ନୂଆଦିଲ୍ଲୀ,୧।୯: କକରୋଚ ଜନତା ପାର୍ଟି (CJP) ସେପ୍ଟେମ୍ବର ୫ରେ ଦିଲ୍ଲୀରେ ହେବାକୁ ଥିବା ମାର୍ଚ୍ଚକୁ ପ୍ରତ୍ୟାହାର କରିନେଇଛି। ମଙ୍ଗଳବାର (୧ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ ଶୁଣାଣି ସମୟରେ CJPର ପ୍ରବକ୍ତା ସୌରଭ ଦାସ ଏହି ସୂଚନା ଦେଇଛନ୍ତି।
ଛାତ୍ର ପ୍ରଦର୍ଶନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ CJP ପକ୍ଷରୁ ସେପ୍ଟେମ୍ବର ୫ରେ ପ୍ରସ୍ତାବିତ ମାର୍ଚ୍ଚର ନିଷ୍ପତ୍ତି ପ୍ରତ୍ୟାହାର କରାଯାଉଥିବା କୁହାଯାଇଛି।
ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ କେନ୍ଦ୍ର ସରକାର ଛାତ୍ରମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ। ସେ କହିଥିଲେ ଯେ ଏହି ମାମଲାକୁ ଅଧିକ ଜଟିଳ କରାଯିବା ଉଚିତ୍ ନୁହେଁ।
ସୁପ୍ରିମକୋର୍ଟରେ ତୁଷାର ମେହତା କହିଥିଲେ ଯେ କେନ୍ଦ୍ର ସରକାର ଛାତ୍ରମାନଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଭବିଷ୍ୟତରେ ଏହି ଘଟଣା ସମ୍ପର୍କରେ ଆଉ FIR ରୁଜୁ ନକରିବା ଏବଂ ଆତ୍ମହତ୍ୟା କରିଥିବା ଛାତ୍ରମାନଙ୍କ ପାଇଁ କ୍ଷତିପୂରଣ ଭଳି ପ୍ରସଙ୍ଗ ସାମିଲ ଥିଲା।
ଜନ୍ତର-ମନ୍ତର ପ୍ରଦର୍ଶନର ନେତୃତ୍ୱ ନେଇଥିବା CJP ପକ୍ଷରୁ ସେପ୍ଟେମ୍ବର ୫ରେ ଦିଲ୍ଲୀରେ ଏକ ମାର୍ଚ୍ଚ କରିବାକୁ ଘୋଷଣା କରାଯାଇଥିଲା। ଯାହାକୁ ନେଇ ଏବେ ସିଜେପି ୟୁଟର୍ନ ନେଇଛି। CJPର ଅଭିଯୋଗ ହେଉଛି, NEET ପେପର ଲିକ୍ ବିରୋଧୀ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା FIR ପ୍ରତ୍ୟାହାର କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହା ପୂରଣ ହୋଇନାହିଁ।
ଅଗଷ୍ଟ ୨୪ରେ CJP କହିଥିଲା ଯେ ସେପ୍ଟେମ୍ବର ୫ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ରୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଯୁବ ମାର୍ଚ୍ଚ ଆୟୋଜନ କରାଯିବ। NEET ପରୀକ୍ଷା ସହ ଜଡ଼ିତ ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀଛାତ୍ର ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ଲୋକଙ୍କ ପରିବାର ଏହି ମାର୍ଚ୍ଚର ନେତୃତ୍ୱ ନେବେ ବୋଲି ସଂଗଠନ କହିଥିଲା।

