ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଟ୍ରକରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି।
ଗାଁ ଲୋକଙ୍କ ଆକ୍ରମଣରେ ତହଁର ଗାଁର ଟ୍ରକ ଡ୍ରାଇଭର ବୃନ୍ଦାବନ ମେହେନା ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବାଇକ୍ ଚାଳକ ମିଥୁନ ଜେନା ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ପିତଳରୁ କାଟୁ ଅଭିମୁଖେ ଯାଉଥିବା ଟ୍ରକ୍ଟି ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଚାଳକ ମିଥୁନ ଆହତ ହୋଇଥିଲେ। ଏହାକୁ ନେଇ କିଛି ଉତ୍ତ୍ୟକ୍ତ ଲୋକେ ଟ୍ରକ୍ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକ ଟ୍ରକ ଡ୍ରାଇଭର ବୃନ୍ଦାବନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।
ନିଆଁରେ ଟ୍ରକ୍ର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ନିକଟରେ ଥିବା ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ରାଜନୈତିକ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତହଁର ଗାଁର କିଛି ଲୋକ ଟ୍ରକରେ ନିଆଁ ଲଗାଇ ଦେବା ସହ ତାଙ୍କୁ ଆକ୍ରମଣ କରିଛନ୍ତି ବୋଲି ଟ୍ରକ ଡ୍ରାଇଭର ବୃନ୍ଦାବନ କହିଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣା ପରେ ସେ ତଳେ ପଡ଼ିଯାଇଥିଲେ ଓ ଘଟଣା ସମ୍ପର୍କରେ ସେ ଅବଗତ ନାହାଁନ୍ତି ବୋଲି ବାଇକ୍ ଚାଳକ ମିଥୁନ କହିଛନ୍ତି। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

