ହିଞ୍ଜିଳିକାଟୁ,୧୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଶୁକ୍ରବାର ଶପଥଗ୍ରହଣ ଉତ୍ସବ ପୂର୍ବରୁ ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନାରାୟଣ ପାଢ଼ୀ ଓ ଜିଲା ଯୁବ ବିଜେଡି ସମ୍ପାଦକ ଶିବାନୀ ପାତ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଶପଥଗ୍ରହଣ ଉତ୍ସବ ସ୍ଥଗିତ ରହିଛି।
ଖବରରୁ ପ୍ରକାଶ, ଗୁରୁବାର ଅନୁଷ୍ଠିତ ନିର୍ବାଚନରେ ଏବିଭିପି ସମର୍ଥିତ ପ୍ରାର୍ଥୀ ସଭାପତି ପଦରେ ବିଜୟୀ ହୋଇଥିବା ବେଳେ ଅନ୍ୟ ପଦବୀରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ଜିତିଥିଲେ। ଫଳାଫଳ ପ୍ରକାଶରେ ବିଳମ୍ବକୁ ନେଇ ବିଜେଡି ସମର୍ଥିତ ଛାତ୍ରମାନେ ବିକ୍ଷୋଭ କରିବା ସହ ରାତିରେ ଜାତୀୟ ରାଜପଥ ଅବରୋଧ କରିଥିଲେ।
ଶୁକ୍ରବାର ବିବାଦର ସମାଧାନ ପାଇଁ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଆଲୋଚନା ଚାଲିଥିବା ବେଳେ ପାଟିତୁଣ୍ଡ ହୋଇଥିଲା। ପରେ କ୍ୟାମ୍ପସରେ ଉଭୟ ପକ୍ଷର ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିଲା।
ଗୁରୁତର ନାରାୟଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ପୋଲିସ ପ୍ରାୟ ୬ଜଣ ଛାତ୍ର ଓ ଅଣଛାତ୍ରଙ୍କୁ ଥାନାକୁ ନେଇଥିଲା। ଗଞ୍ଜାମ ଏସ୍ପି ହରିଶ ବିସିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ହିଞ୍ଜିଳି ଥାନାରେ ପହଞ୍ଚି ଉଭୟ ପକ୍ଷ ସହ ଶାନ୍ତି ଆଲୋଚନା କରିଥିଲେ। ପୋଲିସ ୬ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

