ଦୁର୍ନୀତି, ମହାଦୁର୍ନୀତି ଓ ସାମୂହିକ ଦୁର୍ନୀତି

ହରିଶଙ୍କର ମିଶ୍ର

ଦୁର୍ନୀତି ହେଉଛି ନୀତିର ସାମାନ୍ୟ ବିଚ୍ୟୁତି, ଯାହାର ସର୍ବୋଚ୍ଚ ସୀମା ନ ଥାଏ। ସାମ୍ପ୍ରତିକ ସମାଜରେ ସଂଖ୍ୟାଧିକ ରାଜନେତା ରାଜକର୍ମଚାରୀ ଓ ସରକାରଙ୍କୁ ପ୍ରଭାବିତ କରିପାରୁଥିବା ଲୋକଙ୍କ ଆଭିଜାତ୍ୟ ଚଳଣି ପଛରେ କେବଳ ଦୁର୍ନୀତିଲବ୍ଧ ଅର୍ଥ ରହିଥିବା ନିଃସନ୍ଦେହ। ଦୁର୍ନୀତି ଶବ୍ଦଟି ସମାଜରେ ନିନ୍ଦନୀୟ ହେଲେ ବି ଏହାର ରୋଚକ ପ୍ରୟୋଗ ରାଜନେତାଙ୍କ ଦ୍ବାରା ଭିନ୍ନ ଭାବରେ ହୋଇଥାଏ। ଦୁର୍ନୀତି ବିରୋଧୀ ଭାଷଣ ଦେଇ ସେମାନେ କ୍ଷମତାକୁ ଆସନ୍ତି। କ୍ଷମତା ବଳୟରେ ସେଇମାନେ ଦୁର୍ନୀତିର ପାହଡ଼ ସୃଷ୍ଟି କରନ୍ତି। ଅନେକ ଅନିୟମିତତା ଏବଂ ସରକାରୀ କଳ ବଳ ଅପବ୍ୟବହାରରେ ପୁନଃ କ୍ଷମତା ପାଇଲେ ଦୁର୍ନୀତିର ଶୂନ୍ୟ ସହନଶୀଳତା ପାଇଁ ପ୍ରତିବଦ୍ଧତା ଘୋଷଣା କରନ୍ତି। ଏହା ସତ୍ୟ ଯେ ସ୍ବାଧୀନୋତ୍ତର ଶାସନରେ ରାଜନେତାମାନଙ୍କର ଚଳଣି ଅତି ସାଧାରଣ ଥିଲା। ସରକାରୀ ଅର୍ଥ ଆତ୍ମସାତ୍‌ ବା ଅପବ୍ୟୟ ସେମାନଙ୍କ ବିବେକ ବିରୁଦ୍ଧ ଥିଲା। ଚରିତ୍ର ଓ ଆଚରଣର ଗୁପ୍ତ ତଦନ୍ତ ପରେ ନିଯୁକ୍ତ ରାଜକର୍ମଚାରୀ ମଧ୍ୟ ସଚ୍ଚୋଟ ଏବଂ ଦକ୍ଷ ଥିଲେ। ଗଣତନ୍ତ୍ରର ଏଇ ଦୁଇ ସ୍ତମ୍ଭର କାର୍ଯ୍ୟଧାରା ଅପରିବର୍ତ୍ତିତ ରହିଥିଲେ ଆମ ଦେଶ ଓ ରାଜ୍ୟ ବହୁ ପୂର୍ବରୁ ସ୍ବୟଂସମ୍ପୂର୍ଣ୍ଣ ହୋଇପାରିଥାନ୍ତା। କିନ୍ତୁ କ୍ଷମତା ମୋହରେ ଭୋଟ ପାଇଁ ନୋଟର ଅମୋଘ ଅସ୍ତ୍ର ସଂଖ୍ୟାଧିକ ରାଜନେତାଙ୍କ ନୈତିକ ଚରିତ୍ରକୁ ପ୍ରଭାବିତ କଲା। କ୍ଷମତା ସହ ସେମାନଙ୍କର ଅର୍ଥ ଲାଳସା, ପ୍ରଶାସନର ସହଯୋଗ ବିନା ସମ୍ଭବ ନ ହେବାରେ ସାମାଜିକ ବିଭାଜନକୁ ଗୁରୁତ୍ୱ ଦେଇ କର୍ମଚାରୀମାନଙ୍କ ନିଯୁକ୍ତି, ପଦୋନ୍ନତି ଓ ବଦଳିକୁ ରାଜନୈତିକ ନିୟନ୍ତ୍ରଣାଧୀନ କରାଗଲା। ଫଳତଃ ଦକ୍ଷ ଓ ସଚ୍ଚୋଟ କର୍ମଚାରୀ ସଂଖ୍ୟା କ୍ରମଶଃ ସୀମିତ ହୋଇଗଲା। ଅନେକ ଅସାଧୁ ଅଧିକାରୀ ନିଜ ଚଉକି ସୁରକ୍ଷା ଏବଂ ଆର୍ଥିକ ଲାଭ ପାଇଁ ରାଜନେତାଙ୍କ ତୁଷ୍ଟୀକରଣ ନୀତି ଗ୍ରହଣ କଲେ। ରାଜନେତାଙ୍କ ଛତ୍ର ଛାୟାରେ ନିରାପଦ ରହି ସେଇ ଅଧିକାରୀମାନେ ଦୁର୍ନୀତିକୁ ବୃତ୍ତିଗତ ଅଧିକାର ସାବ୍ୟସ୍ତ କରିବାରେ ତାହା ପିସି ଭାବେ ନିିର୍ଦ୍ଧାରିତ ଏବଂ ବାଧ୍ୟକତା ହୋଇଗଲା । ସରକାରୀ ଯୋଜନା, ଅନେକଙ୍କ ପାଇଁ ନିର୍ଦ୍ଦିଷ୍ଟ ଆୟ ଯୋଜନା ମଧ୍ୟ ହୋଇଗଲା। ପୂର୍ବରୁ ବ୍ଲକ, ରାଜସ୍ବ, ପରିବହନ, ପୋଲିସ, ଯୋଗାଣ, ପୂର୍ତ୍ତ, ଜଳସେଚନ ଏବଂ ଜଙ୍ଗଲ ବିଭାଗ ଦୁର୍ନୀତି ତାଲିକାରେ ରହିଥିଲା। ଏବେ ଅନେକ ଅଧିକାରୀ ଓ କର୍ମଚାରୀଙ୍କ ସହ ଅଙ୍ଗନଓ୍ବାଡି କର୍ମୀ, ଠିକା କର୍ମଚାରୀ, ଶିକ୍ଷକ, ପିଅନ, କମ୍ପ୍ୟୁଟର ଚାଳକଙ୍କର ଆୟ ବହିର୍ଭୂତ ସମ୍ପତ୍ତି କୋଟିରେ ହିସାବ ହେଉଛି। ବିଡ଼ମ୍ବନା ଏହି ଯେ, ଦୁର୍ନୀତି ପ୍ରତ୍ୟେକ ବିଭାଗକୁ କବଳିତ କରିସାରିଥିବା ବେଳେ ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି।
ଉପର ସ୍ତରର ଦୁର୍ନୀତି ତଳସ୍ତରକୁ ପ୍ରଭାବିତ କରିଥାଏ। ଦିନଥିଲା ଜନପ୍ରତିନିଧିଙ୍କ କର୍ତ୍ତୃତ୍ୱ ଯୋଗୁ ପ୍ରଶାସନର ଉପର ସ୍ତରରେ ଦୁର୍ନୀତି ସମ୍ମାନର ପ୍ରଶ୍ନ ଥିଲା। ପ୍ରଶାସନ ଯେବେଠାରୁ ସରକାରଙ୍କ ସ୍ଥାୟିତ୍ୱ ଏବଂ ଭୋଟକାରକ ଯୋଜନାରେ ନିୟୋଜିତ ହେଲା, ପାରସ୍ପରିକ ଶକ୍ତ ସହଯୋଗର ମଧୁଚନ୍ଦ୍ରିକାରେ ଶହ ଶହ କୋଟିର ଡାଲି, ଖଣି, ଓମ୍‌ଫେଡ, ଚାଇନାମିଟର, ବନୀକରଣରେ ଦୁର୍ନୀତି ମହାଦୁର୍ନୀତି ଭାବେ ଖବରର ଶିରୋନାମା ହୋଇଗଲା। ତାହାର ପର୍ଦ୍ଦାଫାଶ ମହଙ୍ଗା ସମ୍ଭାବନା ଯୋଗୁ ତଦନ୍ତକୁ ଏଡାଇ ଦିଆଗଲା ବା ବାଟବଣା କରାଗଲା। ନିକଟ ଅତୀତରେ ବହୁତ କୋଟିର ଦୁର୍ନୀତି ଗନ୍ଧ ଥିବା କରୋନା ପୋଷାକ ଓ ମାସ୍କ କିଣା ସମ୍ପର୍କରେ ଲୋକାୟୁକ୍ତ ଦୁଇ ମାସରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାର ଠିକ୍‌ ପରିପାଳନ ନ ହେବା ଏବଂ ପାଞ୍ଚବର୍ଷାଧିକ ଚିଟ୍‌ଫଣ୍ଡର ଅସମାହିତ ତଦନ୍ତ ତା’ର ଉଦାହରଣ ମାତ୍ର। କେବଳ ପାନରୁ ଚୂନ ଖସିଗଲେ କେତେ ଜଣ ଜେଲ୍‌ ଯାଉଥିବା ବେଳେ ଦୁର୍ନୀତିରେ ସମ୍ପୃକ୍ତ ଅନେକ ବରିଷ୍ଠ ପଦାଧିକାରୀଙ୍କୁ ଦଣ୍ଡିତ ପରିବର୍ତ୍ତେ ଭିନ୍ନ ଭାବରେ ପୁରସ୍କୃତ କରାଯାଉଥିବା ଅସତ୍ୟ ନୁହେଁ। ବରଂ ସରକାର ପ୍ରଶାସନ କର୍ତ୍ତୃତ୍ୱାଧୀନ ବିଶ୍ବାସ ଦୃଢ଼ ହେଉଛି। ଆମର ଦୁର୍ନୀତି ସମ୍ପର୍କୀୟ ତଦନ୍ତ ଓ ବିଚାର ଏତେ କ୍ରିୟାଶୀଳ ଯେ ବହୁ ଅର୍ଥ ଓ ମାନବ ସମ୍ବଳ ବିନିଯୋଗ ସତ୍ତ୍ୱେ ବିଚାର ଶେଷ ବେଳକୁ ସମ୍ପୃକ୍ତ ବ୍ୟକ୍ତିର ଚାକିରି ବା ଜୀବନ ଚାଲିଯାଇଥାଏ। ସରକାର ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଚାକିରିରୁ ବିଦା କରୁଛନ୍ତି । ଏହା ଦୁର୍ନୀତି ଦୂର କରିବାରେ କେତେ ସହାୟକ ହେବ ତାହା ପରେ ଜଣାପଡିବ। ବାଧ୍ୟତାମୂଳକ ଅବସରରେ ପେନ୍‌ସନ ସହ ସମସ୍ତ ଆର୍ଥିକ ଲାଭ ଦିଆଯାଇ ଥାଏ ଓ ମାମଲା ବି ବନ୍ଦ ହୋଇଯାଏ। ବରଂ ଶତାଧିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନାମରେ ମାମଲା ପାଇଁ ଅନୁମତି ବର୍ଷାଧିକ କାଳ ନ ମିଳିବା ସ୍ବଚ୍ଛ ଶାସନକୁ ଅଙ୍ଗୁଳି ଦେଖାଉଛି।
ଏବେ ଜନତା, ଜନନେତା, ମଧ୍ୟସ୍ଥ, କାର୍ଯ୍ୟନିର୍ବାହୀ ମଞ୍ଜୁରୀ ଦାତା, କର୍ମଚାରୀ ଅଧିକାରୀଙ୍କ ମଧ୍ୟରେ ଦୁର୍ନୀତିର ଯେଉଁ ସୁଷମ ବଣ୍ଟନ ହେଉଛି ତାହା ସାମୂହିକ ଦୁର୍ନୀତି ପଦବାଚ୍ୟ। ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଟଙ୍କିକିଆ ଚାଉଳ, ନିର୍ମାଣ ଶ୍ରମିକ ପାଣ୍ଠି, କାଳିଆ, ମନରେଗା, ମଧୁବାବୁ ପେନ୍‌ସନ, ଫସଲବୀମା ଭଳି ଅନେକ ଯୋଜନା ଏଥିରେ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ନିର୍ମିତ ପ୍ରକଳ୍ପରୁ ଅର୍ଦ୍ଧାଧିକର ସ୍ଥିତି ନ ଥିବାବେଳେ ହିତାଧିକାରୀଙ୍କ ମଧ୍ୟରୁ ଶତପ୍ରତିଶତ ଚିହ୍ନଟ ବି ଅସମ୍ଭବ।
ବିଡମ୍ବନା ଏହି ଯେ ଆମ ରାଜ୍ୟର ଭୂମିହୀନମାନେ କୃଷକ ଭାବେ କାଳିଆ ଯୋଜନାରେ ଟଙ୍କା ପାଆନ୍ତି। ବିଲ ପଡ଼ିଆ ରଖି ଫସଲବୀମା ନେବା ଲୋକ ନିର୍ମାଣ ଶ୍ରମିକ ହୋଇପାରନ୍ତି। ସେଥିପାଇଁ ରାଜ୍ୟର ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ରାଜ୍ୟ ଲୋକସଂଖ୍ୟାର ଦେଢଗୁଣ ହୋଇଥିବା ସତ୍ତ୍ୱେ ଗରିବୀ କମୁନାହିଁ। ସବୁକୁ
ବଳିଯାଇଛି ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ। ଏହି ଦୁର୍ନୀତି ବହୁ ହଜାର କୋଟି ହୋଇପାରେ। ଅର୍ଦ୍ଧାଧିକଲୋକ ବାହାରେ ମଳତ୍ୟାଗ କରୁଥିବା ବେଳେ ସହସ୍ରାଧିକ ଗ୍ରାମକୁ ବାହ୍ୟ ମଳତ୍ୟାଗ ଗ୍ରାମ ମାନ୍ୟତା ହିଁ ତା’ର ବଳିଷ୍ଠ ପ୍ରମାଣ। ଏହି ସବୁ ଦୁର୍ନୀତିର ପର୍ଦ୍ଦାଫାଶ ମେଣ୍ଢାବାଳ ଧୋଇବା ସହ ସମାନ ହୋଇପାରେ। ରାଜ୍ୟରେ ଦୁର୍ନୀତି ଅଘୋଷିତ ନୀତି ଏବଂ ବହୁ ସମ୍ପୃକ୍ତି ଯୋଗୁ ରାଜ୍ୟ ଦୁର୍ନୀତିମୁକ୍ତ ହେବା ଉଷୁନା ଧାନ ଗଜା ହେବାଭଳି ଅସମ୍ଭବ।
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri