ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ନିରୀକ୍ଷଣ କରିବେ। ଏଥିସହ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବନ୍ୟାଞ୍ଚଳ ମଧ୍ୟ ଆକାଶମାର୍ଗରୁ ଅନୁଧ୍ୟାନ କରିବେ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ରାଜସୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ସାମିଲ ହେବେ।
ସୂଚନାଯୋଗ୍ୟ,ବାତ୍ୟା ପରବର୍ତ୍ତୀ ବନ୍ୟା ଭଞ୍ଜନଗର ଅଞ୍ଚଳବାସୀଙ୍କ ପାଇଁ ଅପାର ଦୁଃଖ ଓ ଦୁର୍ଦ୍ଦଶା ଆଣିଦେଇଛି। ଭଞ୍ଜନଗର ସହରବାସୀ ଦୀର୍ଘ ବର୍ଷ ପରେ ଏଭଳି ଭୟଙ୍କର ବନ୍ୟା ଦେଖିଛନ୍ତି। ପୂର୍ବରୁ ବନ୍ୟା ହେଲେ ମଧ୍ୟ ସହରର ମୁଖ୍ୟ ସଡ଼କରେ ପାଣି ପ୍ରବେଶ କରୁ ନ ଥିଲା। କିନ୍ତୁ ଗତକାଲିର ବନ୍ୟାରେ ମୁଖ୍ୟ ସଡ଼କ ଉପରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ପ୍ରକୃତିର ଦାଉ ସାଙ୍ଗକୁ ମନୁଷ୍ୟକୃତ ତ୍ରୁଟି ଯୋଗୁ ବନ୍ୟାରେ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିଯାଇଛି। ବନ୍ୟାଜଳ ଘରେ ପଶିଯିବାରୁ ଲୋକେ ନିଜର ଆସବାବପତ୍ର ଓ ମୂଲ୍ୟବାନ ସାମଗ୍ରୀ ମଧ୍ୟ ବାହାର କରିବାକୁ ସୁଯୋଗ ପାଇ ନ ଥିଲେ। ଚାରିଆଡ଼େ ଜଳମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଲୋକଙ୍କ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି।
Dharitri – Odisha’s No.1 Odia Daily

