ନାଗପୁର, ୩୦।୧୦: ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍ଏଲ୍ସି ଅଭିଜିତ ୱଞ୍ଜାରୀ ନାଗପୁର ଡିଭିଜନ ଗ୍ରାଜୁଏଟ୍ସ ନିର୍ବାଚନମଣ୍ଡଳୀ ଆସନରେ ଭାଜପାର ସୁଧାକର କୋହଲେଙ୍କୁ ୩,୨୭୧ ଭୋଟରେ ପରାସ୍ତ କରିଛନ୍ତି। ମଙ୍ଗଳବାର ସକାଳେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ଗୁରୁବାର ଭୋର ସମୟରେ ଏହା ଶେଷ ହୋଇଥିଲା। ୱଞ୍ଜାରୀଙ୍କୁ ୬୭,୨୩୧ ଭୋଟ ମିଳିଥିବା ବେଳେ କୋହଲେ ୬୩,୯୬୦ ଭୋଟ ପାଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ନିଜସ୍ବ ସହରରେ କୋହଲେଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ ମଧ୍ୟ ଭାଜପା ପରାସ୍ତ ହୋଇଥିବାରୁ ଏହା ଦଳ ପାଇଁ ଏକ ବଡ଼ ଝଟକା ଆଣିଦେଇଛି।
ବୁଧବାର ଦ୍ୱିତୀୟ ରାଉଣ୍ଡ ଗଣତି ପରେ କୋହଲେ ତାଙ୍କ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୪,୨୯୪ ଭୋଟରେ ଆଗୁଆ ଥିଲେ। ପ୍ରଥମ ପସନ୍ଦ ଭୋଟ ଆଧାରରେ ଦ୍ୱିତୀୟ ରାଉଣ୍ଡ ଗଣତି ପରେ କୋହଲେ ୬୦,୯୨୪ ଭୋଟ ପାଇଥିବାବେଳେ ୱଞ୍ଜାରୀ ୫୬,୬୩୦ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ନିତେଶ କରାଳେ ୨୪,୨୪୯ ଭୋଟ ପାଇଥିଲେ। ତଥାପି କୌଣସି ପ୍ରାର୍ଥୀ ଆବଶ୍ୟକ କୋଟା ଭୋଟ ହାସଲ କରି ନ ଥିବାରୁ ଗଣତି ଦ୍ୱିତୀୟ ପସନ୍ଦ ଭୋଟ ରାଉଣ୍ଡକୁ ଯାଇଥିଲା। ଏଲିମିନେସନ ରାଉଣ୍ଡରେ ୱଞ୍ଜାରୀ ୬୭,୨୩୧ ଭୋଟ ପାଇଥିବାବେଳେ କୋହଲେ ୬୩,୯୬୦ ଭୋଟ ପାଇଥିଲେ।

