ଏ ମାଟିର କନ୍ୟା

“ମୁଁ  ଦ୍ରୌପଦୀ ମୁର୍ମୁ…..”। ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ୍‌। ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ ହେଉଥିଲା, ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ।
ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ ଭାରତ ବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେଉଥିଲେ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ବାଭିମାନର ଆଉ ଏକ ମହାର୍ଘ ଅବସର ଉପସ୍ଥିତ ହୋଇଥିଲା। ଇତିହାସର ସେହି ସ୍ବର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ସେଦିନର ମୋର ବିନମ୍ର ଉପସ୍ଥିତି ଥିଲା ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ଓଡ଼ିଆ ଜାତି ତା’ର ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ବିତ।
ଓଡ଼ିଆ ଜାତି ଏକ ମହାନ୍‌ ଜାତି । ଓଡ଼ିଶା ଇତିହାସର ପ୍ରତିଟି ପୃଷ୍ଠାରେ ସ୍ବାଭିମାନୀ ଓଡ଼ିଆ ଅସ୍ମିତାର କାହାଣୀ ଲିପିବଦ୍ଧ। କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ୍‌ ଅଶୋକଙ୍କୁ ଏ ମାଟି ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲା। ଓଡ଼ିଆ ସ୍ବାଭିମାନ ଓ ଅସ୍ମିତାକୁ ଶୀର୍ଷରେ ପହଞ୍ଚାଇଥିଲେ ସମ୍ରାଟ୍‌ ମହାମେଘବାହନ ଐର ଖାରବେଳ। ସମ୍ରାଟ କପିଳେନ୍ଦ୍ର ଦେବ କଳିଙ୍ଗ ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ। ମୋଗଲ ଓ ମରହଟ୍ଟାମାନେ ଓଡ଼ିଶା ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଥିବା ସତ୍ତ୍ୱେ ନିଜ ମାଟିର ଟେକ ଓ ଜାତିର ସ୍ବାଭିମାନ ରଖିବାକୁ ଓଡ଼ିଆ ବୀର ଆଗେଇ ଆସିଥିଲା। ନିଜ ପ୍ରାଣ ବିନିମୟରେ ମାଟି ମା’କୁ ସୁରକ୍ଷା ଦେଇଥିଲା। ସିପାହି ବିଦ୍ରୋହ ପୂର୍ବରୁ ଓଡ଼ିଆ ପାଇକଙ୍କ ନେତୃତ୍ୱରେ ବ୍ରିଟିଶ୍‌ ବିରୋଧରେ ସଂଘଟିତ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାରତ ଇତିହାସର ଏକ ଉଲ୍ଲେଖନୀୟ ଘଟଣା।
ଆଜି ସେହି ଓଡ଼ିଆ ଜାତିର ପରିଚୟକୁ ଭାରତ ବର୍ଷର ରାଜନୈତିକ ଶୀର୍ଷରେ ପହଞ୍ଚାଇ ଜଣେ ଓଡ଼ିଆ ଝିଅ ସର୍ବୋଚ୍ଚ ଆସନରେ ପ୍ରତିଷ୍ଠିତ। ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଦେଇଛନ୍ତି। ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ତା’ର ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଆମ ରାଜ୍ୟର ମୟୂରଭଞ୍ଜ ପରି ଏକ ସଂସ୍କୃତିସମୃଦ୍ଧ ଜିଲାରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରତିଷ୍ଠା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ନିଶ୍ଚିତ ଏକ ଗର୍ବର ବିଷୟ।
ଆମ ରାଷ୍ଟ୍ରପତିଙ୍କର ଅନ୍ୟତମ ବିଶିଷ୍ଟ ପରିଚୟ ହେଲା, ସେ ଜଣେ ଓଡ଼ିଆ ମହିଳା। ସମାଜରେ ମା’ ସବୁବେଳେ ଶ୍ରେଷ୍ଠ, ସୃଷ୍ଟି ଓ ଶକ୍ତିର ପ୍ରତୀକ । ସେହି ମା’ ସଶକ୍ତ ହେଲେ ହିଁ ସମାଜ, ପରିବାର-ରାଜ୍ୟ ଓ ଦେଶ ସଶକ୍ତ ହୋଇଥାଏ। ସେଥିଲାଗି ମୁଁ ସବୁବେଳେ ମା’ମାନଙ୍କୁ ସମାଜର ପ୍ରତ୍ୟେକଟି ପାହାଚରେ ଆଗକୁ ବଢ଼ି ଶୀର୍ଷତାର ସୋପାନରେ ପହଞ୍ଚାଇବାକୁ ପ୍ରୟାସ କରିଆସିଛି। ମା’ମାନେ ସଶକ୍ତ ହୁଅନ୍ତୁ ଓ ନେତୃତ୍ୱ ନିଅନ୍ତୁ ଏହି ଲକ୍ଷ୍ୟରେ ଯେତେବେଳେ ଆମେ ଆଗକୁ ବଢ଼ୁଛୁ, ସେତେବେଳେ ଜଣେ ଓଡ଼ିଆ ଝିଅ ବା ଜନଜାତି ବର୍ଗର ମହିଳା ଭାବରେ ଭାରତବର୍ଷର ସର୍ବୋଚ୍ଚ ପଦବୀରେ ବସିବାର ସୁଯୋଗ ପାଇବା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଉପଲବ୍ଧି। ମୋ ମତରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ଆମ ସମସ୍ତଙ୍କ ଲାଗି ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ। ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଆଜି ସାର୍ବଭୌମ ଦେଶର ପ୍ରତୀକ। ଦେଶର କୋଟି କୋଟି ମା’ ଭଉଣୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ।
ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ଏହାଥିଲା ନବେ ଦଶକରେ ବିଜୁବାବୁଙ୍କର ଲକ୍ଷ୍ୟ। ଏଥିପାଇଁ ମହିଳାମାନଙ୍କ ନିମନ୍ତେ ସରକାରୀ ଚାକିରିରେ ସଂରକ୍ଷଣ ସହିତ ପଞ୍ଚାୟତ ଓ ପୌରସଂସ୍ଥାଗୁଡ଼ିକରେ ମଧ୍ୟ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ସାରା ଦେଶ ପାଇଁ ସେ ଉଦାହରଣ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ସେହି ସଂରକ୍ଷଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ। ଆମର ମା’ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବା ପାଇଁ ଏହା ସୁଯୋଗ ସୃଷ୍ଟି କରିଛି।
ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ମୁଁ ଆନନ୍ଦିତ ଯେ, ଆଜି ଅନେକ ସ୍ଥାନରେ ପୁରୁଷମାନଙ୍କ ଅପେକ୍ଷା ମା’ମାନେ ହିଁ ନେତୃତ୍ୱର ଦକ୍ଷତା ଓ ପାରଦର୍ଶିତାରେ ଆଗରେ ରହିଛନ୍ତି । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି।
ଗଣତନ୍ତ୍ରର ତୃଣମୂଳ ସ୍ତରରେ ଆଜି ମା’ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି । ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଓ ପୌର ଶାସନରେ ମହିଳାଙ୍କ ନେତୃତ୍ୱ ସାରା ଦେଶରେ ସର୍ବାଗ୍ରେ ରହିଛି। ଆମର ୩୦ଟି ଜିଲା ପରିଷଦ ମଧ୍ୟରୁ ଆଜି ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରୁଛନ୍ତି । ପଞ୍ଚାୟତ ସମିତି, ପଞ୍ଚାୟତ, ପୌରସଭା ତଥା ବିଭିନ୍ନ ୱାର୍ଡ଼ର ନେତୃତ୍ୱ ନେବା କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ୱାର୍ଡ଼ମେମ୍ବର, କାଉନ୍‌ସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ସବୁଠାରୁ ବଡ଼ ଉପଲବ୍ଧି ଯେ, ଆଜି ଆମର ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି। ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି।
ଜଣେ ଜନଜାତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୁଅନ୍ତୁ ଏହା ମୋର ଏକ ବଡ଼ ଅଭିଳାଷ ଥିଲା। ସେଥିଲାଗି ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଭାରତ ବର୍ଷର ଜଣେ ମହାନ୍‌ ଜନନେତା ତଥା ସୁଦକ୍ଷ ପ୍ରଶାସକ ଡ. ପି.ଏ. ସାଙ୍ଗ୍‌ମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି। ଡ. ସାଙ୍ଗ୍‌ମା କେବଳ ଆଦିବାସୀ ବର୍ଗର ନୁହନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ଜଣେ ସମ୍ମାନାସ୍ପଦ ନେତା ଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ସଭାର ବାଚସ୍ପତି ଭାବରେ ସେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ। ସମଗ୍ର ଭାରତ ବର୍ଷରେ ସେ ଜଣେ ସୁପ୍ରତିଷ୍ଠିତ ତଥା ଆଦରଣୀୟ ବ୍ୟକ୍ତିିତ୍ୱ ଥିଲେ। ତେଣୁ ତାଙ୍କୁ ଭାରତର ରାଷ୍ଟ୍ରପତି କରିବା ଦିଗରେ ସମସ୍ତଙ୍କ ସହଯୋଗ ପାଇଁ ମୁଁ ସର୍ବୋତ୍ତମ ଉଦ୍ୟମ କରିଥିଲି।
ଯେତେବେଳେ ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡ଼ିଆ ଝିଅ ତଥା ଜନଜାତି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଲେ ଏବଂ ମୋ ସହ ଆଲୋଚନା କଲେ, ମୁଁ ସର୍ବାନ୍ତକରଣରେ ସମର୍ଥନ ଜଣାଇଥିଲି। ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଲାଗି ନିବେଦନ କରିଥିଲି।
ଆଜି ମୁଁ ବହୁତ ଖୁସି ଯେ, ମୋ ଓଡ଼ିଶାର ଜଣେ ଝିଅ, ଜଣେ ଜନଜାତି ମହିଳା ଦ୍ରୌପଦୀ ମୁର୍ମୁ ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମଣ୍ଡନ କରି ମୋ ମାଟିର ଗୌରବକୁ ବୃଦ୍ଧି କରିଛନ୍ତି। ସାରା ବିଶ୍ୱକୁ, ଭାରତବର୍ଷ, ବିଶେଷକରି ଜଗନ୍ନାଥ ଧାମର ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱ, ସାମ୍ୟ ଓ ଏକତାର ବାର୍ତ୍ତା ଦେଇଛନ୍ତି।
ସଂସଦର ସେଣ୍ଟ୍ରାଲ ହଲ୍‌ରେ ମହାମହିମ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ସମୟରେ ତାଙ୍କ ଭାଷଣର ଗୋଟିଏ କଥା ମୋତେ ବେଶ୍‌ ପ୍ରଭାବିତ କରିଥିଲା।
ସେ କହିଥିଲେ ଯେ, ରାଷ୍ଟ୍ରପତି ପଦବୀକୁ ତାଙ୍କର ନିର୍ବାଚନ ପ୍ରମାଣିତ କରିଛି ଭାରତର ଗରିବ ଲୋକ ସ୍ବପ୍ନ ଦେଖିପାରେ ଓ ସେହି ସ୍ବପ୍ନକୁ ମଧ୍ୟ ସାକାର କରିପାରେ। ମହାମହିମ ରାଷ୍ଟ୍ରପତିଙ୍କର ଏହି ଉକ୍ତି ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଓ ତାତ୍ପର୍ଯ୍ୟପୂର୍ଣ୍ଣ।
୨୦୦୦ ମସିହାରୁ ମୁଁ ଓଡ଼ିଶା ମା’ର ସେବାରେ ନିଜକୁ ସମର୍ପିତ କରିଦେଇଛି। ସେବେଠାରୁ ସମାଜର ଗରିବ, ଅବହେଳିତ, ମହିଳା ଓ ପଛୁଆବର୍ଗଙ୍କୁ ଆଗକୁ ଆଣିବା ପାଇଁ ସତତ ପ୍ରୟାସ ଜାରି ରଖିଛି। ବିଶେଷକରି ଜନଜାତି ଭାଇଭଉଣୀମାନଙ୍କ ପାଇଁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ସେମାନଙ୍କୁ ସ୍ବପ୍ନ ଦେଖିବାର ତଥା ସେହି ସ୍ବପ୍ନକୁ ସାକାର କରିବାର ପଥ ପ୍ରଶସ୍ତ କରିଚାଲିଛି। ଶିକ୍ଷା ରୂପାନ୍ତରର ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି।
ଖୁସିର କଥା, ଏହାର ଫଳସ୍ବରୂପ ଆଜି ଆମ ରାଜ୍ୟର ଅଗଣିତ ଜନଜାତି ପୁଅଝିଅ ଭଲ ପାଠପଢ଼ିବାର ସୁଯୋଗ ପାଇ ବଡ଼ ହେବାର ସ୍ବପ୍ନ ଦେଖିପାରୁଛନ୍ତି ଓ ସେହି ସ୍ବପ୍ନକୁ ସାକାର ମଧ୍ୟ କରିପାରୁଛନ୍ତି। ସମାଜର ସବୁ ବର୍ଗର ଗରିବ ପିଲାଙ୍କୁ ବଡ଼ ହେବାର ରାସ୍ତା ପ୍ରଶସ୍ତ କରିବାରେ ଆମର ପ୍ରୟାସ ଅନେକ ଉପଲବ୍ଧି ଆଣିପାରିଛି। ଜଣେ ଜନଜାତି ଝିଅ ଭାବରେ ଆଜିର ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜର ଉପରବେଡ଼ା ଗଁାରୁ ଆସି ଭୁବନେଶ୍ୱରରେ ରହି ପାଠ ପଢ଼ିବା, ସରକାରୀ ଚାକିରି କରିବା ସହିତ ପରବର୍ତ୍ତୀ ସମୟରେ ରାଜନୀତି କ୍ଷେତ୍ରକୁ ଆସି କାଉନ୍‌ସିଲର, ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ସର୍ବୋପରି ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରି ଯେଉଁ ବିରଳ ସଫଳତା ହାସଲ କରିଛନ୍ତି, ତାହା ସବୁଦିନ ପାଇଁ ଏକ ପଥପ୍ରଦର୍ଶକ ଉଦାହରଣ ହୋଇ ରହିବ।
ଶେଷରେ ମୁଁ ତାଙ୍କୁ ଆଉଥରେ ଅଭିନନ୍ଦନ ଜଣାଉଛି। ଶପଥଗ୍ରହଣ ସମୟରେ ତାଙ୍କର ପ୍ରଥମ ସମ୍ବୋଧନରୁ ସାରା ବିଶ୍ୱକୁ ସେ ଯେଉଁ ଜଗତକଲ୍ୟାଣ ବାର୍ତ୍ତା ଦେଇଛନ୍ତି ଏବଂ ଓଡ଼ିଆ ଜାତିର ଗୌରବ ସନ୍ଥକବି ଭୀମ ଭୋଇଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି, ଆଜି ତାହା ଆଉଥରେ ଆମ ଅସ୍ମିତାର ପ୍ରତିଷ୍ଠାକୁ ଗୌରବମଣ୍ଡିତ କରିଛି। ମୁଁ ଆଶା ରଖିବି ଆମ ସମସ୍ତଙ୍କ କାର୍ଯ୍ୟ ଓ ଭାବନାରେ ସନ୍ଥକବି ଭୀମ ଭୋଇଙ୍କର ସେହି ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ସତତ ପ୍ରତିଫଳିତ ହେଉ।

  • ଶ୍ରୀ ନବୀନ ପଟ୍ଟନାୟକ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?