ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କ୍ଷମତାସୀନ ବ୍ୟକ୍ତିମାନେ କଥାକଥାକେ ବର୍ତ୍ତମାନ ମଧ୍ୟ କହୁଛନ୍ତି ଯେ, ନାଗରିକଙ୍କର ଯଦି କୌଣସି ଆପତ୍ତି ଅଛି ତେବେ ସେମାନେ ନ୍ୟାୟାଳୟକୁ ଯାଇ ନ୍ୟାୟ ଖୋଜନ୍ତୁ। ଏହାର ଅର୍ଥ ହେଲା ଶକ୍ତିଶାଳୀ ଏବଂ ପଇସା ଥିବା ଲୋକ ଏକ ପ୍ରକାର ସୁନିଶ୍ଚିତ ଅଛନ୍ତି ଯେ, ସେମାନଙ୍କ ବିରୋଧରେ କୌଣସି ନ୍ୟାୟାଳୟ ରାୟ ଦେବ ନାହିଁ। ଏଭଳି ପ୍ରଚ୍ଛଦପଟରେ ଗତ ସପ୍ତାହରେ ଅବସର ନେଇଥିବା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ତାଙ୍କ ବିଦାୟୀ ଭାଷଣରେ ଅଦାଲତର ଭିତିରି କଥା ପ୍ରକାଶ କରିଛନ୍ତି। ଜଷ୍ଟିସ କାରୋଲ କହିଛନ୍ତି, ‘ବିଚାରପତି ଭଗବାନ୍ ନୁହନ୍ତି’। ଜଜ୍ଙ୍କ ସବୁ ରାୟ ଠିକ୍ ହୋଇ ନ ପାରେ। କେବଳ କାଗଜପତ୍ର ନୁହେଁ, ପ୍ରତ୍ୟେକ ମଣିଷ ପଛରେ ଥିବା ମାମଲାଟିକୁ ଦେଖିବା ଦରକାର ବୋଲି ଜଷ୍ଟିସ କାରୋଲ ନିଜସ୍ବ ମତ ଦେଇଛନ୍ତି। ମନେପକାଇ ଦିଆଯାଇପାରେ ଯେ, ଜଷ୍ଟିସ କାରୋଲ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଗୃହିଣୀଙ୍କ ମାସିକ ଆୟ ୩୦,୦୦୦ ଟଙ୍କା ହେବା ଉଚିତ ବୋଲି ଜୁନ୍ ୨୦୨୬ରେ ଯୁଗାନ୍ତକାରୀ ରାୟ ଦେଇ ଚର୍ଚ୍ଚିତ ହୋଇଥିଲେ। ଉକ୍ତ ରାୟରେ ସେ ଗୃହିଣୀଙ୍କ କାର୍ଯ୍ୟ ପ୍ରତି ମାନବୀୟ ଓ ଅର୍ଥନୈତିକ ମୂଲ୍ୟ ଯୋଡ଼ିଦେଇଥିଲେ। ଭାରତର ପ୍ରଥମ ଐତିହ୍ୟ ଗ୍ରାମ ହିମାଚଳ ପ୍ରଦେଶର ‘ଗାର୍ଲି’ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ କାରୋଲ ଯୁବ ଆଇନଜୀବୀଙ୍କ ପ୍ରତି ବନ୍ଧୁ ଭଳି ବ୍ୟବହାର କରୁଥିବାରୁ ସେ ‘ଚାଚାଜୀ’ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଯେଉଁ ପରିପ୍ରେକ୍ଷୀକୁ ଅନିଶା କରି ‘ବିଚାରପତିମାନେ ଭଗବାନ୍ ନୁହନ୍ତି’ ବୋଲି ସେ କହିଛନ୍ତି, ତାହାର ପ୍ରାସଙ୍ଗିକତା ସର୍ବଦା ଲକ୍ଷ୍ୟ କରାଯାଇଥାଏ। ଦେଖିବାକୁ ଗଲେ ବିଚାରପତିଙ୍କର ଅନୁଭୂତି ଓ ଜ୍ଞାନ ସୀମିତ। ସେହି ଦୃଷ୍ଟିରୁ ଦେଖିଲେ ଜଜ୍ମାନେ ମଧ୍ୟ ଭୁଲ୍ କରିପାରନ୍ତି। ଜଷ୍ଟିସ୍ କାରୋଲଙ୍କ ପୂର୍ବରୁ ଜୁଲାଇ ୨୦୨୫ରେ ଉତ୍ତରପ୍ରଦେଶର ଏକ ମନ୍ଦିର ସଂକ୍ରାନ୍ତ ମାମଲାର ବିଚାର ବେଳେ ସୁପ୍ରିମକୋର୍ଟର କାର୍ଯ୍ୟରତ ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନ୍ କହିଥିଲେ, ‘ଆମ ଭିତରେ ଭଗବାନ୍ଙ୍କୁ ଖୋଜନ୍ତୁ ନାହିଁ, ନ୍ୟାୟରେ ଈଶ୍ୱରଙ୍କୁ ଖୋଜନ୍ତୁ’। ଅର୍ଥାତ୍ ସେହି ଦୁଇ ବିଚାରପତି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସେମାନେ ଦୈବୀଶକ୍ତି ପାଇଥିବା ମଣିଷ ନୁହନ୍ତି। ଲିପିବଦ୍ଧ ଅକ୍ଷରରୁ ନ୍ୟାୟ ବାହାର କରିବା କାର୍ଯ୍ୟରେ ବିଶ୍ୱାସ କରନ୍ତି। ପୂର୍ବରୁ କୁହାଯାଉଥିଲା ବିଚାରପତିମାନେ ସୀମିତ ସାମାଜିକ ସମ୍ପର୍କ ରଖିବା ଆବଶ୍ୟକ, ଯଦ୍ଦ୍ବାରା ତାଙ୍କ କାର୍ଯ୍ୟ ଉପରେ କୌଣସି ବାହ୍ୟଶକ୍ତି ପ୍ରଭାବ ପକାଇ ପାରିବ ନାହିଁ। ସେହି ଚିନ୍ତାଧାରା ପୂର୍ବରୁ ଅନେକ ଥର ଭାଙ୍ଗିଯାଇଥିଲା, କିନ୍ତୁ ତାହାର ସୁନିଶ୍ଚିତ ମୃତ୍ୟୁ ଘଟିଲା ଯେତେବେଳେ ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ଯଶଓ୍ବନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର ଟଙ୍କା ପୋଡ଼ୁଥିବାର ଖବର ଦିଲ୍ଲୀ ଅଗ୍ନିଶମ ଅଧିକାରୀ ଗଣମାଧ୍ୟମକୁ ଦେଇଥିଲେ। ସବୁ ପ୍ରକାର ସମ୍ପର୍କ ରଖି ସବ୍ଅର୍ଡିନେଟ୍ ବା ନିମ୍ନ ଅଦାଲତର ପ୍ରିଜାଇଡିଂ ଅଫିସରମାନେ ଯେଉଁଭଳି ଭାବେ ମାମଲାଗୁଡ଼ିକୁ ଆରମ୍ଭରୁ ନଷ୍ଟ କରିଦେଉଛନ୍ତି, ତାହାର ଫଳସ୍ବରୂପ ପ୍ରବଳ ସଂଖ୍ୟକ ବ୍ୟାକ୍ଲଗ୍ ବା ଅମୀମାଂସିତ ମାମଲା ପଡ଼ିରହୁଛି। ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ମାନଙ୍କ ପାଖରେ ମାମଲାର ଶୁଣାଣି ହେଲା ବେଳକୁ ସେହିସବୁ ମାମଲାର ରୂପରେଖ ବୁଝିବା ଅତ୍ୟନ୍ତ କଷ୍ଟକର ହେଉଛି। ଏହା ସହିତ ରାଜନୈତିକ ଓ ଅମଲାତାନ୍ତ୍ରିକ ପ୍ରଭାବ ଦ୍ୱାରା ବିଚାରପତି ମନୋନୀତ ହେଉଥିବାରୁ ନ୍ୟାୟାଳୟଗୁଡ଼ିକର ରାୟର ମାନ ହ୍ରାସ ପାଉଛି। ନ୍ୟାୟାଧୀଶ ହେବା ପରେ ସରକାରଙ୍କୁ ସନ୍ତୁଷ୍ଟ କଲାଭଳି ରାୟ ଦେଲେ ରଞ୍ଜନ ଗୋଗୋଇଙ୍କ ଭଳି ରାଜ୍ୟ ସଭା ସଦସ୍ୟ ହେବା ସହଜ ହେଉଛି।
ତେଣୁ ଗତ ସପ୍ତାହରେ ଅବସର ନେଇଥିବା ଜଷ୍ଟିସ ସଞ୍ଜୟ କାରୋଲଙ୍କ ମତ ଯେ, ନ୍ୟାୟାଧୀଶମାନେ ଭଗବାନ୍ ନୁହନ୍ତି, ପ୍ରମାଣ କରୁଛି ଭାରତୀୟ ନ୍ୟାୟ ବ୍ୟବସ୍ଥାର କେଉଁ ଅବସ୍ଥା ହେଲାଣି। ନ୍ୟାୟାଧୀଶମାନେ ଭଗବାନ୍ ନୁହନ୍ତି ବୋଲି ସମସ୍ତେ ଜାଣୁ। କିନ୍ତୁ ୨୦୦୬ ମସିହାରେ ଭାରତର ବାର୍ କାଉନସିଲ (ବିସିଆଇ) ଏକ ସଂକଳ୍ପ ଜାରି କରି କହିଥିଲା ଯେ, ଜଷ୍ଟିସ୍ମାନଙ୍କୁ କୌଣସି ଆଇନଜୀବୀ ‘ମାଇଁ ଲର୍ଡ’ କିମ୍ବା ‘ୟୋର୍ ଲର୍ଡଶିପ୍’ ଉଚ୍ଚାରଣ କରିବେ ନାହିଁ। ହେଲେ ତାହା ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି। ଏହା ଆଇନଜୀବୀଙ୍କ ମାନସିକତାକୁ ଦର୍ଶାଉଥିବା ବେଳେ ସମଗ୍ର ନ୍ୟାୟ ବ୍ୟବସ୍ଥା ସେହିଭଳି ଆଣ୍ଠେଇ ରହିଛି।

