ଦାରିଙ୍ଗବାଡି,୭।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ, ସମ୍ମାନିତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ, ଡକରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନନ୍ଦ ଦାସ ପ୍ରମୁଖ ମଞ୍ଚାସିନ ଥିଲେ ।
ସୁଜାମାଜୁ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ମୋଟ ୧୧ ଟି ବିଦ୍ୟାଳୟରର ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ । ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ପ୍ରଥମେ କ୍ଲଷ୍ଟର ପରେ ବ୍ଲକ ଓ ଜିଲାସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
ଜିଲାରେ କୃତି ଅର୍ଜନ କରିଥିବା ଛାତ୍ରୀଛାତ୍ର ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ମିଳିଥାଏ । ଏହି ପ୍ରରିପ୍ରେକ୍ଷୀରେ ଅତିଥିମାନେ ଉପସ୍ଥିତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ଭଲ ପାଠ ପଢିବା ସହ ବିଭିନ୍ନ ଖେଳକୁଦ, ନାଚ, ସଙ୍ଗୀତ, କଳା କ୍ଷେତ୍ର ରେ ମଧ୍ୟ ନିଜ ପ୍ରତିଭାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ନେଇ
ସୃଜନାତ୍ମକ ଲିଖନ, ଶ୍ରୁତ ଲିଖନ, ଚିତ୍ରାଙ୍କନ, ଗୀତ, ବକ୍ତୃତା, ତର୍କ, ଦଳଗତ ନୃତ୍ୟ ଇତ୍ୟାଦି ୨୧ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ର ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଛନ୍ତି । ଏଥିରେ ମାଧୁରୀ ଦିଗାଲ, ଅନ୍ନପୂର୍ଣ୍ଣା ପ୍ରଧାନ, ସୋନାଲିସା ସାହୁ, ସୁନିତା ପ୍ରଧାନ, ସରସ୍ଵତୀ ବିଶ୍ୱାଳ, କଳ୍ପନା ସେଠୀ ପ୍ରମୁଖ ଯୋଗଦେଇଥିଲେ ।

