
ନୂଆପଡ଼ା,୧୭।୧(ମକାରୁ ବେମାଲ)-ନୂଆପଡ଼ା ଜିଲା କୋମନା ବ୍ଲକ୍କୁ ବିଭାଜନ କରି ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ପଞ୍ଚାୟତ ସମିତି (ବ୍ଲକ୍) ଗଠନକରି ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ ପାଇଁ ୧୪ ପଞ୍ଚାୟତର ଜନପ୍ରତିନିଧି ଓ ଅଞ୍ଚଳବାସୀ ବୁଧବାର ନୂଆପଡ଼ା ଗସ୍ତରେ ଆସିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୧୯୯୩ ମସିହାଠାରୁ ଏହି ଦାବି ହୋଇଆସୁଥିବାବେଳେ ଅଞ୍ଚଳବାସୀ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ପ୍ରସ୍ତାବିତ ସୁନାବେଡ଼ା ବ୍ଲକ୍ର ପୂର୍ବରେ ସୁନ୍ଦର ନଦୀ, ଦକ୍ଷିଣରେ ଇନ୍ଦ୍ର ନଦୀ, ପଶ୍ଚିମରେ ଉଚ୍ଚତମ ଗୁଡା ପାହାଡ ରହିଛି। ଏହାବ୍ୟତୀତ ଇନ୍ଦ୍ରାନଦୀ ଉପରେ ଜଳଭଣ୍ଡାର ନିର୍ମାଣ ହୋଇଥିବାରୁ ୧୪ଟି ଯାକ ପଞ୍ଚାୟତ ପୃଥକ୍ ହୋଇ ରହିଯାଇଛି। ପ୍ରସ୍ତାବିତ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ମାଡା ଯୋଜନା ଅନ୍ତର୍ଭୂୁକ୍ତ ଓ ଏହା ବଣପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ମୁଖ୍ୟତଃ ଗୌଣ୍ଡ, ଚକୋଟିଆ ଭୁଞ୍ଜିଆ, ଓଡ଼ିଆ ଭୁଞ୍ଜିଆ, ପହରିଆ ଜନଜାତିର ଲୋକ ବସବାସ କରୁଛନ୍ତି। ସୁନାବେଡା, ସୋସେଙ୍ଗ, ଭଇଷାଦାନି ଆଦି ପଞ୍ଚାୟତ ଓଡ଼ିଶା ସୀମାରେ ଅବସ୍ଥିତ ଓ ଏହା ସୁନାବେଡ଼ା ଅଭୟାରଣ୍ୟ ଭିତରେ ରହିଛି। ଏହା କୋମନା ବ୍ଲକ୍ କାର୍ଯ୍ୟାଳୟଠାରୁ ୮୦ କି.ମି. ଦୂରରେ ଅବସ୍ଥିତ। ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ବ୍ଲକ ଗଠନକରି ୧୪ ପଞ୍ଚାୟତର କେନ୍ଦ୍ରସ୍ଥଳ ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି।ଏହି ସମୟରେ ମିଛାପାଳି ସରପଞ୍ଚ କେଶବ ସାହୁ, ସୁନାବେଡା ସମିତି ସଭ୍ୟ ହେମଲାଲ ରାଉତ, ଜଡାମୁଣ୍ଡା ସମିତି ସଭ୍ୟ କନସନ ଧରୁଆ, ଝଗ୍ରାହୀ ସମତି ସଭ୍ୟା ସସ୍ମିତା ଭୋଇ, ମିଛାପାଲି ସମିତି ସଭ୍ୟା ସୁଭଦ୍ରା ନାୟକ, ପୂର୍ବତନ ସୁନାବେଡ଼ା ସରପଞ୍ଚ ତିଳସିଂ ଝାଙ୍କର, ସୁବାସ ଆଡବଙ୍ଗଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।