ନୂଆଦିଲ୍ଲୀ,୩୦।୧୦:: ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ଐତିହାସିକ ବିଜୟ ପାଇଁ ଦେଶ ବିଦେଶରୁ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଭାରତୀୟ କ୍ରିକେଟ୍ର ଅନେକ ମହାନ ଖେଳାଳି ମଧ୍ୟ ମହିଳା ଟିମକୁ ଅଭିନନ୍ଦନ ଜଣାଇଥିଲେ। ଏହି ତାଲିକାରେ ସାମିଲ ଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଏବେ ଭାରତୀୟ ଅଧିନାୟିକା ସ୍ମୃତି ମନ୍ଧାନା ଧୋନୀଙ୍କ ଏକ ବିଶେଷ ହ୍ବାଟ୍ସଆପ ମେସେଜକୁ ନେଇ ବଡ଼ ରାଜ୍ ଖୋଲିଛନ୍ତି।
ଏକ କାର୍ଯ୍ୟକ୍ରମରେ ସ୍ମୃତି ମନ୍ଧାନା ଏହି ଘଟଣା ବିଷୟରେ କହିଛନ୍ତି। ବିଶ୍ୱକପ ଜିତିବା ପରେ ଏମଏସ ଧୋନୀ ତାଙ୍କୁ ହ୍ବାଟ୍ସଆପ୍ରେ ମେସେଜ କରିଥିଲେ। ଏହି ମେସେଜ୍ରେ ସେ ପୂରା ଭାରତୀୟ ମହିଳା ଟିମକୁ ଅଭିନନ୍ଦନ ଜଣାଇଥିଲେ। ଧୋନୀଙ୍କଠାରୁ ଏଭଳି ମେସେଜ ପାଇ ସେ ବେଶ ଖୁସି ହୋଇଥିଲେ। କାରଣ ଧୋନୀ ସାଧାରଣତଃ ମୋବାଇଲ ଫୋନ୍ର ଅଧିକ ବ୍ୟବହାର କରନ୍ତି ନାହିଁ। ତେଣୁ ତାଙ୍କଠାରୁ ହ୍ବାଟ୍ସଆପ ମେସେଜ ପାଇବା ସ୍ମୃତିଙ୍କ ପାଇଁ ଏକ ସ୍ବତନ୍ତ୍ର ଅନୁଭୂତି ଥିଲା।
ଧୋନୀ ମଧ୍ୟ ଏହି ମେସେଜ ପଛର କାରଣ କହିଥିଲେ। ଭାରତୀୟ ମହିଳା ଦଳର ଅନ୍ୟ କୌଣସି ଖେଳାଳିଙ୍କ ମୋବାଇଲ ନମ୍ବର ତାଙ୍କ ପାଖରେ ନ ଥିଲା। ତେଣୁ ସେ ସ୍ମୃତିଙ୍କୁ ମେସେଜ କରିଥିଲେ ଏବଂ ଦଳର ସମସ୍ତ ଖେଳାଳିଙ୍କ ପାଖରେ ତାଙ୍କ ଶୁଭେଚ୍ଛା ପହଞ୍ଚାଇବାକୁ କହିଥିଲେ। ଧୋନୀଙ୍କ ଏହି ଛୋଟିଆ ମେସେଜ ଭାରତୀୟ ମହିଳା କ୍ରିକେଟ ଟିମ୍ର ଐତିହାସିକ ସଫଳତା ସହ ଏକ ସ୍ମରଣୀୟ ଘଟଣା ଭାବେ ଯୋଡ଼ି ହୋଇ ରହିଛି।
୨୦୨୫ ନଭେମ୍ବର ୨ ତାରିଖରେ ନଭି ମୁମ୍ବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ପରାସ୍ତ କରି ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଟ୍ରଫି ହାସଲ କରିଥିଲା।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୯୮ ରନ କରିଥିଲା। ଶେଫାଳି ବର୍ମା ୮୭ ରନ ଏବଂ ଦୀପ୍ତି ଶର୍ମା ୫୮ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨୪୬ ରନ୍ରେ ଅଲଆଉଟ ହୋଇଥିଲା। ବୋଲିଂରେ ମଧ୍ୟ ଦମ ଦେଖାଇ ଦୀପ୍ତି ଶର୍ମା ୫ଟି ଉଇକେଟ ନେଇଥିଲେ।
୨୦୨୬ ମସିହା ମଧ୍ୟ ସ୍ମୃତି ମନ୍ଧାନାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଅକ୍ଟୋବର ମାସରେ ତାଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମ୍ର ଅଧିନାୟିକା ଦାୟିତ୍ୱ ଦିଆଯାଇଛି। ଏବେ ତାଙ୍କ ଆଗରେ ଦଳକୁ ଆଗକୁ ନେବା ସହ ଆଗାମୀ ମ୍ୟାଚ୍ଡ଼ିକରେ ଉନ୍ନତ ପ୍ରଦର୍ଶନ କରିବାର ବଡ଼ ଚ୍ୟାଲେଞ୍ଜ ରହିଛି।
Dharitri – Odisha’s No.1 Odia Daily

