ଦୁର୍ନୀତି: ଏକ ମାନସିକ ବ୍ୟାଧି

ସ୍ୱାଧୀନତାର ୭୬ ବର୍ଷ ପରେ ବି ଦେଶରୁ ଦାରିଦ୍ର୍ୟ ହଟୁନି କି ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି ସର୍ବନିମ୍ନ ସୁବିଧା। ଅନ୍ୟପକ୍ଷରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢୁଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ତଥ୍ୟ ଅନୁସାରେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ କ୍ରମାଗତ ଭାବରେ ଉପରକୁ ଉଠୁଛି।
ଆମ ଦେଶରେ ଗଣତନ୍ତ୍ରର ବୟସ ବଢ଼ିବା ସାଙ୍ଗକୁ ବଦଳିଯାଇଛି ଦୁର୍ନୀତିର ସଂଜ୍ଞା। ତଦନୁଯାୟୀ ନେତା, ମନ୍ତ୍ରୀ ଓ ବାବୁମାନଙ୍କର ଆଚରଣ ଓ ଉଚ୍ଚାରଣରେ ଆସିଛି ପରିବର୍ତ୍ତନ। ପ୍ରଚୁର କଳା ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼ିବା ଓ ଜିଣି ସାରିବା ପରେ କ୍ଷମତାର ଅପବ୍ୟବହାର କରି କଳାଟଙ୍କା ଠୁଳ କରିବା ହେଲା ନେତୃତ୍ୱର ଅଘୋଷିତ ନୀତି।
ସାଧାରଣତଃ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭର କରେ ଶାସନର ସ୍ବଚ୍ଛତା। ଏମାନଙ୍କ ସହାୟତା ବିନା ରାଷ୍ଟ୍ରଧନକୁ କେହି ଆତ୍ମସାତ୍‌ କରିପାରେନି କି ଦେଶରେ ଉଧେଇ ପାରେନି ଦୁର୍ନୀତିର ଚାରା। ଆମ ଦେଶରେ କିନ୍ତୁ ରାଜକୋଷ ଲୁଣ୍ଠନ ହୁଏ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ। ରାଷ୍ଟ୍ରଧନକୁ ଲୁଣ୍ଠନ କରିବା ପାଇଁ ରାଜନେତା ଓ ଏମାନଙ୍କ ଭିତରେ ଗଢ଼ିଉଠେ ଅସାଧୁ ସମ୍ପର୍କ। ସବୁ ସ୍ତରରେ ଦୁର୍ନୀତି ପାଇଁ ଏହିମାନେ ହିଁ କ୍ଷେତ୍ର ପ୍ରସ୍ତୁତ କରନ୍ତି । ଖ୍ୟାତନାମା ଆଇଏଏସ୍‌ ଅଧିକାରୀ ପଦ୍ମଭୂଷଣ ସି.ପି.ଶ୍ରୀବାସ୍ତବଙ୍କ ମତରେ ଆମ ଦେଶରେ ଅଧିକାଂଶ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ନିଜ ବିବେକ ସହିତ ସାଲିସ କରି ନିଅନ୍ତି ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ। ସହଯୋଗର ପୁରସ୍କାର ସ୍ବରୂପ ଅବସର ପରେ ଅନେକଙ୍କୁ ମିଳେ କ୍ଷମତା ଉପଭୋଗର ସୁଯୋଗ। ଯେଉଁଠି ଉପରିସ୍ଥ ହାକିମମାନଙ୍କର ବିବେକ ବଳିଗ୍ରସ୍ତ, ସେଠାରେ ତଳିଆ କର୍ମଚାରୀଙ୍କୁ ଜଗିବ କିଏ? କେ.ସି. ସହିନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ- ଉଚ୍ଚ ପଦବୀରେ ଥିବା ବ୍ୟକ୍ତି ଯଦି ଭ୍ରଷ୍ଟାଚାରରେ ଜଡ଼ିତ ରହେ, ତେବେ ତା’ର ପ୍ରଭାବ ସହକର୍ମୀ ଓ ଅଧସ୍ତନଙ୍କ ଉପରେ ପଡ଼ିବା ସ୍ବାଭାବିକ। ସେହି କାରଣରୁ ସରକାରୀ କାର୍ଯ୍ୟାଳୟରେ ତାଳୁରୁ ତଳିପାଯାଏ ମାଡ଼ିଗଲାଣି ଦୁର୍ନୀତିର ଯାଦୁ। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରୁ ସଚିବାଳୟ ଯାଏ ସବୁଠି ଚାଲିଛି ଭଣ୍ଡେଇବାର ଫିସାଦ ଓ ରୁଣ୍ଡେଇବାର ଗଳଦ୍‌ଘର୍ମ ପ୍ରତିଯୋଗିତା।
ଆଗରୁ ଦୁର୍ନୀତି ଅଭିଯୋଗ ଆସୁଥିଲା କେବଳ ଲୋକ ପ୍ରତିନିଧି ଓ ସରକାରୀ ବାବୁମାନଙ୍କ ବିରୋଧରେ। ଏବେ ପୁଣି ଆଙ୍ଗୁଠି ଉଠିଲାଣି ନ୍ୟାୟପାଳିକା ଆଡ଼କୁ। ଦେଶରୁ ଦୁର୍ନୀତି ହଟାଇବାକୁ ହେଲେ ଦୁର୍ନୀତିଖୋରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର। ହେଲେ ସେମାନଙ୍କୁ ଧରିବ କିଏ ? ଧରିବା ଦାୟିତ୍ୱରେ ଥିବା ବାବୁମାନେ ତ ସମାନ ରୋଗରେ ଆକ୍ରାନ୍ତ। ସେଥିପାଇଁ ଦେଶରେ ଦୁର୍ନୀତି ଉପାୟରେ କଳାଧନ ଠୁଳ କରୁଥିବା ହଜାର ହଜାର ସରକାରୀ ବାବୁଙ୍କ ଭିତରୁ ଧରାପଡ଼ନ୍ତି ଜଣେ ଅଧେ ବାବୁ। ଆଶ୍ଚର୍ଯ୍ୟର କଥା ହେଉଛି ଲାଞ୍ଚୁଆ ବାବୁମାନେ ଠାକୁର ଖାଇ ଖଟୁଲି ଖାଇଯିବା ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ବିଭାଗ କରୁଥିଲା କ’ଣ ? ତା’ର ଭିତିରି କାରଣ ଯୋଗୁ ଦୁର୍ନୀତି ଅଭିଯୋଗର ତଦନ୍ତ ପ୍ରକ୍ରିୟା ମଧ୍ୟ ଏଠି ଖୁବ୍‌ ମନ୍ଥର ଓ ଶିଥିଳ। ବର୍ଷ ବର୍ଷ ଧରି ଦୋଷୀ ସାବ୍ୟସ୍ତ ହୋଇପାରନ୍ତିନି ଚିଟ୍‌ଫଣ୍ଡ ଲୁଟେରା। ପ୍ରମାଣ ଅଭାବରୁ ଖସି ଯାଆନ୍ତି ଅନେକ ଲାଞ୍ଚୁଆ ଅଧିକାରୀ। ଦୁର୍ଭାଗ୍ୟର ବିଷୟ ହେଉଛି ଅପରାଧୀ ବିରୋଧରେ ପ୍ରମାଣ ଠୁଳ କରିବା ବଦଳରେ କେତେକ କ୍ଷେତ୍ରରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରେ ତଦନ୍ତକାରୀ ଦଳ। ସେଥିପାଇଁ ନ୍ୟାୟାଳୟରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତିନି ଅଧିକାଂଶ ଅଭିଯୁକ୍ତ। ଭାବିଲେ ଯେଉଁ ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥାର ଶୀର୍ଷ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆସେ, ସେଠାରେ ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ କେମିତି?
ପୂର୍ବତନ ରାଷ୍ଟ୍ରପତି ଡ. ଏ ପି ଜେ ଅବ୍‌ଦୁଲ କଲାମଙ୍କ ମତରେ ଦୁର୍ନୀତିର ବିଲୋପ ପାଇଁ ସ୍ବଚ୍ଛ ନେତା, ସଚ୍ଚୋଟ ଜନତା ଓ ନିଷ୍ଠାପର ଅଧିକାରୀ ଆବଶ୍ୟକ। ମାତ୍ର ଦେଶର ମଙ୍ଗୁଆଳମାନେ ଯେଉଁଠି ଦୁର୍ନୀତିକୁ ନୀତିରେ ପରିଣତ କରି ଦିଅନ୍ତି, ସେଠାରେ ଶେଷରେ ଏମିତି ଅବସ୍ଥା ହୁଏ ଯେ ସାଧାରଣ ଲୋକଙ୍କ ଶିରା ଶୋଣିତରେ ମିଶିଯାଏ ଦୁର୍ନୀତି ମାନସିକତା। ଏହି କାରଣରୁ ଆମ ଦେଶରେ ଲାଞ୍ଚ ନେଲାବାଲା ଯେତିକି ତତ୍ପର, ଲାଞ୍ଚ ଦେଲାବାଲା ତା’ ଠାରୁ ବେଶି ବ୍ୟାକୁଳ। ଯିଏ ଲାଞ୍ଚ ନେଇ କାମ କରି ଦେଇ ପାରିଲା, ସିଏ ଏଠି ଦକ୍ଷ ଓ କରିତ୍‌କର୍ମା। ଅନ୍ୟପକ୍ଷରେ ଯିଏ ଆପଣା ସଚ୍ଚୋଟପଣିଆକୁ ଗଣ୍ଠିଧନ କରି ନୀତି ଆଦର୍ଶରେ ବାଟ ଚାଲିଲା, ଲୋକଙ୍କ ଆଖିରେ ସେ ହେଲା ଅଯୋଗ୍ୟ ଓ ଅପାରଗ।
ସାଧାରଣତଃ ଗ୍ରାମାଞ୍ଚଳ ଅପେକ୍ଷା ବଡ଼ ବଡ଼ ସହରରେ ଅଧିକ ଦୁର୍ନୀତି ହେଉଛି ଏବଂ ଏଥିରେ ଲିପ୍ତ ରହୁଛନ୍ତି ଉଚ୍ଚଶିକ୍ଷିତ ବାବୁମାନେ। କିନ୍ତୁ ସୁଯୋଗ ପାଇଲେ ସେହି ଅବାଟରେ ଯିବାକୁ ପଛାଉ ନାହାନ୍ତି ଗ୍ରାମାଞ୍ଚଳର ଅପାଠୁଆ ଲୋକେ। ଗାଁରେ ବି ଦୁଧ ଦହି ଘିଅ ଓ ପନିପରିବାରେ ଅପମିଶ୍ରଣ ହେଉଛି ଏବଂ ବିଜୁଳି ଚୋରି କରାଯାଉଛି କେତେ ବାଗରେ। ଏଥିରୁ ବୁଝିବାକୁ ହେବ ଯେ ଆମ ମାନସିକତା ସହିତ ଓତପ୍ରୋତ ଭାବରେ ଯୋଡ଼ି ହୋଇଗଲାଣି ଦୁର୍ନୀତି ଓ ଭ୍ରଷ୍ଟାଚାର। ସାଧାରଣତଃ ଗୁଡ଼ଘରେ ଖୁନ୍ଦି ହୋଇଯାଆନ୍ତି ଜନ୍ଦା। ତାଙ୍କୁ ଦରକାର ହୁଏନି ଠିକଣା। ଅଭ୍ୟାସ ଓ ବାସ୍ନା ତାଙ୍କୁ ନେଇ ପହଞ୍ଚାଇ ଦିଏ ବଣାବଣା ଘରେ। ମାନସିକତା ଯେଉଁଠି ବ୍ୟାଧିଗ୍ରସ୍ତ ଓ ମାନବିକତା ଯେଉଁଠି ମୃତ ସେଠାରେ କ’ଣ କରିବ ଆଇନକାନୁନ୍‌ ଓ କୋର୍ଟ କଚେରି। ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର କହିଥିଲେ, ଦୁର୍ନୀତି ଏକ ମାନସିକ ବ୍ୟାଧି। ମଣିଷର ସ୍ବଭାବ ଓ ଚରିତ୍ରରେ ପରିବର୍ତ୍ତନ ନ ଆସିଲେ ସେ ବ୍ୟାଧିରୁ ମୁକ୍ତି ମିଳିବନି। ଆଇନକାନୁନ୍‌ କେବଳ ଏକ ଉପଚାର ହୋଇପାରେ, କିନ୍ତୁ ତା’ର ଅସଲ ନିଦାନ ହେଉଛି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା। ତା’ର ଅଭାବ ଯୋଗୁ ସମାଜର ସବୁ ସ୍ତରର ଲୋକଙ୍କୁ ଗ୍ରାସୁଛି ଦୁର୍ନୀତି ମାନସିକତା। ଏ ସମ୍ପର୍କରେ ରୋଚକ କଥାଟିଏ।
ଜଣେ ଯୁବକର ଅନିନ୍ଦ୍ୟ ସୁନ୍ଦରୀ ବାଗଦତ୍ତା କହିଲା-ରାଜାଙ୍କ ବଗିଚାରେ ଯେଉଁ ନୀଳ ପଳାଶ ଫୁଟିଛି, ତାକୁ ମୋ ଲାଗି ଆଣିପାରିବ? ଏହି ଗୋଟେ ସାମାନ୍ୟ କଥା ବୋଲି କହି ରାଜାଙ୍କ ବଗିଚା ଆଡ଼କୁ ଡିଆଁ ମାରିଲା ଯୁବକ। ନୀଳ ପଳାଶ ଅତ୍ୟନ୍ତ ଦୁର୍ଲଭ ହୋଇଥିବାରୁ ବଗିଚା ଚାରିପଟେ ଖୁବ୍‌ କଡ଼ାକଡ଼ି ଥିଲା ପହରା ବ୍ୟବସ୍ଥା। ତେଣୁ ବଗିଚାରୁ ଫୁଲ ଚୋରି କରିବା ଏକ ପ୍ରକାର ଅସମ୍ଭବ ଜାଣି ଯୁବକଟି ଜଣେ ଜଗୁଆଳିକୁ ସବୁକଥା କହି ଫୁଲଟିଏ ମାଗିଲା ଅତି ବିନମ୍ରତାର ସହିତ। ଫୁଲ ଦେବା ତ ଦୂରର କଥା ତାକୁ ସେ ଠେଙ୍ଗା ଦେଖାଇ ତଡିଦେଲା ଅତି ନିର୍ଦ୍ଦୟ ଭାବରେ। ନିରାଶ ହୋଇ ଯୁବକ ଫେରିଆସି ନିରୋଳାରେ ଚିନ୍ତାକଲା ଉପାୟ। ନିଶାର୍ଦ୍ଧରେ ଚୁପି ଚୁପି ପ୍ରାଚୀର ପାଖରେ ପହଞ୍ଚିଲା ଏବଂ ସାହସ ଯୁଟେଇ ଜଗୁଆଳିଙ୍କ ହାତରେ ଗୁଞ୍ଜିଦେଲା ପାଞ୍ଚଟି ସ୍ବର୍ଣ୍ଣମୁଦ୍ରା। ଜଗୁଆଳି ଏଣେତେଣେ ଚାହିଁ ଖୁବ୍‌ ସନ୍ତର୍ପଣରେ ବଗିଚାରୁ ନୀଳ ପଳାଶଟିଏ ଆଣି ଧରେଇ ଦେଲା ଯୁବକ ହାତରେ। ସେ ଫୁଲଟି ନେଇ ଫୁଲେଇ ପ୍ରେମିକାକୁ ଦିଅନ୍ତେ- ସେ ବିସ୍ମିତ ହୋଇ ପଚାରିଲା ଏ ଫୁଲ ତମେ ରାଜ ଉଦ୍ୟାନରୁ ଆଣିଲ କେମିତି? ଯୁବକ ସବୁକଥା ପ୍ରକାଶ ସହିତ ଟିପ୍ପଣି ଦେଲା- ଯେଉଁଠି ଜଗୁଆଳି ନୀତିହୀନ, ସେଠାରେ ଅସମ୍ଭବ କ’ଣ? ଏହା ଶୁଣି ପ୍ରେମିକାଟି ଧୀରେ କହିଲା- ତମେ କେଉଁ ନୀତିବାନ କି?

– ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ:୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri