ଉପକୂଳରେ ସୁରକ୍ଷା ପ୍ରାଚୀର

ସମ୍ପ୍ରତି ତାମିଲନାଡ଼ୁର କୁଡାଲୋର ଜିଲାରେ ସରକାରଙ୍କ ଆନୁକୂଲ୍ୟରେ ‘ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଉପକୂଳ ଅବକ୍ଷୟର ପ୍ରଭାବକୁ ରୋକିବା ନିମନ୍ତେ ଜୈବ-ଢାଲ ସୃଷ୍ଟି’ ଶୀର୍ଷକ ଏକ ପ୍ରକଳ୍ପ (୨୦୨୫ରୁ ୨୦୨୮) କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ୬୦ ହେକ୍ଟର ହେନ୍ତାଳବନ ସୃଷ୍ଟି ଏବଂ ୨୦ ହେକ୍ଟର ଅନ୍ୟ ସହନଶୀଳ ଜାତିର ବୃକ୍ଷରୋପଣ ଅନ୍ତର୍ଭୁକ୍ତ। ରାଜ୍ୟର ବନ ବିଭାଗ ସ୍ଥାନୀୟ ସମ୍ପ୍ରଦାୟମାନଙ୍କର ସମ୍ପୃକ୍ତିରେ ବିସ୍ତୃତ ଉପକୂଳ ଅଞ୍ଚଳରେ ହେନ୍ତାଳ ଜଙ୍ଗଲ ପୁନରୁଦ୍ଧାର କାର୍ଯ୍ୟ ଅବ୍ୟାହତ ରଖିଛି।
ବିଶ୍ୱବ୍ୟାଙ୍କ ତଥା ଅନ୍ୟ ଉତ୍ସରୁ ଲବ୍ଧ ପାଣ୍ଠିର ବିନିଯୋଗରେ ସରକାର ‘ଗ୍ରାମ୍ୟ ହେନ୍ତାଳବନ ପରିଷଦ’ ମାଧ୍ୟମରେ ଲୁଣା ଜଙ୍ଗଲ ପ୍ରସାରଣ କାର୍ଯ୍ୟ ସମ୍ପାଦନ କରୁଛନ୍ତି I ଏହି ଦୃଷ୍ଟାନ୍ତ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଉପକୂଳ ସୁରକ୍ଷା ନିମନ୍ତେ ଅତ୍ୟାବଶ୍ୟକ ଥିବା ପ୍ରାକୃତିକ ସବୁଜ ପ୍ରାଚ଼ୀର ସୃଷ୍ଟିର ଗୁରୁତ୍ୱକୁ ପ୍ରତିପାଦିତକରେ I ଏହା ସୁସ୍ପଷ୍ଟ ଯେ ଜଳବାୟୁ ସଙ୍କଟ ଆମ ସମୟର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପରିବେଶୀୟ ଆହ୍ବାନ ମଧ୍ୟରେ ଶୀର୍ଷତମ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଏହାଦ୍ୱାରା ସୃଷ୍ଟ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ ଓ ସମ୍ବେଦନଶୀଳ। ସମୁଦ୍ର ପତ୍ତନର ବୃଦ୍ଧି, ଝଡ଼ବାତ୍ୟାର ବାରମ୍ବାରତା, ଉପକୂଳ ଅବକ୍ଷୟ ଏବଂ ଲୁଣାପାଣିର ପ୍ରବେଶ ଉପକୂଳରେ ଅବସ୍ଥିତ ପରିସଂସ୍ଥା, ମାନବ ସମ୍ପ୍ରଦାୟ ଏବଂ ଅର୍ଥନୀତି ନିମନ୍ତେ କ୍ରମଶଃ ବ୍ୟାପକ ବିପର୍ଯ୍ୟୟର କାରଣ ପାଲଟୁଛି। ଏପରି ସଙ୍କଟ ସହ ଖାପ ଖୁଆଇବା ନିମନ୍ତେ ବିଶ୍ୱ ସହନୀୟ ଏବଂ ପ୍ରକୃତି-ଆଧାରିତ ସମାଧାନର ସନ୍ଧାନରେ ଥିବାବେଳେ ଉପକୂଳରେ ଜୈବ-ଢାଲ ସୃଷ୍ଟିର ଉଦ୍ୟମ ଏକ ଶକ୍ତିଶାଳୀ ଏବଂ ପରିବେଶ ଅନୁକୂଳ ପ୍ରତିରକ୍ଷା ବ୍ୟବସ୍ଥା ଭାବରେ ଉଭାହୋଇଛି।
ଜୈବ-ଢାଲ ହେଉଛି ଏକ ସୁରକ୍ଷା ପ୍ରାଚ଼ୀର ଯାହା ଘନ ଉଦ୍ଭିଦରାଜି, ଯେପରିକି ଉପକୂଳବର୍ତ୍ତୀ ହେନ୍ତାଳବନ, ଲୁଣିଆ ସନ୍ତସନ୍ତିଆ ଅଞ୍ଚଳ, ବାଲୁକା ସ୍ତୂପ, ଝାଉଁ ଓ କିଆବଣ ଏବଂ ଅନ୍ୟ ଜଙ୍ଗଲ ଦ୍ୱାରା ଗଠିତ। ଏହି ପ୍ରାକୃତିକ ପ୍ରଣାଳୀଗୁଡ଼ିକ ସମୁଦ୍ର ଏବଂ ମାନବ ବସତି ମଧ୍ୟରେ ବଫର ଅଞ୍ଚଳ ଭାବରେ କାର୍ଯ୍ୟ ସମ୍ପାଦନକରି ଉତ୍ତାଳ ତରଙ୍ଗ, ଘୂର୍ଣ୍ଣିଝଡ଼ ଏବଂ ସୁନାମିର ପ୍ରଭାବକୁ ହ୍ରାସ କରନ୍ତି। କଂକ୍ରିଟ ସମୁଦ୍ର ପ୍ରାଚ଼ୀର କିମ୍ବା ଅନ୍ୟାନ୍ୟ ଇଞ୍ଜିନିୟରିଂ ଭିତ୍ତିଭୂମି ତୁଳନାରେ ଜୈବ-ଢାଲଗୁଡ଼ିକ ବହୁବିଧ ଲାଭ ପ୍ରଦାନ କରନ୍ତି: ଏଗୁଡ଼ିକ କମ୍‌ ଖର୍ଚ୍ଚରେ ସ୍ଥାପିତ, ଆତ୍ମନିର୍ଭରଶୀଳ, ଜୈବବିବିଧତାରେ ସମୃଦ୍ଧ ଏବଂ ସମୟକ୍ରମେ ପରିବେଶଗତ ପରିବର୍ତ୍ତନ ସହ ଖାପ ଖୁଆଇବାରେ ସକ୍ଷମ। କେନ୍ଦ୍ରାପଡ଼ାର ସାତଭାୟା ଅଞ୍ଚଳ ହେନ୍ତାଳବନର ଅନୁପସ୍ଥିତିରେ ସମୁଦ୍ରର ଆଁ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଲୀନ ହୋଇସାରିଛି ଏବଂ ସରକାର ପ୍ରଭାବିତ ଲୋକମାନଙ୍କୁ ସ୍ଥାନାନ୍ତରିତକରି ନିକଟସ୍ଥ ବଗପାଟିଆ ପୁନର୍ବାସ କଲୋନିରେ ୨୦୧୮ରୁ ଅବସ୍ଥାପିତ କରିଛନ୍ତି I ଅନ୍ୟପକ୍ଷରେ, ନିକଟସ୍ଥ ପେଣ୍ଠ ଉପକୂଳରେ ଅବକ୍ଷୟ ପ୍ରଶମନ ଉଦ୍ଦେଶ୍ୟରେ ୩୯କୋଟି ଟଙ୍କା ବ୍ୟୟରେ ୨୦୧୬ରେ ନିର୍ମିତ ହୋଇଥିବା ଜିଓ-ସିନ୍ଥେଟିକ୍‌ ଟ୍ୟୁବ୍‌ ସୁରକ୍ଷା ପ୍ରତିବନ୍ଧକ ଏବେ କ୍ରମଶଃ ଅବକ୍ଷୟିତ ହେବାରେ ଲାଗିଛି I ଏହା ସୂଚ଼ିତକରେ ଯେ ପ୍ରାକୃତିକ ଜୈବ-ଢାଲ ଅଧିକ ପ୍ରଭାବଶାଳୀ, ଯାହା ସମୁଦ୍ର ଢେଉର ଶକ୍ତିକୁ ଶୋଷଣକରି ଜଳ ପ୍ରବାହର ବେଗକୁ ନିମ୍ନଗାମୀକରେ। ହେନ୍ତାଳ ବୃକ୍ଷମାନେ ସେମାନଙ୍କର ଜଟିଳ ଚେର ପ୍ରଣାଳୀ ଦ୍ୱାରା ଉପରମାଟି ସ୍ତରକୁ ଧରି ରଖି ମୃତ୍ତିକା ଅବକ୍ଷୟକୁ ପ୍ରତିରୋଧ କରନ୍ତି। ଘୂର୍ଣ୍ଣିଝଡ଼ କିମ୍ବା ବାତ୍ୟା ଭଳି ଗମ୍ଭୀର ପାଣିପାଗ ବିପର୍ଯ୍ୟୟ ସମୟରେ, ଏହି ଉଦ୍ଭିଦ ଢାଲ ପ୍ରତିବନ୍ଧ ରୂପେ ଝଡ଼ର ପ୍ରବାହକୁ ଧୀରକରି ଲୁଣିପାଣିର ଆଭ୍ୟନ୍ତରୀଣ ମଧୁରଜଳ ଉତ୍ସ ଏବଂ କୃଷି ଜମିରେ ପ୍ରବେଶକୁ ରୋକିଥାନ୍ତି।
ବୈଜ୍ଞାନିକ ଅଧ୍ୟୟନ ସୂଚ଼ାଏ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୁଣା ଜଙ୍ଗଲ ଦ୍ୱାରା ସୁରକ୍ଷିତ ସ୍ଥାନଗୁଡ଼ିକ ଅସୁରକ୍ଷିତ ଅଞ୍ଚଳ ତୁଳନାରେ ବହୁତ କମ୍‌ କ୍ଷତିଗ୍ରସ୍ତ ହୋଇଥାନ୍ତି। ଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି, ଓଡ଼ିଶାର ଐତିହାସିକ ୧୯୯୯ ମସିହାର ମହାବାତ୍ୟା ପ୍ରଭାବରେ ଯେତେବେଳେ ଉପକୂଳସ୍ଥ ଜଗତ୍‌ସିଂହପୁର ଜିଲା ବିନାଶର ଚରମସୀମାରେ ଉପନୀତ ହୋଇ ବହୁମୂଲ୍ୟ ଜୀବନ ତଥା ପର୍ଯ୍ୟାପ୍ତ ଧନସମ୍ପତ୍ତି କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା, ସେତେବେଳେ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲା ସମୃଦ୍ଧ ଭିତରକନିକା ହେନ୍ତାଳ ବନର ଉପସ୍ଥିତି କାରଣରୁ ବହୁଳ ଭାବେ ସୁରକ୍ଷିତ ରହିଥିଲା I ଅନୁରୂପ ଭାବେ, ୨୦୦୪ ମସିହାରେ ଭାରତ ମହାସାଗରରେ ସୃଷ୍ଟ ଭୟଙ୍କର ସୁନାମିର ପ୍ରତିଫଳରେ, ହେନ୍ତାଳବନ ଥିବା ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ତୁଳନାତ୍ମକ କମ୍‌ ମୃତାହତ ଏବଂ ସମ୍ପତ୍ତି କ୍ଷୟକ୍ଷତି ଘଟିଥିଲା। ଓଡ଼ିଶାରେ ୨୫୯.୦୬ ବର୍ଗ କି.ମି. ହେନ୍ତାଳ ବନ ରହିଥିଲା ବେଳେ ସର୍ବାଧିକ ରହିଛି କେନ୍ଦ୍ରାପଡ଼ା ଜିଲାରେ (୨୧୨.୬୯ ବର୍ଗ କି.ମି.), ଯାହା ଭାରତର ଦ୍ୱିତୀୟ ବୃହତ୍ତମ ହେନ୍ତାଳବନ ଭିତରକନିକାକୁ ଅନ୍ତର୍ଭୁକ୍ତକରେ I ରିପୋର୍ଟ ଅନୁଯାୟୀ ୨୦୧୧ରୁ ୨୦୨୧ ମଧ୍ୟରେ ଓଡ଼ିଶାର ଲୁଣା ଜଙ୍ଗଲ ୩୭ ବର୍ଗ କି.ମି. ବୃଦ୍ଧି ପାଇଥିଲେ ସୁଦ୍ଧା ଆଜିର ଜଳବାୟୁ ସଙ୍କଟ ପରିସ୍ଥିତିରେ ରାଜ୍ୟର ୪୮୦ କି.ମି. ଉପକୂଳରେ ଏପରି ଜଙ୍ଗଲର ଆୟତନ ଯଥେଷ୍ଟ ଅଧିକ ହେବା ପ୍ରୟୋଜନୀୟ।
ଜୈବ-ଢାଲ ସୃଷ୍ଟିକରିବା କେବଳ ପ୍ରତିରକ୍ଷା ପ୍ରସଙ୍ଗରେ ନୁହେଁ; ଏହି ପରିସଂସ୍ଥାଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କ୍ଷୁଣ୍ଣ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଲୁଣାଜଙ୍ଗଲ, ସମୁଦ୍ର ଘାସ ଏବଂ ଲୁଣିଆ ସନ୍ତସନ୍ତିଆ ସ୍ଥାନ ହେଉଛି ଉତ୍କୃଷ୍ଟ ଅଙ୍ଗାରକ ଭଣ୍ଡାର (କାର୍ବନ ସିଙ୍କ୍‌)। ସେମାନେ ବାୟୁମଣ୍ଡଳରୁ ପ୍ରଚୁର ପରିମାଣରେ ଅଙ୍ଗାରକାମ୍ଳ ଶୋଷଣକରି ସଂରକ୍ଷିତ କରନ୍ତି, ଯେଉଁ ପ୍ରକ୍ରିୟାକୁ ‘ନୀଳ ଅଙ୍ଗାରକ’ ସିକ୍ୱେଷ୍ଟ୍ରେସନ ରୂପେ ଆଖ୍ୟାୟିତ କରାଯାଏ। ଅତଏବ, ଏହି ପରିସଂସ୍ଥାଗୁଡ଼ିକର ପୁନରୁଦ୍ଧାର ଏବଂ ସଂରକ୍ଷଣ, ଉଭୟ ଜଳବାୟୁ ଅନୁକୂଳନ ତଥା ପ୍ରଶମନ ପ୍ରୟାସକୁ ସମର୍ଥନ କରେ। ଅଧିକନ୍ତୁ, ଜୈବ-ଢାଲଗୁଡ଼ିକ ବିଭିନ୍ନ ସାମୁଦ୍ରିକ ଏବଂ ସ୍ଥଳଚ଼ର ଜୀବଜାତିଙ୍କୁ ବାସସ୍ଥଳୀ ପ୍ରଦାନ ପୂର୍ବକ ଜୈବବିବିଧତାକୁ ପ୍ରୋତ୍ସାହିତ କରନ୍ତି। ହେନ୍ତାଳ ପରିସଂସ୍ଥା ମତ୍ସ୍ୟ ଉତ୍ପାଦନକୁ ସମର୍ଥନ, ସ୍ଥାନୀୟ ସମ୍ପ୍ରଦାୟର ଜୀବିକା ନିର୍ବାହରେ ଯୋଗଦାନ ଏବଂ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରେ। ସୁସ୍ଥ ଉପକୂଳୀୟ ପରିସଂସ୍ଥା ମଧ୍ୟ ପ୍ରକୃତି ପର୍ଯ୍ୟଟନକୁ ପ୍ରୋତ୍ସାହିତକରେ, ଯାହା ପରିବେଶୀୟ ହିତସାଧନ ସହ ଆର୍ଥିକ ଲାଭ ଉପଲବ୍ଧ କରାଏ।
ଜୈବ-ସୁରକ୍ଷା ପ୍ରାଚ଼ୀରରୁ ଉପଲବ୍ଧ ହିତଗୁଡ଼ିକ ଉତ୍ତମ ରୂପେ ହୃଦୟଙ୍ଗମ ହେଉଥିଲେ ସୁଦ୍ଧା ଏହାର କାର୍ଯ୍ୟାନ୍ବୟନ ଅନେକ ଆହ୍ବାନର ସମ୍ମୁଖୀନ ହୁଏ। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପ୍ରାୟତଃ ଘନ ଜନବସତିପୂର୍ଣ୍ଣ ଏବଂ ଅତ୍ୟଧିକ ବିକଶିତ ହୋଇଥିବା କାରଣରୁ ପ୍ରାକୃତିକ ପରିସଂସ୍ଥାଗୁଡ଼ିକର ଉନ୍ନତି ନିମନ୍ତେ ଖୁବ୍‌ କମ୍‌ ପରିସର ଉପଲବ୍ଧ ହୁଏ। ଭୂମି ବ୍ୟବହାରରେ ବିବାଦ, ପର୍ଯ୍ୟାପ୍ତ ପାଣ୍ଠିର ଅଭାବ, ସମ୍ପ୍ରଦାୟ ସଚ଼େତନତାର ଦୁର୍ବଳ ସ୍ଥିତି ଏବଂ ସର୍ବୋପରି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉଛି ଏ ଦିଗରେ ପ୍ରମୁଖ ପ୍ରତିବନ୍ଧକ। ତଥାପି ସମନ୍ବିତ ଉପକୂଳ ଅଞ୍ଚଳ ପରିଚାଳନା ମାଧ୍ୟମରେ ଏହି ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ସମ୍ଭବପର ୍‌। ଏଥିରେ ଅନ୍ତର୍ଭୁକ୍ତ ଥିବା ପଦକ୍ଷେପଗୁଡ଼ିକ ହେଉଛି ପରିସଂସ୍ଥା-ଆଧାରିତ ଅନୁକୂଳନ ରଣନୀତିକୁ ନୀତିଗତ ସମର୍ଥନ ପ୍ରଦାନ, ଉପକୂଳବର୍ତ୍ତୀ ଉଦ୍ଭିଦରାଜିର ପୁନରୁଦ୍ଧାର ଏବଂ ସୁରକ୍ଷାରେ ସମ୍ପ୍ରଦାୟର ଅଂଶଗ୍ରହଣ, ଜୈବ-ଢାଲର ସ୍ବାସ୍ଥ୍ୟ ଏବଂ ପ୍ରଭାବର ବୈଜ୍ଞାନିକ ମୂଲ୍ୟାଙ୍କନ ଏବଂ ଦୀର୍ଘକାଳୀନ ପରିଚ଼ାଳନାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ଏବଂ ସଚ଼େତନତା କାର୍ଯ୍ୟକ୍ରମ ଗ୍ରହଣ I
ଏଥିସହ ଜୈବ-ଢାଲଗୁଡ଼ିକୁ ସ୍ଥାନୀୟ ପରିସ୍ଥିତି ସହ ଉପଯୁକ୍ତ କରିବା ନିମନ୍ତେ ସତର୍କତାର ସହିତ ଯୋଜନା ପ୍ରଣୟନ କରାଯିବା ପ୍ରୟୋଜନୀୟ। ଉଦ୍ଭିଦ ଜାତି ସବୁର ଚୟନ, ଚାରାରୋପଣ କୌଶଳ ଅବଲମ୍ବନ ଏବଂ ଗୃହୀତ ରକ୍ଷଣାବେକ୍ଷଣ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ସ୍ଥାନ ଅନୁଯାୟୀ କାର୍ଯ୍ୟକାରୀ ହେବା ବାଞ୍ଛନୀୟ।
ସାମ୍ପ୍ରତିକ ସମୟରେ ଜଳବାୟୁ ପ୍ରଭାବ ସବୁ ତ୍ୱରାନ୍ବିତ ହେଉଥିବା ପରିପ୍ରେକ୍ଷୀରେ ଜୈବ-ଢାଲଗୁଡ଼ିକ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସୁରକ୍ଷା ଦେବା ନିମନ୍ତେ ଏକ ପ୍ରତିଶ୍ରୁତିପୂର୍ଣ୍ଣ, ସ୍ଥାୟୀ ରଣନୀତିକୁ ପ୍ରତିନିଧିତ୍ୱ କରନ୍ତି। ସେମାନେ ପରିବେଶୀୟ ପୁନରୁଦ୍ଧାରକୁ ଜଳବାୟୁ ଅନୁକୂଳନ ସହ ସଂଯୁକ୍ତ କରନ୍ତି ଏବଂ ଏକ ତ୍ରିସ୍ତରୀୟ ବିଜୟ ପ୍ରଦାନ କରନ୍ତି: ସମ୍ପ୍ରଦାୟକୁ ସୁରକ୍ଷା ଦେବା, ଜୈବବିବିଧତାର ବୃଦ୍ଧି ଘଟାଇବା ଏବଂ ଅଙ୍ଗାରକକୁ ସଂରକ୍ଷିତ କରିବା। ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ସ୍ବଳ୍ପ ମୂଲ୍ୟ-ଆଧାରିତ ଏବଂ ଦୀର୍ଘସ୍ଥାୟୀ ପ୍ରତିକାରର ଅନ୍ବେଷଣରେ ଥିବାରୁ୍‌ ଜାତୀୟ ଏବଂ ସ୍ଥାନୀୟ ଅନୁକୂଳନ ଯୋଜନାରେ ପ୍ରକୃତି-ଆଧାରିତ ସମାଧାନ, ଯେପରିକି ଜୈବ-ଢାଲ ସୃଷ୍ଟିରେ ନିବେଶକୁ ପ୍ରାଥମିକତା ପ୍ରଦାନ ଆବଶ୍ୟକ। ପ୍ରକୃତି ବିରୋଧରେ କାର୍ଯ୍ୟ ସମ୍ପାଦନ କରିବା ପରିବର୍ତ୍ତେ ପ୍ରକୃତି ସମର୍ଥନରେ କାର୍ଯ୍ୟ ସମ୍ପନ୍ନକରି ଆମେ ବିଶ୍ୱବ୍ୟାପୀ ଉପକୂଳବର୍ତ୍ତୀ ଅଞ୍ଚଳ ନିମନ୍ତେ ଏକ ଅଧିକ ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିପାରିବା।

ଡ. ଜୟକୃଷ୍ଣ ପାଣିଗ୍ରାହୀ
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?