ଦୁର୍ନୀତି: ଏକ ମାନସିକ ବ୍ୟାଧି

ସ୍ୱାଧୀନତାର ୭୬ ବର୍ଷ ପରେ ବି ଦେଶରୁ ଦାରିଦ୍ର୍ୟ ହଟୁନି କି ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି ସର୍ବନିମ୍ନ ସୁବିଧା। ଅନ୍ୟପକ୍ଷରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢୁଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ତଥ୍ୟ ଅନୁସାରେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ କ୍ରମାଗତ ଭାବରେ ଉପରକୁ ଉଠୁଛି।
ଆମ ଦେଶରେ ଗଣତନ୍ତ୍ରର ବୟସ ବଢ଼ିବା ସାଙ୍ଗକୁ ବଦଳିଯାଇଛି ଦୁର୍ନୀତିର ସଂଜ୍ଞା। ତଦନୁଯାୟୀ ନେତା, ମନ୍ତ୍ରୀ ଓ ବାବୁମାନଙ୍କର ଆଚରଣ ଓ ଉଚ୍ଚାରଣରେ ଆସିଛି ପରିବର୍ତ୍ତନ। ପ୍ରଚୁର କଳା ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼ିବା ଓ ଜିଣି ସାରିବା ପରେ କ୍ଷମତାର ଅପବ୍ୟବହାର କରି କଳାଟଙ୍କା ଠୁଳ କରିବା ହେଲା ନେତୃତ୍ୱର ଅଘୋଷିତ ନୀତି।
ସାଧାରଣତଃ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭର କରେ ଶାସନର ସ୍ବଚ୍ଛତା। ଏମାନଙ୍କ ସହାୟତା ବିନା ରାଷ୍ଟ୍ରଧନକୁ କେହି ଆତ୍ମସାତ୍‌ କରିପାରେନି କି ଦେଶରେ ଉଧେଇ ପାରେନି ଦୁର୍ନୀତିର ଚାରା। ଆମ ଦେଶରେ କିନ୍ତୁ ରାଜକୋଷ ଲୁଣ୍ଠନ ହୁଏ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ। ରାଷ୍ଟ୍ରଧନକୁ ଲୁଣ୍ଠନ କରିବା ପାଇଁ ରାଜନେତା ଓ ଏମାନଙ୍କ ଭିତରେ ଗଢ଼ିଉଠେ ଅସାଧୁ ସମ୍ପର୍କ। ସବୁ ସ୍ତରରେ ଦୁର୍ନୀତି ପାଇଁ ଏହିମାନେ ହିଁ କ୍ଷେତ୍ର ପ୍ରସ୍ତୁତ କରନ୍ତି । ଖ୍ୟାତନାମା ଆଇଏଏସ୍‌ ଅଧିକାରୀ ପଦ୍ମଭୂଷଣ ସି.ପି.ଶ୍ରୀବାସ୍ତବଙ୍କ ମତରେ ଆମ ଦେଶରେ ଅଧିକାଂଶ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ନିଜ ବିବେକ ସହିତ ସାଲିସ କରି ନିଅନ୍ତି ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ। ସହଯୋଗର ପୁରସ୍କାର ସ୍ବରୂପ ଅବସର ପରେ ଅନେକଙ୍କୁ ମିଳେ କ୍ଷମତା ଉପଭୋଗର ସୁଯୋଗ। ଯେଉଁଠି ଉପରିସ୍ଥ ହାକିମମାନଙ୍କର ବିବେକ ବଳିଗ୍ରସ୍ତ, ସେଠାରେ ତଳିଆ କର୍ମଚାରୀଙ୍କୁ ଜଗିବ କିଏ? କେ.ସି. ସହିନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ- ଉଚ୍ଚ ପଦବୀରେ ଥିବା ବ୍ୟକ୍ତି ଯଦି ଭ୍ରଷ୍ଟାଚାରରେ ଜଡ଼ିତ ରହେ, ତେବେ ତା’ର ପ୍ରଭାବ ସହକର୍ମୀ ଓ ଅଧସ୍ତନଙ୍କ ଉପରେ ପଡ଼ିବା ସ୍ବାଭାବିକ। ସେହି କାରଣରୁ ସରକାରୀ କାର୍ଯ୍ୟାଳୟରେ ତାଳୁରୁ ତଳିପାଯାଏ ମାଡ଼ିଗଲାଣି ଦୁର୍ନୀତିର ଯାଦୁ। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରୁ ସଚିବାଳୟ ଯାଏ ସବୁଠି ଚାଲିଛି ଭଣ୍ଡେଇବାର ଫିସାଦ ଓ ରୁଣ୍ଡେଇବାର ଗଳଦ୍‌ଘର୍ମ ପ୍ରତିଯୋଗିତା।
ଆଗରୁ ଦୁର୍ନୀତି ଅଭିଯୋଗ ଆସୁଥିଲା କେବଳ ଲୋକ ପ୍ରତିନିଧି ଓ ସରକାରୀ ବାବୁମାନଙ୍କ ବିରୋଧରେ। ଏବେ ପୁଣି ଆଙ୍ଗୁଠି ଉଠିଲାଣି ନ୍ୟାୟପାଳିକା ଆଡ଼କୁ। ଦେଶରୁ ଦୁର୍ନୀତି ହଟାଇବାକୁ ହେଲେ ଦୁର୍ନୀତିଖୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର। ହେଲେ ସେମାନଙ୍କୁ ଧରିବ କିଏ ? ଧରିବା ଦାୟିତ୍ୱରେ ଥିବା ବାବୁମାନେ ତ ସମାନ ରୋଗରେ ଆକ୍ରାନ୍ତ। ସେଥିପାଇଁ ଦେଶରେ ଦୁର୍ନୀତି ଉପାୟରେ କଳାଧନ ଠୁଳ କରୁଥିବା ହଜାର ହଜାର ସରକାରୀ ବାବୁଙ୍କ ଭିତରୁ ଧରାପଡ଼ନ୍ତି ଜଣେ ଅଧେ ବାବୁ। ଆଶ୍ଚର୍ଯ୍ୟର କଥା ହେଉଛି ଲାଞ୍ଚୁଆ ବାବୁମାନେ ଠାକୁର ଖାଇ ଖଟୁଲି ଖାଇଯିବା ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ବିଭାଗ କରୁଥିଲା କ’ଣ ? ତା’ର ଭିତିରି କାରଣ ଯୋଗୁ ଦୁର୍ନୀତି ଅଭିଯୋଗର ତଦନ୍ତ ପ୍ରକ୍ରିୟା ମଧ୍ୟ ଏଠି ଖୁବ୍‌ ମନ୍ଥର ଓ ଶିଥିଳ। ବର୍ଷ ବର୍ଷ ଧରି ଦୋଷୀ ସାବ୍ୟସ୍ତ ହୋଇପାରନ୍ତିନି ଚିଟ୍‌ଫଣ୍ଡ ଲୁଟେରା। ପ୍ରମାଣ ଅଭାବରୁ ଖସି ଯାଆନ୍ତି ଅନେକ ଲାଞ୍ଚୁଆ ଅଧିକାରୀ। ଦୁର୍ଭାଗ୍ୟର ବିଷୟ ହେଉଛି ଅପରାଧୀ ବିରୋଧରେ ପ୍ରମାଣ ଠୁଳ କରିବା ବଦଳରେ କେତେକ କ୍ଷେତ୍ରରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରେ ତଦନ୍ତକାରୀ ଦଳ। ସେଥିପାଇଁ ନ୍ୟାୟାଳୟରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତିନି ଅଧିକାଂଶ ଅଭିଯୁକ୍ତ। ଭାବିଲେ ଯେଉଁ ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥାର ଶୀର୍ଷ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆସେ, ସେଠାରେ ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ କେମିତି?
ପୂର୍ବତନ ରାଷ୍ଟ୍ରପତି ଡ. ଏ ପି ଜେ ଅବ୍‌ଦୁଲ କଲାମଙ୍କ ମତରେ ଦୁର୍ନୀତିର ବିଲୋପ ପାଇଁ ସ୍ବଚ୍ଛ ନେତା, ସଚ୍ଚୋଟ ଜନତା ଓ ନିଷ୍ଠାପର ଅଧିକାରୀ ଆବଶ୍ୟକ। ମାତ୍ର ଦେଶର ମଙ୍ଗୁଆଳମାନେ ଯେଉଁଠି ଦୁର୍ନୀତିକୁ ନୀତିରେ ପରିଣତ କରି ଦିଅନ୍ତି, ସେଠାରେ ଶେଷରେ ଏମିତି ଅବସ୍ଥା ହୁଏ ଯେ ସାଧାରଣ ଲୋକଙ୍କ ଶିରା ଶୋଣିତରେ ମିଶିଯାଏ ଦୁର୍ନୀତି ମାନସିକତା। ଏହି କାରଣରୁ ଆମ ଦେଶରେ ଲାଞ୍ଚ ନେଲାବାଲା ଯେତିକି ତତ୍ପର, ଲାଞ୍ଚ ଦେଲାବାଲା ତା’ ଠାରୁ ବେଶି ବ୍ୟାକୁଳ। ଯିଏ ଲାଞ୍ଚ ନେଇ କାମ କରି ଦେଇ ପାରିଲା, ସିଏ ଏଠି ଦକ୍ଷ ଓ କରିତ୍‌କର୍ମା। ଅନ୍ୟପକ୍ଷରେ ଯିଏ ଆପଣା ସଚ୍ଚୋଟପଣିଆକୁ ଗଣ୍ଠିଧନ କରି ନୀତି ଆଦର୍ଶରେ ବାଟ ଚାଲିଲା, ଲୋକଙ୍କ ଆଖିରେ ସେ ହେଲା ଅଯୋଗ୍ୟ ଓ ଅପାରଗ।
ସାଧାରଣତଃ ଗ୍ରାମାଞ୍ଚଳ ଅପେକ୍ଷା ବଡ଼ ବଡ଼ ସହରରେ ଅଧିକ ଦୁର୍ନୀତି ହେଉଛି ଏବଂ ଏଥିରେ ଲିପ୍ତ ରହୁଛନ୍ତି ଉଚ୍ଚଶିକ୍ଷିତ ବାବୁମାନେ। କିନ୍ତୁ ସୁଯୋଗ ପାଇଲେ ସେହି ଅବାଟରେ ଯିବାକୁ ପଛାଉ ନାହାନ୍ତି ଗ୍ରାମାଞ୍ଚଳର ଅପାଠୁଆ ଲୋକେ। ଗାଁରେ ବି ଦୁଧ ଦହି ଘିଅ ଓ ପନିପରିବାରେ ଅପମିଶ୍ରଣ ହେଉଛି ଏବଂ ବିଜୁଳି ଚୋରି କରାଯାଉଛି କେତେ ବାଗରେ। ଏଥିରୁ ବୁଝିବାକୁ ହେବ ଯେ ଆମ ମାନସିକତା ସହିତ ଓତପ୍ରୋତ ଭାବରେ ଯୋଡ଼ି ହୋଇଗଲାଣି ଦୁର୍ନୀତି ଓ ଭ୍ରଷ୍ଟାଚାର। ସାଧାରଣତଃ ଗୁଡ଼ଘରେ ଖୁନ୍ଦି ହୋଇଯାଆନ୍ତି ଜନ୍ଦା। ତାଙ୍କୁ ଦରକାର ହୁଏନି ଠିକଣା। ଅଭ୍ୟାସ ଓ ବାସ୍ନା ତାଙ୍କୁ ନେଇ ପହଞ୍ଚାଇ ଦିଏ ବଣାବଣା ଘରେ। ମାନସିକତା ଯେଉଁଠି ବ୍ୟାଧିଗ୍ରସ୍ତ ଓ ମାନବିକତା ଯେଉଁଠି ମୃତ ସେଠାରେ କ’ଣ କରିବ ଆଇନକାନୁନ୍‌ ଓ କୋର୍ଟ କଚେରି। ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର କହିଥିଲେ, ଦୁର୍ନୀତି ଏକ ମାନସିକ ବ୍ୟାଧି। ମଣିଷର ସ୍ବଭାବ ଓ ଚରିତ୍ରରେ ପରିବର୍ତ୍ତନ ନ ଆସିଲେ ସେ ବ୍ୟାଧିରୁ ମୁକ୍ତି ମିଳିବନି। ଆଇନକାନୁନ୍‌ କେବଳ ଏକ ଉପଚାର ହୋଇପାରେ, କିନ୍ତୁ ତା’ର ଅସଲ ନିଦାନ ହେଉଛି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା। ତା’ର ଅଭାବ ଯୋଗୁ ସମାଜର ସବୁ ସ୍ତରର ଲୋକଙ୍କୁ ଗ୍ରାସୁଛି ଦୁର୍ନୀତି ମାନସିକତା। ଏ ସମ୍ପର୍କରେ ରୋଚକ କଥାଟିଏ।
ଜଣେ ଯୁବକର ଅନିନ୍ଦ୍ୟ ସୁନ୍ଦରୀ ବାଗଦତ୍ତା କହିଲା-ରାଜାଙ୍କ ବଗିଚାରେ ଯେଉଁ ନୀଳ ପଳାଶ ଫୁଟିଛି, ତାକୁ ମୋ ଲାଗି ଆଣିପାରିବ? ଏହି ଗୋଟେ ସାମାନ୍ୟ କଥା ବୋଲି କହି ରାଜାଙ୍କ ବଗିଚା ଆଡ଼କୁ ଡିଆଁ ମାରିଲା ଯୁବକ। ନୀଳ ପଳାଶ ଅତ୍ୟନ୍ତ ଦୁର୍ଲଭ ହୋଇଥିବାରୁ ବଗିଚା ଚାରିପଟେ ଖୁବ୍‌ କଡ଼ାକଡ଼ି ଥିଲା ପହରା ବ୍ୟବସ୍ଥା। ତେଣୁ ବଗିଚାରୁ ଫୁଲ ଚୋରି କରିବା ଏକ ପ୍ରକାର ଅସମ୍ଭବ ଜାଣି ଯୁବକଟି ଜଣେ ଜଗୁଆଳିକୁ ସବୁକଥା କହି ଫୁଲଟିଏ ମାଗିଲା ଅତି ବିନମ୍ରତାର ସହିତ। ଫୁଲ ଦେବା ତ ଦୂରର କଥା ତାକୁ ସେ ଠେଙ୍ଗା ଦେଖାଇ ତଡିଦେଲା ଅତି ନିର୍ଦ୍ଦୟ ଭାବରେ। ନିରାଶ ହୋଇ ଯୁବକ ଫେରିଆସି ନିରୋଳାରେ ଚିନ୍ତାକଲା ଉପାୟ। ନିଶାର୍ଦ୍ଧରେ ଚୁପି ଚୁପି ପ୍ରାଚୀର ପାଖରେ ପହଞ୍ଚିଲା ଏବଂ ସାହସ ଯୁଟେଇ ଜଗୁଆଳିଙ୍କ ହାତରେ ଗୁଞ୍ଜିଦେଲା ପାଞ୍ଚଟି ସ୍ବର୍ଣ୍ଣମୁଦ୍ରା। ଜଗୁଆଳି ଏଣେତେଣେ ଚାହିଁ ଖୁବ୍‌ ସନ୍ତର୍ପଣରେ ବଗିଚାରୁ ନୀଳ ପଳାଶଟିଏ ଆଣି ଧରେଇ ଦେଲା ଯୁବକ ହାତରେ। ସେ ଫୁଲଟି ନେଇ ଫୁଲେଇ ପ୍ରେମିକାକୁ ଦିଅନ୍ତେ- ସେ ବିସ୍ମିତ ହୋଇ ପଚାରିଲା ଏ ଫୁଲ ତମେ ରାଜ ଉଦ୍ୟାନରୁ ଆଣିଲ କେମିତି? ଯୁବକ ସବୁକଥା ପ୍ରକାଶ ସହିତ ଟିପ୍ପଣି ଦେଲା- ଯେଉଁଠି ଜଗୁଆଳି ନୀତିହୀନ, ସେଠାରେ ଅସମ୍ଭବ କ’ଣ? ଏହା ଶୁଣି ପ୍ରେମିକାଟି ଧୀରେ କହିଲା- ତମେ କେଉଁ ନୀତିବାନ କି?

– ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ:୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?