏବଂ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।
ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଅନେକ ଉପାଦେୟ କଥା କହିଛନ୍ତି। ବାସ୍ତବିକ ଆମ ଦେଶରେ ଗଣତନ୍ତ୍ରକୁ ବ୍ୟକ୍ତିତନ୍ତ୍ରରେ ପରିଣତ ପାଇଁ ଅହରହ ପ୍ରଚେଷ୍ଟା ଚାଲିଛି। ନାଗରିକମାନେ ପ୍ରତି ମୁହୂର୍ତ୍ତରେ ନିଷ୍ପେଷିତ, ଅବହେଳିତ ଓ ଦୁର୍ନୀତିର ଶିକାର ହେଉଛନ୍ତି, ଯାହା ଆଗାମୀ ପିଢ଼ି ପାଇଁ ଶୁଭଙ୍କର ନୁହେଁ। ଗଣତନ୍ତ୍ରକୁ ଠିକ ବାଟରେ ନେବା ପାଇଁ ଗଣମାଧ୍ୟମର ଭୂମିକା କିଛି କମ୍‌ ନୁହେଁ। ଗଣତନ୍ତ୍ର ଯେତେବେଳେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବିପଦଗାମୀ ହୁଏ ସେତେବେଳେ ଗଣମାଧ୍ୟମ ମାର୍ଗଦର୍ଶନ ଦିଏ। କିନ୍ତୁ ବେଳେବେଳେ ଗଣମାଧ୍ୟମ ପଥଚ୍ୟୁତ ହୋଇଯାଉଛି, ଯାହା କେବଳ ଯୁବ ସମାଜ ନୁହେଁ ସମାଜ ଉପରେ ପଡୁଛି। ଗଣମାଧ୍ୟମ ଏ ଦିଗରେ ଦାୟିତ୍ୱବାନ୍‌ ହେବା ଉଚିତ। ଅନ୍ୟପଟେ ଯୁବ ସମାଜ ଭଲ ମଣିଷ ହେବା ଜରୁରୀ। ସମାଜରେ ଦେଖା ଦେଉଥିବା ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ। ଯେଉଁମାନେ ଗଣତନ୍ତ୍ର କିମ୍ବା ଗଣମାଧ୍ୟମକୁ ପରିଚାଳନା କରୁଛନ୍ତି ସେମାନେ ସତ୍ୟବାଦୀ, ସତ୍‌ ଚରିତ୍ର ନ ହେଲେ ଦିନକୁ ଦିନ ପରିସ୍ଥିତି ବିଗିଡ଼ି ଚାଲିବ। କିନ୍ତୁ ଧରିତ୍ରୀ ତା’ର ନିରପେକ୍ଷତା ବଜାୟ ରଖିପାରିଥିବା ପ୍ରତିଯୋଗୀମାନେ ବକ୍ତବ୍ୟ ଦେଇଛନ୍ତି। ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଯୁକ୍ତ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଦିବ୍ୟଶିଖା ବେହେରା ପ୍ରଥମ, ଯୁକ୍ତ୨ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ବିଶ୍ୱମିତ୍ରା ଭରଦ୍ୱାଜ ଦ୍ୱିତୀୟ ଏବଂ ଯୁକ୍ତ୨ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ଦୀପ୍ତି ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଉଦ୍‌ବୋଧନ ଓ ମଞ୍ଚ ପରିଚାଳନା କରିଥିଲେ ଧରିତ୍ରୀ ଉପବାର୍ତ୍ତା ସମ୍ପାଦକ ମିହିର କାନ୍ତ ଦାସ। ଧନ୍ୟବାଦ ଦେଇଥିଲେ ରଘୁନାଥପୁର ପ୍ରତିନିଧି ରାଜେନ୍ଦ୍ର ନାରାୟଣ ସିଂ। ଅନ୍ୟମାନଙ୍କ ମଧ୍ୟରେ ଧରିତ୍ରୀର ବରିଷ୍ଠ ସହ ସମ୍ପାଦକ ଅରୁଣ ପ୍ରସାଦ କାନୁନ୍‌ଗୋ, ସହ ସମ୍ପାଦକ ଅରବିନ୍ଦ ମହାନ୍ତି, ପ୍ରସାରଣ ବିଭାଗର ବିଜୟ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା କୁମୁଦିନୀ ଦ୍ୱିବେଦୀ, ଅଧ୍ୟାପକ କମଳଲୋଚନ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ସାହୁ ଓ ଅଜିତ କୁମାର ଭୂୟାଁଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୮ଟି ପ୍ରମୁଖ ରୁଟ୍‌ରେ ଗଡ଼ିବ ୨୫ ଇଲେକ୍ଟ୍ରିକ ବସ୍‌

ଛତ୍ରପୁର,୭ା୧୧(ଦିଲୀପ ସାମଲ): ଗଞ୍ଜାମ ଜିଲାର ନଗର ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ପରିବେଶ ଅନୁକୂଳ କରିବା ସହ ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉତ୍ତମ…

ପୂର୍ବରୁ ମିସିଂ, ଏବେ ‘ଗୋ ବ୍ୟାକ’ ହିଞ୍ଜିଳିରେ ଜୋର ଧରିଲା ରାଜନୈତିକ ଚର୍ଚ୍ଚା

ହିଞ୍ଜିଳିକାଟୁ,୭।୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ହିଞ୍ଜିଳିକାଟୁ। ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନରେ…

ବନ୍ୟାବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ଘରେ ଜଳିବ ସହାନୁଭୂତିର ଦୀପ

ଛତ୍ରପୁର,୭ା୧୧(ଦିଲ୍ଲୀପ ସାମଲ): ବନ୍ୟାର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲା…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।…

ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ କୋରାପୁଟ, ୧୫୯୮୭ ହେକ୍ଟର ଜମିରେ ୨୭୭୫୦ ଚାଷୀ କରୁଛନ୍ତି ଚାଷ

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଜିଲା ଡିଏନ୍‌କେ ସଦ୍ଭାବନା ଗୃହଠାରେ ଜିଲାସ୍ତରୀୟ ‘ମାଣ୍ଡିଆ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ମାଣ୍ଡିଆ ଉତ୍ପାଦନରେ କୋରାପୁଟ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ…

ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ, ଏକ ଧାର୍ମିକ ରୀତିନୀତି ଅନୁଯାୟୀ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ…

ବିରାଟଙ୍କ ପରେ, ଜନ ସିନାଙ୍କ ନକଲ କରି ଗ୍ଲେନ ଫିଲିପ୍ସଙ୍କୁ ଥଟ୍ଟା କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୭।୧୧: ୩୮ ବର୍ଷ ବୟସରେ, ରୋହିତ ଶର୍ମା ସ୍ପଷ୍ଟ ଭାବରେ ତାଙ୍କ କ୍ରିକେଟ କ୍ୟାରିୟରର ବାକି ସମୟ ଉପଭୋଗ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚର…

ବୁଧ-ଶନିଙ୍କ ଅଶୁଭ ଷଡାଷ୍ଟକ ଯୋଗ: ୫ ରାଶିଙ୍କ ପାଇଁ ବଢ଼ିବ ଅଡ଼ୁଆ, ପାଖରୁ ପଳେଇବ ସବୁ ଟଙ୍କା

ବୁଧ ଏବଂ ଶନି ଗ୍ରହର ଏହି ଅଶୁଭ ଷଡାଷ୍ଟକ ଯୋଗରୁ ଚାପ, କାର୍ଯ୍ୟରେ ବିଳମ୍ୱ, ଆର୍ଥିକ କ୍ଷତି ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ଜୀବନରେ ଆହ଼୍ବାନଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?