ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍ ଥିଲା, ସେତେବେଳେ ସରକାର ତୈଳ ବିପଣନ କମ୍ପାନୀ ଉପରେ ମୂଲ୍ୟ ହ୍ରାସ ପାଇଁ ସେଭଳି ଚାପ କାହିଁକି ପକାଉ ନ ଥିଲେ ବୋଲି ଏବେ ପ୍ରଶ୍ନ ହେବା ସ୍ବାଭାବିକ। ଏହା ସରକାରଙ୍କ ନୀତିଗତ ତ୍ରୁଟିକୁ ଦର୍ଶାଉଛି।
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୧୯ ମେ’ରେ ୯୬ ଟଙ୍କା ୭୦ ପଇସାରେ ପହଞ୍ଚତ୍ଛି, ଅର୍ଥାତ୍ ଏହା ୯୭ ଟଙ୍କା ନିକଟବର୍ତ୍ତୀ ହୋଇଗଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ବୃଦ୍ଧି ପାଇବା ଯୋଗୁ ଭାରତରେ ଗୋଟିଏ ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ଦୁଇ ଥର ବୃଦ୍ଧି କରାଯାଇ ଲିଟର ପିଛା ୩ ଟଙ୍କା ୯୦ ପଇସା ବଢ଼ାଇ ଦିଆଗଲାଣି। ଉଲ୍ଲେଖଯୋଗ୍ୟ, ଭାରତ ତା’ର ଇନ୍ଧନ ଚାହିଦାର ୮୫ ପ୍ରତିଶତରୁ ଅଧିକ ଆମଦାନୀ କରିବାକୁ ପଡ଼ୁଛି। ତେଣୁ ଭାରତରେ ଥିବା ବୈଦେଶିକ ମୁଦ୍ରା ଭଣ୍ଡାର ଦିନକୁ ଦିନ କମିବାରେ ଲାଗିଛି। ଘରୋଇ ଅର୍ଥନୈତିକ ଚାପକୁ ମୁକାବିଲା କରିବା ଲାଗି ଭାରତ ସରକାର ଧୀରେ ଧୀରେ ତୈଳ ଦର ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ଫଳରେ ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେବାରେ ଲାଗିଛି। ଏହିସବୁ କାରଣ ଯୋଗୁଁ ପାଇକାରୀ ଏବଂ ଖୁଚୁରା ବଜାରରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ର ବଡ଼ ପ୍ରଭାବ ପଡ଼ିଲାଣି। ଯଦି ହିସାବ ଦେଖାଯାଏ, ତେବେ ପାଇକାରୀ ମୂଲ୍ୟସୂଚୀ (ଡବ୍ଲ୍ୟୁପିଆଇ) ମାର୍ଚ୍ଚ ୨୦୨୬ରେ ଥିଲା ୩.୮୮ ପ୍ରତିଶତ।
ଏହା ଏପ୍ରିଲରେ ବଢ଼ି ହେଲା ୮.୩ ପ୍ରତିଶତ। ସେହିପରି ଖାଉଟି ମୂଲ୍ୟସୂଚୀ ଏପ୍ରିଲରେ ୩.୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମାର୍ଚ୍ଚରେ ଥିଲା ୩.୪୦ ପ୍ରତିଶତ। ପନିପରିବା, ଖାଇବା ତେଲ, ଡାଲିଜାତୀୟ ଶସ୍ୟ, ପ୍ୟାକେଜ ଖାଦ୍ୟ ଓ ଦୁଗ୍ଧଜାତୀୟ ଖାଦ୍ୟ ମୂଲ୍ୟ ବଢ଼ିବା ପରେ ଏବେ ଖାଉଟି ମୁଦ୍ରାସ୍ଫୀତି ୩.୪୮ରେ ପହଞ୍ଚତ୍ଛି। ଏହା ମାର୍ଚ୍ଚରେ ଥିଲା ୩.୪ ପ୍ରତିଶତ।
ଉପରୋକ୍ତ ସଙ୍କେତ ଦର୍ଶାଉଛି ଯେ, ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ସାମଗ୍ରିକ ଭାବେ ନୈରାଶ୍ୟଜନକ ହେବାକୁ ଯାଉଛି ଏବଂ ସାଧାରଣ ନାଗରିକଙ୍କ ପାଇଁ ଏକ ଆହ୍ବାନପୂର୍ଣ୍ଣ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି। ଇନ୍ଧନଜନିତ ଏହି କ୍ରମାଗତ ମହଙ୍ଗା ମାଡ଼ ପରିବହନ ଏବଂ ଯୋଗାଣ ଶୃଙ୍ଖଳ ଉପରେ ଏକ ଟିକସ ଭଳି କାମ କରୁଛି, ଯାହାଫଳରେ ଆଗକୁ ଉଭୟ ପାଇକାରୀ ଏବଂ ଖୁଚୁରା ବଜାରରେ ଆହୁରି ବଡ଼ ପ୍ରଭାବ ପଡ଼ିବା ନିଶ୍ଚିତ। ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍ ଥିଲା, ସେତେବେଳେ ସରକାର ତୈଳ ବିପଣନ କମ୍ପାନୀ ଉପରେ ମୂଲ୍ୟ ହ୍ରାସ ପାଇଁ ସେଭଳି ଚାପ କାହିଁକି ପକାଉ ନ ଥିଲେ ବୋଲି ଏବେ ପ୍ରଶ୍ନ ହେବା ସ୍ବାଭାବିକ। ଏହା ସରକାରଙ୍କ ନୀତିଗତ ତ୍ରୁଟିକୁ ଦର୍ଶାଉଛି।
ଏହା ବ୍ୟତୀତ ଭାରତ ତା’ର ଚାହିଦା ଅନୁଯାୟୀ ତୈଳ ଉଭୟ ରୁଷିଆ ଓ ଇରାନ୍ଠାରୁ କିଣିପାରୁଥିଲା। ରୁଷିଆ ସହିତ ଭାରତୀୟ ଟଙ୍କାରେ ତେଲ କିଣିବା ସହିତ ଇରାନ୍ଠାରୁ ବାକିରେ ମଧ୍ୟ ଖର୍ଦ୍ଦି କରାଯାଇପାରୁଥିଲା। ଆମେରିକାର ଚାପ ପଡ଼ିବା ଫଳରେ ଏହି ଦୁଇ ଦେଶ ସହିତ ଅଯଥାରେ ସମ୍ପର୍କ ବିଗାଡ଼ି ଦିଆଯାଇଥିଲା, ଯାହାକି ଭାରତର ବହିର୍ବ୍ୟାପାର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ବିଫଳତା ବୋଲି କୁହାଯାଇପାରେ। ଆଜିର ପରିସ୍ଥିତିକୁ ଦେଖିଲେ କେଉଁ କାରଣରୁ ରୁଷିଆ ସହିତ ସମ୍ପର୍କ ବିଚ୍ଛିନ୍ନ କରାଗଲା ବୁଝିବା କଷ୍ଟକର। ଅବଶ୍ୟ ଇସ୍ରାଏଲ ସହିତ ଅତି ଘନିଷ୍ଠ ହୋଇ ପାରମ୍ପରିକ ବନ୍ଧୁ ଇରାନ୍ ସହ ବନ୍ଧୁତ୍ୱ ଭାଙ୍ଗିଦିଆଯାଇଥିଲା। ଏହିଭଳି ଅନେକ ଗଭୀର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଆଜି ଭାରତ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ସ୍ତରରେ ଅସହାୟ ଓ ବନ୍ଧୁହୀନ ହୋଇପଡ଼ିଛି।
ଅନ୍ୟପକ୍ଷରେ ଭାରତରେ ବିଦେଶୀ ପୁଞ୍ଜିନିବେଶର ସ୍ଥିତି ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭଲ ଅଛି ବୋଲି ସରକାର କହୁଥିଲେ ହେଁ ବାସ୍ତବତାକୁ ଦେଖିଲେ ଓଲଟା ଫଳ ଦୃଶ୍ୟମାନ ହେଉଛି। ବିଗତ ଆର୍ଥିକ ବର୍ଷର ଶେଷ ଆଡ଼ୁ ଓ ଚଳିତ ଆର୍ଥିକବର୍ଷରେ ବିଦେଶୀ ପୁଞ୍ଜିନିବେଶକଙ୍କ ଦ୍ୱାରା ଭାରତୀୟ ଶେୟାର ବଜାରରୁ ବିପୁଳ ପରିମାଣରେ ଅର୍ଥ ଉଠାଣ କରି ନିଆଯିବା ଯୋଗୁ ପରୋକ୍ଷରେ ଏହା ଜାତୀୟ ଅର୍ଥନୀତି ପାଇଁ ହତୋତ୍ସାହଜନକ ସ୍ଥିତିି ସୃଷ୍ଟି କରିଛି। ତେଣୁ ନୀତିଗତ ନିଷ୍ପତ୍ତିରେ ତ୍ରୁଟି ରହିଲେ ଭାରତୀୟ ଅର୍ଥନୀତି ଆଗକୁ ଆହୁରି ବିଷମ ପରିସ୍ଥିତିର ସମ୍ମୁଖୀନ ହେବା ଜଳ ଜଳ ଦିଶୁଛି।

