Posted inଜାତୀୟ

ଝିଅଙ୍କୁ ନିଲାମ, ମା’ଙ୍କୁ ବଳାତ୍କାର

ନୂଆଦିଲ୍ଲୀ/ଜୟପୁର, ୨୮ା୧୦:ଭାରତୀୟ ମହିଳାମାନେ ଅନେକ କ୍ଷେତ୍ରରେ ସଫଳତାର ସିଡ଼ି ଚଢ଼ି ଦେଶବିଦେଶରେ ସୁନାମ ଅର୍ଜୁଥିବାବେଳେ ରକ୍ଷଣଶୀଳ ରାଜସ୍ଥାନରେ ନାରୀଜାତିକୁ ପଣ୍ୟ ସାମଗ୍ରୀ ରୂପେ ବ୍ୟବହାର କରାଯାଉଛି। କାଁ ଭଁା କେବେ ନୁହେଁ, ବରଂ ରୀତିମତ ଭାବେ ଏଭଳି ବର୍ବର ଘଟଣା ଘଟୁଥିବା ଜାତୀୟ ମାନବ ଅଧିକାର ଆୟୁକ୍ତ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୃଷ୍ଟିକୁ ଆସିଛି। ନିକଟରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଖବରକାଗଜରୁ ଜାଣିବା ପରେ ଏନ୍‌ଏଚ୍‌ଆର୍‌ସି ରାଜସ୍ଥାନ ସରକାରଙ୍କୁ ଏହା ଉପରେ ଜବାବ ମାଗିଛନ୍ତି।
କଂଗ୍ରେସ ଶାସିତ ରାଜସ୍ଥାନରେ ସ୍ଥାନୀୟ ଖାପ୍‌ ପଞ୍ଚାୟତଗୁଡ଼ିକର ପ୍ରାଧାନ୍ୟ ଓ ପ୍ରାଦୁର୍ଭାବ କାହିଁରେ କ’ଣ। କୌଣସି ସ୍ଥାନରେ ଦୁଇ ପକ୍ଷ ବା ଗୋଷ୍ଠୀ ମଧ୍ୟରେ ବିବାଦ ହେଲେ ଲୋକେ ଥାନା ପରିବର୍ତ୍ତେ ଖାପ୍‌ ପଞ୍ଚାୟତକୁ ଯାଇଥାନ୍ତି। ଗାଁରେ ପଞ୍ଚାୟତ ସଭା ବସି ମାମଲାର ସମାଧାନ କରାଯାଏ। ଅଧିକାଂଶ ସମୟରେ ଖାପ୍‌ ପଞ୍ଚାୟତର ରାୟ ଅସାମ୍ବିଧାନିକ ଓ ଅବୈଧ ହୋଇଥିବା ଜଣାଯାଏ। ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଏଭଳି ପଞ୍ଚାୟତଗୁଡ଼ିକର କାର୍ଯ୍ୟଶୈଳୀକୁ ନିନ୍ଦା କରିଛନ୍ତି। କାରଣ ଖାପ୍‌ ପଞ୍ଚାୟତରେ ତଥାକଥିତ ଭଦ୍ରଲୋକଙ୍କ ଦ୍ୱାରା ନିଷ୍ପତ୍ତି କୌଣସି ଆଇନଗତ ସିଦ୍ଧାନ୍ତ ଆଧାରରେ ନିଆଯାଇ ନ ଥାଏ। ଆର୍ଥିକ କାରବାର କିମ୍ବା ଋଣ ଦେଣନେଣ କ୍ଷେତ୍ରରେ ବିବାଦ ସୃଷ୍ଟି ହେଲେ କ୍ଷତିଭରଣା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ପକ୍ଷଙ୍କ ଝିଅ, ଭଉଣୀଙ୍କୁ ନିଲାମ କରାଯାଇଥାଏ। ୮ରୁ ୧୮ ବର୍ଷୀୟା ଝିଅମାନଙ୍କୁ ବିଧିବଦ୍ଧ ଭାବେ ଷ୍ଟାମ୍ପପେପରରେ ଲେଖାପଢ଼ା କରି ବିକ୍ରି କରାଯାଏ। ଏପରି କି ଘରର ମହିଳାମାନଙ୍କୁ ବଳାତ୍କାର ମଧ୍ୟ କରାଯାଏ। ସେମାନଙ୍କୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମୁମ୍ବାଇ, ଦିଲ୍ଲୀ ତଥା ଦେଶ ବାହାରକୁ ଚାଲାଣ କରାଯାଇଥାଏ। ଚାଲାଣ ଯୁବତୀ ନାନା ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ରାଜ୍ୟରେ ଯେଉଁ ଦଳର ସରକାର କ୍ଷମତାରେ ରହିଲେ ମଧ୍ୟ ଏଭଳି କଳଙ୍କିତ ବ୍ୟାଧି ହଟାଇବାରେ ବିଫଳ ହେଉଛନ୍ତି।
ଅକ୍ଟୋବର ୨୬ରେ ଏକ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ଏନ୍‌ଏଚ୍‌ଆର୍‌ସି ରାଜସ୍ଥାନ ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭିଲ୍‌ଓ୍ବାଡାରେ ଯେତେବେଳେ ବି ଦୁଇ ପକ୍ଷ ମଧ୍ୟରେ କୌଣସି ବିବାଦ ହୁଏ ସେମାନେ ଥାନାକୁ ନ ଯାଇ ସମାଧାନ ପାଇଁ ଖାପ୍‌ ପଞ୍ଚାୟତର ଆଶ୍ରୟ ନେଇଥାନ୍ତି। ଏଇଠୁ ଆରମ୍ଭ ହୋଇଥାଏ ସେମାନଙ୍କ ଘରର ଝିଅ ଓ ମହିଳାଙ୍କୁ ଦାସତ୍ୱ ଭିତରକୁ ଠେଲିଦେବା ପ୍ରକ୍ରିୟା। ମୀମାଂସା ପରେ ଦୋଷୀ ପକ୍ଷ କ୍ଷତିପୂରଣ ରାଶି ପଇଠ ନ କଲେ କିମ୍ବା ଝିଅ ଭଉଣୀଙ୍କୁ ନିଲାମ ପାଇଁ ଟେକି ନ ଦେଲେ ଖାପ୍‌ ପଞ୍ଚାୟତ ଆହୁରି ନୃଶଂସ ହୋଇଯାଏ। ମୁଖିଆଙ୍କ ଅର୍ଡର ଆସେ ମହିଳାଙ୍କୁ ବଳାତ୍କାର ପାଇଁ। ଏକ ମାମଲାରେ ୧୫ ଲକ୍ଷ ଟଙ୍କାର ଋଣ ପରିଶୋଧ ପାଇଁ ପଞ୍ଚାୟତ ରାୟ ଦେଇଥିଲା। ଯେଉଁ ବ୍ୟକ୍ତି ଟଙ୍କା ପରିଶୋଧ କରିବା କଥା ସେ ଅକ୍ଷମ ହେବାରୁ ପ୍ରଥମେ ତାଙ୍କ ଭଉଣୀଙ୍କୁ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସତ୍ତ୍ୱେ ସମ୍ପୂର୍ଣ୍ଣ ଋଣ ଅର୍ଥ ଆଦାୟ ହୋଇ ନ ଥିବା ଦର୍ଶାଇ ବ୍ୟକ୍ତିଙ୍କ ୧୨ ବର୍ଷୀୟା ଝିଅକୁ ନିଲାମ କରାଯାଇଥିଲା। ଝିଅଟିକୁ ୮ ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତି କିଣିଥିଲେ। ଅନ୍ୟ ଏକ ଘଟଣାରେ ଜଣେ ବ୍ୟକ୍ତି ଋଣ ଶୁଝିବା ପାଇଁ ନିଜ ଘର ବିକ୍ରି କରିଦେଇଥିଲେ। ହସ୍ପିଟାଲରେ ନିଜ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସେ ୬ ଲକ୍ଷ ଟଙ୍କା ଋଣ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ତ୍ରୀ ଆଖି ବୁଜି ଦେଇଥିଲେ। ରୋଗିଣା ମା’ଙ୍କ ଚିକିତ୍ସା ପାଇଁ ସେ ଆଉ ୬ ଲକ୍ଷ ଟଙ୍କାର ଋଣ ନେଲେ। ଋଣ ପରିଶୋଧ ପାଇଁ ସେ ନିଜ କୁନି ଝିଅକୁ ବିକ୍ରି କରିଦେଇଥିଲେ। ଝିଅକୁ କିଣିଥିବା କେତେଜଣ ବ୍ୟକ୍ତି ତାଙ୍କୁ ଆଗ୍ରାକୁ ନେଇଯାଇଥିଲେ। ଝିଅଟି ୩ ଥର ବିକ୍ରି ହୋଇଥିବାବେଳେ ୪ ଥର ଗର୍ଭବତୀ ହୋଇଥିବା ପ୍ରକାଶିତ ରିପୋର୍ଟରୁ ଏନ୍‌ଏଚ୍‌ଆର୍‌ସି ଜାଣିବା ପରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?