ଘୁଣଖିଆ ଗଣତନ୍ତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ

 

ବିଶ୍ୱବ୍ୟାପୀ ରାଜନୀତି ବିଶାରଦମାନଙ୍କ ମତରେ ଗଣତନ୍ତ୍ର ହେଉଛି ସବୁଠାରୁ ଭଲ ଶାସନବ୍ୟବସ୍ଥା। ସେଥିପାଇଁ ସ୍ବାଧୀନ ଭାରତବର୍ଷରେ ଗଣତନ୍ତ୍ରକୁ ମନ୍ତ୍ରକରି ଆରମ୍ଭ ହୋଇଥିଲା ରାଷ୍ଟ୍ରନିର୍ମାଣ ଅଭିଯାନ। ମାତ୍ର ଆମ ସମ୍ବିଧାନ ପ୍ରଣେତାମାନେ ଯେଉଁ ସ୍ବଚ୍ଛ ଓ ଉତ୍ତରଦାୟୀ ଶାସନ ବ୍ୟବସ୍ଥା କଥା କହିଥିଲେ ସେ ବ୍ୟବସ୍ଥା ଆଜି କାହିଁ? ଗଣତନ୍ତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି କହିଥିଲେ- ଏହା ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ ଓ ଲୋକମାନଙ୍କର। ଗଣତନ୍ତ୍ର ସମ୍ପର୍କରେ ଏ ଉକ୍ତି ବିଶ୍ୱରେ ଏବେ ସୁଦ୍ଧା ସବୁଠାରୁ ଅଧିକ ଲୋକପ୍ରିୟ ସଂଜ୍ଞା। ଏହି ସଂଜ୍ଞା ଅନୁସାରେ ଲୋକମାନେ ହିଁ ଗଣତନ୍ତ୍ରର ସର୍ବଶକ୍ତିମାନ। ମାତ୍ର ବାସ୍ତବସ୍ଥିତି କହୁଛି ଜନତା ନୁହେଁ ନେତା ହେଉଛନ୍ତି ସର୍ବଶକ୍ତିମାନ ଏବଂ ରାଜନୈତିକ ଦଳଗୁଡ଼ିକ ଗଣତନ୍ତ୍ରର ପ୍ରାଣ। ଏହିସବୁ ଦଳ ଭିତରେ ଦିନକୁ ଦିନ ବୃଦ୍ଧି ପାଉଥିବା ବ୍ୟକ୍ତି ପୂଜା ଓ ଅନ୍ଧ ଭକ୍ତିର ସଂକ୍ରମଣ ଯୋଗୁ ବାଟବଣା ହେଲାଣି ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠାର ସୁବର୍ଣ୍ଣ ସମ୍ଭାବନା। ରାଜତନ୍ତ୍ର ଗର୍ଭରୁ ଜନ୍ମ ନେଇଥିବା ଆମ ଗଣତନ୍ତ୍ରକୁ ଏବେ ସୁଦ୍ଧା ଆଚ୍ଛନ୍ନ କରି ରଖିଛି ସାମନ୍ତବାଦୀ ଆଚରଣ। ରାଜତନ୍ତ୍ର ପ୍ରତି ଲୋକଙ୍କର ଏତେ ଉତ୍ସୁକତା ଯେ ଲୋକ ପ୍ରତିନିଧିମାନଙ୍କୁ ଏଠି ସମ୍ବର୍ଦ୍ଧନା ଦିଆଯାଉଛି ରାଜକୀୟ ଢଙ୍ଗରେ। ସେମାନଙ୍କ ଗସ୍ତ ଅବସରରେ ରାସ୍ତାଘାଟ ସଜାଯାଉଛି, ତୋରଣ ତିଆରି ହେଉଛି ଏବଂ ତାଙ୍କ ଉପବେଶନ ପାଇଁ ପକାଯାଉଛି ସିଂହାସନ ସଦୃଶ ଚୌକି। କେଉଁଠି ଛୋଟିଆ ପୋଲଟିଏ ବା ସୁଲଭ ଶୌଚାଳୟଟିଏ ଉଦ୍‌ଘାଟନ ହେଲେ ଜନପ୍ରତିନିଧିଙ୍କ ନାଁରେ ପୋତାହେଉଛି ମାର୍ବଲ ଫଳକ। ଆଗରୁ ରାଜାଙ୍କର ସିନା ଜଣେ ଜଣେ ଭାଟ ଥିଲେ, ଏବେ ନେତାମାନଙ୍କ ଗୁଣଗାନ ପାଇଁ ଲୋକଙ୍କ ଭିତରେ ଲାଗି ଯାଉଛି ପ୍ରତିଯୋଗିତା। ଏମାନଙ୍କ ଅନ୍ଧ ସ୍ତାବକତା କଥା ଭାବିଲେ ମନେହୁଏ ଇତିହାସର ରାଜତନ୍ତ୍ର ଓ ସାମନ୍ତତନ୍ତ୍ରର ସେହି ବିଷାକ୍ତ ପରମ୍ପରା ଆଜି ଗଣତନ୍ତ୍ରରେ ପ୍ରସାରିତ ହୋଇଛି ନୂଆ ରୂପରେ, ଯାହାକୁ କୁହାଯାଇପାରେ ଭାଟତନ୍ତ୍ର। ରାଜାପୁଅ ରାଜାହେବା ନ୍ୟାୟରେ ଏଠି ପ୍ରତିଷ୍ଠା ଲାଭ କଲାଣି ପରିବାରବାଦ। ସଂସଦକୁ ଏବେ ବହୁସଂଖ୍ୟାରେ ଲୋକପ୍ରତିନିଧି ନିର୍ବାଚିତ ହେଉଛନ୍ତି ଉତ୍ତରାଧିକାରୀ ସୂତ୍ରରେ। ଏହି ଧାରା ଅବ୍ୟାହତ ରହିଲେ ବୋଧହୁଏ ଆଉ କିଛିବର୍ଷ ପରେ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ କବଳିତ କରିନେବ ପରିବାରତନ୍ତ୍ର।
ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର, ଯାହା ରାଷ୍ଟ୍ରପାଇଁ ପବିତ୍ରତାର ପ୍ରତୀକ। ଜନମତ ବଳରେ ସଂସଦକୁ ନିର୍ବାଚିତ ହେଉଥିବା ପ୍ରତିନିଧିମାନଙ୍କ ବିଚାରବୋଧ ଓ ବୌଦ୍ଧିକତା ଉପରେ ନିର୍ଭର କରେ ଗଣତନ୍ତ୍ରର ସ୍ବଚ୍ଛତା ଓ କ୍ରିୟାଶୀଳତା। ଦେଶ ସ୍ବାଧୀନ ହେବାର ପ୍ରାୟ ତିନିଦଶନ୍ଧି ପର୍ଯ୍ୟନ୍ତ ସଂସଦର ବାତାବରଣ ଥିଲା ସଂପୂର୍ଣ୍ଣ ସୌହାର୍ଦ୍ଦ୍ୟପୂର୍ଣ୍ଣ। ରାଷ୍ଟ୍ର ଗଢିବାର ସଂକଳ୍ପ ନେଇ ସଂସଦକୁ ଆସୁଥିବା ସଦସ୍ୟମାନେ ଏକ ମହତର ଆଦର୍ଶକୁ ଆଖିଆଗରେ ରଖି ଆଲୋଚନାରେ ଅଂଶ ଗ୍ରହଣ କରୁଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ବିତର୍କ ଚାଲୁଥିଲା ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ। ମାତ୍ର ଏବେ ଉଚ୍ଚମାନର ବିତର୍କ ପରିବର୍ତ୍ତେ ଏକ ଧରାବନ୍ଧା କାର୍ଯ୍ୟକ୍ରମରେ ପରିଣତ ହେଲାଣି ହଟ୍ଟଗୋଳ ଓ ହଙ୍ଗାମା। ଏହାର ସବୁଠାରୁ ବଡ଼ କାରଣ ହେଉଛି ଗଣତନ୍ତ୍ରର ମନ୍ଦିରକୁ ବାହୁବଳୀ ଓ ଭ୍ରଷ୍ଟ ନେତାମାନଙ୍କର ପ୍ରବେଶ। କୁହାଯାଏ ଲୋକପ୍ରତିନିଧି ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ। ମାତ୍ର ଆମ ନିର୍ବାଚନୀ ବ୍ୟବସ୍ଥାକୁ ଜାଣିଶୁଣି ଏଭଳି ବ୍ୟୟବହୁଳ କରିଦିଆଯାଇଛି ଯେ ଜଣେ ସାଧାରଣ ସ୍ତରର ଶିକ୍ଷିତ, ସାଧୁ ଓ ନିଷ୍ଠାବାନ ବ୍ୟକ୍ତି ପକ୍ଷରେ ନିର୍ବାଚନରେ ଭାଗନେଇ ଜିତିବା ତ ଦୂରର କଥା ଅମାନତ ରଖିବା ବି ଦୁରୂହବ୍ୟାପାର। ସେଥିପାଇଁ ଆମ ସଂସଦ ଓ ବିଧାନସଭାରେ ବଢିଚାଲିଛି ବିତ୍ତଶାଳୀ ଓ ଦାଗୀ ନେତାମାନଙ୍କର ସଂଖ୍ୟା। ଏହି ମର୍ମରେ ମନେପଡ଼େ ଭାରତୀୟ ଲୋକଜୀବନର ବିଚକ୍ଷଣ ରୂପକାର କାଟୁର୍ନିଷ୍ଟ ଆର.କେ.ଲକ୍ଷ୍ମଣଙ୍କ ମନ୍ତବ୍ୟ। ସେ ଏକଦା ରାଜନୈତିକ କାର୍ଟୁନ୍‌ ବନ୍ଦ କରିଦେଲେ ଏବଂ ତା’ର କାରଣ ପ୍ରକାଶ କଲେ ଏକ ଅବିସ୍ମରଣୀୟ କାର୍ଟୁନ୍‌ ମାଧ୍ୟମରେ। ସେଥିରେ ସେ କହିଲେ ମୁଁ ରାଜନେତାମାନଙ୍କ କାର୍ଟୁନ୍‌ କରିବା ଛାଡ଼ି ଦେଇଛି କାରଣ ଏବେ କାର୍ଟୁନମାନେ ରାଜନେତା ହେଲେଣି। ସ୍ବାଧୀନତାର ବ୍ରାହ୍ମ ମୁହୂର୍ତ୍ତରେ ରାଜନେତାମାନେ ଥିଲେ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ। ଆମତ୍ ସମୀକ୍ଷା ଓ ଆମତ୍ ସମାଲୋଚନା ଥିଲା ସେମାନଙ୍କ ସଂଘର୍ଷଶୀଳ ବ୍ୟକ୍ତିତ୍ୱର ପ୍ରତିଷ୍ଠା। ତା’ର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ସେ ସମୟରେ ଭାରତ ପ୍ରସିଦ୍ଧ କାଟୁର୍ନିଷ୍ଟ ଶଙ୍କର ଗୋଟିଏ ବ୍ୟଙ୍ଗ ଓ ସମାଲୋଚନା ଧର୍ମୀ ପତ୍ରିକା ପ୍ରକାଶ କରୁଥିଲେ ଯାହାର ନାଁ ଥିଲା ଶଙ୍କର ଉଇକିଲ୍‌। ପ୍ରତ୍ୟୁପତ୍ନ୍ନମତି ଶଙ୍କର ପ୍ରାୟ ସବୁ ନେତାଙ୍କୁ ବ୍ୟଙ୍ଗ କରୁଥିଲେ ଏବଂ ନେହେରୁ ତାଙ୍କୁ ଉତ୍ସାହିତ କରିବାକୁ ଯାଇ କହୁଥିଲେ ମୋତେ ବି ଛାଡ଼ିବନି ଶଙ୍କର। ଏହି ସଂଗ୍ରାମୀ ରଣନୀତି ଯେବେଠାରୁ କ୍ଷମତାର ରଣନୀତିରେ ରୂପାନ୍ତରିତ ହେଲା ସେବେଠାରୁ ସଙ୍କୁଚିତ ହେବାକୁ ଲାଗିଲା ଭିନ୍ନ ମତକୁ ସମ୍ମାନ ଦେବାର ମାନସିକତା।
ଏହା ନିର୍ବିବାଦୀୟ ସତ୍ୟ ଯେ ସଂସଦୀୟ ଗଣତନ୍ତ୍ର ହେଉଛି ସଂଖ୍ୟାର ଖେଳ। ସଂଖ୍ୟା ବଳରେ ସଂସଦରେ ନିଷ୍ପତ୍ତି ନିଆଯାଏ ଓ ତିଆରି ହୁଏ ଆଇନ୍‌। ଏହା ସତ୍ତ୍ୱେ ଗଣତନ୍ତ୍ରରେ ସଂଖ୍ୟାଲଘୁମାନଙ୍କର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ଗଣତନ୍ତ୍ରର ସଫଳତା ପାଇଁ ସମାଲୋଚନା ଏକ ଅମୋଘ ଅସ୍ତ୍ର। ଏହି ଦୃଷ୍ଟିରୁ ସଂଖ୍ୟାଲଘୁଙ୍କ ବିରୋଧକୁ ସହୃଦୟତାର ସହିତ ଗ୍ରହଣ କରି ଆବଶ୍ୟକ ସ୍ଥଳେ ଯଥାର୍ଥ ଯୁକ୍ତି ବଳରେ ସେମାନଙ୍କ ସମର୍ଥନ ହାସ ପାଇଁ ନିଷ୍ଠାପର ଉଦ୍ୟମ ହିଁ ସଂଖ୍ୟା ଦୃଷ୍ଟିରୁ ଶକ୍ତିମାନ ଦଳର ନୈତିକ କର୍ତ୍ତବ୍ୟ। ଅର୍ଥାତ୍‌ ସଂଖ୍ୟା ଗରିଷ୍ଠ ଦଳ ସଭିଙ୍କ ସଂଖ୍ୟାଲାଭ କରିବା ଦ୍ୱାରା ମହିମା ମଣ୍ଡିତ ହୁଏ ଗଣତନ୍ତ୍ର। ମାତ୍ର ଏବେ ସଂଖ୍ୟାର ଅହଂକାର ଓ ଓଦ୍ଧତ୍ୟ ଯୋଗୁ ବିରୋଧୀଙ୍କ ସ୍ବରକୁ ଚାପିଦେବା ପାଇଁ କେତେବେଳେ ପ୍ରଶ୍ନୋତ୍ତର କାଳ ବାତିଲ ହେଉଛି ତ କେତେବେଳେ ଅଚାନକ ସଂସଦ ଓ ବିଧାନସଭା ମୁଲତବି ଘୋଷଣା ହେଉଛି ଅନିର୍ଦ୍ଦିଷ୍ଟ କାଳ ପାଇଁ। ଗୃହ ପରିଚାଳନାରେ ସଂଖ୍ୟା ଗରିଷ୍ଠତାର ଏଭଳି ବଳ ପ୍ରୟୋଗ ଦ୍ୱାରା ଗଣତନ୍ତ୍ର ଉପରେ ଭାରିପଡ଼ିଲାଣି ବଳତନ୍ତ୍ର। ଆବ୍ରାହିମ୍‌ ଲିଙ୍କନଙ୍କ ସଂଜ୍ଞା ଅନୁସାରେ ଗଣତନ୍ତ୍ର ଜନମତ ଉପରେ ପର୍ଯ୍ୟବସିତ। ମାତ୍ର ଜନମତର ଅର୍ଥ ନୁହେଁ ଯେ କେବଳ ନିର୍ବାଚନରେ ମତାଧିକାର ସାବ୍ୟସ୍ତ। ଜନମତର ମୂଳକଥା ହେଉଛି ବ୍ୟକ୍ତିବିଶେଷର ସ୍ବାଧୀନତା ବା ମୁକ୍ତ ଭାବରେ ମତପ୍ରକାଶ କରିବାର ଅଧିକାର। କେବଳ ଅଧିକାର ନୁହେଁ ଗଣତନ୍ତ୍ରର ସଫଳତା ପାଇଁ ଏହା ଏକ ବିଶେଷ ଆବଶ୍ୟକତା। ମାତ୍ର ଆଜି ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରିବା ମନା। ଯିଏ ପ୍ରଶ୍ନ କରିବ ସେ ଆକ୍ରୋଶର ଶିକାର ହେବ ଏବଂ ତା’ ଦେହରେ ଲଗେଇ ଦିଆଯିବ ଦେଶଦ୍ରୋହୀର ମୋହର। ରାଜନୈତିକ ବିଶେଷଜ୍ଞଙ୍କ ମତରେ ସରକାରଙ୍କୁ ସମାଲୋଚନା କରିବା ଅର୍ଥ ଦେଶର ସମାଲୋଚନା ନୁହେଁ, ବରଂ ସମାଲୋଚକର ମୁହଁ ବନ୍ଦ କରିବା ଏକ ଏକ ରାଜନୈତିକ ଭ୍ରଷ୍ଟାଚାର। ଏ ସମ୍ପର୍କରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହନ୍ତି – ଅସହମତି କେବେ ରାଷ୍ଟ୍ର ବିରୋଧୀ ନୁହେଁ ବରଂ ଏହା ଗଣତନ୍ତ୍ରର ରକ୍ଷାକବଚ। ଅସହମତି ଉପରେ ଆକ୍ରମଣ ହିଁ ଗଣତନ୍ତ୍ର ଉପରେ ଆକ୍ରମଣ ସହିତ ସମାନ। ଏ କଥା ମନେରଖିବା ଉଚିତ୍‌ ଯେ ଆମ ସମ୍ବିଧାନ କାଗଜରେ ଲେଖାହୋଇଥିବା କିଛି ମାମୁଲି ଦସ୍ତାବିଜ ନୁହେଁ, ଏହା ଭାରତବର୍ଷର ଆମତ୍|। ମାତ୍ର କ୍ଷମତା ରାଜନୀତି ପାଇଁ ଗଣତନ୍ତ୍ରର ବିଧି ବ୍ୟାକରଣକୁ ଆଉ ମାନିବାକୁ ପ୍ରସ୍ତୁତ ନୁହନ୍ତି କ୍ଷମତା ଆତୁର ନେତାମାନେ। କ୍ଷମତା ହାସଲ ପାଇଁ ଏହି ଦଳମାନେ କିଭଳି ସମ୍ବିଧାନକୁ ଅବମାନନା କରନ୍ତି ତା’ର ସବୁଠାରୁ ବଡ଼ ଦୃଷ୍ଟାନ୍ତ ହେଉଛି ମହାରାଷ୍ଟ୍ରରେ ଗତ ବିଧାନସଭା ନିର୍ବାଚନ ପରବର୍ତ୍ତୀ ରାଜନୈତିକ ଦୃଶ୍ୟପଟ। ସେମାନଙ୍କ କ୍ଷମତା ଲିପ୍‌ସା ଯେତିକି ଉଗ୍ର ଓ ଉଲଙ୍ଗ ହେଉଛି ସେତିକି ବିକଟ ହେଉଛି ରାଜନୈତିକ ବିଭେଦ ଓ ବିରୋଧ। ସାଧାରଣତଃ ନେତା ଓ ଜନତାଙ୍କ ଭାଗୀଦାରିରେ ସଫଳ ହୁଏ ଗଣତନ୍ତ୍ର। ଏବେ ସେ ଭାଗୀଦାରିକୁ କ୍ଷୁଣ୍ଣ କରିସାରିଲାଣି ନେତାଙ୍କ ଏକଚାଟିଆପଣ। ସେମାନେ କେବଳ ଲୋକଙ୍କୁ ନିଜର ପାରିଲାପଣିଆ ଶୁଣାଉଛନ୍ତି, କିନ୍ତୁ ଲୋକଙ୍କ ମନକଥା ଶୁଣିବାକୁ ନାରାଜ। ଏଭଳି ଏକପାଖିଆ ଆଚରଣରୁ ଜନ୍ମନିଏ ସ୍ବୈରୀ ଶାସନ ବା ଏକଚ୍ଛତ୍ରବାଦ। ଏମିତି ଗୋଟିଗୋଟି କରି ଦୋଷ ବାଛିଲେ ତ ଆମ ଘୁଣଖିଆ ଗଣତନ୍ତ୍ର ଉପରେ ଲଦିହୋଇପଡ଼ିବ ସ୍ବାର୍ଥତନ୍ତ୍ର, ଅର୍ଥତନ୍ତ୍ର, ମୂର୍ଖତନ୍ତ୍ର, ହିଂସାତନ୍ତ୍ର ଓ ଚାଲକତନ୍ତ୍ର ଆଦି ଅନେକ ଦୁର୍ନାମ । ଏହି ଦୁର୍ନାମ ଯୋଗୁ ନିଜକୁ ବୃହତ୍ତମ ଗଣତନ୍ତ୍ର କହି ଯେତେ ବାଗରେ ନାଗରା ପିଟିଲେ ବି କାନକୁ ଆଦୌ ମଧୁର ଶୁଭୁନି ଆମ ଗଣତନ୍ତ୍ରର ସ୍ବର ଓ ଶବଦ।
ଅଧ୍ୟକ୍ଷ, ଫୁଲମତୀହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ତଥାପି ମୋ ଦୁଃଖ ସରୁ ନାହିଁ

ରାଜୀବ କର୍ମୀ ଏସବୁ ଯୋଜନା ମୋ ପାଇଁ, ତଥାପି ମୋ ଦୁଃଖ ସରୁ ନାହିଁ। ଏହା ଏକ ସଚେତନଧର୍ମୀ ସ୍ଲୋଗାନ୍‌। କୋଡ଼ିଏ ବର୍ଷ ତଳେ ଗ୍ରାମାଞ୍ଚଳ...

ମାଟିହାଣ୍ଡିମନସ୍କ କି ମଣିଷ

ଡ. ଦେବାନନ୍ଦ ବେଉରା ବେଶ୍‌ କିଛିଦିନ ହେବ ଆମ ଘରେ ସମ୍ପୂର୍ଣ୍ଣ ନ ହେଲେ ବି ଆଂଶିକ ଭାବେ ରୋଷେଇ ମାଟିହାଣ୍ଡିରେ ସମ୍ପାଦିତ ହୋଇଆସୁଛି। ତେବେ...

ଏଇ ଭାରତରେ

କେରଳରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ମାଛ ଦୋକାନି ତାଙ୍କ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା...

ମାଟି ଓ ମଣିଷର ଶିଳ୍ପୀ

ଇଂ. ପ୍ରଭାକର ସ୍ବାଇଁ ‘କବିତା ଗଢ଼େ ଏକ ବିରାଟ ସମାଜର,/ ସବୁରି ପାଇଁ ଯହିଁ ବଖୁରେ ହେଲେ ଘର।’ (ଆଗାମୀ) ପରି କବିତାରେ ବିଶ୍ୱବାସୀଙ୍କ ମଙ୍ଗଳକାମନା...

ଏଇ ଭାରତରେ

କରୋନା ସମୟରେ ସମାଜରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଯୋଗେଶ ରାଓ୍ବତ ଅନ୍ୟତମ। ସେ ପରିବେଶ ସଂରକ୍ଷଣ ଲାଗି ଏକ...

ଶ୍ରାଦ୍ଧ: ଜୀବନ ପାଇଁ ଯଜ୍ଞ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧାରୁ ଆସିଛି। ଅର୍ଥ ଶ୍ରେୟକୁ ଧାରଣ କରିବା (ଶ୍ରୀ+ଅତ୍‌ = ଶ୍ରତ୍‌, ଶ୍ରତ୍‌+ଧା = ଶ୍ରଦ୍ଧା, ଶ୍ରଦ୍ଧା+ଅ = ଶ୍ରାଦ୍ଧ)।...

ସେମାନେ ପଣ୍ଡିତ ପୁଅ

ଛନ୍ଦା ମିଶ୍ର ଅ।ମେ କହୁ ଆଇନ ଓ ସମ୍ବିଧାନ ଆଖିରେ ସମସ୍ତେ ସମାନ, କିନ୍ତୁ ପ୍ରକୃତରେ ଆମ ଦେଶରେ ଗରିବଙ୍କ ପାଇଁ ଯେଉଁ ନିୟମ, ଧନୀଙ୍କ...

କ୍ଷମତା ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମତଦାନର କେଇ ସପ୍ତାହ ପରେ ଏବଂ ରାଜ୍ୟରେ ସରକାର ପରିବର୍ତ୍ତନର ବ୍ୟାପକ ସମ୍ଭାବନା ଦେଖାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

Coronavirus Update

Archives

Model This Week

Why Dharitri