ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ଅପରାହ୍ନରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ପ୍ରଭାବିତ ଗ୍ରାମକୁ ଗସ୍ତ କରି ବାତ୍ୟା ବିପନ୍ନ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
ପଞ୍ଚାୟତ ଅଧୀନ ଚୈତନ୍ୟ ପ୍ରସାଦ ଗାଁରେ କଣ୍ଟେଇଯୋଡ଼ି ନଦୀ ଓ ଶାମୁକା ନାଳର ବନ୍ୟା ଜଳ ପଶିଯାଇଥିଲା। ଗାଁର ତଳିଆ ଅଞ୍ଚଳର କଚ୍ଚା ଘରଗୁଡ଼ିକରେ ରହୁଥିବା ପ୍ରାୟ ୫୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅଙ୍ଗନୱାଡ଼ି କେନ୍ଦ୍ରର ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ତେନ୍ତୁଆପଡ଼ାରେ ବାହୁଦା ଓ କଣ୍ଟେଇଯୋଡ଼ି ନଦୀର ପାଣି ମାଡ଼ି ଆସିବାରୁ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଥିଲେ।
ମାଣିକ୍ୟପୁର ଗ୍ରାମରେ ରାତିଅଧରେ ପାହାଡ଼ରୁ ପ୍ରଖର ସ୍ରୋତରେ ପାଣି ମାଡ଼ି ଆସିବା ସହ ବାଇନାଥ ସେଠୀଙ୍କ ଘର ଉପରେ ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡ଼ିଥିଲା; ତେବେ ପରିବାରବର୍ଗ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜକର ଗ୍ରାମ ରାଜସ୍ୱ ନିରୀକ୍ଷକ (RI)ଙ୍କ କାର୍ଯ୍ୟାଳୟ ଓ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଉପରେ ଗଛର ବିଶାଳ ଡାଳ ଭାଙ୍ଗି ପଡ଼ିଛି।
ସେହିପରି ଜନଜାତି ବହୁଳ ଗଙ୍ଗାପୁର ଗାଁର ୬ଟି ପରିବାରର ଚାଳଛପର ଘର ଏବଂ ପ୍ରାୟ ୩୦ ବର୍ଷର ପୁରୁଣା ଇନ୍ଦିରା ଆବାସର ଟିଣ ଛପର ନଷ୍ଟ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରଖାଯାଇଛି।
ପଞ୍ଚାୟତ ଅଧୀନ ପ୍ରାୟ ସମସ୍ତ ଗ୍ରାମର ହଜାର ହଜାର ଏକର ଚାଷଜମିରେ ଅମଳ ପାଇଁ ପ୍ରସ୍ତୁତ ଥିବା ଧାନ ଫସଲ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ସହାୟତା ପ୍ରଦାନ କରିବା ସହ ଘର ଭାଙ୍ଗିଯାଇଥିବା ବିପନ୍ନଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଯୋଗାଇଦେବାକୁ ଜକର ସରପଞ୍ଚ ରଶ୍ମିତା ପ୍ରଧାନ ପ୍ରଶାସନ ନିକଟରେ ଦାବି କରିଛନ୍ତି।

