ଲୋଇସିଂହା,୨୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମର ପୋଖରୀ(ଧୁବେଲ ବନ୍ଧ )ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାୟ ୨ ମାସ ହେବ ପୋଖରୀ ପାଣି ନିଷ୍କାସନ କରାଯାଇଛି ା କିନ୍ତୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ଏହାକୁ ଶୀଘ୍ର ତ୍ୱରାନ୍ବିତ କରିବାକୁ ସାଲେଭଟା ଗ୍ରାମବାସୀ ଦାବି କରିଛନ୍ତି ା
ମିଳିଥିବା ସୂଚନା ଅନୁଯାୟୀ, ସାଲେଭଟା-ମୁରୁଶୁଣ୍ଢି ରାସ୍ତାରେ ୧୨ ଏକର ପରିମିତ ଧୁବେଲ ବନ୍ଧ ରହିଛି ା ଏହି ପୋଖରୀ ଉପରେ ୧୦ ୱାର୍ଡ ବିଶିଷ୍ଟ ସାଲେଭଟା ଗ୍ରାମର ଜନସାଧାରଣ ବର୍ଷତମାମ ନିର୍ଭର କରିଥାନ୍ତି ା ଖରାଦିନରେ ଆଖପାଖ ଗ୍ରାମର ଲୋକେ ଉକ୍ତ ପୋଖରୀରେ ଗାଧୋଇ ଥାନ୍ତି। ଦୀର୍ଘବର୍ଷ ହେଲା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ପଟୁମାଟିରେ ପୋତି ହେବା ସହିତ ଦଳରେ ପରିପୂର୍ଣ୍ଣ ହୋଇଯାଇଥିଲା। ଜଳ ଧାରଣ କ୍ଷମତା କମିବା ସହିତ ପାଣି ଦୂଷିତ ହୋଇପଡିଥିଲା। ଦୂଷିତ ପାଣିକୁ ଗ୍ରାମବାସୀ ବ୍ୟବହାର କରି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପରେ ପୋଖରୀର ପୁନରୁଦ୍ଧାର ପାଇଁ ବ୍ଲକ ପ୍ରଶାସନ ଅଣ୍ଟା ଭିଡିଛି ା ପ୍ରଥମ ପର୍ଯ୍ୟାୟରେ ପୋଖରୀ ପାଣି ନିଷ୍କାସନ କରାଯାଇଛି ା ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୋଖରୀ ପାଣି ନିଷ୍କାସନ ହେବାର ଇତିମଧ୍ୟରେ ୨ ମାସ ବିତି ଗଲାଣି। କିନ୍ତୁ ପୁନରୁଦ୍ଧାର କାର୍ଯ୍ୟ ଆଗଉ ନାହିଁ। ବ୍ଲକ ଗ୍ରାମ୍ୟ କମିଟି ପୁନରୁଦ୍ଧାର କାର୍ଯ୍ୟ କରିବ ବୋଲି କୁହାଯାଉଥିଲା ା ଏବେ ସେନେଇ ସ୍ପଷ୍ଟ ଉତ୍ତର ମିଳିପାରୁନାହିଁ ା ତେବେ ପୋଖରୀ ପାଣିକୁ ନିଷ୍କାସନ କରି ଦିଆଯାଇଥିବାରୁ ଗୃହପାଳିତ ପଶୁପକ୍ଷୀ ଓ ସାଲେଭଟା ଗ୍ରାମବାସୀ ନାହିଁ ନ ଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ା
Dharitri – Odisha’s No.1 Odia Daily

