ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ ମାଇକେଲ ହସିଙ୍କ ସହ ସମ୍ପର୍କ ଛିନ୍ନ କରିଛି। ଏହା ସହିତ, ଖେଳାଳି ଓ କୋଚ ଭାବେ CSK ସହ ଅଷ୍ଟ୍ରେଲିଆର ‘ମିଷ୍ଟର କ୍ରିକେଟ’ ଭାବେ ପରିଚିତଙ୍କ ୧୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଐତିହାସିକ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଦୀର୍ଘ ୮ ବର୍ଷ ଧରି ଦଳର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରୁଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ହସିଙ୍କ ସହ CSKର ସମ୍ପର୍କ ଶେଷ ହୋଇଛି। ତାଙ୍କୁ ଦଳର କୋଚିଂ ତାଲିକାରୁ ହଟାଇ ଦିଆଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହା ସହ ଫିଲ୍ଡିଂ କୋଚ ଜେମ୍ସ ଫୋଷ୍ଟରଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି।
ମାଇକେଲ ହସି ୨୦୧୮ ମସିହାରୁ CSKର ବ୍ୟାଟିଂ କୋଚ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଖେଳାଳି ଭାବେ ମଧ୍ୟ ସେ ଚେନ୍ନାଇ ଦଳ ସହ ଜଡ଼ିତ ଥିଲେ। ତାଙ୍କ ଦୀର୍ଘ ଅବଦାନ ଦଳର କୋଚିଂ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। CSK ପରିଚାଳନା ପକ୍ଷରୁ ହସିଙ୍କୁ ଏହି ନିଷ୍ପତ୍ତି ବିଷୟରେ ଜଣାଇ ଦିଆଯାଇଛି। ଆଗାମୀ ସିଜିନ୍ରେ ତାଙ୍କ ସ୍ଥାନରେ କିଏ ବ୍ୟାଟିଂ କୋଚ ହେବେ, ସେନେଇ ଏପର୍ଯ୍ୟନ୍ତ କୌଣସି ନାମ ଚୂଡ଼ାନ୍ତ ହୋଇନାହିଁ। ଅନ୍ୟ ଆଇପିଏଲ ଦଳ ସହ ହସିଙ୍କ ଯୋଗାଯୋଗ ଥିବା ନେଇ ଜଣାପଡ଼ିଛି।
CSKର ଫିଲ୍ଡିଂ କୋଚ ଜେମ୍ସ ଫୋଷ୍ଟରଙ୍କ ଭବିଷ୍ୟତ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଇଂଲଣ୍ଡର ପୂର୍ବତନ କ୍ରିକେଟର ଫୋଷ୍ଟର ଗତବର୍ଷ ଦଳ ସହ ଯୋଡ଼ି ହୋଇଥିଲେ। ତାଙ୍କ ଚୁକ୍ତିର ଅବଧି ବଢ଼ାଇବା ସମ୍ପର୍କିତ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ତେବେ ତାଙ୍କୁ ଦଳରୁ ହଟାଇବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
IPL ୨୦୨୭ ପାଇଁ ଜାହିର ଖାନଙ୍କ CSKର ନୂଆ ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି। ଦୀର୍ଘ ୧୮ ବର୍ଷ ଧରି ଦଳ ସହ ଜଡ଼ିତ ଥିବା ଷ୍ଟିଫେନ ଫ୍ଲେମିଂଙ୍କ ସ୍ଥାନରେ ସେ ଦାୟିତ୍ୱ ନେଇଛନ୍ତି। ସେହିପରି, ବୋଲିଂ କୋଚ ଏରିକ ସିମନ୍ସଙ୍କ ସ୍ଥାନରେ ମୋହିତ ଶର୍ମା ଦାୟିତ୍ୱ ନେବାକୁ ଯାଉଥିବା ଜଣାପଡ଼ିଛି
ନୂଆ ମୁଖ୍ୟ କୋଚଙ୍କ ନେତୃତ୍ୱରେ CSK ନିଜର ସପୋର୍ଟ ଷ୍ଟାଫକୁ ପୁନର୍ଗଠନ କରୁଥିବା ବେଳେ ବ୍ୟାଟିଂ ଓ ଫିଲ୍ଡିଂ କୋଚ୍ଙ୍କ ପଦବୀକୁ ନେଇ ଆଗାମୀ ଦିନରେ ଅଧିକ ସ୍ପଷ୍ଟତା ଆସିବାର ଆଶା ରହିଛି।
Dharitri – Odisha’s No.1 Odia Daily

