Posted inଖେଳ

ପ୍ଲେ-ଅଫ୍‌ରେ ଦିଲ୍ଲୀ, ଆର୍‌ସିବି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ୨ଟି ଯାକ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି। ମୁମ୍ବାଇ ୧୮ ପଏଣ୍ଟ ସହିତ ଶୀର୍ଷରେ ରହିଥିବାବେଳେ ଦିଲ୍ଲୀ ୮ମ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିବା ନିଶ୍ଚିତ କରିଛି। ଅନ୍ୟପକ୍ଷରେ ଆରସିବି ପରାସ୍ତ ହୋଇ ୧୪ ପଏଣ୍ଟରେ ସ୍ଥିର ରହିଥିବାବେଳେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ୧୪ ପଏଣ୍ଟ ପାଇଛି। ତେବେ ଉନ୍ନତ ରନହାରରେ ଆରସିବି କ୍ୱାଲିଫାଇ କରିଛି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ବିଜୟୀ ହେଲେ ହାଇଦ୍ରାବାଦ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବ। ନଚେତ ୧୪ ପଏଣ୍ଟରେ ଥିବା କୋଲକାତା ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ସନ୍‌ରାଇଜର୍ସ ଜିତିଲେ କୋଲକାତାକୁ ବିଦାୟ ନେବାକୁ ପଡ଼ିବ। ଆଜିର ମ୍ୟାଚ ପରେ ଆରସିବିର ରନ ହାର -୦.୧୭୨ ରହିଛି। ଅନ୍ୟପକ୍ଷରେ -୦.୨୧୪ ରନ ହାରରେ ଥିବାରୁ କୋଲକାତା ଶେଷ ଲିଗ୍‌ ମ୍ୟାଚରେ ହାଇଦ୍ରାବାଦ ପରାଜିତ ହେଉ ବୋଲି ଚାହିଁବ। ଏଠାରେ ପ୍ରଥମେ ବ୍ୟାଟିଂ କରିଥିତ୍ବା ଆରସିବି ୨୦ ଓଭରରେ ୭ ଉଇକେଟ ହରାଇ ୧୫୨ ରନ କରିଥିଲା। ୧୫୩ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୧୯ ଓଭରରେ ୪ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରି ନେଇଥିଲା। ଦିଲ୍ଲୀ ୧୬ ପଏଣ୍ଟରେ ପହଞ୍ଚତ୍ଥିବାରୁ ୫ ତାରିଖରେ ମୁମ୍ବାଇ ସହିତ କ୍ୱାଲିଫାୟର-୧ ଖେଳିବ। ଅନ୍ୟପକ୍ଷରେ ଆରସିବି ୬ ତାରିଖରେ ଏଲିମିନେଟରରେ କେଉଁ ଦଳକୁ ଭେଟିବ ତାହା ଆଗାମୀ ମ୍ୟାଚ ପରେ ସ୍ପଷ୍ଟ ହେବ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର। ଗତ କିଛି ମ୍ୟାଚ ଭଳି ଏଥର ମଧ୍ୟ ଆରସିବି ଧିମା ଆରମ୍ଭ କରିଥିଲା। ଅଭିଜ୍ଞ ଆରୋନ ଫିଞ୍ଚ୍‌ଙ୍କୁ ସୁଯୋଗ ନ ଦେବା ଦଳପାଇଁ ମହଙ୍ଗା ପଡ଼ିଥିଲା। ତାଙ୍କ ସ୍ଥାନ ନେଇଥିବା ଜୋଶ୍‌ ଫିଲିପେ ୧୭ ବଲ୍‌ରୁ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ। ସେତେବେଳକୁ ୨୫ ବଲ୍‌ରୁ ମାତ୍ର ୨୫ ରନ ସଂଗ୍ରହ ହୋଇଥିଲା। ଅଧିନାୟକ ବିରାଟ କୋହଲି କ୍ରିଜରେ ଯୋଗଦେଇ ସତର୍କତାର ସହିତ ଇନିଂସକୁ ଆଗେଇ ନେଇଥିଲେ। ଫର୍ମରେଥିବା ଦେବଦତ୍ତ ପଡିକାଲ ସ୍ବାଭାବିକ ଖେଳ ଦେଖାଇଥିଲେ। ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଗ ହେବାପରେ କୋହଲିଙ୍କ ଆଉଟ ଦଳକୁ ଶକ୍ତ ଝଟ୍‌କା ଦେଇଥିଲା। ସାମାନ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା କୋହଲି ଏଠାରେ ୨୪ ବଲ୍‌ରୁ ୨୯(୨ ଚୌକା, ୧ ଛକା) ରନ କରି ପାରିଥିଲେ। ଆଇପିଏଲ ପଦାର୍ପଣରେ ପ୍ରଥମ ଖେଳାଳିଭାବେ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ ପଡିକାଲ। ପୂର୍ବରୁ ଶିଖର ଧାଓ୍ବନ ଓ ଶ୍ରେୟାସ ଆୟାର ୪ଟି ଲେଖାଏ ଅର୍ଦ୍ଧଶତକ ଅର୍ଜନ କରି ରେକର୍ଡର ଅଧିକାରୀ ଥିଲେ। ମାତ୍ର ଠିକ୍‌ ୫୦ ରନ ପୂରଣ ହେବାପରେ ପଡିକାଲ ଏନରିଚ୍‌ ନର୍ଜେଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ସେ ୪୧ଟି ବଲ୍‌ ଖେଳି ୫ଟି ଚୌକା ମାରିଥିଲେ। ୧୬ତମ ଓଭରରେ ପଡିକାଲ ଓ କ୍ରିସ୍‌ ମୋରିସଙ୍କ ଉଇକେଟ ନେଇ ନର୍ଜେ ଆରସିବିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏବି ଡିଭିଲର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ଅନ୍ୟମାନଙ୍କ ବିଫଳତା ଯୋଗୁ ଆରସିବି ଇନିଂସ ୧୫୨ରେ ସୀମିତ ରହି ଯାଇଥିଲା। ଡି’ଭିଲର୍ସ ୨୧ ବଲ୍‌ରୁ ୩୫(୧ ଚୌକା, ୨ ଛକା) ରନରେ ରନଆଉଟ ହୋଇ ଯାଇଥିଲେ। ଶିବମ୍‌ ଦୁବେ ୧୭ ଓ ଇସୁରୁ ଉଡାନା ୪ ରନ କରିବାକୁ ସକ୍ଷମ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ନର୍ଜେ ୩ଟି, କାଗିଶୋ ରାବାଡ଼ା ୨ଟି ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ ନେଇଥିଲେ।
ଟାର୍ଗେଟ ବଡ଼ ନ ଥିଲେ ହେଁ ଦିଲ୍ଲୀ ମାତ୍ର ୧୯ ରନରେ ଓପନର ପୃଥ୍ବୀ ଶ’ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଫର୍ମରେ ନ ଥିବା ପୃଥ୍ବୀ ୬ ବଲ୍‌ରୁ ୯ ରନ କରିଥିବାବେଳେ ମହମ୍ମଦ ସିରାଜଙ୍କ ବଲ୍‌ରେ ବୋଲ୍ଡ ହୋଇ ଯାଇଥିଲେ। ତେବେ ଶିଖର ଧାଓ୍ବନ ଓ ଅଜିଙ୍କ୍ୟ ରାହାନେ ଦ୍ୱିତୀୟ ଉଇକେଟରେ ୮୮ ରନ ଯୋଗ କରି ଦଳର ବିଜୟ ପଥ ପରିଷ୍କାର କରିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ଧାଓ୍ବନ ୪୧ ବଲ୍‌ରୁ ୬ ଚୌକା ସହାୟତାରେ ୫୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶାହାବାଜ ଅହମ୍ମଦ ୧୭ତମ ଓଭରରେ ଆୟାର(୭ ରନ)ଙ୍କ ଉଇକେଟ ନେଇଥିଲେ ହେଁ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ଅଜିଙ୍କ୍ୟ ରାହାନେ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟର ନିକଟତର କରାଇଥିଲେ। ୧୬ ବଲ୍‌ରୁ ୧୭ ରନ ଆବଶ୍ୟକ ଥିବାବେଳେ ରାହାନେଙ୍କୁ ଆଉଟ କରି ଓ୍ବାଶିଂଟନ ସୁନ୍ଦର ମ୍ୟାଚରେ କିଛିଟା ରୋମାଞ୍ଚ ଆଣିଥିଲେ। ୪୬ଟି ବଲ୍‌ ଖେଳିଥିବା ରାହାନେ ୫ ଚୌକା ଓ ୧ ଛକା ସହ ସର୍ବାଧିକ ୬୦ ରନ ସ୍କୋର କରିଥିଲେ। ରିଷଭ ପନ୍ତ ୭ ବଲ୍‌ରୁ ୮ ଓ ମାର୍କୁସ ଷ୍ଟୋଇନ୍ସ ୫ ବଲ୍‌ରୁ ୧୦ ରନରେ ଅପରାଜିତ ରହି ଦଳୀୟ ବିଜୟରେ ଔପଚାରିକତା ପୂରଣ କରିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ଶାହାବାଜ ଅହମ୍ମଦ ୨ଟି ଏବଂ ସିରାଜ ଓ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୫୨/୭(ପଡିକାଲ-୫୦, ଡି’ଭିଲର୍ସ-୩୫, କୋହଲି-୨୯, ନର୍ଜେ-୩/୩୩, ରାବାଡ଼ା-୨/୩୦, ଅଶ୍ୱିନ-୧/୧୮)। ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୧୫୪/୪ (ରାହାନେ-୬୦, ଧାଓ୍ବନ-୫୪, ଶାହାବାଜ-୨/୨୬, ସିରାଜ-୧/୨୯, ସୁନ୍ଦର-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri