ସୋସିଆଲ ମିଡିଆରେ ମୃତ୍ୟୁ

ଡ. କୁଳାଙ୍ଗାର

 

ସମସ୍ତଙ୍କ ପରି ମୋର ମଧ୍ୟ ଅନେକ ଶତ୍ରୁ ଅଛନ୍ତି ଏବଂ ସମସ୍ତଙ୍କ ପରି ମୁଁ ବି ଦିନେ ଇହଧାମ ତ୍ୟାଗ କରିବି! ସେଦିନ ମୋର ଶତ୍ରୁମାନେ ମଧ୍ୟ ମୋର ପ୍ରଶଂସା କରିବେ! ମୃତ୍ୟୁ ତ ଚିରସତ୍ୟ । ମୃତ୍ୟୁ ହେଉଛି ଏମିତି ଏକ ସତ୍ୟ, ଯାହାକୁ ମହାବଳୀ ମଧ୍ୟ ଭୟ କରେ ।
ଏବେ ବିଶିଷ୍ଟ, ବିଖ୍ୟାତ ଓ ବହୁଚର୍ଚ୍ଚିତ ବ୍ୟକ୍ତିମାନଙ୍କୁ ଦୁଇଦୁଇଥର ମରିବାକୁ ହେଉଛି। ଥରେ ସୋସିଆଲ ମିଡିଆରେ ଆଉ ତା’ ପରେ ସତରେ। ଶୁକୁଶୁକୁ ହେଉଥିବା ବା ସଭ୍ୟ ସମାଚାରୀୟ ଭାଷାରେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ, ସୋସିଆଲ ମିଡିଆରେ ତାଙ୍କୁ ଆଗୁଆ ମାରି ଦିଆଯାଉଛି। ସାଧାରଣ ନୁହେଁ, ବହୁ ଅସାଧାରଣ ଜନ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କର ମୃତ୍ୟୁ ନ ହେଉଣୁ ସଫୋଟ ଶୋକବାର୍ତ୍ତା ସୋସିଆଲ ମିଡିଆରେ ଛାଡି ଦେଉଛନ୍ତି। ପରିସ୍ଥିତି ଏପରି ହେଲାଣି; ଲୋକେ ନିଜ ମୋବାଇଲ/କମ୍ପ୍ୟୁଟର ଆଦିରେ ଶୋକବାର୍ତ୍ତା ପାଇଁ ଫଟୋଫ୍ରେମ୍‌, ବାର୍ତ୍ତାର ଆଲେଖ୍ୟ ଫର୍ମାଟ ପ୍ରସ୍ତୁତ କରି ରଖିଛନ୍ତି। କେଉଁଠୁ କିଛି ସୁରାକ ପାଇବା ମାତ୍ରେ ସତମିଛ ନ ବାରି ମୁଁ ତାଙ୍କର ମୃତ୍ୟୁରେ ଗଭୀର ମର୍ମାହତ, ସିଏ ଭାରି ଭଲ ଥିଲେ, ଈଶ୍ୱର ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ଆଦି ଫୋଷ୍ଟ କରି ଲାଇକ୍‌, କମେଣ୍ଟ, ଶେୟାର ସାଉଁଟିବାରେ ଲାଗି ପଡୁଛନ୍ତି।
ଏହାଦ୍ୱାରା ମୃତକଙ୍କ ପରିବାରର ଲାଭ ହେଉଥିବା ବେଳେ ବେସରକାରୀ ଡାକ୍ତରଖାନାଗୁଡ଼ିକ କ୍ଷତି ସହୁଛନ୍ତି ।
କଥା କ’ଣ କି ଜୀବିତ ବ୍ୟକ୍ତିର ଚିକିତ୍ସା ଅପେକ୍ଷା ମୃତ ବ୍ୟକ୍ତିଙ୍କର ଚିକିତ୍ସା କରିବାରେ ବହୁ ବଡବଡ ଡାକ୍ତରଖାନା ଖ୍ୟାତି ଓ ଅର୍ଥଅର୍ଜନ କରିଥାଆନ୍ତି । ଘର ଲୋକେ ଜାଣି ସାରିବେଣି ଆଉ ନୁହେଁ, ସୋସିଆଲ ମିଡିଆରେ ପ୍ରଚାର ହେବଣି କି ଅମୁକ ଆଉ ନାହାନ୍ତି । ହାସ୍‌ପାତାଳ ଅଧିକାରୀ କହୁଥିବେ; ଆଜ୍ଞାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଜୀବନରକ୍ଷାକାରୀ ବ୍ୟବସ୍ଥାରେ ତାଙ୍କୁ ରଖାଯିବା ସହିତ ଡାକ୍ତରମାନେ ଉଦ୍ୟମ ଜାରି ରଖିଛନ୍ତି।
ତେବେ ସୋସିଆଲ ମିଡିଆର ଚାପରେ ସେମାନେ ତାହାକୁ ଅସ୍ଥିର କରିବାକୁ ପଡେ। ଜୀବନ ରକ୍ଷାକାରୀ ବ୍ୟବସ୍ଥାଯନ୍ତ୍ରର ଭଡା ଆଦାୟକୁ କାଟଛାଣ୍ଟ କରିବାକୁ ପଡେ। ନିଜ ପର ସମସ୍ତେ ଦେଖିବାକୁ ଧାଆନ୍ତି । ଯଦି ବଞ୍ଚିଛନ୍ତି ଆମକୁ ଦେଖାଅ ବୋଲି ଦାବି କରନ୍ତି। ଶେଷରେ ହାସ୍‌ପାତାଳ କର୍ତ୍ତୃପକ୍ଷ ସତରେ ମଲେ ବୋଲି ଘୋଷଣା କରନ୍ତି।
ଅସମର୍ଥିତ ସୂତ୍ରରୁ ଜଣାପଡିଛି କି ସୋସିଆଲ ମିଡିଆରେ ଖୁସି ଖବର ଯେମିତି କି ଜନ୍ମଦିନ, ବିବାହ ବା ବିବାହବାର୍ଷିକ, ପୁରସ୍କାର ଲାଭ, ଚାକିରି, ପ୍ରେମଲାଭ, ବିଦେଶଯାତ୍ରା ଅବା ଗୃହ ପ୍ରବେଶ ଆଦି ସୁଖରେ ଯେତିକି ପ୍ରଶଂସାପୂର୍ଣ୍ଣ କମେଣ୍ଟ ଓ ପ୍ରଚାର ମିଳୁନାହିଁ ବରଂ ଦୁର୍ଘଟଣା, ମୃତ୍ୟୁ, ବିବାହ/ପ୍ରେମ ବିଚ୍ଛେଦ, ମାରପିଟ୍‌, ହଜାହଜି, ଚୋରି କିମ୍ବା ଲୁଟ୍‌ ଆଦିରେ ଅଧିକ କମେଣ୍ଟ ଓ ପ୍ରଚାର ମିଳୁଛି । ସୋସିଆଲ ମିଡିଆରେ ଲୋକେ ଚାହିଁ ବସିଛନ୍ତି କି କାହାର କେମିତି ଦୁଃଖ ପଡୁ ଏବଂ ଆମକୁ ତାଙ୍କ ଦୁଃଖରେ ସମଦୁଃଖୀ ହେବା ପାଇଁ ସୁଯୋଗ ମିଳୁ ।
ତେବେ କାହାର ମୃତ୍ୟୁରେ ଶୋକ ପ୍ରକାଶ କରିବା ପାଇଁ ଆଜିକାଲି ଯାଛାତା ପ୍ରତିଯୋଗିତା ହେଉଛି। ସୋସିଆଲ ମିଡିଆ, ୱେବ୍‌ ଚାନେଲ୍‌, ଖବରକାଗଜ ଆଦିରେ ଏମିତି ବାର୍ତ୍ତା ପ୍ରକାଶ ପାଇଁ ପ୍ରତିଯୋଗିତା।
ଅମୁକ କୁଖ୍ୟାତ ଲୋକଙ୍କ ମୃତ୍ୟୁରେ ସମୁକ ବିଖ୍ୟାତ ଲୋକଙ୍କ ଦୁଃଖ ପ୍ରକାଶର ବହୁ ଖବର ତ ଆପଣ ପଢିଥିବେ! ସେଇ ଖବରକୁ ପଢିପଢି ମୋର ଭାଆରି ଲୋଭ ହେଲା । କଥା କ’ଣ କି ସତରେ ନ ହେଲେ ବି ମୁଁ ମନେମନେ ଗୋଟେ ବଡ କବି । ମୋତେ ଏଠୁ ମାନପତ୍ର, ସେଠୁ ପାନପତ୍ର ପୁଣି କୋଉଠୁ ପ୍ରେମପତ୍ର ଆଦି ମିଳିଛି ।
ମୋର ପ୍ରଶଂସା କରି ଖବର ଗୋଟେ ଛାପିବା ପାଇଁ ଯେତେ ନେହୁରା ହେଲେ ମଧ୍ୟ କୌଣସି ସାମ୍ବାଦିକ ମାଗଣାରେ ଏମନ୍ତ ଖବରଟିଏ ଛାଡି ଦେଉନାହାନ୍ତି, ଯାହାକୁ ଆଖିରେ ଦେଖିବା ପାଇଁ ମୋର ମନ ବିକଳ ।
ଏମିତି ନିଜେ ନିଜ ବିଷୟରେ ଖବର ତିଆରି କରି ମୁଁ କେତେଥର ବାଣ୍ଟିଛି। ଏହାର ସୁଫଳ ତ କିଛି ମିଳିନାହିଁ ଓଲଟି କୁଫଳ ମିଳିଛି।
ଅତଏବ ମୃତ୍ୟୁ ହିଁ ଏକମାତ୍ର ବାଟ। ଯାହା ଜଣାପଡୁଛି, ମୋର ମୃତ୍ୟୁ ପରେ ଯାଇ ମନସ୍କାମନା ପୂରଣ ହୋଇପାରିବ ।ଇହଧାମ ତ୍ୟାଗ କଲା ପରେ ଯାଇ ବିନା ଖର୍ଚ୍ଚରେ ସଫଟୋ ସାଫଲ୍ୟର ବିବରଣୀଯୁକ୍ତ ଖବର ପ୍ରକାଶ ପାଇବ ଏବଂ ଏ ବଜ୍ଜାତ ବିରୋଧୀ ମୋର ଶତ୍ରୁଗଣ ମଧ୍ୟ ମୋର ପ୍ରଶଂସା କରିବାକୁ ବାଧ୍ୟ ହେବେ ।
ଅବ୍ୟବସ୍ଥାକୁ, ଅଘଟଣକାରୀକୁ ବ୍ୟଙ୍ଗ କରୁଛି ବୋଲି ସାହିତ୍ୟ ଏକାଡେମୀ ମଧ୍ୟ ମୋତେ ପଚାରୁନାହିଁ।
କିନ୍ତୁ ମୃତ୍ୟୁ ପରେ ପୁରସ୍କାର ଦେବା ମଧ୍ୟ ଆମ ସାହିତ୍ୟ ଏକାଡେମୀର ପ୍ରକୃତି। ତେଣୁ ସେ ପଟୁ ବି ଲାଭ।
ମୋ ମନକୁ ଆଉ ଅଟକେଇ ପାରିଲି ନାହିଁ । ଜିଇ ଥାଉଥାଉ ଯଦି ଦେଖି ପାରିଲିନି, ମଲା ପରେ ଅର୍ଜନ କରି ଆଉ କି ଲାଭ? ଜିଇବା ଅପେକ୍ଷା ମରିବାରେ ଯଦି ଲାଭ, ତେବେ ମରିଯିବା ହିଁ ଶେୟସ୍କର ହେବ।
ତେବେ ମରିବି କେମିତି? ଭାବିଲି ଆତ୍ମହତ୍ୟା କରିଦେବି! ଧେତ୍‌ ତେରିକା..। ନିକଟରେ ଘଟିଥିବା ଏମିତିଆ କେସ୍‌ରୁ ଅନୁମେୟ ସେଥିରେ ଆଶା ପୂରଣ ହେବନି। ସେମିତି ମଲେ, ମିଡିଆବାଲା ମୋତେ ହାଇଲାଇଟ୍‌ ନ କରି ଆତ୍ମହତ୍ୟାକୁ ଗଣ୍ଠି କରିବେ। ମୋର କୃତିତ୍ୱକୁ ଗୁଳିମାରି ମୋର ପ୍ରେମିକା କେତେଟା ଥିଲେ, ସେଥିରୁ କିଏ ମାନସିକ ବିକାରଗସ୍ତ, କିଏ ନିଶାଖୋର, ଏସବୁ ବେଶି ଆଲୋଚନା ହେବ।
ତା’ ଛଡା ଆତ୍ମହତ୍ୟା ବି ବଡ କଷ୍ଟକର ବ୍ୟାପାର ।
ତେଣୁ ମୁଁ ଅନ୍ୟ ଉପାୟ ଖୋଜିଲି । ବହୁ ବିଚାର ପରେ ନିଷ୍ପତ୍ତି ନେଲି କି ମୁଁ ପ୍ରଥମେ ଥରେ ମରିକି ଦେଖିବି ।
ଅର୍ଥାତ୍‌ ମୁଁ ଆଗ ସୋସିଆଲ ମିଡିଆରେ ମରିବି । ତା’ ପରେ ଯଦି ଠିକ୍‌ ଲାଗିଲା ମରିବି ନ ହେଲେ ନାଇଁ । ସେୟା କଲି। ସୋସିଆଲ ମିଡିଆରେ ଏକ ଫୁଲ, ଧୂପ, ସିନ୍ଦୂର, ଚନ୍ଦନ ଫ୍ରେମଯୁକ୍ତ ଫଟୋ ସହିତ ସମାଚାର ଛାଡିଦେଲି; ବିଶିଷ୍ଟ ବ୍ୟଙ୍ଗକବିଙ୍କ ବିୟୋଗ।
ଆହାଃ… ପୋଷ୍ଟଟା ଲାଇକ୍‌ କମେଣ୍ଟ ଶେୟାରର ରେକର୍ଡ ଭାଙ୍ଗିଦେଲା। ମୋର ଶତ୍ରୁମାନେ ମୋତେ କଇଁଆ କନାରେ ଟେକି ପ୍ରଶଂସା କଲେ । ମୋ ସାଥିରେ ଉଠିଥିବା ସେମାନଙ୍କର ଫଟୋମାନ ପୋଷ୍ଟ କରିବା ସହିତ ମୋ ହ୍ବାଟ୍ସଆପ୍‌ ନମ୍ବରକୁ ମଧ୍ୟ ପ୍ରେରଣ କଲେ ।
ମୁଁ ତ ମଜା ଦେଖିବାକୁ ମୋବାଇଲ ଅଫ୍‌ କରିଦେଇଛି । ମାସ୍କ ପିନ୍ଧି ମୁଁ ନିଜର ପୁରୁଣା ବହି ସବୁ ଆଣିବା ପାଇଁ ପ୍ରେସରେ ପହଞ୍ଚତ୍ଲା ବେଳକୁ ଦେଖିଲି- ମୋତ ସ୍ମୃତି ଚାରଣଯୁକ୍ତ ସ୍ମରଣିକା ଛପେଇ କାର୍ଯ୍ୟ ଆରମ୍ଭ ହୋଇଗଲାଣି!
ନରସିଂହପୁର, କଟକ
ମୋ-୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri