ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ବର୍ଷ ଫେବୃଆରୀରେ ତାଙ୍କର କୁଲିଂ ଅଫ୍ ପିରିଅଡ୍ ଶେଷ ହେବ।
ଭରତ ୨୦୨୩ରୁ ୨୦୨୪ ମଧ୍ୟରେ ଭାରତ ପାଇଁ ୭ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଚଳିତ ବର୍ଷ ଜୁନରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ, ଯାହା ଫଳରେ ସମଗ୍ର ବିଶ୍ୱରେ ଟି୨୦ ଲିଗ୍ ଖେଳିବା ପାଇଁ ଯୋଗ୍ୟ ହୋଇପାରିବେ।
ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବା ଏକ ସବୁଠୁ ସୁନ୍ଦର ଅନୁଭୂତି। ତାହାକୁ କୌଣସି ଅନୁଭୂତି ବି ପଛରେ ପକାଇ ପାରିବ ନାହିଁ। ମୁଁ ଦୀର୍ଘ ବର୍ଷ ଧରି ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଛି। କିନ୍ତୁ ମୋ ମଧ୍ୟରେ ଏବେ ବି ଅନ୍ତର୍ଜାତୀୟ କ୍ରିକେଟ ବାକି ରହିଥିବା ମୁଁ ଅନୁଭବ କରୁଛି। ଏଥିଯୋଗୁ ଅବସର ଭଳି କଷ୍ଟକର ନିଷ୍ପତ୍ତି ନେଇଥିଲି। ସତ କଥା ହେଲା, ତାହା ହିଁ ଯୋଜନା ଥିଲା। ମୋତେ ଏବେ ବି କୁଲିଂଅଫ୍ ପିରିଅଡ୍ ଶେଷ କରିବାକୁ ପଡ଼ିବ, ଯାହାକି ଫେବୃଆରୀରେ ଶେଷ ହେବ। ୟୁଏଇ କ୍ରିକେଟ ମୋତେ ସେମାନଙ୍କର ଭିତ୍ତିଭୂମି ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ଏଠାରେ ଖୁବ ଭଲ ଖେଳାଳି ରହିଛନ୍ତି। ୟୁଏଇ ଏଭଳି ଏକ ସ୍ଥାନ, ଯେଉଁଠାରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଭାରତ ଓ ପାକିସ୍ତାନର କ୍ରିକେଟର ମିଳନ୍ତି’ ବୋଲି ୩୩ ବର୍ଷୀୟ ଭରତ କହିଛନ୍ତି।

