ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’ କେହି କହିଲେ ‘କୁଳର ଦୀପ ଜଳିଲା।’ ଆଉ କେହି ଆଶୀର୍ବାଦ ଦେଲେ ‘ବଡ଼ ହୋଇ ନାଁ କରୁ।’ ମା’ବାପା ମଧ୍ୟ ସ୍ବପ୍ନ ଦେଖିଲେ। ପିଲାଟି ବଡ଼ ହେବ, ଭଲ ମଣିଷ ହେବ, ନିଜ ଗୋଡ଼ରେ ଠିଆ ହେବ, ମା’ବାପାଙ୍କ ମୁହଁରେ ହସ ଫୁଟାଇବ। କିନ୍ତୁ ପିଲା ବଡ଼ ହେବା ସହିତ ମା’ବାପାଙ୍କ ଚିନ୍ତା ବଢ଼ିଲା।
ପିଲାଟି ଏଣିକି ବଡ଼ ହେଲା। ଦୁଷ୍ଟାମି କଲା। ଖେଳଣା ଭାଙ୍ଗିଲା। ଘରର ଜିନିଷ ଫିଙ୍ଗିଲା। ଭାଇଭଉଣୀଙ୍କ ସହ ଝଗଡ଼ା କଲା। ମା’ ଝଗଡା ତୁଟାଉ ତୁଟାଉ ଗେହ୍ଲାରେ କହିଲେ -‘ଆହା! ଏ ପିଲାଟା ଭାରି ଦୁଷ୍ଟ!’ ବାପା କହିଲେ ‘ଛୋଟ ପିଲାଟା ଦୁଷ୍ଟାମି କରୁ। ଏଇ ବୟସରେ ଦୁଷ୍ଟାମି ନ କଲେ ଆଉ କେବେ କରିବ?’ ସେତେବେଳେ ଦୁଷ୍ଟାମି ଥିଲା ମନୋରଞ୍ଜନ। ପୁଲକ ଦେଉଥିଲା ମା’ବାପାଙ୍କୁ। ତେଣିକି ପିଲା ସ୍କୁଲକୁ ଗଲା ତିନି ବର୍ଷରୁ। ପ୍ଲେ ସ୍କୁଲରେ ଯାବତୀୟ ଦୁଷ୍ଟାମି ଓ କନ୍ଦାକଟା। ଧୀରେ ଧୀରେ ବଡ଼ ହେଲା। ଶ୍ରେଣୀ ସଂଖ୍ୟା ବଢ଼ିଲା। ବିଦ୍ୟାଳୟରୁ ଫୋନ୍ ଆସିଲା। ମା’ବାପା ଲଜ୍ଜିତ। ଘରେ ଆସି ପିଲାକୁ ପଚରାଉଚରା। ଏକ ଛୋଟ ଘରୋଇ ଅଦାଲତ ବସିଗଲା। ବାପା ଜଜ୍। ମାଆ ସରକାରୀ ଓକିଲ। ପିଲା ଅଭିଯୁକ୍ତ। ନାନା ପ୍ରଶ୍ନ। ପିଲାର ଚିରାଚରିତ ଉତ୍ତର। ଶେଷରେ ରାୟ ‘ଆଉ ଦୁଷ୍ଟାମି କରିବୁନି।’ ପିଲା ମୁଣ୍ଡ ହଲାଇଲା। ପରଦିନ ପୁଣି ସେଇ ସେଇ ଦୁଷ୍ଟାମି! ବ୍ୟସ୍ତ ଭିତରେ ଥିବା ମା’ବାପାଙ୍କୁ ଦେଖି ପିଲାମାନେ ବି ବୁଝିଗଲେଣି ମା’ବାପା ନିକଟରେ ବେଶି ସମୟ ନାହିଁ। ସଂକ୍ଷିପ୍ତ, ସରଳ ଅଥଚ ମନ ବୁଝାଇଲା ଭଳି ଉତ୍ତର ଥୋଇଦେଲେ କାମ ଶେଷ।
ପିଲା ଆଉ ଟିକେ ବଡ଼ ହେଲା। ଏବେ ହାତରେ ମୋବାଇଲ। ପାଠ ପଢୁଛି କି ଆଉ କ’ଣ କରୁଛି। ଗେମ୍, ରିଲ, ଚାଟିଂଠାରୁ ଆରମ୍ଭ କରି ଆହୁରି କେତେ କ’ଣ ଭିତିରି କାରବାରରେ ବ୍ୟସ୍ତ। ମାଆ ଖାଇବାକୁ ଡାକି ଡାକି ଅଥୟ ହେଲା ପରେ ଶେଷରେ ଥାଳି ନେଇ ମୋବାଇଲ୍ ସାମ୍ନାରେ ଠିଆ। ସେଠି ମୋବାଇଲ ଚାଲୁଥିବ ପାଟିରେ ଖାଇବା ପଶୁଥିବ। କ’ଣ ଖାଇଲା ସେ ଜାଣି ନ ଥିବ। କିଶୋରକିଶୋରୀ ହେଲେ ପୁଣି ଦୁଷ୍ଟାମିର ମାତ୍ରା ଅଧିକ। ଏ ବୟସଟା ଅଦ୍ଭୁତ। ପିଲା ଭାବେ ମୁଁ ସବୁ ଜାଣେ। ମା’ବାପା କିଛି ନ ଜାଣି ଖାଲି ଗରଗର। ମା’ ବାପା ଭାବନ୍ତି ‘ତୁ ଏବେ ବି କିଛି ଜାଣୁନାହୁଁ।’ ଏହି ଦୁଇ ଧାରଣା ମଝିରେ ଆରମ୍ଭ ହୁଏ ଘରୋଇ ମହାଭାରତ। ମା’ବାପାଙ୍କ ମନରେ ହଜାର ପ୍ରଶ୍ନ ଉଙ୍କି ମାରେ। ତନଖି ଚାଲେ। ସେଇଟା ଜାଣିଲେ ପିଲା ପୁଣି ଉତ୍ତେଜିତ ହୁଏ। ଘରେ ବିବାଦ ଆରମ୍ଭ। ପିଲା ତା’ର ଦୁନିଆରେ। ମା’ବାପା ତାଙ୍କ ଭୟର ଦୁନିଆରେ ରହନ୍ତି। ତେବେ ଏହି ଦୁଇ ଦୁନିଆ ମଧ୍ୟରେ ସେତୁଟିଏ ତିଆରି ହୋଇପାରେନା। ସେମିତିରେ ବୟସ ଅତିକ୍ରାନ୍ତ ହୋଇ ଚାକିରି ପାଇ ପିଲା ଅନ୍ୟ ସହରକୁ ଚାଲିଗଲେ ସେ ଭାବେ ମା’ବାପାଙ୍କଠାରୁ ମୁକ୍ତି ମିଳିଲା। ସମ୍ପର୍କ କ୍ଷୀଣ ହେବା ଆରମ୍ଭ ହୁଏ। ମା’ବାପାଙ୍କ ମନରେ ନୂଆ ଭୟ ଆରମ୍ଭ ହୁଏ। ଦିନସାରା ବ୍ୟସ୍ତ ଭିତରେ ପିଲାଟି କଥା ନ ହୋଇ ରାତିରେ ଫୋନ୍ ନ ଉଠାଇଲେ ରାତିସାରା ମା’ବାପାଙ୍କର ନିଦ ହଜିଯାଏ। ସକାଳୁ ପିଲାର ଉତ୍ତର ‘ଫୋନ୍ ସାଇଲେନ୍ସରେ ଥିଲା।’ ତା’ପରେ ଆସେ ବିବାହ। ମା’ବାପା ପାତ୍ର ଖୋଜିଲା ଭିତରେ ପିଲାଟି ଏଠି ବି ଆଧୁନିକ ଦୁଷ୍ଟାମି କରେ। କେବେ ତ ଭଲ ପାଉଥିବା ଝିଅ କଥା କହେ, ନ ହେଲେ ସିଧା ବାହା ବି ହୋଇଯାଏ। ପରେ ଫୋନ୍ କରେ – ‘ବାହା ହୋଇଗଲି ଦୁହେଁ ଆମକୁ ଆଶୀର୍ବାଦ କର।’ ମା’ବାପା କିଛି କହିଲେ ପିଲାର ଉତ୍ତର ସରଳ ‘ଏହା ମୋ ଜୀବନ। ମୋ ନିଷ୍ପତ୍ତି।’ ଏହା ପିଲାର ଜୀବନ ସତ, କିନ୍ତୁ ଏହି ଜୀବନ ପାଇଁ ଯେଉଁ ଦୁଇଜଣ ଲୋକ ନିଜ ଜୀବନର ଅନେକ ବର୍ଷ ଦେଇଦେଲେ, ସେମାନଙ୍କ ମନରେ ଟିକିଏ ଜାଗା ରଖିବା କ’ଣ ଅପରାଧ? ଏ ପ୍ରଶ୍ନର ଉତ୍ତର ମିଳେନା। ତା ସଂସାର ଠିକ୍ଠାକ୍ ଚାଲିଲେ କିଛି ଅସୁବିଧା ନାହିଁ। ମଝିରେ ଝୁଣ୍ଟିଲେ ଖୁବ୍ ମନେପଡ଼ନ୍ତି ମା’ବାପା। ସେତେବେଳେ ମନର ଆଘାତକୁ କମେଇବାକୁ ନିଶାସକ୍ତ ହୋଇପଡେ ପିଲା। କିନ୍ତୁ ସବୁକିଛି ଭଲରେ ଚାଲୁଥିଲେ ମା’ବାପାଙ୍କ ଅଭିଯୋଗ କିଛି ନ ଥାଏ। କେବଳ ଆଗ୍ରହ ଥାଏ ନିଜ ପିଲାକୁ ଦେଖିବାକୁ ଓ ତା’ ସହ କିଛି ସମୟ ବିତେଇବାକୁ। ସେତକ ସେ ମା’ବାପାଙ୍କୁ ଦିଏନି। ସବୁବେଳେ କହେ – ‘ଏବେ ବହୁତ କାମ ଅଛି। କାମର ଚାପ ବେଶି।’ ବିଚରା ବୃଦ୍ଧ ଅଭିଭାବକ ସେମିତି ଚୁପ୍ ରହିବାକୁ ବାଧ୍ୟ ହୁଅନ୍ତିି। ତଥାପି ଜୀବନରେ କାମ ସରେ ନାହିଁ। କିନ୍ତୁ ମା’ବାପାଙ୍କ ଜୀବନ ସରିଯାଏ। ଯେଉଁ ଦୁଇଜଣ ଛୋଟ ଅସୁସ୍ଥତାରେ ସାରାରାତି ଜଗୁଥିଲେ, ସେମାନଙ୍କ ଅସୁସ୍ଥତା ପାଇଁ ପିଲା ପାଖରେ ଗୋଟିଏ ଦିନ ମଧ୍ୟ ନ ଥାଏ। ଆଉ ସେ ଅପେକ୍ଷା ଭିତରେ ବାପା କିମ୍ବା ମାଆଙ୍କ ଦେହାନ୍ତ ଖବର ଯାଏ। ତା’ପରେ ପିଲା ଦୌଡେ। କାନ୍ଦେ। ଫଟୋ ଖୋଜେ। ସୋସିଆଲ ମିଡିଆରେ ଲେଖେ ‘ତୁମେ ମୋ ପାଇଁ ସବୁକିଛି ଥିଲ…ା ’ଏବେ ତ ସନ୍ତାନମାନେ ଭିଡିଓ କଲିଂରେ ବି ଶବ ସଂସ୍କାର କରୁଛନ୍ତି।
ଆଜି ଆମେ ପିଲାଙ୍କୁ ଅତ୍ୟଧିକ ସ୍ମାର୍ଟ କରିବାରେ ବ୍ୟସ୍ତ। ମା’ବାପା ନିଜ ପିଲାଙ୍କୁ ବ୍ୟକ୍ତିଗତ ବିକାଶ, କୌଶଳ ବିକାଶ ଓ କ୍ୟାରିୟର କାଉନସେଲିଂ ଭଳି ତାଲିମ ଦେଇ ବହୁ କଥା ଶିଖାଉଛନ୍ତି। କିନ୍ତୁ ସମ୍ପର୍କ କେମିତି ରକ୍ଷା କରିବା ସେ ପାଠ କେବେ ପଢ଼ାଇପାରୁନୁ। ଆମେ ପିଲାଙ୍କୁ ଦୁନିଆ ଜିତିବାକୁ କହୁଛୁ। କିନ୍ତୁ ନିଜ ଘରର ଦୁଇଟି ହୃଦୟକୁ ଜିତିବା ଶିଖାଇପାରୁନୁ। ତେଣୁ ଆସନ୍ତୁ ପିଲାଙ୍କୁ ଦୁଷ୍ଟାମି କରିବାକୁ ଦେବା। ସେ ହସୁ। ଖେଳୁ। ପ୍ରଶ୍ନ କରୁ। ଭୁଲ୍ କରୁ। ପ୍ରେମ କରୁ। ସ୍ବପ୍ନ ଦେଖୁ। କିନ୍ତୁ ତାକୁ ଏତିକି ଶିଖାଇବା ‘ତୋର ସ୍ବାଧୀନତା ଯେମିତି, ଘରର ଦାୟିତ୍ୱ ମଧ୍ୟ ସେମିତି ତୋର।’ ଜେନ୍ ଜି’ଙ୍କୁ ନିବେଦନ। ଚାଲ, ଦୁଷ୍ଟାମି କରିବା! କିନ୍ତୁ ଏମିତି ଦୁଷ୍ଟାମି କରିବା, ଯାହା ମା’ବାପାଙ୍କ ହୃଦୟ ଭାଙ୍ଗିବ ନାହିଁ। ଯାହା ସମ୍ପର୍କକୁ ଭାଙ୍ଗିବ ନାହିଁ। ଯାହା ଜୀବନକୁ ନଷ୍ଟ କରିବ ନାହିଁ। ଯାହାକୁ ମନେ ପକାଇ ବୃଦ୍ଧାବସ୍ଥାରେ ମା’ବାପା ହସି କହିବେ ‘ହଁ, ଆମ ପିଲାଟା ଭାରି ଦୁଷ୍ଟ ଥିଲା…କିନ୍ତୁ ଭାରି ଭଲମଣିଷ ହେଲା।’
ଡ. ଦ୍ୱିତୀ ଚନ୍ଦ୍ର ସାହୁ
– ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

