ରନ୍ଧନ, ଇନ୍ଧନ ଚିନ୍ତା ବଢ଼ିଲା

ଭୁବନେଶ୍ୱର,୫ା୩(ବ୍ୟୁରୋ):  ୟୁକ୍ରେନ୍‌ ଉପରେ ରୁଷିଆ ୧୦ ଦିନ ହେବ ଜୋରଦାର ଯୁଦ୍ଧ ଚଳାଇଛି। ଏହାର ପ୍ରଭାବ ଏବେ ହାଣ୍ଡିଶାଳ ଓ ଯାନବାହନ ଉପରେ ପଡ଼ିଛି। ଗତ କିଛିଦିନ ହେବ ସୂର୍ଯ୍ୟମୁଖୀ ଓ ଖାଇବା ତେଲ ମୂଲ୍ୟ ଅହେତୁକ ଭାବେ ବଢ଼ିଚାଲିଛି। ୮ ଦିନ ମଧ୍ୟରେ ଖାଇବା ତେଲ ଲିଟର ପିଛା ୨୦ରୁ ୩୦ ଟଙ୍କା ବଢ଼ିଯାଇଛି। ଯୁଦ୍ଧ ଲାଗି ରହିଲେ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଦେଶରୁ ଆମଦାନୀ ହେଉଥିବା ତେଲ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏହି ଦର ବୃଦ୍ଧି ଘଟିଥିବା ବ୍ୟବସାୟୀ କହୁଛନ୍ତି। ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ପେଟ୍ରୋଲିୟମ୍‌ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରକୁ ଟପିଗଲାଣି। ଦେଶର ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ବାଧ୍ୟ ହୋଇ ତୈଳ କମ୍ପାନୀଗୁଡ଼ିକ କ୍ଷତି ସତ୍ତ୍ୱେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିନାହାନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପରେ ଆସନ୍ତା ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ସ୍ପଷ୍ଟ ହେଲାଣି। ତୈଳ ଦର ବୃଦ୍ଧି ହେବା ଜାଣିବା ପରେ ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ଲାଗିଲାଣି। ଲୋକମାନେ ଦର ବଢ଼ିବା ଆଶଙ୍କା କରି ଯାନବାହନ ଟାଙ୍କି ଭର୍ତ୍ତି କରୁଥିବା ଦେଖାଯାଉଛି। ତୈଳ ଦର ବୃଦ୍ଧି ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିବ। କରୋନା ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବା ବେଳେ ବଜାରରେ ଅତ୍ୟାବଶ୍ୟକ ତୈଳ ଦର ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। କ୍ଷୁଦ୍ର ବ୍ୟବସାୟୀ, ମଧ୍ୟବିତ୍ତ ପରିବାରଙ୍କ ଉପରେ ଆର୍ଥିକ ବୋଝ ଆହୁରି ବଢ଼ିଯିବ। ଆଗାମୀ ଦିନରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ।
ଖାଇବା ତେଲ ଦର ଆହୁରି ବଢ଼ିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଆଶଙ୍କା କରିଛନ୍ତି। ସାମୟିକ ଭାବେ ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିବାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ନଚେତ ଖାଉଟିମାନେ ଦର ବୃଦ୍ଧି ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଓ ଅନ୍ୟାନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ କରିବା ଉଚିତ। ନଚେତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ଭଳି ଖାଇବା ତେଲର ମଧ୍ୟ ଦରବୃଦ୍ଧି ଘଟିବ। ଏହା ଗରିବ, ଚାଷୀ, ମୂଲିଆ, ଖଟିଖିଆ ଓ ମଧ୍ୟବିତ୍ତ ପରିବାର ପାଇଁ ଦୁର୍ବିଷହ ହେବ। ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ଯୋଗୁ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି। ଆଗାମୀ ଦିନରେ ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଦେଶରେ ଖାଇବା ତେଲ, ବିଶେଷକରି ସୂର୍ଯ୍ୟମୁଖୀ ତେଲ ଦର ଅହେତୁକ ଭାବେ ବଢ଼ିବା ଆଶଙ୍କା ରହିଛି। ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ତେବେ ଏହାର ଫାଇଦା ନେବାକୁ ଅସାଧୁ ବ୍ୟବସାୟୀମାନେ ମଧ୍ୟ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମ ଯାଞ୍ଚ କରିବାକୁ ଜିଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦରବୃଦ୍ଧିକୁ ନେଇ ବ୍ୟବସାୟୀମାନେ ମଧ୍ୟ ଖୁସି ନାହାନ୍ତି। ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଆମ ରାଜ୍ୟରେ ଗୋଟିଏ ଡ୍ରପ୍‌ ସୂର୍ଯ୍ୟମୁଖୀ କିମ୍ବା ପାମୋଲିନ ତେଲ ଉତ୍ପାଦନ ହେଉ ନାହିଁ। ଅନ୍ୟ ଦେଶ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି। ଯୁଦ୍ଧ ଯୋଗୁ ତେଲ ଦର ବଢିଛି। ଆଗକୁ କ’ଣ ହେବ କହିହେବ ନାହିଁ। ରାଜ୍ୟରେ ଖାଇବା ତେଲ ଉତ୍ପାଦନ ନେଇ କୌଣସି ଯୋଜନା ନାହିଁ। ରାଜ୍ୟରେ ସମସ୍ତ ତେଲ ଉତ୍ପାଦନ ହୋଇପାରନ୍ତା। ସେଥିପାଇଁ ଆନ୍ତରିକତାର ଅଭାବ ରହିଛି। ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ଦର ବୃଦ୍ଧିକୁ ମଧ୍ୟ ସମ୍ଭାଳିବାକୁ ହେବ। ଯୁଦ୍ଧ ଅଧିକ ଦିନ ଚାଲିଲେ ପରିସ୍ଥିିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି।
ଖାଇବା ତେଲ ଦରବୃଦ୍ଧିକୁ ନେଇ ଗୃହିଣୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଶ୍ରଦ୍ଧାଞ୍ଜଳି ପଣ୍ଡା କହିଛନ୍ତି ଯେ ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ପଡ଼ିବା ଆରମ୍ଭ ହେଲାଣି। ରିଫାଇନ୍‌ ତେଲରେ ଏକାଥରକେ ୨୦ଟଙ୍କା ବୃଦ୍ଧି ହୋଇଛି। ଆମ ଘରେ ମାସକୁ ୩ ଲିଟର ରିଫାଇନ୍‌ ତେଲ ଆବଶ୍ୟକ ହୁଏ। ଦର ବୃଦ୍ଧି ସମସ୍ୟା ସୃଷ୍ଟି କରିଛି। ବାଧ୍ୟ ହୋଇ ତେଲ ବ୍ୟବହାର କମ୍‌ କରିବାକୁ ପଡ଼ିବ। ସେହିପରି ଗୃହିଣୀ ସସ୍ମିତା ରାୟ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଖାଇବା ତେଲ ଦର ମଧ୍ୟ ବଢ଼ିଲାଣି। ଆମ ଭଳି ମଧ୍ୟବିତ୍ତ ପରିବାର ସୀମିତ ରୋଜଗାରରେ ଚଳିବା କଷ୍ଟକର ହୋଇପଡୁଛି। ପ୍ରତି ଘରେ ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ତେଲ ବ୍ୟବହାର ହୁଏ। ମାସକୁ ଅତି କମ୍‌ରେ ୨ରୁ ୩ଲିଟର ତେଲ ଖର୍ଚ୍ଚ ହୋଇଥାଏ। ଲିଟର ପିଛା ୨୦ ଟଙ୍କା ବୃଦ୍ଧି ପାଇଥିବାରୁ ବାଧୁଛି। ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବା ସହ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri