ବିଦେଶକୁ ଚାଲିଯାଉଛି କଞ୍ଚାମାଲ: ମୁହଁ ଫେରାଇଲେଣି ୯ ଷ୍ଟିଲ୍‌ କମ୍ପାନୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟରେ ଶିଳ୍ପର ଉନ୍ନତି ଏବଂ ଏ କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି। ନୂତନ ଶିଳ୍ପ ନୀତିରୁ ଆରମ୍ଭକରି ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରିଛନ୍ତି। ରାଜ୍ୟରେ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରିକୁ ଫୋକସରେ ରଖି ରାଜ୍ୟ ସରକାର ‘ଭିଜନ-୨୦୩୦’ର ଲକ୍ଷ୍ୟ ରଖିଛନ୍ତି। ଆଲୁମିନିୟମ୍‌, ଷ୍ଟିଲ୍‌, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଭଳି ସେକ୍ଟରରେ ଅଧିକରୁ ଅଧିକ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରି ରାଜ୍ୟ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କହୁଛନ୍ତି। ହେଲେ ବାସ୍ତବ ଚିତ୍ର ଭିନ୍ନ। ରାଜ୍ୟରେ ଯେତିକି ପୁଞ୍ଜିନିବେଶ ହେଉଛି,ସେତିକି ପ୍ରତ୍ୟାହାର ମଧ୍ୟ ହେଉଛି। ଅର୍ଥାତ୍‌ ଗୋଟିଏପଟେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରୁଥିବାବେଳେ ଏପଟେ ଗୋଟିଏ ପରେ ଗୋଟିଏ ବୃହତ୍‌ ଶିଳ୍ପ ଓଡ଼ିଶାରୁ ନିଜର ଉତ୍ପାଦନ କାର୍ଯ୍ୟ ବନ୍ଦ କରୁଛନ୍ତି। ମିଳିଥିବା

ସୂଚନା ଅନୁଯାୟୀ, ଗତ ୫ବର୍ଷ ମଧ୍ୟରେ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବୃହତ୍‌ ଶିଳ୍ପ ମଧ୍ୟରୁ ୯ଟି ଶିଳ୍ପ ଉପତ୍ାଦନ କାର୍ଯ୍ୟ ବନ୍ଦ କରିଛନ୍ତି। ଏହି ୯ଟି ଶିଳ୍ପ ପ୍ରତିଷ୍ଠାନ ରାଜ୍ୟ ସରକାରଙ୍କ ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ବିଭିନ୍ନ ବର୍ଗରେ ଅନୁମୋଦନ ସହ ସ୍ଥାପିତ ହୋଇଥିଲା।
ଗତ ୫ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୫ରୁ ୨୦୨୦ ମଧ୍ୟରେ ଓଡ଼ିଶାରୁ ମୁହଁ ଫେରାଇ ନେଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ୯ଟି ଷ୍ଟିଲ୍‌ ଉତ୍ପାଦନକାରୀ ଶିଳ୍ପସଂସ୍ଥା ରହିଛନ୍ତି। ୧,୨୬୩ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଆକ୍ସନ ଇସ୍ପାତ୍‌ ଆଣ୍ଡ୍‌ ପାୱାର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଏବେ ତାଲା ଝୁଲୁଛି। ଏହି ଷ୍ଟିଲ୍‌ କମ୍ପାନୀର ବାର୍ଷିକ ଉପତ୍ାଦନ କ୍ଷମତା ୦.୮୦ ମିଲିୟନ ଟନ୍‌(ଏମ୍‌ଟିପିଏ) ଥିବାବେଳେ ଏହା ବନ୍ଦ ହେବାଦ୍ୱାରା ବହୁ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ସେହିଭଳି ୧୯୫.୩୧ କୋଟି ବ୍ୟୟରେ କେନ୍ଦୁଝରର ତୋପଡିହିରେ ପ୍ରତିଷ୍ଠା ହୋଇଥିବା ଦୀପକ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(୦.୨୫ ଏମ୍‌ଟିପିଏ), ୨୫୧.୭୭ କୋଟି ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠିତ ଜୈନ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(୦.୩୦ ଏମ୍‌ଟିପିଏ), ୨୧୦ କୋଟିର ପ୍ରକଳ୍ପ କଟକର ମାହେଶ୍ୱରୀ ଇସ୍ପାତ ପ୍ରାଇଭେଟ୍‌ ଲିମିଟେଡ୍‌(୦.୨୫ ଏମ୍‌ଟିପିଏ), ୧୪୬୬.୩୯ କୋଟି ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଏମ୍‌ଏସ୍‌ପି ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌(୧ ଏମ୍‌ଟିପିଏ), ୧୧୩୭ କୋଟିର ବୃହତ୍‌ ଶିଳ୍ପ ପ୍ରକଳ୍ପ କେନ୍ଦୁଝରର ଓଡ଼ିଶା ସ୍ପଞ୍ଜ ଆଇରନ ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌(୧ ଏମ୍‌ଟିପିଏ), ୨୭୨.୮୫ କୋଟି ବ୍ୟୟରେ ପ୍ରତିଷ୍ଠିତ ସମ୍ବଲପୁରର ରାଠି ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(୦.୩୦ ଏମ୍‌ଟିପିଏ), ସେହି ସମ୍ବଲପୁରର ୫୪୯ କୋଟିର ପ୍ରକଳ୍ପ ମା’ ସମଲେଶ୍ୱରୀ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌(୦.୨୫ ଏମ୍‌ଟିପିଏ) ଏବଂ ୨୫୪ କୋଟି ବ୍ୟୟରେ ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଇଷ୍ଟର୍ନ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(୦.୨୫ ଏମ୍‌ଟିପିଏ) ବନ୍ଦ ହେବା ପରେ ଏହାକୁ ଏବେ ଠାକୁର ପ୍ରସାଦ ସ ପ୍ରାଇଭେଟ ଲିମିଟେଡ ହାତକୁ ନେଇ ଚଳାଇଛି। ଏନେଇ ତଥ୍ୟ ଖୋଦ୍‌ ଶିଳ୍ପ ମନ୍ତ୍ରୀ ମଧ୍ୟ ବିଧାନସଭାରେ ବିବୃତି ରଖିଛନ୍ତି।
୨୦୧୮ରେ ଆୟୋଜିତ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ରାଜ୍ୟକୁ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଆଲ ହବ୍‌ରେ ପରିଣତ କରିବାକୁ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ସହ ଆଲୋଚନା କରିଥିଲେ। କେବଳ ଏତିକି ନୁହେଁ, ରାଜ୍ୟ ଉତ୍ପାଦନ କରୁଥିବା ଖଣିଜ ସମ୍ପଦକୁ ଏଣିକି ବାହାରକୁ ନ ପଠାଇ ନିଜେ ବିନିଯୋଗ କରିବାକୁ ମଧ୍ୟ ଏଠାରେ ସ୍ଥିର ହୋଇଥିଲା। ଓଡ଼ିଶା ନିଜର ୫୦ ପ୍ରତିଶତ ଖଣିଜ ଦ୍ରବ୍ୟକୁ ଫିନିଶିଂ ପ୍ରଡକ୍ଟରେ ପରିଣତ କରି ବିକ୍ରି କରିବ। ଆଗରୁ କଞ୍ଚାମାଲ୍‌କୁ ଶସ୍ତାରେ ବିକ୍ରି କରୁଥିବା ଓଡ଼ିଶା ଏହାଦ୍ୱାରା ବିଶେଷଭାବେ ଲାଭବାନ୍‌ ହେବ ବୋଲି ତତ୍‌କାଳୀନ ଶିଳ୍ପ ମନ୍ତ୍ରୀ ଏବଂ ବିଭାଗୀୟ ସଚିବ ପ୍ରତିଶ୍ରୁତି ଦେଇଥିଲେ। ହେଲେ କଞ୍ଚାମାଲ୍‌ ରପ୍ତାନି ବନ୍ଦ ହେବାର ନିଁ ଧରୁନି। ବାହାର ରାଜ୍ୟ ଏବଂ ଦେଶକୁ ବହୁଳ ପରିମାଣରେ ଲୁହାପଥର ରପ୍ତାନୀ ହେଉଥିବାରୁ ରାଜ୍ୟରେ ଥିବା ଷ୍ଟିଲ୍‌ କମ୍ପାନୀଗୁଡ଼ିକ ପାଇଁ କଞ୍ଚାମାଲ୍‌ର ଅଭାବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଧୀରେ ଧୀରେ ଷ୍ଟିଲ୍‌ କମ୍ପାନୀଗୁଡ଼ିକ ଓଡ଼ିଶାରୁ ମୁହଁ ଫେରାଇ ନେଉଥିବା କୁହାଯାଉଛି। ଓଡ଼ିଶା ବାର୍ଷିକ ୧୨୦ମିଲିୟନ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରୁଥିବାବେଳେ ଏଥିରୁ ସିଂହଭାଗ ଚାଇନା ସହ ବାହାର ରାଷ୍ଟ୍ରକୁ ବିଭିନ୍ନ ବନ୍ଦର ମାଧ୍ୟମରେ ରପ୍ତାନି ହେଉଛି। ୨୦୧୯ରେ କେବଳ ଚାଇନାକୁ ୨୫ ମିଲିୟନ୍‌ ଟନ୍‌ର ନିମ୍ନ ଓ ଉଚ୍ଚମାନର ଲୁହାପଥର ସହ ପେଲେଟ୍ସ ରପ୍ତାନି ହୋଇଥିବାବେଳେ ୨୦୨୦ର ପ୍ରଥମ ୬ମାସ ମଧ୍ୟରେ ୨୦ମିଲିୟନ୍‌ ଟନ୍‌ ଲୁହାପଥର ରପ୍ତାନି ହୋଇଛି। ବାହାର ଦେଶ ଏବଂ ବାହାର ରାଜ୍ୟକୁ ଏତେ ପରିମାଣରେ ଲୁହାପଥର ରପ୍ତାନି ଯୋଗୁ ଓଡ଼ିଶାର ସ୍ପଞ୍ଜ୍‌ ଆଇରନ୍‌ ଶିଳ୍ପ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଲୁହାପଥର ଖଣି କମ୍ପାନୀଗୁଡ଼ିକ ଅତିକମ୍‌ରେ ସେମାନଙ୍କ ଉତ୍ତୋଳନର ୫୦% ରାଜ୍ୟରେ ଥିବା ଷ୍ଟିଲ୍‌ କମ୍ପାନୀଗୁଡ଼ିକ ପାଇଁ ଉଦ୍ଦିଷ୍ଟ ରଖିବା ବାଧ୍ୟତାମୂଳକ କରିବାକୁ ନିକଟରେ ବିଭିନ୍ନ ଷ୍ଟିଲ୍‌ କମ୍ପାନୀ ଦାବି କରିଥିଲେ ମଧ୍ୟ ସେ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅପରପକ୍ଷରେ ଗତ ୫ବର୍ଷରେ ସିଙ୍ଗିଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ୪,୮୩,୬୫୭.୮୦ ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ସିମେଣ୍ଟ, ଆଲୁମିନିୟମ୍‌, ଷ୍ଟିଲ୍‌, ଆଲୁମିନିୟମ୍‌ ଡାଉନ୍‌ଷ୍ଟ୍ରିମ୍‌, ପ୍ଲାଷ୍ଟିକ୍‌, ଟୁରିଜିମ୍‌, ପାୱାର ଆଦି ସେକ୍ଟରରେ ୨୩୯ଟି ଶିଳ୍ପ ପ୍ରକଳ୍ପକୁ ଏହି ଅନୁମୋଦନ ମିଳିଥିବା ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri