Posted inଜାତୀୟ

ନାବାଳିକାଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧୨ା୮(ପି.ଟି.): ବ୍ରିଟିଶ୍‌ ଅମଳର ଭାରତୀୟ ଦଣ୍ଡବିଧି ଆଇନ(ଆଇପିସି), ଆପରାଧିକ ଦଣ୍ଡ ସଂହିତା(ସିଆର୍‌ପିସି) ଏବଂ ସାକ୍ଷ୍ୟପ୍ରମାଣ ଆଇନ ହଟିବ। ଏହା ପରିବର୍ତ୍ତେ ଦେଶରେ ନୂଆ ଆଇନ ପ୍ରଣୟନ କରାଯିବ। ଏଥିସକାଶେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭାରେ ୩ଟି ପୃଥକ୍‌ ବିଲ୍‌ ଆଗତ କରିଛନ୍ତି। ପ୍ରସ୍ତାବିତ ଆଇନଗୁଡ଼ିକ ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣି ନାଗରିକମାନଙ୍କ ଅଧିକାରଗୁଡ଼ିକୁ ସୁରକ୍ଷା ଦେବ ବୋଲି ଶାହା କହିଛନ୍ତି। ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଭିଡ଼ହିଂସା ଓ ନାବାଳିକାଙ୍କୁ ବଳାତ୍କାର କଲେ ଦୋଷୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବା ନେଇ ବିଧାନ କରାଯାଇଛି। ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରାଯାଇଛି। ଏଥିରେ ପ୍ରଥମ ଥର ପାଇଁ ଆତଙ୍କବାଦର ସଂଜ୍ଞା ନିରୂପଣ କରାଯାଇଛି। ବିଲ୍‌ରେ ପ୍ରଥମ ଥର ମାମୁଲି ଅପରାଧ ଘଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କମ୍ୟୁନିଟି ସର୍ଭିସ୍‌ ପ୍ରଦାନ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି। ସିସେସନ(ଅପସାରଣ ବା ପୃଥକ୍‌ ହେବା ପ୍ରକ୍ରିୟା), ସଶସ୍ତ୍ର ବିଦ୍ରୋହ, ବିଧ୍ୱଂସକ ଗତିବିଧି, ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ବା ସାର୍ବଭୌମତ୍ୱକୁ ବିପଦରେ ପକାଇବା ଅଥବା ଭାରତର ଏକତା ଓ ଅଖଣ୍ଡତାକୁ ବିପଦକୁ ଠେଲିଦେବା ଭଳି ନୂଆ ଅପରାଧକୁ ମଧ୍ୟ ଏଥିରେ ତାଲିକାଭୁକ୍ତ କରାଯାଇଛି। ଉପରୋକ୍ତ ବିଲ୍‌ଗୁଡ଼ିକ ଗୃହୀତ ହୋଇ ଆଇନରେ ପରିଣତ ହେଲେ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ସମସ୍ତଙ୍କୁ ସର୍ବାଧିକ ୩ ବର୍ଷ ମଧ୍ୟରେ ନ୍ୟାୟ ପ୍ରଦାନ କରାଯାଇପାରିବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଶେଷ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଲୋକ ସଭାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ବିଧେୟକ-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ବିଧେୟକ-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ (ବିଏସ୍‌) ବିଧେୟକ-୨୦୨୩ ଆଗତ କରିଛନ୍ତି। ଏହି ୩ ବିଲ୍‌ ଯଥାକ୍ରମେ ଉପନିବେଶ ଯୁଗୀୟ ଇଣ୍ଡିଆନ୍‌ ପେନାଲ କୋଡ୍‌ (ଆଇପିସି)୧୮୬୦, କ୍ରିମିନାଲ ପ୍ରସିଡ୍ୟୁର ଆକ୍ଟ (ସିଆର୍‌ପିସି)୧୮୯୮ ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ୧୮୭୨ର ସ୍ଥାନ ନେବ ବୋଲି ସେ ଗୃହକୁ ସୂଚନା ଦେଇଛନ୍ତି। ଶାହା ଆହୁରି କହିଛନ୍ତି, ଦେଶବାସୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସକାଶେ ଏବଂ ଲୋକଙ୍କ ସାମ୍ପ୍ରତିକ ଆବଶ୍ୟକତା ଓ ଆଶାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ଅଣାଯାଇଛି। ନୂଆ ଆଇନର ଲକ୍ଷ୍ୟ ଦଣ୍ଡ ଦେବା ନୁହେଁ, ବରଂ ନ୍ୟାୟ ପ୍ରଦାନ କରିବା। ଅପରାଧ ରୋକିବାର ଭାବାବେଗ ସୃଷ୍ଟି ପାଇଁ ଅପରାଧୀଙ୍କୁ ଦଣ୍ଡ ଦିଆଯିବ। ବ୍ରିଟିଶମାନେ ପ୍ରଣୟନ କରିଥିବା ଆଇନ ଦାସତ୍ୱର ପ୍ରତୀକ। ଏହାକୁ ସେମାନେ ନିଜ ଶାସନକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ଦଣ୍ଡିତ କରିବା ପାଇଁ ଆଣିଥିଲେ ବୋଲି ଶାହା କହିବା ସହ ୩ ବିଲ୍‌କୁ ଯାଞ୍ଚ ଲାଗି ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସ୍ଥାୟୀ ସଂସଦୀୟ କମିଟିକୁ ପଠାଇବା ସକାଶେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅନୁରୋଧ କରିଛନ୍ତି।
ନୂଆ ଆଇନଗୁଡ଼ିକ ବଳରେ ମାମଲାର ଚାର୍ଜଶିଟ୍‌ ୯୦ ଦିନ ମଧ୍ୟରେ ଦାଖଲ କରିବାକୁ ପଡ଼ିବ। କୋର୍ଟ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ହେଲେ ଆହୁରି ୯୦ ଦିନ ସମୟ ଦେଇପାରିବେ। ୧୮୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ ପଡ଼ିବ ଏବଂ ଶୁଣାଣି ପାଇଁ କୋର୍ଟକୁ ପଠାଯିବ। ଶୁଣାଣି ପରେ ୩୦ ଦିନ ମଧ୍ୟରେ ରାୟ ଆସିବ। ମହିଳାଙ୍କୁ ବିବାହ, ନିଯୁକ୍ତି, ପଦୋନ୍ନତି ଆଳରେ କିମ୍ବା ନିଜ ପରିଚୟ ଲୁଚାଇ ଯୌନ ଉତ୍ପୀଡ଼ନ କଲେ ଏହା ଅପରାଧ ପଦବାଚ୍ୟ ହେବ। ଗଣବଳାତ୍କାର ପାଇଁ ୨୦ ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡ ଦିଆଯିବ। ନାବଳାକିକାଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ଭିଡ଼ହିଂସା ପାଇଁ ୭ ବର୍ଷ, ଆଜୀବନ ଓ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷେ ଦେଶଦ୍ରୋହ ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଭାରତ ଏକ ଗଣତନ୍ତ୍ର, ଯେଉଁଠି ସମସ୍ତଙ୍କ କହିବା ଅଧିକାର ରହିଛି। ନ୍ୟାୟ ସଂହିତା ବିଲ୍‌ ଅନୁସାରେ ଯିଏ ଦେଶ କିମ୍ବା ବିଦେଶରେ ଭାରତର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଅପରାଧ ଘଟାଇବେ ଅଥବା ଜନସାଧାରଣଙ୍କୁ ଆତଙ୍କିତ କରିବେ କିମ୍ବା ସାଧାରଣ ଶୃଙ୍ଖଳା ଭଙ୍ଗ କରିବେ ତାଙ୍କୁ ଆତଙ୍କବାଦୀ କୁହାଯିବ। ଆତଙ୍କବାଦୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଏଥିରେ ନିୟମ ରହିବ। ଦଣ୍ଡ ଛାଡ଼ ନେଇ ସରକାରମାନଙ୍କ ରାଜନୈତିକ ଦୁରୁପଯୋଗ ରୋକିବା ଉଦ୍ଦେଶ୍ୟରେ ଏକ ନୂଆ ନିୟମ କରାଯାଇଛି। ଉକ୍ତ ନିୟମ ଅନୁସାରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରାଯିବ। ସେହିପରି ଆଜୀବନ ଜେଲ ହୋଇଥିଲେ ୭ ବର୍ଷର କାରାଦଣ୍ଡ ପରେ ଦୋଷୀଙ୍କୁ କ୍ଷମା ପ୍ରଦାନ କରାଯାଇପାରିବ। ବିହାରରେ ଅପରାଧୀରୁ ରାଜନେତା ସାଜିଥିବା ଆନନ୍ଦ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ନିକଟରେ ମୁକ୍ତ କରିଛନ୍ତି। ଏହାର ଅବତାରଣା କରି ଶାହା କହିଛନ୍ତି, ରାଜନୈତିକ ପ୍ରଭାବ ଯେମିତି ଆଇନକୁ ଫାଙ୍କିପାରିବ ନାହିଁ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। ଦଣ୍ଡବିଧାନ ହାର ୯୦%କୁ ବୃଦ୍ଧି ସକାଶେ ଫୋରେନ୍‌ସିକ୍‌ ସାଇନ୍ସ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ଶାହା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?