ସାମ୍ପ୍ରତିକ ସମୟବୋଧ

ଡ. ମନୋରଞ୍ଜନ ବିଷୋୟୀ

ଏକବିଂଶ ଶତକର ବିଶ୍ୱ ସମଗ୍ର ଜଗତ ପାଇଁ ଆଣିଛି ଏକ ଅବିଶ୍ୱସନୀୟ ପରିବର୍ତ୍ତନ। ଜଗତୀକରଣର ଦୃଷ୍ଟିଭଙ୍ଗୀ ନେଇ ଆଜି ସମଗ୍ର ବିଶ୍ୱ ହୋଇଛି ଗୋଟିଏ ପରିବାର। ବୈଷୟିକ ଜ୍ଞାନର ବିକାଶ ଫଳରେ ପୃଥିବୀର କୋଣ ଅନୁକୋଣରେ ଘଟିଯାଉଥିବା ଘଟଣା ମୁହୂର୍ତ୍ତକ ଭିତରେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ପୃଥିବୀର ଯେକୌଣସି ଅଞ୍ଚଳରେ ଘଟୁଥିବା ଏକ ଆକସ୍ମିକ ବିପର୍ଯ୍ୟୟ ସମଗ୍ର ବିଶ୍ୱ ପାଇଁ ଆଣିଛି ସମାନ ଭାବରେ ଦୁଃଖଦ ସ୍ମୃତି। ଏପରିକି ବିଜ୍ଞାନର ଚରମ ଅଭ୍ୟୁଦୟ ଯେତିକି ଆଣିଛି ସମନ୍ବୟ, ସେତିିକି ବି ସୃଷ୍ଟି କରିଛି ବିପର୍ଯ୍ୟୟ, ଯାହାର ଜ୍ୱଳନ୍ତ ଉଦାହରଣ ସମ୍ପ୍ରତି ଦେଖାଦେଇଥିବା ପରିସ୍ଥିତି।
ପ୍ରକୃତପକ୍ଷେ କହିବାକୁ ଗଲେ ଆଜି ମଣିଷ ମୁହୂର୍ତ୍ତ ସର୍ବସ୍ବ ମନସ୍ଥିତିକୁ ନେଇ କାଳ ଅତିବାହିତ କରୁଛି। ଅତୀତର ପ୍ରଲମ୍ବିତ ଯୁଗସର୍ବସ୍ବ ମନୋବୃତ୍ତି ଆଜି ତିରୋହିତ। ଆଜି ମଣିଷ ପରିବର୍ତ୍ତିତ ପରିସ୍ଥିତି ସହ ସାଲିସ୍‌ କରିବାକୁ ବାଧ୍ୟ। ସାମ୍ପ୍ରତିକ କାଳରେ ଛଳନାମୟ ରାଜନୈତିକ ଯାତ୍ରା, ଫମ୍ପା ମୂଲ୍ୟବୋଧର ଜୟଗାନ, ମାନବୀୟ ଦୃଷ୍ଟିଭଙ୍ଗୀର ଅବମୂଲ୍ୟାୟନ ସହ ସମ୍ପର୍କ ଓ ସଂପ୍ରୀତିର ମୃତ୍ୟୁ ଘଟିଛି। ପ୍ରତିଷ୍ଠା ଓ ସ୍ବୀକୃତି କାଙ୍ଗାଳ ମଣିଷ ବସ୍ତୁବାଦୀ ଦୃଷ୍ଟିକୋଣର ମୋହରେ ଆତ୍ମମଗ୍ନ ହୋଇଉଠିଛି। ଭୋଗସର୍ବସ୍ବ ମନୋବୃତ୍ତି ଆଜି ମଣିଷକୁ ମଣିଷ ପାଖରେ ବିଭେଦର ରେଖା ଟାଣି ଠିଆ କରାଇଛି। ସମ୍ପ୍ରତି ଏହି ସମସ୍ୟା କେବଳ ବ୍ୟକ୍ତିର ନୁହେଁ; ଏହା ହେଉଛି ସମୟର। ମଣିଷପଣିଆର ଡୋରି କ୍ରମେ ଶିଥିଳ ହେବାରେ ଲାଗିଛି। ଆଜି ପାରସ୍ପରିକ ସଂପ୍ରୀତି ଓ ସୌହାର୍ଦ୍ଦ୍ୟ ପରାହତ ହୋଇଛି। ଦେଶଠାରୁ ଆରମ୍ଭ କରି ବିଦେଶ ସର୍ବତ୍ର ଆଜି ମଣିଷ ଆପଣାର ପ୍ରାପ୍ତି ପାଇଁ ନିଖିଳ ବିଶ୍ୱକୁ ଉପେକ୍ଷା କରିଚାଲିଛି।
ଏ ପରିପ୍ରେକ୍ଷୀରେ କହିରଖେ, ବ୍ୟକ୍ତି ଏକ ବୃହତ୍ତର ପରିସରରେ ସଂଚରିତ ହେବାର ଅଭିପ୍ରାୟ ରଖି ସୃଷ୍ଟି କରିଛି ସମାଜ। ବୃହତ୍ତର ମଣିଷର ସ୍ବାର୍ଥ ସିଦ୍ଧି ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସମାଜର ପରିକଳ୍ପନା। ସମାଜକୁ ଶୃଙ୍ଖଳିତ କରିବା ଏକ ସାମୂହିକ କଲ୍ୟାଣର ପ୍ରତିଫଳନ ମାତ୍ର। ନୀତି, ଆଦର୍ଶ, ଚଳଣି ଓ ବିଶ୍ୱାସ ବଞ୍ଚତ୍ବାର ମାର୍ଗ ଉପରେ ପର୍ଯ୍ୟବସିତ। ସମୟର ଧାରାରେ କିନ୍ତୁ ଆଜି ମୂଲ୍ୟବୋଧ କ୍ରମଶଃ ଏକ କ୍ଷୟିଷ୍ଣୁ ପଥରେ ଗତି କରୁଛି। ଦିନେ ଉପନିଷଦୀୟ ଅଭିବ୍ୟକ୍ତିର ମଣିଷ ଥିଲା ଅମୃତର ସନ୍ତାନ। ଏ ବିଶ୍ୱ ଏକ ମହତ୍‌ କାର୍ଯ୍ୟ ସମ୍ପାଦନ ଦିଗରେ ମଣିଷ ସୃଷ୍ଟି ଲାଭ କରିଥିବା ବିଶ୍ୱାସ କରାଯାଏ। ଜୀବନ ବ୍ୟକ୍ତିରୁ ଆରମ୍ଭ ହୋଇ ପରିବାରକୁ ଆଧାର କରି କ୍ରମେ ବୃହତ୍ତର ସମାଜ ଦିଗରେ ପରିବ୍ୟାପ୍ତ ହୋଇଥିଲା। କିନ୍ତୁ ଆଜିର ଏହି ସଙ୍କଟମୟ ବିଶ୍ୱରେ ଜୀବନ ହୋଇଛି ସତତ ବିଦୀର୍ଣ୍ଣ।
ଏଠାରେ କହିରଖେ, ଭାରତୀୟ ଅନୁଭୂତିରେ ଜୀବନ-ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ଯାତ୍ରାପଥ ମାତ୍ର ନୁହେଁ। ଧର୍ମ, ଅର୍ଥ, କାମ, ମୋକ୍ଷ ପରି ଚତୁଃବର୍ଗ ପ୍ରାପ୍ତି ହେଉଛି ଜୀବନର ଲକ୍ଷ୍ୟ। ଏକଦା ମନୁଷ୍ୟ ବିଶ୍ୱାସ କରୁଥିଲା, ଏକ ବୃହତ୍ତର ସ୍ବାର୍ଥ ସିଦ୍ଧି ପାଇଁ ଆତ୍ମ ଉତ୍ସର୍ଗ ହେଉଛି ଏକମାତ୍ର ପନ୍ଥା। ସମଗ୍ର ବସୁଧାକୁ ଏକ କୁଟୁମ୍ବ ଭାବରେ ପରିକଳ୍ପନା କରି ସାମୂହିକ ସ୍ବାର୍ଥସିଦ୍ଧି ନିମନ୍ତେ ବ୍ୟକ୍ତି ଆପଣାକୁ ଉତ୍ସର୍ଗ କରିଥିଲା। କିନ୍ତୁ ପରିବର୍ତ୍ତିତ ପରିବେଶରେ ପରମ୍ପରା କ୍ରମେ ଗଡ଼ି ଆସୁଥିବା ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆଜି ଜୀବନକୁ କରିଛି ବିପର୍ଯ୍ୟସ୍ତ। ଆପଣାର ସ୍ବାର୍ଥ ସିଦ୍ଧି ପାଇଁ ଅହରହ ଚେଷ୍ଟିତ ମଣିଷ ପ୍ରତ୍ୟେକ ମୁହୂର୍ତ୍ତରୁ ସଫଳତା ହିଁ ଖୋଜି ଚାଲିଛି। ପରିଣତି ସ୍ବରୂପ ନା ସେ ବ୍ୟକ୍ତିଗତ ଜୀବନରେ ପାଇଛି ପୂର୍ଣ୍ଣତା, ନା ସମୂହରେ ପାଇଛି ସ୍ବୀକୃତି। କହିବାକୁ ଗଲେ ସାମ୍ପ୍ରତିକ ମଣିଷ ଆଜି ଦୁଇଟି ପୃଥିବୀର ଅଧିବାସୀ। ଗୋଟିଏ ଦିଗରେ ପରମ୍ପରାର ପୃଥିବୀ ତାକୁ ନିତ୍ୟ ପ୍ରତ୍ୟହ ଆନ୍ଦୋଳିତ କଲାବେଳେ ଅନ୍ୟ ଏକ ପୃଥିବୀ ତାକୁ ପ୍ରତିଷ୍ଠା ଓ ସଫଳତା ଦିଗରେ ଉଚ୍ଚକିତ କରିଛି।
ପରିଶେଷରେ କେବଳ ଏତିକି କହିବି- ସାମ୍ପ୍ରତିକ ସମାଜରେ ସମସ୍ୟା ବିଜଡ଼ିତ ମଣିଷ ନିଶ୍ଚିତ ଭାବରେ ଏକ ବିଷଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି। କିନ୍ତୁ ଏ ବିଷଣ୍ଣତା, ଏ ଅସହାୟତା ବ୍ୟକ୍ତିତ୍ୱର ପରାଜୟ ନୁହେଁ। ଭାରତୀୟ ପରମ୍ପରା ଯୁଗେ ଯୁଗେ ଦସ୍ୟୁ ରତ୍ନାକରରୁ ବାଲ୍ମୀକିରେ ରୂପାନ୍ତରଣ ପ୍ର୍ରକ୍ରିୟା ପାଇଁ ପଥ ଉନ୍ମୋଚନ କରିଥାଏ। ସେହି ଧାରାରେ ସମାଜର ପୁନର୍ଗଠନ ଓ ନୈତିକ ଉତ୍ତରଣ ନିମନ୍ତେ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଅଛି।
ସ୍ନାତକୋତ୍ତର ଓଡ଼ିଆ ବିଭାଗ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
ମୋ: ୮୮୯୫୧୪୧୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri