ଭକ୍ତ ଓ ଭଗବାନ୍‌

ନାରାୟଣ ମିଶ୍ର

 

ଭଗବାନ୍‌ ଶ୍ରୀମଦ୍‌ ଭଗବତ୍‌ଗୀତାର ସପ୍ତମ ଅଧ୍ୟାୟର ୧୬ନମ୍ବର ଶ୍ଳୋକରେ କହିଛନ୍ତି- ”ଚତୁର୍ବିଧା ଭଜନ୍ତେ ମାଂ ଜନା ସୁକୃତିନୋଽର୍ଜୁନ, ଆର୍ତ୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ତ ଭରତର୍ଷଭ।“ ଅର୍ଥାତ୍‌ ଚାରିପ୍ରକାର ସୁକୃତି ବା ଭଗବାନ୍‌ଙ୍କଠାରେ ଶ୍ରଦ୍ଧା ଥିବା ବ୍ୟକ୍ତି ମୋର ଭଜନ କରନ୍ତି ବା ମୋର ଶରଣାପନ୍ନ ହୁଅନ୍ତି- ଏ ଚାରି ପ୍ରକାର ବ୍ୟକ୍ତି ମୋ ଭକ୍ତ। ଏମାନେ ଅର୍ଥାର୍ଥୀ, ଆର୍ତ୍ତ, ଜିଜ୍ଞାସୁ ଓ ଜ୍ଞାନୀ। ଯେଉଁମାନେ ସୁଖ ସୁବିଧା, ଧନ ସମ୍ପତ୍ତି ଇତ୍ୟାଦି ପାଇବାକୁ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଭଗବାନ୍‌ଙ୍କୁ ଡାକନ୍ତି ସେମାନେ ଅର୍ଥାର୍ଥୀ ଭକ୍ତ। ଧ୍ରୁବ ରାଜସିଂହାସନ ପାଇବାକୁ ତପସ୍ୟା କଲେ ସତ, ଫଳସ୍ବରୂପ ତାଙ୍କୁ ରାଜ୍ୟ ମିଳିଲା ଏହା ବି ସତ; କିନ୍ତୁ ରାଜ୍ୟ, ଧନସମ୍ପତ୍ତି ପାଇବାର ଇଚ୍ଛା ନଷ୍ଟ ହୋଇ ଭଗବାନ୍‌ଙ୍କ ଉପରେ ଅଚଳାଚଳ ଭକ୍ତି ଆସିଗଲା। ଆର୍ତ୍ତ ଭକ୍ତମାନଙ୍କ ମଧ୍ୟରେ କେତେକ ଗଜେନ୍ଦ୍ର ଓ ଦ୍ରୌପଦୀଙ୍କ ଉଦାହରଣ ଦିଅନ୍ତି; କିନ୍ତୁ ଏ ଦୁହେଁ ଯଥାକ୍ରମେ ହସ୍ତୀମାନଙ୍କ ବଳ ବା ଉପସ୍ଥିତ ବୟୋଜ୍ୟେଷ୍ଠଙ୍କ ଉପରେ ପ୍ରଥମେ ନିର୍ଭର କରି ଶେଷରେ ଆର୍ତ୍ତଭକ୍ତ ହୋଇ ଭଗବାନ୍‌ଙ୍କ ଉପରେ ନିର୍ଭର କଲେ ଏବଂ ସଙ୍ଗେ ସଙ୍ଗେ ଫଳ ପାଇଲେ। ଆର୍ତ୍ତ ଭକ୍ତଙ୍କ ମଧ୍ୟରେ ଉତ୍ତରାଙ୍କ ଦୃଷ୍ଟାନ୍ତ ପୂରା ଠିକ୍‌; କାରଣ ସେ ଅଶ୍ୱତ୍ଥମାଙ୍କ ପ୍ରେରିତ ବ୍ରହ୍ମାସ୍ତ୍ର ଆସିବା ଦେଖି ଅତି ବିକଳ ଭାବରେ ପ୍ରାର୍ଥନା କରିଥିଲେ- ”ହେ, ଦେବାଧିଦେବ, ହେ ଜଗଦୀଶ୍ୱର, ହେ ମହାଯୋଗୀ! ମୋତେ ରକ୍ଷା କର, ରକ୍ଷା କର। ଆପଣଙ୍କ ଛଡ଼ା ଏ ଲୋକରେ ମୋର ଅନ୍ୟ କେହି ଅଭୟଦାତା ନାହିଁ: କାରଣ ଏଠାରେ ସମସ୍ତେ ପରସ୍ପରର ମୃତ୍ୟୁର କାରଣ ହୋଇଛନ୍ତି। ହେ ପ୍ରଭୁ! ହେ ସର୍ବଶକ୍ତିମାନ! ଏହି ଉତ୍ତପ୍ତ ଲୌହଶର ମୋ ଆଡ଼କୁ ମାଡ଼ିଆସୁଛି। ହେ ସ୍ବାମୀ! ଏହା ମୋତେ ଜାଳିଦେଉ ପଛେ, ମୋ ଗର୍ଭକୁ ନଷ୍ଟ ନ କରୁ।“ ଜିଜ୍ଞାସୁ ଭକ୍ତମାନଙ୍କ ମଧ୍ୟରେ ଉଦ୍ଧବ ଅନ୍ୟତମ। ଭଗବାନଙ୍କ ସ୍ବରୂପ ଓ ଭଗବତ୍‌ ତତ୍ତ୍ୱକୁ ଜାଣିବାକୁ ଅହରହ ଚେଷ୍ଟା କରୁଥିବା ଲୋକଙ୍କୁ ଜିଜ୍ଞାସୁ ଭକ୍ତ କୁହାଯାଏ। ଜ୍ଞାନୀ ବା ପ୍ରେମୀ ଭକ୍ତମାନଙ୍କ ମଧ୍ୟରେ ଗୋପୀମାନଙ୍କ ନଁା ପ୍ରଥମେ ଆସିଯାଏ। କାରଣ ଗାଈ ଦୁହିଁଲାବେଳେ, ଧାନ କୁଟିଲାବେଳେ, ଦହି ମନ୍ଥିଲାବେଳେ, ପିଲାଙ୍କୁ ଦୋଳିରେ ଝୁଲାଇଲାବେଳେ, ତୁଳସୀ ମୂଳରେ ପାଣି ଦେଲାବେଳେ ଗୋପୀମାନେ ପ୍ରେମପୂର୍ଣ୍ଣ ଚିତ୍ତରେ ଆଖିରେ ଲୁହଭରି ଶ୍ରୀକୃଷ୍ଣଙ୍କଠାରେ ଚିତ୍ତ ନିବେଶ କରି ଗଦଗଦ୍‌ କଣ୍ଠରେ ତାଙ୍କ ଦିବ୍ୟଲୀଳା ଗାନ କରୁଥିଲେ। ଆର୍ତ୍ତ, ଅର୍ଥାର୍ଥୀ, ଜିଜ୍ଞାସୁ ଓ ଜ୍ଞାନୀ ଏହି ଚାରିପ୍ରକାର ଭକ୍ତଙ୍କ ମଧ୍ୟରେ ତିନି ପ୍ରକାରର ଭକ୍ତଙ୍କ ହୃଦୟରେ କିଛି ନା କିଛି ବ୍ୟକ୍ତିଗତ ଇଚ୍ଛା ରହେ, ଯଥା: ଅର୍ଥାର୍ଥୀ ଭକ୍ତ ଅନୁକୂଳ ପରିସ୍ଥିତି ଇଚ୍ଛା କରନ୍ତି, ଆର୍ତ୍ତ ଭକ୍ତ ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାକୁ ଇଚ୍ଛା କରନ୍ତି ଓ ଜିଜ୍ଞାସୁ ଭକ୍ତ ଭଗବତ୍‌ ତତ୍ତ୍ୱକୁ ଜାଣିବାକୁ ଇଚ୍ଛା କରନ୍ତି। କିନ୍ତୁ ଜ୍ଞାନୀ ଭକ୍ତଙ୍କର କୌଣସି ଇଚ୍ଛା ରହେ ନାହିଁ। ତେଣୁ ଭଗବାନ୍‌ କହିଛନ୍ତି ଜ୍ଞାନୀ ଭକ୍ତ ମୋର ସବୁଠୁ ପ୍ରିୟ।
ଆଉ ଗୋଟିଏ ସରଳ ଉଦାହରଣ ଏ ଚାରି ପ୍ରକାର ଭକ୍ତଙ୍କ କଥା ଆମ ସାଧାରଣ ମଣିଷଙ୍କ ବୁଝିବା ପାଇଁ ଯଥେଷ୍ଟ। ଚାରିଜଣ ପିଲା ଖେଳୁଥିଲେ। ସେତିକିବେଳେ ସେମାନଙ୍କ ବାପା ଚାରୋଟି ଆମ୍ବ ନେଇ ଆସିଲେ। ତାଙ୍କୁ ଆମ୍ବ ସହ ଆସିବା ଦେଖିବାକ୍ଷଣି ଗୋଟିଏ ପିଲା ବାରମ୍ବାର ଆମ୍ବ ମାଗିବାକୁ ଲାଗିଲା। ଆଉ ଗୋଟିଏ ପିଲା ଆମ୍ବ ନେବା ପାଇଁ କାନ୍ଦିବାକୁ ଲାଗିଲା। ବାପା ସେ ଦୁହିଁଙ୍କୁ ଦୁଇଟି ଆମ୍ବ ଦେଇଦେଲେ। ତୃତୀୟ ପିଲାଟି ଆମ୍ବ ମାଗିଲା ନାହିଁ କି ଆମ୍ବ ପାଇଁ କାନ୍ଦିଲା ନାହିଁ, କିନ୍ତୁ ଆମ୍ବ ଆଡ଼କୁ ଚାହିଁରହିଲା। ଚତୁର୍ଥ ପିଲାଟି ବାପା ଆସିବା ଜାଣି ମଧ୍ୟ ନିଜ ଖେଳରେ ମଜ୍ଜି ରହିଲା। ଚାରିଜଣଯାକ ଗୋଟିଏ ଗୋଟିଏ ଆମ୍ବ ପାଇଲେ। ଏଠାରେ ଆମ୍ବ ମାଗିବା ପିଲାଟି ଅର୍ଥାର୍ଥୀ, କାନ୍ଦିବା ପିଲାଟି ଆର୍ତ୍ତ, ଯେ ଆମ୍ବ ଆଡ଼କୁ ଚାହିଁରହିଲା ସେ ଜିଜ୍ଞାସୁ ଏବଂ ଯିଏ ଆମ୍ବ କଥା ମୁଣ୍ଡରେ ନ ପୂରାଇ ଖେଳରେ ପୂର୍ବପରି ମଜ୍ଜିରହିଲା ସେ ଜ୍ଞାନୀ। ଭଗବାନଙ୍କ ଶରଣରେ ଥରେ ଆସିଗଲେ ଭଗବାନ ସେଇ ଭକ୍ତମାନଙ୍କର ‘ଯୋଗକ୍ଷେମ’ ବହନ କରନ୍ତି। ଅପ୍ରାପ୍ତ ବସ୍ତୁ ପ୍ରାପ୍ତି କରାଇବାକୁ ‘ଯୋଗ’ ଏବଂ ପ୍ରାପ୍ତ ସାମଗ୍ରୀକୁ ରକ୍ଷା କରିବାକୁ ‘କ୍ଷେମ’ କୁହାଯାଏ। ଭଗବାନ ତାଙ୍କ ଶରଣାଗତ ଭକ୍ତମାନଙ୍କୁ ସେମାନଙ୍କ ଇଚ୍ଛିତ ଅପ୍ରାପ୍ତ ବସ୍ତୁ ପ୍ରାପ୍ତ କରାନ୍ତି ଏବଂ ସେଗୁଡ଼ିକୁ ରକ୍ଷା ମଧ୍ୟ କରନ୍ତି। ଶରଣ ନେବା କଥା ଆଉ ଟିକେ ସରଳ ଭାବେ ବୁଝିବାକୁ ହେଲେ ଜଗନ୍ନାଥ ଦାସଙ୍କ ରଚିତ ଭାଗବତରୁ ଗଜେନ୍ଦ୍ର ସ୍ତୁତି ଦି’ପଦ ମନେପକେଇବା। ବର୍ଷ ବର୍ଷ କାଳ ସାଙ୍ଗ ହସ୍ତୀ ହସ୍ତିନୀମାନଙ୍କ ଦ୍ୱାରା ଟଣାହୋଇ ମଧ୍ୟ ଗଜେନ୍ଦ୍ର ଗ୍ରାହ କବଳରୁ ମୁକ୍ତ ନ ହେବାରୁ ପଦ୍ମଫୁଲଟିଏ ଶୁଣ୍ଢରେ ଆଣି ଉପରକୁ ଟେକି କହିଲା- ”ଯେ ପ୍ରଭୁ ସଂସାର କାରଣ, ତା’ ପାଦେ ପଶିଲି ଶରଣ। ରଖୁ ନ ରଖୁ ସେ ଜାଣଇ, ତା’ ବିନୁ ଅନ୍ୟ ଗତି ନାହିଁ ା“ ଏତିକି ସ୍ମରଣ କଲାମାତ୍ରେ ଆକାଶ ମାର୍ଗରେ ଗରୁଡ଼ ପୃଷ୍ଠରେ ସୁଦର୍ଶନଚକ୍ରଧାରୀ ଦେଖାଦେଲେ ଏବଂ ମୁହୂର୍ତ୍ତକେ ଗ୍ରାହର ମୁଣ୍ଡ କାଟି ଗଜେନ୍ଦ୍ରକୁ ଉଦ୍ଧାର କଲେ ା
କିଛିଦିନ ଶୁଦ୍ଧପୂତ ଭାବରେ ଭଜନ କୀର୍ତ୍ତନ ବା ପୂଜାର୍ଚ୍ଚନା କଲା ପରେ ପରିସ୍ଥିତି ଚାପରେ ବିପଥଗାମୀ ହୋଇଗଲେ ଆମେ କହୁ ବାରବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ଗଲା- ଏହା ସମ୍ପୂର୍ଣ୍ଣ ଭୁଲ୍‌। ଗୀତାର ୬ଷ୍ଠ ଅଧ୍ୟାୟ ୩୮ନଂ. ଶ୍ଳୋକରେ ପଚାରିଥିବା ଏ ସନ୍ଦେହାତ୍ମକ ପ୍ରଶ୍ନର ଉତ୍ତରରେ ଭଗବାନ ୪୦ ନମ୍ବର ଶ୍ଳୋକରେ ବୁଝାଇଛନ୍ତି ଯେ, ଅର୍ଜିତ ପୁଣ୍ୟ ଇହଲୋକ ବା ପରଲୋକରେ ଆଦୌ ନଷ୍ଟ ହୁଏ ନାହିଁ। ବରଂ ଏ ପୁଣ୍ୟବଳରେ ଉଚ୍ଚକୁଳରେ ଜନ୍ମ ମିଳେ ବା ମୃତ୍ୟୁ ବେଳେ ଈଶ୍ୱରଙ୍କ ନାଁ ସ୍ମରଣ ଆସିଯାଏ। ପୁଣ୍ୟ ଆଉ ପାପ ମିଶାଣ ଫେଡ଼ାଣ ହୁଏ ନାହିଁ, ପୁଣ୍ୟର ଫଳ ଅଲଗା ଏବଂ ପାପର ଫଳ ଅଲଗା। ତେଣୁ କୁହାଯାଏ ଥରେମାତ୍ର ରାମ, କୃଷ୍ଣ ବା ହରି ବୋଲି ଉଚ୍ଚାରଣ କଲେ ଅଶେଷ ପୁଣ୍ୟଫଳ ମିଳେ ଏବଂ ଯିଏ ବାରମ୍ବାର ଉଚ୍ଚାରଣ କରୁଛି ସେ ଭଗବାନଙ୍କର ପ୍ରିୟ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଶରଣ ନେବା ବେଳେ ନିଜକୁ ତୃଣଠାରୁ ନୀଚ ବୋଲି ମନେକରି ଆତ୍ମାଭିମାନରହିତ ଶରଣ ନେବା ଉଚିତ। ଶିକ୍ଷାଷ୍ଟକରେ କୁହାଯାଇଛି- ”ତୃଶାଦପି ସୁନୀଚେନ ତରୋରିବ ସହିଷ୍ଣୁନା, ଅମାନିନା ମାନଦେନ କୀର୍ତ୍ତନୀୟ ସଦା ହରିଃ।“
ଏହାଦ୍ୱାରା ଅର୍ଥାତ୍‌ ଏପରି ଭାବିବା (ନିଜକୁ ତୃଣଠାରୁ ମଧ୍ୟ ନୀଚ ମନେକରି ବୃକ୍ଷଠାରୁ ମଧ୍ୟ ସହନଶୀଳ ହୋଇ ଅନ୍ୟମାନଙ୍କୁ ସମ୍ମାନ ଦେଇ ଏବଂ ନିଜେ ଅଭିମାନରହିତ ହୋଇ ସର୍ବଦା ହରିଙ୍କୁ ଚିନ୍ତା କରିବା) ଦ୍ୱାରା ଆମେ କାମନାବିହୀନ କର୍ମ କରିବାକୁ ପ୍ରେରଣା ପାଉ। ଆମେ ସଦାସର୍ବଦା ମନେରଖିବା ଉଚିତ ଯେ, ଆମ ସୁଖରେ ଦୁଃଖୀମାନଙ୍କର ଭାଗ ରହିଛି। ଧରାଯାଉ ଆମେ ଲକ୍ଷପତି, କିନ୍ତୁ ଲକ୍ଷପତି ହେବାର ସୁଖ ଓ ଅଭିମାନ ଆମର ଆସେ, ଯେତେବେଳେ ଆମ ସମ୍ପର୍କୀୟ ବା ଜଣାଶୁଣା ଲୋକମାନଙ୍କ ମଧ୍ୟରେ କେହି ଲକ୍ଷପତି ନ ଥାନ୍ତି ା ଯଦି ଆମ ଚାରିପଟେ ଅନେକ କୋଟିପତି ଥାଆନ୍ତି ଆମେ ଲକ୍ଷପତି ହେବାର ସୁଖ ବା ଆତ୍ମାଭିମାନ ପାଇବା କି? ତେଣୁ ଚତୁର୍ଦ୍ଦିଗର ଅଭାବଗ୍ରସ୍ତ ଓ ଦରିଦ୍ରମାନଙ୍କର ସ୍ଥିତି ହିଁ ଆମକୁ ଲକ୍ଷପତି ହେବାର ସୁଖ ଦେଉଛି। ସେଥିପାଇଁ ଆମ ସୁଖ ସାମଗ୍ରୀଗୁଡ଼ିକରୁ ଯଥାସାଧ୍ୟ ଅଭାବଗ୍ରସ୍ତଙ୍କ ସେବାରେ ଲଗାଇବା ଉଚିତ, ଆଉ ତାହାହିଁ ଧର୍ମ ଏବଂ ତାହାହିଁ ପୁଣ୍ୟ।
ଗୁରୁକୃପା, ୪୯/୬୦୦, ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ: ୯୯୩୭୪୪୬୩୭୭


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?