ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଫେକ ଏବଂ ସ୍ପାମ କଲ ଉପରେ ରୋକ ଲଗାଇବା ପାଇଁ ବିନା କୌଣସି ଥାର୍ଡ ପାର୍ଟି ଆପ ସାହାଯ୍ୟରେ ସରକାରୀ କଲର୍ ଆଇଡି (Caller ID) ନିୟମ ଆରମ୍ଭ ହେବାକୁ ଯାଉଛି। ଏହା ବ୍ୟତୀତ, ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନନ-BS6 ଯାନବାହନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ହେବ ଏବଂ ପ୍ରତି ମାସ ଭଳି ଏଲ୍ପିଜି ସିଲିଣ୍ଡର ତଥା ଇନ୍ଧନର ନୂତନ ଦର ମଧ୍ୟ ପ୍ରକାଶ ପାଇବ।
ପ୍ରତି ମାସ ଆରମ୍ଭ ସହିତ ଦେଶରେ ଅନେକ ଆର୍ଥିକ, ପ୍ରଶାସନିକ ତଥା ଯାତାୟାତ ସମ୍ପର୍କିତ ନିୟମ ବଦଳିଥାଏ। ଏଥର ମଧ୍ୟ ୧ ନଭେମ୍ୱର ୨୦୨୬ରୁ ଲାଗୁ ହେବାକୁ ଥିବା ପରିବର୍ତ୍ତନଗୁଡ଼ିକ ବେଶ ଗୁରୁତ୍ୱପୂର୍ଣ୍ଣ। ସ୍ପାମ କଲ୍ରୁ ମୁକ୍ତି ଦେଉଥିବା ନୂଆ କଲର୍ ଆଇଡି ସିଷ୍ଟମରୁ ଆରମ୍ଭ କରି ଦିଲ୍ଲୀର ରାସ୍ତାରେ ପୁରୁଣା ଯାନବାହନ ଚଳାଚଳ ଉପରେ କଟକଣା ପର୍ଯ୍ୟନ୍ତ, ଅନେକ ନିଷ୍ପତ୍ତି ଲାଗୁ ହେବାକୁ ଯାଉଛି ଯାହା ସିଧାସଳଖ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ। ଆସନ୍ତୁ ଏହି ସମସ୍ତ ପରିବର୍ତ୍ତନ ବିଷୟରେ ବିସ୍ତୃତ ଭାବରେ ଜାଣିବା।
ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତଦିନେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ’ୱିଣ୍ଟର ଆକ୍ସନ ପ୍ଲାନ’ ଅଧୀନରେ କଡ଼ା କଟକଣା ଲାଗୁ କରାଯାଉଛି। ଏହି କ୍ରମରେ ଦିଲ୍ଲୀରେ ୧ ନଭେମ୍ୱର ୨୦୨୬ରୁ ୩୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ନନ-BS6 ଯାନବାହନ ପ୍ରବେଶ ତଥା ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ। ଏହି ସମୟ ମଧ୍ୟରେ ରାଜଧାନୀର ରାସ୍ତାରେ କେବଳ BS6 ମାନକ ବିଶିଷ୍ଟ, ଇଲେକ୍ଟ୍ରିକ (EV) କିମ୍ୱା ସିଏନ୍ଜି (CNG) ଯାନ ଚଳାଚଳ ପାଇଁ ଅନୁମତି ମିଳିବ। ଏହି ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇପାରେ।
ବର୍ତ୍ତମାନ ସମୟରେ ସ୍ପାମ ଏବଂ ଫେକ କଲ ଏକ ବଡ଼ ସମସ୍ୟା ପାଲଟିଛି, ଯାହାର ସମାଧାନ ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନଭେମ୍ୱର ୧ରୁ 4G ଏବଂ 5G ନେଟୱାର୍କରେ ସରକାରୀ କଲର୍ ଆଇଡି ସେବା ଆରମ୍ଭ କରାଯିବ। ଏହା ପରେ ଯେତେବେଳେ ମଧ୍ୟ କୌଣସି ଅଜଣା ନମ୍ୱରରୁ ଆପଣଙ୍କୁ ଫୋନ ଆସିବ, ସେତେବେଳେ ଟେଲିକମ ଡାଟାବେସ ଅର୍ଥାତ KYC ଆଧାରରେ ପଞ୍ଜୀକୃତ କଲର୍ଙ୍କ ପ୍ରକୃତ ନାମ ଫୋନ ସ୍କ୍ରିନ୍ରେ ଦେଖାଯିବ। ଏଥିପାଇଁ ଆପଣଙ୍କୁ ’ଟ୍ରୁକଲର୍’ ଭଳି କୌଣସି ଥାର୍ଡ ପାର୍ଟି ଆପ ବ୍ୟବହାର କରିବାକୁ ପଡ଼ିବ ନାହିଁ।
ପ୍ରତି ମାସର ପହିଲା ତାରିଖ ଭଳି ଏଥର ମଧ୍ୟ ଶକ୍ତି ଏବଂ ଇନ୍ଧନ ମୂଲ୍ୟରେ ସଂଶୋଧନ କରାଯିବ। ବାସ୍ତବରେ, ନଭେମ୍ୱର ୧ ତାରିଖରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଘରୋଇ ତଥା ବାଣିଜ୍ୟିକ LPG ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ଘୋଷଣା କରିବେ। ଏହା ସହିତ ବିମାନ ଇନ୍ଧନ (Jet Fuel) ଏବଂ CNG-PNG ଦରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ, ଯାହାର ସିଧାସଳଖ ପ୍ରଭାବ ପରିବହନ ଏବଂ ଯାତ୍ରା ଖର୍ଚ୍ଚ ଉପରେ ପଡ଼ିବ।

