ବୃକ୍ଷର ଅବଦାନ: ଏକ ମୂଲ୍ୟାୟନ

ଆଜକୁ ପ୍ରାୟ ୨.୪ ହଜାର ନିୟୁତ(ବିଲିୟନ) ବର୍ଷ ପୂର୍ବେ ବାୟୁମଣ୍ଡଳ ମୁଖ୍ୟତଃ ଯବକ୍ଷାରଜାନ, ଜଳୀୟ ବାଷ୍ପ, ଅଙ୍ଗାରକାମ୍ଳ ଏବଂ ନିଷ୍କ୍ରିୟ ବାଷ୍ପଗୁଡ଼ିକରେ ଗଠିତ ହୋଇଥିଲା ବୋଲି ମନେକରାଯାଏ। ଏହାପରେ ଏଥିରେ ଅମ୍ଳଜାନ ସୃଷ୍ଟି ହେଲା। ତେବେ ପ୍ରାୟ ୬୦୦ ନିୟୁତ ବର୍ଷ ପର୍ଯ୍ୟନ୍ତ ତହିଁରେ ଏହାର ପରିମାଣ ଅସ୍ଥିର ରହୁଥିଲା; ଯାହାକି ଜୀବଜଗତ ପାଇଁ ସହାୟକ ନ ଥିଲା। ତାହା ସ୍ଥିର ଅବସ୍ଥାକୁ ଆସିଲା ପ୍ରାୟ ୪୦୦ ନିୟୁତ ବର୍ଷ ପୂର୍ବେ, ଉଦ୍ଭିଦଜଗତ ସୃଷ୍ଟି ହେଲା ପରେ। ଏହାଅନ୍ତେ ପ୍ରାଣୀମାନଙ୍କର, ବିଶେଷକରି ଶ୍ୱାସକ୍ରିୟା ଲାଗି ଅମ୍ଳଜାନ ଆବଶ୍ୟକ କରୁଥିବା ପଶୁପକ୍ଷୀମାନଙ୍କର ସୃଷ୍ଟି ସମ୍ଭବ ହେଲା। ଧରାପୃଷ୍ଠକୁ ମଣିଷ ଆସିଲା ଆଜକୁ ମାତ୍ର ୫ରୁ ୭ ନିୟୁତ ବର୍ଷ ପୂର୍ବେ। ଅତଏବ ବୃକ୍ଷ ପ୍ରକୃତରେ ଖାଲି ମଣିଷ କାହିଁିକି ସମଗ୍ର ଜୀବଜଗତର ଜନନୀ-କେବଳ ଜନ୍ମଦାତ୍ରୀ ନୁହେଁ, ପାଳନକର୍ତ୍ତ୍ରୀ ମଧ୍ୟ।
ଆମେରିକାର କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ (୨୦୧୫) ଅନୁସାରେ, ଏକ ଏକର ଭୂମିରେ ଥିବା ବୃକ୍ଷରାଜି ବା ଅରଣ୍ୟ ବର୍ଷକୁ ୫ ଟନ୍‌ ସବୁଜ ଗୃହ ବାଷ୍ପ ଅଙ୍ଗାରକାମ୍ଳ ଶୋଷଣ କଲାବେଳେ ୪ଟନ୍‌ ଅମ୍ଳଜାନ ନିର୍ଗମନ କରିଥାଏ, ଯାହାକି ୧୮ଜଣ ଲୋକଙ୍କ ଶ୍ୱାସକ୍ରିୟା ସମ୍ପାଦନ କରିପାରେ। ପୁନଶ୍ଚ ଏହା ବାୟୁରୁ ଧୂଳିକଣା ନିଷ୍କାସନ ଏବଂ କାର୍ବନ ମନୋକ୍‌ସାଇଡ, ସଲଫରଡାଇ ଅକ୍‌ସାଇଡ, ନାଇଟ୍ରୋଜେନ ଡାଇଅକ୍‌ସାଇଡ ଆଦି ପ୍ରଦୂଷକ ଶୋଷଣ ତଥା ସୌରତାପ, ଅତ୍ୟଧିକ ବୃଷ୍ଟିପାତ ଓ ବାତ୍ୟାର ଧ୍ୱଂସକାରୀ ପ୍ରଭାବକୁ ନିୟନ୍ତ୍ରଣ କରିବା ସହିତ ବୃଷ୍ଟିଜଳ ସଂରକ୍ଷଣ, ଭୂତଳ ଜଳର ପୁନଃଭରଣ, ମୃତ୍ତିକାର ସ୍ବାସ୍ଥ୍ୟରକ୍ଷା ଏବଂ ବିବିଧ ଜୀବଜନ୍ତୁ ଓ ପକ୍ଷୀମାନଙ୍କୁ ଖାଦ୍ୟ ଓ ବାସ ଯୋଗାଇଥାଏ। ଦେଖାଯାଇଛି ଯେ, ଘରର ଚତୁଃପାର୍ଶ୍ୱରେ ବୃକ୍ଷ ଥିଲେ ଶୀତ-ତାପ ନିୟନ୍ତ୍ରଣର ଆବଶ୍ୟକତା ୩୦ରୁ ୫୦ ଶତାଂଶ ହ୍ରାସପାଏ।
ଆମକୁ ସଚେତନ କରିବା ନିମନ୍ତେ ବୈଜ୍ଞାନିକମାନେ ବୃକ୍ଷର ମୂଲ୍ୟ ଆକଳନ କରିଛନ୍ତି। ପ୍ରଥମେ ୧୯୭୯ରେ ଏହାର ଏକ ସୂଚନା ‘ଇଣ୍ଡିଆନ ବାୟୋଲୋଜିଷ୍ଟ’ ନାମକ ଗବେଷଣା ପତ୍ରିକାରେ ପ୍ରଦାନ କରିଥିଲେ କଲିକତା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଟି.ଏମ୍‌. ଦାସ। ସେ ସୂଚିତ କରିଥିଲେ ଯେ, ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ଗୋଟିଏ ବୃକ୍ଷ ସେ ସମୟର ମୂଲ୍ୟସୂଚୀ ଅନୁସାରେ ଆମକୁ ୧,୯୬,୬୫୦ ଡଲାର (X ୮୦ ଟଙ୍କାର) ମୂଲ୍ୟର ଅବଦାନ ଦେଇଥାଏ। ତେବେ ୨୦୧୧-୧୨ ରେ ପୁନଃ ମୂଲ୍ୟାୟନ କରି ତାହା ୮,୦୯,୭୬୦ ଡଲାର (X ୮୦ ଟଙ୍କାର) ବୋଲି ସ୍ଥିର କରାଯାଇଛି। ତହିଁରେ ରହିଛି ଅମ୍ଳଜାନ ଉତ୍ପାଦନ (୧୦,୫୦୦ ଡଲାର), ପଶୁପାଳନ (୩୦୦୦ ଡଲାର), ମୃତ୍ତିକା କ୍ଷୟ ହ୍ରାସ (୧୦,୦୦୦ ଡଲାର), ଜଳ ପୁନଃଚକ୍ରଣ, ବାୟୁରେ ଜଳୀୟ ବାଷ୍ପ ଏବଂ ତାପମାତ୍ରା ନିୟନ୍ତ୍ରଣ (୧,୫୪,୫୬୦ ଡଲାର), ବନ୍ୟ ପଶୁପକ୍ଷୀଙ୍କୁ ଆଶ୍ରୟ ପ୍ରଦାନ ମାଧ୍ୟମରେ ପରିସଂସ୍ଥାର ସମୃଦ୍ଧି (୧,୨୯,୭୦୦ ଡଲାର) ଏବଂ ବାୟୁରୁ ଭାସମାନ ସୂକ୍ଷ୍ମକଣିକା, ଅଙ୍ଗାରକାମ୍ଳ, ସଲଫର୍‌ ଡାଇଅକ୍‌ସାଇଡ୍‌ ଆଦି ପ୍ରଦୂଷକ ନିଷ୍କାସନ (୪,୦୨,୦୦୦ ଡଲାର)।
ବୃକ୍ଷର ଆମ ପାଇଁ ସବୁଠାରୁ ଉପଯୋଗୀ ଅବଦାନ ହେଲା ଅମ୍ଳଜାନ। ଏକ ଆକଳନ ଅନୁସାରେ ଜଣେ ବ୍ୟକ୍ତି ପ୍ରତ୍ୟହ ଶ୍ୱାସକ୍ରିୟାରେ ଗ୍ରହଣ କରୁଥିବା ଏହାର ପରିମାଣ ଚିକିତ୍ସାଳୟଗୁଡ଼ିକରେ ଉପଲବ୍ଧ ୩ଟି ସିଲିଣ୍ଡରରେ ଥିବା ବାଷ୍ପ ସହିତ ସମାନ। ଏ ପ୍ରକାର ଗୋଟିଏ ସିଲିଣ୍ଡରର ଦାମ ହେଲା ୭୦୦ରୁ ୯୦୦ ଟଙ୍କା। ତେଣୁ ଜଣେ ଲୋକ ପ୍ରତିଦିନ ଆବଶ୍ୟକ କରୁଥିବା ୭୦୦x୩=୨୧୦୦ ବା ୯୦୦x୩=୨୭୦୦ ଟଙ୍କାର ଅମ୍ଳଜାନ ବୃକ୍ଷମାନଙ୍କଠାରୁ ପ୍ରାପ୍ତ ହୋଇଥାଏ। ଦୁଇଟି ୩୨ ଫୁଟ୍‌ ଉଚ୍ଚତାର ଗଛ ଏହା ଉତ୍ପାଦନ କରିଥାନ୍ତି।
ପୁନଶ୍ଚ ଉଭୟ ବନ୍ୟ ଓ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଏବଂ ଆମ ପରିସଂସ୍ଥାକୁ ସରସ ସୁନ୍ଦର ରଖିବା ଲାଗି ଆହୁରି ଅଧିକ ଅମ୍ଳଜାନ ଲୋଡା। ତା’ ବ୍ୟତୀତ ଘରେ, ଶିଳ୍ପାୟନରେ ଏବଂ ଯାନବାହନ ଆଦିରେ ଆବଶ୍ୟକ ଶକ୍ତି ଉତ୍ପାଦନ ଲାଗି ଇନ୍ଧନର ଦହନ ପ୍ରକ୍ରିୟାରେ ମଧ୍ୟ ପ୍ରଚୁର ଅମ୍ଳଜାନ ଲାଗିଥାଏ। ଏହାର କଳନା କରିବା ସମ୍ଭବ ନୁହେଁ। ଏହା ବ୍ୟତୀତ ବୃକ୍ଷର ଅନ୍ୟାନ୍ୟ ଅବଦାନ ମଧ୍ୟରେ ରହିଛି ଘରୋଇ ଇନ୍ଧନ ଯୋଗାଣ (ଶୁଖିଲା ଡାଳପତ୍ର), ଆର୍ଦ୍ରଭୂମିରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ଧ୍ୱନି ପ୍ରଦୂଷଣ ହ୍ରାସ, ବୃଷ୍ଟିପାତ ବୃଦ୍ଧି, ମୃତ୍ତିକାକ୍ଷୟ ପ୍ରତିରୋଧ ଇତ୍ୟାଦି। ପୁନଶ୍ଚ ପ୍ରାୟ ୮୦୦୦ ପ୍ରଜାତିର ବୃକ୍ଷଲତା ଓ ଗୁଳ୍ମ ଆଦିର ଔଷଧୀୟ ଗୁଣଥିବାର ଚିହ୍ନଟ କରାଯାଇଛି।
ଏକ ସମୁନ୍ନତ ପରିବେଶ ଏବଂ ସନ୍ତୁଳିତ ପରିସଂସ୍ଥା ପାଇଁ ଭୂଭାଗର ଏକ ତୃତୀୟାଂଶ ବୃକ୍ଷ ଓ ଅରଣ୍ୟରେ ଆଚ୍ଛାଦିତ ରହିବା ଉଚିତ। କିନ୍ତୁ ଆମେ ବିଚାରଶୂନ୍ୟ ଭାବେ ବୃକ୍ଷଚ୍ଛେଦନ ଓ ବନ ବିଧ୍ୱଂସ କରିଚାଲିଛେ। ‘ନେଚର୍‌’ ପତ୍ରିକା (୨୦୧୫)ରେ ପ୍ରକାଶିତ ଏକ ବିବରଣୀ ଅନୁସାରେ ଆମେ ବର୍ଷକୁ ଛେଦନ କରୁଥିବା ବୃକ୍ଷସଂଖ୍ୟା ପ୍ରାୟ ୧୫ ହଜାର ନିୟୁତ (ବିଲିୟନ)। ଏଥିସହିତ ବାଡବାଗ୍ନୀ ମଧ୍ୟ ଏ ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଛି। ଅତଏବ ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ ୧୯୯୦ରୁ ୨୦୧୬ ଭିତରେ ଦୁନିଆରୁ ଉଭେଇଯାଇଛି ୧.୩ ନିୟୁତ ବର୍ଗ କିଲୋମିଟର ଅରଣ୍ୟ। ଫଳରେ ପରିବେଶ, ପରିସଂସ୍ଥା ତଥା ସମଗ୍ର ଜୀବଜଗତ ଠେଲି ହୋଇଯାଉଛି ବିଷମରୁ ଅତି ବିଷମ ପରିଣାମ ମଧ୍ୟକୁ ଏବଂ ପୃଥିବୀ ହରାଇବାରେ ଲାଗିଛି ତା’ର ବାସୋପଯୋଗିତା। ଏହି ଧାରା ଅବ୍ୟାହତ ରହିଲେ ଏହା ଏକ ମୃତଗ୍ରହରେ ପରିଣତ ହେବାକୁ ଅଧିକ ସମୟ ଲାଗିବ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂତନ ବନୀକରଣ ବନବିଧ୍ୱଂସ ଜନିତ ସମସ୍ୟାଗୁଡ଼ିକର ସମାଧାନ ନୁହେଁ, କାରଣ ପ୍ରଥମତଃ ପ୍ରାକୃତିକ ଅରଣ୍ୟର ପରିସଂସ୍ଥାରେ ଥିବା ସମସ୍ତ ବୃକ୍ଷଲତା ଓ ତୃଣଗୁଳ୍ମ ଏବଂ ତହିଁରେ ବାସ କରୁଥିବା ପଶୁପକ୍ଷୀ, କୀଟପତଙ୍ଗ
ଓ ସୂକ୍ଷ୍ମ ଜୀବମାନେ ଏଥିରେ ସୃଷ୍ଟି କରାଯାଇପାରିବ ନାହିଁ। ପୁନଶ୍ଚ ନୂତନ ଭାବେ ରୋପିତ ବୃକ୍ଷଗୁଡିକୁ ବଢ଼ିବା ପାଇଁ ପ୍ରଜାତି ଉପରେ ନିର୍ଭର କରି ୨୦/୩୦ ବର୍ଷ ଲାଗିଯାଇପାରେ। ସେହିପରି ଏ ବନୀକରଣ କରାଯାଉଛି ପୂର୍ବତନ ବନଭୂମିଠାରେ ଦୂରବର୍ତ୍ତୀ ସ୍ଥାନରେ, ଯେଉଁଠିକି ଯୁଗ ଯୁଗ ଧରି ରହିଆସିଥିବା ପ୍ରାକୃତିକ ପରିସଂସ୍ଥା ପାଇଁ ଏହା ଅନୁକୂଳ ନୁହେଁ।
ଉଦାହରଣ ସ୍ବରୂପ ଉପକୂଳବର୍ତ୍ତୀ ଅଞ୍ଚଳରେ ଶିଳ୍ପ କେନ୍ଦ୍ରଟିଏ ପ୍ରତିଷ୍ଠା ଲାଗି ସେଠାର ଅରଣ୍ୟକୁ ବିଧ୍ୱଂସ କରି ଅନ୍ୟତ୍ର ଏକ ମରୁଭୂମିରେ ବନୀକରଣ କରାଗଲେ ତାହାକୁ ତା’ର ବିକଳ୍ପ ବୋଲି କୁହାଯାଇପାରିବ ନାହିଁ, ବରଂ ତଦ୍ଦ୍ବାରା ଏଠାରେ ପ୍ରାକୃତିକ ପରିବେଶ ନକାରାତ୍ମକ ଭାବେ ପ୍ରଭାବିତ ହେବ।
ଏ କଥା ଭାବିଲେ ମନକୁ ଆସେ ଊନବିଂଶ ଶତାବ୍ଦୀର ରାଜସ୍ଥାନୀ କବି ଜୟସ୍‌ କିଲମରଙ୍କ ରଚିତ କବିତା ‘ବୃକ୍ଷ ଓ କବିତା’। ବୃକ୍ଷଭଳି ସୁନ୍ଦର କବିତାଟିଏ ଲେଖିବାରେ ବିଫଳ ହୋଇ ସେ ଏହାର କାରଣ ସ୍ବରୂପ ଶେଷ ପଂକ୍ତିରେ ସୂଚାଇଛନ୍ତି, ”ମୋ ଭଳି ମୂରୁଖମାନେ ଲେଖନ୍ତି କବିତା, ହେଲେ ବୃକ୍ଷକୁ ଯେ ଗଢ଼ିଛନ୍ତି ନିଜେ ବିଶ୍ୱପିତା“। ପ୍ରକୃତରେ ମଣିଷ ଯେତେ ଜ୍ଞାନୀ ହେଲେ ମଧ୍ୟ ସୃଜନାତ୍ମକ କଳାରେ ସେ କଦାପି ପ୍ରକୃତିକୁ ଟପି ପାରିବ ନାହିଁ। ଏଣୁ ପରିବେଶ ଓ ପରିସଂସ୍ଥାକୁ ସୁସ୍ଥ ଓ ସନ୍ତୁଳିତ ରଖିବାକୁ ହେଲେ ବୃକ୍ଷକୁ ଜନନୀ ରୂପେ ଶ୍ରଦ୍ଧା ଓ ସମ୍ମାନ ଦେଇ ପ୍ରାକୃତିକ ବନରାଜିକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ଏବଂ ଯେଉଁଠାରେ ତାହାର ଅବକ୍ଷୟ ଘଟିଛି ସେଠାରେ ଯଥାସମ୍ଭବ ପ୍ରାକୃତିକ ଭାବେ ତାହା ପୁନଃ ସୃଷ୍ଟିହେବା ଲାଗି ସୁଯୋଗ ଦେବା ଏକମାତ୍ର ପନ୍ଥା ବୋଲି ତାକୁ ହୃଦୟଙ୍ଗମ କରିବାକୁ ପଡ଼ିବ।

– ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?