ଜୀବନଦୀପ ଜାଳିବା ଆସ

ପ୍ର. ଅଜୟ କୁମାର ପାତ୍ର

 

ଆଜିର ବିଶ୍ୱରେ ଯୁଦ୍ଧର ରାଜତ୍ୱ। ଗୋଳାବାରୁଦର କର୍କଶ ଶବ୍ଦରେ ପ୍ରକମ୍ପିତ ବିଶ୍ୱଭୂମି। ଭୋକର ଭୂଗୋଳ ନକ୍ସାରେ ଅସହାୟ ଜୀବନ। ଯୁଦ୍ଧର କ୍ରୂର ଦଂଶନରେ କ୍ଷତାକ୍ତ ଆଜି ବିଶ୍ୱବାସୀ। କିଏ ଜାଣିଥିଲା ଏମିତି ସବୁ ଅଚାନକ ଘଟିଯିବ ବୋଲି। ଧ୍ୱଂସସ୍ତୂପ ଭିତରୁ ଅନେକେ ଶିଶୁ ବାହାରିଲେ ଶବ ହୋଇ, ଆଉ କେତେକେ ବାହାରିଲେ ଖଣ୍ଡିଆଖାବରା ହୋଇ। ଗୁଳିରେ ହଜାର ହଜାର ଶିଶୁ, ସାଧାରଣ ମଣିଷ ମୃତ୍ୟୁବରଣ କରୁଛନ୍ତି। ଅନେକେ ମୃତ୍ୟୁକୁ ଚିହ୍ନି ବି ଅଚିହ୍ନା ଲାଗେ। ଡରିଯାଉ ଆମେ ଆମର ରାଷ୍ଟ୍ରନେତାନେତ୍ରୀଙ୍କ ନୃଶଂସ ପ୍ରକୃତିକୁ, ଅହଂକାରକୁ।
ହେ ବିଶ୍ୱ ରାଜନୀତିର କୁଟିଳ ଶଠ, ପ୍ରବଞ୍ଚକ ରାଷ୍ଟ୍ରନାୟକ! କ୍ଷମତାର ଲୋଭରେ ତୁମ୍ଭମାନଙ୍କ ଜୀବନ ଆଜି ପାଲଟିଛି ବିଳାସବ୍ୟସନର ଆଡ୍ଡାସ୍ଥଳ, ଅନନ୍ତ ପାପର ଅସରନ୍ତି ଗାଥା। ଜୀବନ ତୁମର ମିଛ ମୂଲ୍ୟବୋଧ ଉପରେ ଆଧାରିତ। ଜୀବନ ବଞ୍ଚିବା ହେଉଛି ଜୀବନ ପାଇଁ ସବୁଠାରୁ ବଡ଼ ସତ୍ୟ ଯାହାକୁ ସହଜରେ ଗ୍ରହଣ କରିପାରୁନି ଉଦ୍ଧତ, ଅବାଧ୍ୟ, ଦାମ୍ଭିକ ନେତା ନେତ୍ରୀଙ୍କ କଳୁଷିତ ରକ୍ତ । ଜାଣିଥାଅ ସୁଖ ଦୁଃଖର ମିଶ୍ରଣ ହେଉଛି ଜୀବନ। ପ୍ରକୃତରେ ସେ ଜୀବନରେ କିଛି ବିଡ଼ମ୍ବନା ନାହିଁ, ପ୍ରତାରଣା ନାହିଁ, ହିପୋକ୍ରାସି ନାହିଁ; ଅଛି କେବଳ ଗୀତାର ଉପଦେଶ, ବାଇବେଲର ନିର୍ଦ୍ଦେଶ, କୋରାନର ଆଦେଶ ଓ ଧର୍ମଗ୍ରନ୍ଥର ପରାମର୍ଶକୁ ଅବଜ୍ଞା କରିବାର ଧୃଷ୍ଟତା। କ୍ଷମତା ମୋହରେ ବାରବାର ଉଲ୍ଲଂଘନ କରୁଛ ପବିତ୍ର ଗ୍ରନ୍ଥର ସତ୍ୟକୁ। ତୁମ ହାତ ମୁଠାରେ ସ୍ପର୍ଗ ଥାଇ ମଧ୍ୟ ହାତଛଡ଼ା କରୁଛ।
ମନେରଖ ସ୍ବାର୍ଥନ୍ଧ ରାଷ୍ଟ୍ରନାୟକ! ଆଞ୍ଜୁଳା ଆଞ୍ଜୁଳା ଯନ୍ତ୍ରଣାକୁ ଢକଢକ କରି ପିଇ ଯାଉଥିବା ଶୁଭାକାଂକ୍ଷୀ ଜଣକ ହେଉଛନ୍ତି ଧରିତ୍ରୀ ମାଆ। ଦୁଃଖ, ଶୋକମାନେ ଆମ ପାଖ ସ୍ପର୍ଶ କରିବା ଆଗରୁ ଯାହାଙ୍କ ଶରୀରରେ ଧକ୍କାଖାଇ ଫେରିଯାଆନ୍ତ ସେ ହେଉଛନ୍ତି ଧରିତ୍ରୀ ମାଆ। ଏତେ ଯନ୍ତ୍ରଣା ଭିତରେ ବି ଥରୁଟିଏ ଲୁହ ଝରେନା ମା’ ଧରିତ୍ରୀ ଆଖିରୁ। ମେରୁ ପରି ତାଙ୍କ ମନ, ଆକାଶ ପରି ପ୍ରଶସ୍ତ ହୃଦୟ, ସାଗର ପରି ବିଶାଳ ହେଉଛି ଧରିତ୍ରୀ ମାଆ। ତା’ହେଲେ ତା’ର ପ୍ରଶସ୍ତ ଓ ବିଶାଳ ବକ୍ଷକୁ କାହିଁକି କଳୁଷିତ କରୁଛ, କାହିଁକି ଯୁଦ୍ଧ ରୂପକ ଧ୍ୱଂସର ବୋଝ ଲଦି ଦେଉଛ। ତା’ର ସାଇତା ଥିବା ଅନାବିଳ ପ୍ରେମ, ପ୍ରଭୃତ ଧନକୁ ପ୍ରଦୂଷିତ କରନି। ଯେତେବେଳେ ତା’ର କୋଳ ଅସୁମାରି ପଶୁପକ୍ଷୀର ସମାବେଶରେ ଭରପୂର ହୋଇଯାଏ ସେଇଠି ତା’ର ଅନ୍ତରର ସମସ୍ତ ରୁଦ୍ଧ କୋଠରି ଅନ୍ତରୀକ୍ଷ ପରି ପାଲଟିଯାଏ ପ୍ରଶସ୍ତ ଓ ଅସୀମ। ଧରିତ୍ରୀ ମାଆ ଭିତରେ ରହିଛି ଜୀବନର ଦର୍ଶନ ଓ ଜୀବନର ବ୍ୟାପକତା। ପ୍ରକୃତରେ ମଣିଷ ଖୁସି ରହିବା ହିଁ ତା’ ଜନ୍ମର ଧର୍ମ। ମାତୃଗର୍ଭରୁ ଯିଏ ଯେତିକି ସୁନ୍ଦର ହୋଇ ଜନ୍ମ ହୋଇଛି, ତା’ ସୌନ୍ଦର୍ଯ୍ୟ କିଛି ମାତ୍ରାରେ ବଢ଼ିଯାଏ ସାହସ୍ୟ ଜୀବନଯାପନ ପ୍ରଣାଳୀରେ।
ହେ ରାଷ୍ଟ୍ରନାୟକ ଜବାବ ଦିଅ, କାହିଁପାଇଁ ଶିଶୁର କୋମଳ ଓଠରୁ ଛଡ଼ାଇନେଉଛ ସଜଫୁଲର ହସ ଯେଉଁ ହସ ଟିକକରେ ପୁଲକିତ ହୋଇଯାଏ ପୃଥିବୀର ଗୁରୁ ଚିତ୍ରପଟ, ପାଷାଣରେ ଖେଳିଯାଏ ସବୁଜ ସ୍ପନ୍ଦନ। ମାତ୍ର ଆଜି ବଦଳିଛି ବିଶ୍ୱର ଭୂଗୋଳ, ବିକୃତ ହୋଇଛି ତା’ର ଇତିହାସ। ରହିଛି କେବଳ ଅନେକ ଯନ୍ତ୍ରଣା, ଛାତିଥରା ଦୃଶ୍ୟପଟ। ଅନୁରୋଧ ତୁମକୁ ବିଶ୍ୱବାସୀଙ୍କର। ଶାମୁକାରୁ ମୁକ୍ତା ସାଉଁଟିଲା ପରି ସାଉଁଟ ଶ୍ରଦ୍ଧା, ସ୍ନେହ, ପ୍ରେମ ପ୍ରୀତି ଅଜାଡ଼ିଦିଅ ଜୀବନର ମୂଲ୍ୟ, ବୁଝାଇଦିଅ ଦୁର୍ଲଭ ଜୀବନ। ଶାନ୍ତି ଓ ପ୍ରଗତିର ପଥେ ସାଜି ପଥିକ ବୁହାଇଦିଅ ଧରିତ୍ରୀ ମାଆର ବକ୍ଷେ ପବିତ୍ରତାର ଗଙ୍ଗା, ଯମୁନା, ସରସ୍ବତୀ।
ହେ ବିଶ୍ୱବାସୀ! ତୁମର ଚିନ୍ତାଚେତନାକୁ ଜାଗ୍ରତ କର। ଶାଣିତ କର ସ୍ବର। ଏକ ଏକ ସ୍ବର ମିଶି ବହୁମୁଖୀ ସ୍ବରରେ ପରିଣତ ହେଉ। ନିଜେ ହିଁ ନିଜକୁ ସାନ୍ତ୍ବନା ଦିଅ। ନିଜ ହାତରେ ପୋଛିଦିଅ ଆଖିର ଲୁହ। ମନକୁ ଦୃଢ଼ କର, ହୃଦୟରେ ସୃଷ୍ଟିକର ଅନ୍ୟାୟ ଅନୀତି ବିରୋଧରେ ସହସ୍ର ପ୍ରାଚୀର। ପ୍ରତ୍ୟେକ ବିଶ୍ୱବାସୀଙ୍କୁ ଆଜି ଲଢ଼ିବାକୁ ପଡ଼ିବ ଲଢୁଆ ପଣରେ, ଭାଗ୍ୟ ଆକାଶ ତଳେ ନ୍ୟାୟକୁ ଜିତାଇବା ପାଇଁ, ଶାନ୍ତିି ସ୍ଥାପନ ପାଇଁ, ଭ୍ରାତୃତ୍ୱ ବନ୍ଧନରେ ବାନ୍ଧିହୋଇ ବିଶ୍ୱକୁ ସ୍ବର୍ଗରେ ପରିଣତ କରିବା ପାଇଁ। ମନେରଖ, ଥରଟିଏ ହୃଦୟ ଢାଳିଦେଲେ ଶବ୍ଦରେ ଜଣେ କବି ପାଲଟିଯାଏ ନାହିଁ। ବାରମ୍ବାର ଶବ୍ଦର ଦୋଳିରେ ଝୁଲି ଆକାଶ ଛୁଇଁବାକୁ ପଡ଼େ। ସେହିପରି ସତ୍ୟର ଦରଜା ଖୋଲେ ନାହିଁ ଥରଟିଏ କରାଘାତରେ, ବାରବାର କରାଘାତ କରିବାକୁ ପଡ଼େ; ତେବେ ଯାଇ ସେ ଦରଜା ଖୋଲିବ। କେତେଦିନ ତୁମେ ଧ୍ୱଂସର ତାଣ୍ଡବ ଦେଖି ମୂକ ଓ ବଧିର ସାଜିବ, କେତେଦିନ ମୃତ୍ୟୁର ଯନ୍ତ୍ରଣା ଭୋଗୁଥିବ? ତୁମ୍ଭମାନଙ୍କ ସାହସିକ ପଦକ୍ଷେପ, ନିର୍ଭୀକ ପ୍ରତିରୋଧ ତଥା ଶାନ୍ତିର ବାର୍ତ୍ତା ବିଶ୍ୱ ଜନସମାଜକୁ ଦିଗ୍‌ଦର୍ଶନ ଦେଇପାରିବ ଏବଂ ବିଶ୍ୱଶାନ୍ତିରେ ସହାୟକ ହୋଇପାରିବ। ସୁତରାଂ ଆମ ସମସ୍ତଙ୍କୁ ମିଶି ଜୀବନଯୁଦ୍ଧରେ ଜଳିବାକୁ ହେବ, ଜଳି ଜଳି ଜଳାଇବାକୁ ହେବ ଆଲୁଅ। ଗୋଟିଏ ଦୀପର ଆଲୋକ ହିଁ ଆଉ ଏକ ଦୀପରେ ଆଲୋକ ସଞ୍ଚାରି ଦେବ। ଜୀବନଦୀପ ଜାଳିବା ଆସ। ଚେତନାକୁ ଜାଗ୍ରତ କରିବା। ବିତୃଷ୍ଣ ଜୀବନ ଭିତରେ ସତୃଷ୍ଣ ଚେତନାଟି ସୁସ୍ଥ ପରିବେଶ ଭିତରେ ନିଜକୁ ପ୍ରକାଶ କରିଥାଏ। ସମୟର ଆହ୍ବାନ ଦାବିକରେ, ‘ଆମେ ବିଶ୍ୱବାସୀ ଶାନ୍ତି ଚାହୁଁ, ଯୁଦ୍ଧ ଚାହୁଁନା, ବିକାଶ ଚାହୁଁ, ବିନାଶ ଚାହୁଁନା। ଯୁଦ୍ଧର କଳାବାଦଲ ହଟିଯାଉ। ବିଶ୍ୱ ଭାଗ୍ୟାକାଶର ବାଦଲର ଆଢୁଆଳୁ ଉଙ୍କିମାରୁ ପୂର୍ଣ୍ଣିମାର ଚନ୍ଦ୍ର। ସମୟର ପରିପୂର୍ଣ୍ଣତାରେ ସୁଖ ସମୃଦ୍ଧିରେ ଭରିଯାଉ ସମସ୍ତଙ୍କ ହୃଦୟ।
ପରିବେଶ ବିଜ୍ଞାନୀ
ମୋ: ୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri