ଶତାବ୍ଦୀର ସଙ୍କଟ

ଡ. ପ୍ରଫୁଲ୍ଲ କୁମାର ସାହୁ

ଦେଶରେ ଏବେ ତାଣ୍ଡବ ରଚୁଛି ମହାମାରୀ କରୋନା। ଜୀବନ ଅସ୍ତବ୍ୟସ୍ତ। ଜୀବିକା ବିପର୍ଯ୍ୟସ୍ତ। କରୋନାର ଏ ଦ୍ବିତୀୟ ଲହର ମାରିବାରେ ଯେତିକି ମାହି, ସଞ୍ଚରିବାରେ ସେତିକି ବିଚକ୍ଷଣ। ପବନ ବେଗରେ ମାଡ଼ିଚାଲିଛି ସଂକ୍ରମଣ। ପ୍ରତିଦିନ ପୋକମାଛି ପରି ଟଳି ପଡୁଛନ୍ତି ହଜାର ହଜାର ଲୋକ। କଞ୍ଚା ପାଚିଲା ସବୁ ସମାନ। ଚାରିଆଡ଼େ ମୃତ୍ୟୁର ବିଭୀଷିକା। ସବୁଠି ଆତ୍ମୀୟଙ୍କୁ ହରାଇବାର କରୁଣ ବିଳାପ। ପରିସ୍ଥିତିକୁ ଅଧିକ ଜଟିଳ କରିପକାଇଛି ଚିକିତ୍ସାତନ୍ତ୍ରର ହୁଗୁଳା ଚେହେରା। କେଉଁଠି ଡାକ୍ତରଖାନାରେ ଶଯ୍ୟା ନାହିଁ ତ କେଉଁଠି ଅକ୍ସିଜେନ ଅଭାବ। କେଉଁଠି ଭେଣ୍ଟିଲେଟର ଉପଲବ୍ଧ ହୋଇପାରୁନି ତ କେଉଁଠି ଜୀବନ ରକ୍ଷାକାରୀ ଔଷଧ ବିନା ଟଳିପଡୁଛି ଜୀବନ। ଅର୍ଥାତ୍‌ ଶତାବ୍ଦୀର ଏ ସଂକଟ ଆଗରେ ଆଣ୍ଠେଇ ପଡ଼ିଛି ଦେଶ। ସାଧାରଣତଃ ନେତୃତ୍ୱର ଅସଲ ପରୀକ୍ଷା ହୁଏ ସଂକଟ କାଳରେ। ଦୂରଦର୍ଶୀ ନେତୃତ୍ୱର ସଂକଳ୍ପ ବଳରେ ଟଳିଯାଏ ସଂକଟ। ମାତ୍ର ଭାରତ ପାଇଁ କାଳ ହୋଇଛି ଚରମ ଅବହେଳାଜନିତ ଅବ୍ୟବସ୍ଥା। ଗତବର୍ଷ (୨୦୨୦) ଆରମ୍ଭରେ ଯେତେବେଳେ ସାରା ବିଶ୍ବକୁ କରୋନା କବଳିତ କଲା, ସେତେବେଳେ ସଂକ୍ରମଣ ରୋକିବା ପାଇଁ ବୈଜ୍ଞାନିକ ଅଧ୍ୟୟନ ଆଧାରରେ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେଲା ସବୁ ଦେଶ। ମାତ୍ର ଆମେ ଆଉ ପାଦେ ଆଗକୁ ଯାଇ ଲୋକଙ୍କ ମନରେ ପୂରେଇଦେଲୁ ଭ୍ରମ ଧାରଣା। ବିଶେଷଜ୍ଞଙ୍କ କଥାକୁ ଅବଜ୍ଞା କରି ଥାଳି ଓ ତାଳିମାଡ଼ କଲୁ କରୋନାକୁ ତତ୍କାଳ ତଡ଼ିିବା ପାଇଁ। ତା’ର ପରିଣାମ ସ୍ବରୂପ କାୟା ବିସ୍ତାର ପାଇଁ କ୍ଷେତ୍ର ପ୍ରସ୍ତୁତ କଲା କରୋନା। ଅବସ୍ଥା ଅଣାୟତ୍ତ ହେବାରୁ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେବା ସହିତ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କରିବାକୁ ବାଧ୍ୟ ହେଲେ ସରକାର। ଶଟ୍‌ଡାଉନ୍‌ ଫଳରେ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇବା ତ ସ୍ବାଭାବିକ, ମାତ୍ର ଏଭଳି ଘୋଷଣା ଅଚାନକ ହେବା କାରଣରୁ ଘରକୁ ଫେରି ନ ପାରି ବିଭିନ୍ନ ସ୍ଥାନରେ ଫସି ରହିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ। ସେମାନଙ୍କ ଭିତରୁ ଅନେକ ଲୋକ ଅଖିଆ ଅପିଆ ପାଦରେ ଚାଲି ଚାଲି ଫେରିଲେ ହଜାର ହଜାର ମାଇଲ୍‌ ଦୂରରୁ। ରାସ୍ତାରେ ପିଲା ଛୁଆଙ୍କୁ ଧରି ଫେରୁୁଥିବା ଏହି ଘରବାହୁୁଡ଼ା ଶ୍ରମିକମାନଙ୍କ ଦୟନୀୟ ଅବସ୍ଥା ଦେଖି ଲାଗୁଥିଲା ଏମାନଙ୍କ ପାଇଁ ଯେମିତି କିଛି ହେଲେ କର୍ତ୍ତବ୍ୟ ନାହିଁ ଗୋଟେ ଜନମଙ୍ଗଳ ରାଷ୍ଟ୍ରର।
ସଂକଟ ହିଁ ଉଦ୍ଭାବନର ଜନନୀ। ମହାମାରୀ ଭଳି ସଂକଟ ଆସିଲେ ସେଥିରୁ ମୁକୁଳିବା ପାଇଁ ବିଜ୍ଞାନକୁ ଉପଯୋଗ କରି ମଣିଷ ଆବିଷ୍କାର କରେ ତା’ର ନିଦାନ। ସେହି କ୍ରମରେ କରୋନା ଉପରେ ବିଜୟ ପ୍ରାପ୍ତି ନିମନ୍ତେ ବିଶ୍ବବ୍ୟାପୀ ବୈଜ୍ଞାନିକମାନେ ଲଢ଼ିଲେ ପ୍ରାଣମୂର୍ଚ୍ଛା ଲଢ଼େଇ। ଆନନ୍ଦର ବିଷୟ, ଏହି ଲଢ଼େଇରେ ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ବୈଜ୍ଞାନିକମାନେ ପ୍ରଥମେ ପ୍ରସ୍ତୁତ କଲେ କରୋନା ପ୍ରତିଷେଧକ। ମାତ୍ର ବିଡ଼ମ୍ବନାର ବିଷୟ, ପୃଥିବୀରେ ଅନ୍ୟାନ୍ୟ ଦେଶରେ କରୋନା ଏବେ ନିୟନ୍ତ୍ରଣରେ ଥିବାବେଳେ ଭାରତରେ କରୋନା ଗୋଟେଇ ଚାଲିଛି ମୁଣ୍ଡ ପରେ ମୁଣ୍ଡ। ଦୈନିକ ୩ ଲକ୍ଷରୁ ଅଧିକ ସଂକ୍ରମିତ ହେଉଛନ୍ତି ଏବଂ ମରୁଛନ୍ତି ହଜାର ହଜାର ସଂଖ୍ୟାରେ। ଶବ ପୋଡ଼ିବା ପାଇଁ ଶ୍ମଶାନରେ ମିଳୁନି ଜାଗା। ଉତ୍ତର ପ୍ରଦେଶରେ ଅନ୍ତିମ ସଂସ୍କାର କରି ନ ପାରି ଗଙ୍ଗାନଦୀକୁ ଫିଙ୍ଗି ଦିଆଯାଉଛି ଶହ ଶହ କରୋନା ସଂକ୍ରମିତଙ୍କ ମୃତଦେହ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ, ବିଶ୍ୱର ସମୁଦାୟ ସକ୍ରିୟ କୋଭିଡ୍‌ ସଂକ୍ରମଣର ଶତକଡ଼ା ୪୬ ଭାଗ ଏବଂ ମୃତ୍ୟୁସଂଖ୍ୟାର ଏକ ଚତୁର୍ଥାଂଶ ଏବେ ଭାରତରେ।
ଏକଥା ସତ୍ୟ ଯେ, ଭାରତରେ କରୋନାର ପ୍ରଥମ ଲହର କମିବାର ପ୍ରାୟ ଆଠ ମାସ ପରେ ଫେରିଲା ଦ୍ବିତୀୟ ଲହର। ତା’ର ଲେଉଟାଣି ସମ୍ପର୍କରେ ସରକାରଙ୍କୁ ବାରମ୍ବାର ସୂଚନା ଦେଇ ସାରିଥିଲେ ଭୂତାଣୁ ବିଜ୍ଞାନୀମାନେ। ମାତ୍ର ସେ ସତର୍କ ଘଣ୍ଟିକୁ ଶୁଣି ନ ଶୁଣିବାର ଅଭିନୟ କଲେ ସରକାର। ଫଳରେ ଗଲାବର୍ଷ ତାଲାବନ୍ଦ ତାଡ଼ନାରେ ହନ୍ତସନ୍ତ ହୋଇଥିବା ଦେଶବାସୀଙ୍କ ଉପରେ ଆଉ ଥରେ ଲଦିଦେଲେ ମହାମାରୀ କରୋନାର ଦୁର୍ବହ ବୋଝ। ମନରେ ପ୍ରଶ୍ନ ଉଠେ, ଏହା ସରକାରଙ୍କ ଅପାରଗତା ନା ମାତ୍ରାଧିକ୍ୟ କ୍ଷମତା ମୋହ? ଅହଂକାର ନା ଦାୟିତ୍ୱହୀନତା?
ସାଧାରଣତଃ କୌଣସି ଜାତୀୟ ବିପତ୍ତିକୁ ସାମ୍ନା କଲାବେଳେ ନେତୃତ୍ୱର ଦୂରଦୃଷ୍ଟି ଓ ଦାୟବଦ୍ଧତା ଉପରେ ନିର୍ଭର କରେ ଦେଶର ସଫଳତା। ଗତବର୍ଷ ଶେଷ ଆଡ଼କୁ ଯେତେବେଳେ ସଂକ୍ରମଣ ହାର ହ୍ରାସ ପାଇବାକୁ ଲାଗିଲା, କରୋନା ଉପରେ ମିଥ୍ୟା ବିଜୟ ପ୍ରାପ୍ତିର ଆତ୍ମବଡ଼ିମାରେ ଫାଟି ପଡ଼ିଲେ ସରକାର। କୋଭିଡ୍‌ ସମାପ୍ତିର ଦ୍ବାରଦେଶରେ ପହଞ୍ଚତ୍ସାରିଛି ବୋଲି ସଗର୍ବରେ ଘୋଷଣା କରିଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ସରକାରଙ୍କ ଏ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦିନରାତି ଲାଗିପଡ଼ିଲା ପ୍ରଚାରତନ୍ତ୍ର। ଏହାଦ୍ବାରା ଲୋକଙ୍କ ଭିତରେ ପ୍ରକାଶ ପାଇଲା ବେପରୁଆ ଭାବ। ଶିଥିଳ ହୋଇଗଲା କରୋନା କଟକଣା। ଠିକ୍‌ ଏତିକିବେଳେ ସରକାରଙ୍କୁ ଅଧିକ ଅହଂକାରୀ କରିଦେଲା ଟିକା ପ୍ରସ୍ତୁତ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକଙ୍କ ସଫଳତା। ଭାରତ ବିଶ୍ୱରେ ଟିକା ଉତ୍ପାଦନରେ ଶ୍ରେଷ୍ଠ ଏବଂ ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି ବୋଲି ଜଣାଇବାର ଦୁର୍ବାର ଆକାଂକ୍ଷା ନେଇ ଆରମ୍ଭ ହେଲା ଟିକା ମୈତ୍ରୀ କାର୍ଯ୍ୟକ୍ରମ। ବିଭିନ୍ନ ଦେଶକୁ ରପ୍ତାନି ହେଲା ଟିକା। ଅନ୍ୟ ଦେଶକୁ ଟିକା ରପ୍ତାନି କରିବା କିଛି ଖରାପ କଥା ନୁହେଁ, ମାତ୍ର ଦେଶବାସୀ ଅଗ୍ରାଧିକାର ଭିତ୍ତିରେ ଟିକା ପାଇବା ଉଚିତ। ବୁଝିହୁଏନି ବସୁଧୈବ କୁଟୁମ୍ବକମ୍‌ ନୀତିରେ ନା ବ୍ୟକ୍ତିତ୍ୱର ବ୍ରାଣ୍ଡ୍‌ ନିର୍ମାଣ ନିମନ୍ତେ ବିଦେଶକୁ ରପ୍ତାନି ହେଲା ଟିକା। ସମୟୋପଯୋଗୀ ପଦକ୍ଷେପ ବିନା ବିଶଲ୍ୟକରଣୀ ଭଳି ମୃତ୍ୟୁ ସଂଜୀବନୀ ବି ବଞ୍ଚାଇପାରେନି ମୁମୂର୍ଷୁର ଜୀବନ। ଲକ୍ଷ୍ମଣଙ୍କ ଶକ୍ତିଭେଦ ବେଳେ ନିଦାନ ନିରୂପିତ ହେବା ମାତ୍ରେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ଆଣି ପହଞ୍ଚାଇ ନ ଥିଲେ କ’ଣ ହୋଇଥାନ୍ତା ମୃତ୍ୟୁ ସଂକଟରେ ଥିବା ଲକ୍ଷ୍ମଣଙ୍କ ଅବସ୍ଥା? ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନାରୁ ବଞ୍ଚତ୍ବା ପାଇଁ ଏକମାତ୍ର ବାଟ ହେଉଛି ଟିକା। ଅଥଚ ସେମାନେ ଯେତେଶୀଘ୍ର ଟିକା ପ୍ରସ୍ତୁତ କରିବାରେ ସଫଳ ହେଲେ, ସେତେ ଶୀଘ୍ର ତାହା ଲୋକଙ୍କ ପାଖରେ ପହଞ୍ଚତ୍ ପାରିଲା ନାହିଁ କି ବିସ୍ତାରିତ ହୋଇପାରିଲାନି ଆମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା। ଖଞ୍ଜା ଯାଇ ପାରିଲାନି ଆବଶ୍ୟକ ଭିତ୍ତିଭୂମି।
ଟିକା ପ୍ରସ୍ତୁତି ପୂର୍ବରୁ ଏଠି ଚାଲିଛି ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବାର ବିରାମହୀନ ଭାଷଣ। ଟିକା ନ ଥାଇ ବି ପାଳନ ହେଉଛି ଟିକା ଉତ୍ସବ। ଏବେବି ସରକାରଙ୍କ ପ୍ରଚାରତନ୍ତ୍ର କହୁଛି- ବିଶ୍ବର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି ଭାରତ। ମାତ୍ର ବାସ୍ତବ ସ୍ଥିତି ହେଉଛି ଟିକାକରଣ କ୍ଷେତ୍ରରେ ଭାରତ ଏବେ ସୁଦ୍ଧା ଛୋଟ ଛୋଟ ଦେଶଠାରୁ ବି ପଛରେ। ଟିକାକରଣକୁ ନେଇ ସରକାରଙ୍କ ଅସ୍ପଷ୍ଟ ନୀତି ତଥା ପ୍ରବଞ୍ଚନା ଯୋଗୁ ଟିକା ଉତ୍ପାଦନ ବୃଦ୍ଧି ପାଉନି କି ଲୋକଙ୍କ ଭିତରୁ ଦୂର ହୋଇପାରୁନି ଟିକା ଅଭାବଜନିତ ଆଶଙ୍କା।
ସାଧାରଣତଃ ଇନ୍ଦ୍ରମାନେ ସର୍ବଦା ସିଂହାସନପ୍ରିୟ। ସେମାନଙ୍କ ସେବା, ସଂକଳ୍ପ ଓ ସନ୍ଥଗିରି ପଛରେ ଥାଏ ସିଂହାସନକୁ ଜାବୁଡ଼ି ଧରିବାର ପ୍ରଚ୍ଛନ୍ନ ଇଚ୍ଛା। ଏଭଳି ସୌଦାଗରି ମନୋବୃତ୍ତି ଆଗରେ କୌଣସି ମୂଲ୍ୟ ବହନ କରେନି ସାଧାରଣ ମଣିଷଙ୍କ ଜୀବନ। ତେଣୁ ସାରା ବିଶ୍ବ ଯେତେବେଳେ କରୋନାକୁ ପ୍ରତିହତ କରିବା ପାଇଁ କଡ଼ା କଟକଣା ଭିତରେ ଗତି କରୁଥିଲା, ସେତେବେଳେ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ସାରିଥିଲା ଏକ ପ୍ରଲମ୍ବିତ ନିର୍ବାଚନ ପ୍ରକ୍ରିୟା। କରୋନା ନିଆଁରେ ଘିଅ ଢାଳିବା ପାଇଁ ଆୟୋଜନ ହେଉଥିଲା ବଡ଼ ବଡ଼ ନେତାଙ୍କ ରୋଡ୍‌ ଶୋ ଓ ନିର୍ବାଚନ ସଭା। ଏହା ବାଦ୍‌ କୁମ୍ଭମେଳାରେ ଗଙ୍ଗାସ୍ନାନ ପାଇଁ ସମବେତ ହୋଇଥିଲେ ଦେଶ ବିଦେଶର ୩୫ ଲକ୍ଷ ଶ୍ରଦ୍ଧାଳୁ। ସେମାନେ ନିଜ ଅଞ୍ଚଳକୁ ଫେରିଯାଇ ଲୋକଙ୍କୁ ବାଣ୍ଟି ଚାଲିଲେ କରୋନାମୃତ? ଈଶ୍ବର ବିଶ୍ବାସ କିଛି ଅନ୍ଧବିଶ୍ୱାସ ନୁହେଁ, ଆତ୍ମବିଶ୍ୱାସ। ମାତ୍ର ଈଶ୍ବରଙ୍କ ନାମରେ ବିଜ୍ଞାନର ସତର୍କ ଘଣ୍ଟିକୁ ଅବଜ୍ଞା କରି ଧର୍ମମେଳା କରିବା ହିଁ ଅନ୍ଧବିଶ୍ବାସ। ସରକାରଙ୍କର ଏଭଳି ଅନେକ ଆତ୍ମଘାତୀ କାର୍ଯ୍ୟ ଯୋଗୁ ଅଧିକ ବଳ ଜୁଟାଇ ଭୟଙ୍କର ରୂପରେ ପାଲଟା ଆକ୍ରମଣ କଲା କରୋନା।
କ୍ଷମତାର ଅହଂରୁ ମୁକ୍ତ ନ ହେଲେ ନମ୍ରତାର ସହ ଲୋକଙ୍କ ସେବା କରିହୁଏନି କି ବିରୋଧୀଙ୍କ ଉପରେ ପ୍ରକଟ କରିହୁଏନି ଆସ୍ଥା। ଏହି କାରଣରୁ କରୋନା ଭଳି ଏକ ଜାତୀୟ ବିପତ୍ତିର ମୁକାବିଲା ପାଇଁ ପ୍ରକାଶ ପାଉନି ଜାତୀୟ ଏକତା। ମହାମାରୀ ଭଳି ଘୋର ସଂକଟ କାଳରେ ଚାଲିଛି କିଏ କେତେ ପ୍ରଜାପ୍ରିୟ, କିଏ କେତେ ଦରଦୀ- ଦେଖେଇ ହେବାର ପ୍ରତିଯୋଗିତା। ହେଲେ କରୋନାକୁ ନେଇ ଯିଏ ଯେତେ ରାଜନୀତି କରୁନା କାହିଁକି ଆମକୁ ମହାମାରୀ ବିରୋଧରେ ଲଢ଼ିବାକୁ ହେବ ସକାରାତ୍ମକ ଢଙ୍ଗରେ। ମନେରଖିବାକୁ ହେବ ଜୀବନ ଯୁଦ୍ଧରେ ମଣିଷ ଏକା ଲଢ଼ିପାରେ, କିନ୍ତୁ କରୋନା ବିରୋଧରେ ଲଢ଼ିିବା ପାଇଁ ଲୋଡ଼ା ସମସ୍ତଙ୍କ ସହଯୋଗ। ଚିକିତ୍ସକମାନେ ଏ ଯୁଦ୍ଧର ପ୍ରଧାନ ସେନାପତି ହେଲେ ମଧ୍ୟ ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧା। ଆଖି ଆଗରେ ମୃତ୍ୟୁର ବିଭୀଷିକା ନାଚୁଥିଲେ ବି ଧରିନେବାକୁ ହେବ ଯେ ପ୍ରତିଷେଧକ ବାହାରି ସାରିଛି ମାନେ ବିଜୟ ସୁନିଶ୍ଚିତ। ଏଭଳି ଦମ୍ଭିଲାପଣ କେବଳ କରୋନାକୁ ପରାସ୍ତ କରିବାର ସର୍ବୋତ୍ତମ କୌଶଳ।
ବିଜୁ ପଟ୍ଟନାୟକ ନଗର, ମହତାବ ଛକ, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଅଳପ ଧନ ବହୁତ ମନ

ମୋହନ ଚରଣ ବିଷି   ସହର ପରି ଗାଁ ମଧ୍ୟ ଧୋବଧାଉଳିଆ। ସହରର ଚାକଚକ୍ୟ ଗାଁରେ ମଧ୍ୟ ଦେଖାଦେଲାଣି। ଚାଲିଚଳଣିରେ ଲୋକମାନଙ୍କ ଅନେକ ପରିବର୍ତ୍ତନ ହେଲାଣି।...

ଏଇ ଭାରତରେ

ଅକ୍ଷୟ କୋଠାଓ୍ବାଲେ ପେସାରେ ଅଟୋ ଚାଳକ। ହେଲେ ଲକ୍‌ଡାଉନରେ ଦୈନିକ ୩୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ୩୦ ବର୍ଷୀୟ ଅକ୍ଷୟ ତାଙ୍କ ବାହାଘର ଲାଗି...

ଏଇ ଭାରତରେ

ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏମାନେ ମୁଖ୍ୟତଃ ହିନ୍ଦୁ। ତେବେ ଉତ୍ତରପ୍ରଦେଶର ଜଣେ ମୁସଲମାନ ଯୁବକ...

ଓଡ଼ିଆ ପତ୍ରପତ୍ରିକା

ସୁଖର କଥା, ଓଡ଼ିଶାରେ ପତ୍ରପତ୍ରିକା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଅନୁଷ୍ଠାନ, ସଂସଦ ଏବଂ ବ୍ୟକ୍ତିଗତ ଭାବରେ ଅନେକ ପତ୍ରିକା ଜନ୍ମ...

ଏଇ ଭାରତରେ

ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍‌ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ...

ନୂଆ ଆଭିମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ଦ୍ୱିତୀୟ ପାଳିରେ ଜନସାଧାରଣଙ୍କ ଉଚ୍ଚ ପ୍ରତ୍ୟାଶା ପ୍ରତି ସଚେତନ ଅଛନ୍ତି। ଦେଶର ଦୁର୍ଗତି...

ଏଇ ଭାରତରେ

କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ମାସ୍କ ଏକ ପ୍ରମୁଖ ଅସ୍ତ୍ର ଭାବେ କାମ କରୁଛି। ଏଥିତ୍ପାଇଁ ବିଭିନ୍ନ ପ୍ରକାର ମାସ୍କ ତିଆରି କରାଯାଉଛି। ହେଲେ...

ଅଧାଗଢ଼ା ଡଙ୍ଗରିଆ

ଦ୍ୱିତୀ ଚନ୍ଦ୍ର ସାହୁ ବିରାଟକାୟ କାନ୍ଥ ଭଳି ଠିଆହୋଇଛି ନିୟମଗିରି ପାହାଡ଼। ତା’ରି ପାଦଦେଶରେ ଡଙ୍ଗରିଆ ଗାଁ ରାଇଲିମା। ବିନା ଦ୍ୱିଧାରେ ଗାଁରେ ପହଞ୍ଚତ୍ବା ଲାଗି...

Advertisement


Archives

Model This Week